Advertisment

ଜଳକଷ୍ଟରେ କଟିବ ଆଉ ଗୋଟିଏ ଗ୍ରୀଷ୍ମ

ଶୀତ ସରି ଗଲାଣି। ଖରା ଆରମ୍ଭ ହେବାକୁ ବସିଲାଣି। ସରିଲାନି ଏକାଧିକ ମେଗା ପାନୀୟ ଜଳ ପ୍ରକଳ୍ପ। ତେଣୁ ପୁଣି ଏଥର ଖରା ଦିନେ ପାଣି ପାଇଁ ହନ୍ତସନ୍ତ ହେବେ ଲୋକେ।

ଅଦ୍ୟତନ ହୋଇଛି
Mega Project

Mega Project

Advertisment

ସୁଡ଼େସୁ, ଉପର ରେଙ୍ଗା, ସାମନା, ଏଗୁ ମାଙ୍କିଡ଼ି, ଲାଉମାଳ, ସଲପଗୁଡ଼ା, ଲଛା ଓ ମଙ୍ଗଳପୁର। ଏଗୁଡ଼ିକ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ଗୋଟିଏ ଗୋଟିଏ ଦୁର୍ଗମ ଗାଁ। ଏହି ଗାଁଗୁଡ଼ିକରେ ବାସ କରୁଥିବା ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ ରହିଛନ୍ତି। ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ଏବେବି ପାଣି ପାଇଁ ଚୁଆ ଓ ଝରଣା ଉପରେ ନିର୍ଭର କରୁଛନ୍ତି। ଏହି ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ତିନି ବର୍ଷ ତଳେ ନାରାୟଣପାଟଣା ବ୍ଲକ ବିଜାଘାଟି ଗାଁ ନିକଟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ବିତି ଯାଇଥିଲେ ସୁଦ୍ଧା ତା’ର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଫଳରେ ଏହି ପ୍ରକଳ୍ପରୁ ଉପକୃତ ହେବାକୁ ଥିବା ଲୋକଙ୍କୁ ଜଳକଷ୍ଟରେ ବିତାଇବାକୁ ପଡ଼ିବ ଆଉ ଏକ ଗ୍ରୀଷ୍ମ।

Advertisment

କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରୁ ଜଳ ସଂରକ୍ଷଣ କରି ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତ ଓ ବନ୍ଧୁଗାଁ ବ୍ଲକ୍‌ର ୨ଟି ପଞ୍ଚାୟତର ୧୭୦ଟି ଗାଁକୁ ବିଶୁଦ୍ଧ ପାଣି ଯୋଗାଇବା ଲକ୍ଷ୍ୟରେ ଏହି ମେଗା ପ୍ରକଳ୍ପର ଯୋଜନା କରିଥିଲେ ପୂର୍ବର ବିଜେଡି ସରକାର। ଏଥିପାଇଁ ୭୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ୨୦୨୨ ଜାନୁଆରୀ ୫ ତାରିଖରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୨୦୨୪ ଜାନୁଆରୀ ୪ ତାରିଖରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତତ୍‌କାଳୀନ ସରକାର। କିନ୍ତୁ ଏହା ଭିତରେ ନିର୍ବାଚନ ଶେଷ ହୋଇ ନୂଆ ସରକାର ଗଠନ ହେବାର ୮ ମାସ ହୋଇଯାଇଥିବା ବେଳେ ପ୍ରକଳ୍ପଟିର କାମ ଶେଷ ହୋଇନାହିଁ। ଧାର୍ଯ୍ୟ ସମୟର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ସରିପାରିଲାନି ଏହି ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ। ଏହା କେବେ ଶେଷ ହେବ ଓ ଲୋକେ କେବେ ପାଣି ପାଇବେ, ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। କାରଣ ଏଯାଏଁ ଏହି ପ୍ରକଳ୍ପର ୫୦ ପ୍ରତିଶତ କାମ ମଧ୍ୟ ହୋଇନାହିଁ।

ଦାୟିତ୍ୱରେ ଥିବା ଯନ୍ତ୍ରୀ ଠିକ୍‌ରେ କାମ ତଦାରଖ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ନିମ୍ନମାନର କାମ ହେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିଓ ଦାୟିତ୍ୱରେ ଥିବା ଯନ୍ତ୍ରୀ ପ୍ରବୀଣ କୁମାର ସିଂ। ସେ କହିଛନ୍ତି, ମୋ ଅଧୀନରେ ଦୁଇଟି ମେଗା ପ୍ରକଳ୍ପ ଚାଲିଛି। ତେଣୁ ମୁଁ ସପ୍ତାହରେ ଦିନେ ବା ଦୁଇ ଦିନ ଲେଖାଏଁ ଉକ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିବାକୁ ଯାଏ। କିନ୍ତୁ ଜଣ ଜେଇ ଏହି ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି। ସେ ପ୍ରତ୍ୟେକ ଦିନ ଉପସ୍ଥିତ ରହି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଦେଖିବା ସହିତ କାର୍ଯ୍ୟର ମାନ ତଦାରଖ କରନ୍ତି। ଜମି ଅଧିଗ୍ରହଣରେ ବିଳମ୍ବ ହେବାରୁ ତଥା ଅନ୍ୟାନ୍ୟ କିଛି ସମସ୍ୟା ରହିବାରୁ ଏହି ପ୍ରକଳ୍ପର କାମ ଶେଷ ହେବାରେ ବିଳମ୍ବ ହୋଇଛି। ଏବେ ସବୁ ସମସ୍ୟାର ସମାଧାନ କରାଯାଇ ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରାଯିବ।

Advertisment

ଅନ୍ୟପକ୍ଷରେ ଏହି ମେଗା ପାନୀୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ତା’ର ଉଦ୍ଦେଶ୍ୟ ସଫଳ ହେବ କି ନାହିଁ ତା’ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର ପାଙ୍ଗି ଓ ରାମଚନ୍ଦ୍ର କେଣ୍ଡ୍ରୁକା କହିଛନ୍ତି, ନାରାୟଣପାଟଣା ବ୍ଲକ୍‌ର ୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୩/୪ଟି ପାହାଡ଼ିଆ ଦୁର୍ଗମ ଅଞ୍ଚଳରେ। ବର୍ଗି, ଲଙ୍ଗଲବେଡ଼ା, ତଳଗୁମାଣ୍ଡି, ବିଜାଘାଟି ଓ ତେନ୍ତୁଳିପଦର ପଞ୍ଚାୟତର ପ୍ରାୟ ଲୋକ ପାହାଡ଼ ଉପରେ ବସବାସ କରୁଛନ୍ତି। ଏହି ମେଗା ପ୍ରକଳ୍ପରୁ ସେହି ସବୁ ଗାଁରେ ପାନୀୟ ଜଳ ପହଞ୍ଚି ପାରିବ କି ନାହିଁ ବୋଲି ସନ୍ଦେହ ସୃଷ୍ଟି ହେଉଥିବା ସେମାନେ କହିଛନ୍ତି।

ଏହି ପ୍ରକଳ୍ପର କାର୍ଯ୍ୟକୁ ନେଇ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ବିଧାୟକ ମଧ୍ୟ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି। ତେବେ ପ୍ରକଳ୍ପଟି କେବେ ଶେଷ ହେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଏ ତ ଗଲା ରାୟଗଡ଼ା ଜିଲ୍ଲାର ଏକ ପ୍ରକଳ୍ପ କଥା। ଏବେ ଚାଲନ୍ତୁ ଜାଣିବା ମାଲକାନଗିରି ଜିଲ୍ଲାର କିଛି ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ସଂପର୍କରେ। ମାଲକାନଗିରି ଜିଲ୍ଲାରେ ମୋଟ ୧୦ଟି ପ୍ରକଳ୍ପ ପାଇଁ ୧୧୬୬ କୋଟି ଟଙ୍କା ଅନୁମୋଦନ ହୋଇଛି। ତେବେ ଅଦ୍ୟାବଧି ଖର୍ଚ୍ଚ ହୋଇଛି ମାତ୍ର ୩୮୦ କୋଟି ଟଙ୍କା। ସମୟ ଗଡ଼ୁ ଥିବା ବେଳେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଖୁବ୍ ମନ୍ଥର ଗତିରେ ଚାଲୁଥିବାରୁ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ବିଭାଗୀୟ ଅଧିକାରୀମାନେ କହିଛନ୍ତି ଯେ ଖୁବଶୀଘ୍ର ଏହି ପ୍ରକଳ୍ପଗୁଡ଼ିକର ଶେଷ କରି ପାନୀୟ ଜଳ ସମସ୍ୟା ଦୂର କରାଯିବ।

କୋରକୋଣ୍ଡା ବ୍ଲକର ମାରିବାଡ଼ାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚାଲିଛି। ଏଥିପାଇଁ ୧୨୨ କୋଟି ଟଙ୍କା ଅନୁମୋଦନ କରାଯାଇଛି। ୨୦୨୧ ମସିହାରେ ଏହାକୁ ଶେଷ କରିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ ତା’ ଭିତରେ ଆଉ ୨ ବର୍ଷ ବିତି ଯାଇଛି। କିନ୍ତୁ ଏହି ପ୍ରକଳ୍ପର କାମ ଶେଷ ହୋଇନାହିଁ। ୧୨୨ କୋଟି ଟଙ୍କାରୁ ଏଯାବତ୍ ମାତ୍ର ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଜିଲ୍ଲାର ଅନ୍ୟ ସମସ୍ତ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପର ଅବସ୍ଥା ମଧ୍ୟ ଏହିଭଳି। ବହୁ ମନ୍ଥର ଗତିରେ ଚାଲିଛି କାର୍ଯ୍ୟ। ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଜନକ କୁମାର ବଳବନ୍ତ ରାୟ କହିଛନ୍ତି, ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଠିକାଦାରମାନଙ୍କୁ କାର୍ଯ୍ୟ ଶେଷ କରିବା ପାଇଁ ତାଗିଦ କରାଯାଇଛି। ଚଳିତ ବର୍ଷ ସବୁ ଠିକାଦାରଙ୍କୁ କାର୍ଯ୍ୟ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି। ଖୁବଶୀଘ୍ର କାର୍ଯ୍ୟ ଶେଷ କରି ଲୋକଙ୍କୁ ବିଷୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଚେଷ୍ଟା ଜାରି ରହିଛି।

ଶୀତ ସରି ଗଲାଣି। ଖରା ଆରମ୍ଭ ହେବାକୁ ବସିଲାଣି। ମାଲକାନଗିରି ଜିଲ୍ଲାର କେଉଁ ଗାଁରେ ଲୋକଙ୍କ ଅନୁପାତରେ ନଳକୂପ ସଂଖ୍ୟା କମ୍ ରହିଛି ତ ଆଉ କେଉଁ ଗାଁରେ ଆଦୌ ନଳକୂପ ନାହିଁ। ସେହିପରି କୂଅ, ପୋଖରୀ ଶୁଖି ଯିବା ନିଶ୍ଚିତ। ଏହାରି ଭିତରେ ପୁଣି ଚଳିତ ବର୍ଷ ଖରା ଦିନେ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି ଜିଲ୍ଲାର ଅନେକ ଗାଁର ଲୋକ।

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖରା ଓ ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Drinking Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe