Advertisment

ପୁଲୱାମା ହମଲାକୁ ୪ ବର୍ଷ: ଏଯାଏ ଭୁଲିନି ଦେଶ

ଏହି ଘଟଣାକୁ ଆଜି ୪ ବର୍ଷ ପୂରିଛି। ସହିଦ ଯବାନଙ୍କ ସମ୍ମାନରେ ଅନେକ ଶୋକ ପ୍ରକାଶ କରୁଛନ୍ତି। ହେଲେ ଦେଶର ୪୦ ଜଣ ଯବାନ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
pulwama attack

pulwama attack

ଆଜିକୁ ଠିକ୍‌ ୪ ବର୍ଷ ତଳର କଥା। ୨୦୧୯ ମସିହା ଫେବୃଆରୀ ୧୪ ତାରିଖ। ସାରା ଦେଶ ପ୍ରେମ ଦିବସ ପାଳୁଥିବା ବେଳେ ଜମ୍ମୁ-କଶ୍ମୀରର ପୁଲୱାମାରୁ ଆସିଥିଲା ଛାତି ଥରାଇ ଦେବା ଭଳି ଖବର। ସିରିଆପିଏଫ ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଉପରେ ହୋଇଥିଲା ହମଲା।

Advertisment

ଆତ୍ମଘାତୀ ଆତଙ୍କୀ ହମଲା ଯୋଗୁ ଦେଶର ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ଆଖି ପିଛୁଳାକେ ହମଲା କରି ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ହମଲାରେ କିଏ ନିଜ ପୁଅକୁ ହରାଇଥିଲେ ତ ଆଉ କିଏ ନିଜ ସ୍ୱାମୀ ଓ ବାପାଙ୍କୁ। ଓଡ଼ିଶାର ମଧ୍ୟ ଦୁଇ ଜଣ ବୀରପୁତ୍ର ପୁଲୱାମା ହମଲାରେ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁର ନୂଆଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ନିଆଳିରୁ ମନୋଜ କୁମାର ବେହେରା।

ଏହି ଘଟଣାକୁ ଆଜି ୪ ବର୍ଷ ପୂରିଛି। ସହିଦ ଯବାନଙ୍କ ସମ୍ମାନରେ ଅନେକ ଶୋକ ପ୍ରକାଶ କରୁଛନ୍ତି। ହେଲେ ଦେଶର ୪୦ ଜଣ ଯବାନ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ନିଜର ପ୍ରିୟଜନଙ୍କୁ ହରାଇ ଏବେ ବି ଯବାନଙ୍କ ପରିବାର ଲୋକ ଲୁହ ଝରାଉଛନ୍ତି। ଦେଶ ପାଇଁ ପୁଅ/ସ୍ୱାମୀ/ବାପା ବଳିଦାନ ଦେଉଥିବାରୁ ଅନେକ ଗର୍ବ କରୁଥିଲେ ମଧ୍ୟ ସେମାନଙ୍କ କଥା ମନେପଡ଼ିଲେ ଆଖିରୁ ଲୁହ ଝରି ଯାଉଛି।

Advertisment

ହମଲା ଏତେ ଭୟଙ୍କର ଥିଲା ଯେ ଯବାନଙ୍କ ବସ୍‌ ପୂରା ଛିନଛତ୍ର ହୋଇଯାଇଥିଲା। ବୀର ଯବାନଙ୍କ ମୃତଦେହ ମଧ୍ୟ ଖଣ୍ଡଖଣ୍ଡ ହୋଇଯାଇଥିଲା। ଘଟଣାକୁ ୪ ବର୍ଷ ପୂରି ଯାଇଥିଲେ ମଧ୍ୟ ସେହି କଳାଦିନ କଥା ଏବେ ବି ପ୍ରତିଟି ଭାରତୀୟଙ୍କ ଆଖି ଆଗରେ ନାଚି ଯାଉଛି।

ଆକ୍ରମଣ ପଛରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ହାତ ଥିବା ଜଣାପଡ଼ିଥିଲା। ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ପୁଲଓ୍ୱାମା ଆକ୍ରମଣର କଡ଼ା ଜବାବ ଦେବା ଲାଗି ସେନା ବାହିନୀକୁ ଅନୁମତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଇଚ୍ଛାରେ ସମୟ ଦେଖି ଜବାବ ଦେବାକୁ କହିଥିଲେ।

୨୦୧୯ ମସିହା ଫେବୃଆରୀ ୨୪ ତାରିଖ ସକାଳୁ ୭୮ଟି ଗାଡ଼ିରେ ପ୍ରାୟ ୨୫ଶହ ଯବାନ ଜମ୍ମୁ ଠାରୁ ଜାତୀୟ ରାଜପଥ ୪୪ ଦେଇ ଶ୍ରୀନଗର ଯାଉଥିଲେ। କନଭୟ ଗୁଡ଼ିକ ପୁଲୱାମାର ଲେଥାପୋରା ଅଞ୍ଚଳ ଅତିକ୍ରମ କରୁଥିଲା। ଠିକ୍‌ ଏହି ସମୟରେ ଜୈଶର ଜଣେ ଆତଙ୍କୀ କାର୍‌ରେ ବିସ୍ଫୋରକ ଭର୍ତ୍ତି କରି ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌କୁ ଧକ୍କା ଦେଇଥିଲା। କାର୍‌ରେ ବିପୁଳ ପରିମାଣର ବିସ୍ଫୋରକ ଥିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବସ୍‌ଟି ଚୂରମାର ହୋଇଯିବା ସହ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଅନେକ ଆହତ ମଧ୍ୟ ହୋଇଥିଲେ।

୧୯୮୯ ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କଶ୍ମୀରରେ ସେହିଦିନ ହୋଇଥିଲା ସବୁଠାରୁ ବଡ଼ ହମଲା। ଏହି ହମଲା ପାଇଁ ଜୈଶ ନିଜକୁ ଦାୟୀ କରିଥିଲା। ହମଲା କରିଥିବା ୨୨ ବର୍ଷୀୟ ଆତଙ୍କୀ ଆଦିଲ ହମଦ ଦାର ଗୋଟିଏ ଭିଡିଓ ଜାରି କରିଥିଲା ଜୈଶ। ଆଦିଲର ଘର କଶ୍ମୀରର କାକପୋରାରେ ହୋଇଥିବା ବେଳେ ସେ ମାତ୍ର ବର୍ଷକ ତଳେ ଜୈଶରେ ସାମିଲ ହୋଇଥିଲା।

୨୦୧୮ ମାର୍ଚ୍ଚରେ ଆଦିଲ ଘର ସାଇକେଲ ନେଇ ବାହାରିଥିଲା। ହେଲେ ଆଉ ସେ ଘରକୁ ଫେରି ନଥିଲେ। ସେ ଜୈଶ ସହ ସାମିଲ ହେବା ସହ ଆତ୍ମଘାତୀ ହମଲାର ତାଲିମ ନେଇଥିଲା। ଏହାପରେ ଭାରତର ବୀର ଯବାନଙ୍କ କନଭୟକୁ ଟାର୍ଗେଟ କରିଥିଲା। ପୂରା ହମଲାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ମାସୁଦସ ଆଝାର ରହିଥିବା ବେଳେ ସେ ପାକିସ୍ତାନରୁ ଅପରେଟ କରିଥିଲା। ହେଲେ ପାକିସ୍ତାନ ଏହାକୁ ଖଣ୍ଡନ କରି ଚାଲିଛି।

ପୁଲୱାମା ହମଲା ସାରା ଦେଶକୁ ମର୍ମାହତ କରିଥିବା ବେଳେ ଏହାର ବଦଲା ନେବାକୁ ପଣ କରିଥିଲା ଭାରତୀୟ ସେନା। ଉଭୟ କଶ୍ମୀରର ଓ ପାକିସ୍ତାନରେ ଲୁଚିଥିବା ଆତଙ୍କୀ ଆକ୍କାମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆରମ୍ଭ କରାଯାଇଥିଲା ଅପରେସନ। ହମଲାର ଠିକ୍‌ ୧୧ ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ କରାଯାଇଥିଲା ଏୟାରଷ୍ଟ୍ରାଇକ୍‌।

୧୨ଟି ମିରାଜ ୨୦୦୦ ଜେଟ୍‌ ଫେବୃଆରୀ ୨୬ ତାରିଖରେ ଏଲଓସି ଡେଇଁଥିଲେ। ଏହାପରେ ବାଲାକୋଟରେ ଥିବା ଜୈଶର ଏକାଧିକ ଠିକଣା ଉପରେ ବୋମା ଓ ମିସାଇଲ ମାଡ଼ କରିଥିଲା। ଏଥିରେ ୩୦୦ରୁ ୩୫୦ ଜଣ ଜୈଶ ଆତଙ୍କୀ ଓ ହ୍ୟାଣ୍ତେଲରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

ପାକିସ୍ତାନ ଏହି ହମଲାକୁ ସହଜରେ ଗ୍ରହଣ କରିପାରି ନଥିଲା। ପାକିସ୍ତାନ ପକ୍ଷରୁ ଫେବୃଆରୀ ୨୭ରେ ଜମ୍ମୁ-କଶ୍ମୀରରେ ଏୟାର ଷ୍ଟ୍ରାଇକ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ମିଗ୍‌ ୨୧ ବିମାନ ଦ୍ୱାରା ଭାରତୀୟ ବାୟୁବୀରମାନେ ପାକିସ୍ତାନରୁ ଆସିଥିବା ଯୁଦ୍ଧ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲେ।

ଏହି ଲଢ଼େଇ ଭିତରେ ଗୋଟିଏ ମିଗ ୨୧ ବିମାନ ପାକିସ୍ତାନ ସୀମାରେ ଖସି ପଡ଼ିଥିଲା। ଏହାକୁ ଚଳାଉଥିବା ଓ୍ୱିଙ୍ଗ କମାଣ୍ଡର ଅଭିନବ ବର୍ତମାନଙ୍କୁ ପାକିସ୍ତାନ କାବୁ କରିଥିଲା। ହେଲେ ଭାରତର ନାଲି ଆଖି ଓ ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହାପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଥମି ନଥିଲା।

ପାକିସ୍ତାନ ଉପରେ ଚାପ ବଢ଼ିବାରୁ ଇସଲାମାବାଦ ବାଧ୍ୟ ହୋଇ ମାର୍ଚ୍ଚ ୫ରେ ଜୈଶ ସମସ୍ତ ବିଭିନ୍ନ ଆତଙ୍କୀ ସଂଗଠନର ୪୪ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଭାରତ ପଠାଇଥିବା ଦସ୍ତାବିଜ୍‌ରେ ଥିବା ଆତଙ୍କୀ ମଧ୍ୟ ରହିଥିଲେ।

ଅନ୍ୟପକ୍ଷରେ ଭାରତରେ ଏହି ଘଟଣାର ତଦନ୍ତ ଏନଆଇଏ କରିବା ସହ ୧୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ହେଲେ ବିସ୍ଫୋରଣ ପରେ ବ୍ୟବହୃତ ୩୦୦ କେଜି ଓଜନର ବିସ୍ଫୋରକ କେଉଁଠୁ ଆସିଥିଲା, ସେକଥା ଏନଆଇଏ ଆଜି ଯାଏ ଜାଣିପାରି ନାହିଁ। ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ୨୦୨୧ ଅଗଷ୍ଟ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ପ୍ରାଣ ହରାଇଥିଲେ। ବାକି ୭ ଜଣଙ୍କୁ ଗିରଫ କରାଯାଇଛି। ହେଲେ ଆଉ ୫ ଜଣଙ୍କ ପତ୍ତା ମିଳିନି।

ପୁଲୱାମା ହମଲାକୁ ଆଜି ୪ ବର୍ଷ ବିତିଛି ସତ, ହେଲେ କାହା ଭୁଲରୁ ଏତେ ବଡ଼ ଘଟଣା ଘଟିଲା ସେକଥା ସ୍ପଷ୍ଟ ହୋଇନି। ଏତେ ସଂଖ୍ୟକ ଯବାନଙ୍କୁ ଆକାଶ ପଥ ବଦଳରେ କାହିଁକି ସ୍ଥଳ ପଥରେ ପଠାଯାଇଥିଲା? ଯବାନମାନେ ଯାଉଥିବା ବେଳେ କେମିତି ଗୋଟିଏ କାର୍‌ କନଭୟ ନିକଟରେ ପହଞ୍ଚିଲା? କ’ଣ ଗୁଇନ୍ଦା ବିଭାଗ ହମଲା ସମ୍ପର୍କରେ ଆଗରୁ ସୂଚନା ପାଇ ନଥିଲା? ସ୍ଥାନୀୟ ପୁଲିସ୍‌ ଯବାନଙ୍କ କନଭୟ ଯିବା ରାସ୍ତାର ସୁରକ୍ଷା ଯାଞ୍ଚ କରିଥିଲା ତ? ଏମିତି ଅନେକ ପ୍ରଶ୍ନ ଏବେ ବି ଭାରତୀୟଙ୍କ ମନରେ ଉଙ୍କି ମାରୁଛି।

Pakistan Terror Attack India Pulwama Attack CRPF Army