Chief Minister Mohan Majhi
‘ରାଜ୍ୟ ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ ଦକ୍ଷ ଇଞ୍ଜିନିୟରମାନେ କାର୍ଯ୍ୟରତ ଥାଇ ମଧ୍ୟ କାହିଁକି ବିଭିନ୍ନ ସରକାରୀ ପ୍ରକଳ୍ପଗୁଡ଼ିକର ସର୍ଭେଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ଭଳି କାର୍ଯ୍ୟଗୁଡ଼ିକ ଆଉଟସୋର୍ସିଂ ସଂସ୍ଥାକୁ ଟେକି ଦିଆଯାଉଛି? ଏଭଳି ଏକ ଅସୁସ୍ଥ ପରମ୍ପରା ନା କେବଳ ସରକାରୀ ପ୍ରକଳ୍ପଗୁଡ଼ିକର ବ୍ୟୟଭାର ବୃଦ୍ଧି କରୁଛି ବରଂ ସରକାରୀ ସଂସ୍ଥାରେ କାର୍ଯ୍ୟରତ ଦକ୍ଷ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।’ ଏଭଳି କିଛି ଢଙ୍ଗରେ ଉଦବେଗ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ବିଗତ ୧୦ ବର୍ଷ ମଧ୍ୟରେ କେଉଁସବୁ ବେସରକାରୀ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ କେତେ ଟଙ୍କାର କି ପ୍ରକାରର କାର୍ଯ୍ୟ ସମ୍ପାଦନ କରାଯାଇଛି ତଥା ଏହି କାର୍ଯ୍ୟ ପାଇଁ ବିଭାଗ ଓ ସରକାରଙ୍କ କୌଣସି ସଂସ୍ଥା ସକ୍ଷମ ନଥିଲା କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ମୁଖ୍ୟ ସଚିବଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିବା ପରେ ରାଜ୍ୟର ୫ଟି ଇଞ୍ଜିନିୟରିଂ ବିଭାଗରେ କମ୍ପନ ସୃଷ୍ଟି ହୋଇଛି। ବିଭାଗୀୟ ଶୀର୍ଷ ଅଧିକାରୀମାନଙ୍କ ପ୍ରିୟାପ୍ରୀତି ତୋଷଣରେ ଚାଲିଥିବା ଆଉଟସୋର୍ସିଂରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଏବେ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଜଳସମ୍ପଦ, ପୂର୍ତ୍ତ, ପଂଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ କେଉଁ ଢଙ୍ଗରେ ବୁଝାଇବେ ଏବଂ କିଭଳି ନିଜକୁ ଅପାରଗ ବୋଲି ଲିଖିତ ଭାବେ ଜଣାଇବେ ତାକୁ ନେଇ ବିଭାଗଗୁଡ଼ିକ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି।
‘କାହିଁକି ଆଉଟସୋର୍ସିଂ ହେଉଛି, କାରଣ ଜଣାଅ’
ରାଜ୍ୟର ଇଞ୍ଜିନିୟରିଂ ବିଭାଗଗୁଡ଼ିକ ବିଭିନ୍ନ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ ଓ ଡିପିଆର ପ୍ରସ୍ତୁତି ଆଦି ପ୍ରାରମ୍ଭିକ କାର୍ଯ୍ୟ ନିଜେ କିମ୍ବା ସରକାରୀ ସଂସ୍ଥା ଦ୍ୱାରା ନକରାଇ ବେସରକାରୀ ଆଉଟସୋର୍ସିଂ ସଂସ୍ଥା ଦ୍ୱାରା କରାଇବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି। କିଛିବର୍ଷ ପୂର୍ବରୁ ଯଦି ଆମର ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ ପ୍ରକାରର କାର୍ଯ୍ୟ ସୁଚାରୂ ରୂପେ କରୁଥିଲେ ତା’ହେଲେ ଏହି ‘ଆଉଟସୋର୍ସିଂ ବ୍ୟବସ୍ଥା’ର ଅଭ୍ୟୁଦୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସରକାରୀ ପ୍ରକଳ୍ପଗୁଡ଼ିକର ବ୍ୟୟଭାର ବଢ଼ୁଛି। ଆଉ ଆମ ସରକାରୀ ବିଭାଗ ଓ ସଂସ୍ଥାରେ ଦକ୍ଷ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ବହୁ ଛୋଟଛୋଟ ପ୍ରକଳ୍ପର ଡିଜାଇନଠୁ ଡିପିଆର ପର୍ଯ୍ୟନ୍ତ କାର୍ଯ୍ୟ ଆଉଟସୋର୍ସିଂ କରିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିଚାଲିଛି ବୋଲି କହିଛନ୍ତି।
ଏସବୁର ଅନୁସନ୍ଧାନ ଓ ନିରାକରଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅନୁଭବ କରିବା ସହ ବିଗତ ୧୦ ବର୍ଷ ମଧ୍ୟରେ କେଉଁ ବିଭାଗଗୁଡ଼ିକ କେଉଁ ବେସରକାରୀ ସଂସ୍ଥାକୁ କେଉଁସବୁ କାର୍ଯ୍ୟ ପାଇଁ କେତେ ଟଙ୍କା ଦେଇଛନ୍ତି ଓ ସେହି ବିଭାଗ ଅବା ସରକାରଙ୍କ ଅନ୍ୟ କେଉଁ ସଂସ୍ଥା ଉକ୍ତ କାର୍ଯ୍ୟ କରିବା ନିମନ୍ତେ ଦକ୍ଷ ଥିଲେ କି ନାହିଁ ତା’ର ତଥ୍ୟ ସଂଗ୍ରହ କରି ଏକ ଗଭୀର ସମୀକ୍ଷା କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଉପାୟ ଓ କି କି ଆଧୁନିକ ଯନ୍ତ୍ରପାତି ବ୍ୟବହାର କଲେ ସରକାରୀ ବିଭାଗଗୁଡ଼ିକ ଏଭଳି କାର୍ଯ୍ୟ ପାଇଁ ସକ୍ଷମ ହୋଇପାରିବେ ତା’ର ମତାମତ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଗାଯାଉ ଓ ଏନେଇ ମାସକ ମଧ୍ୟରେ ରିପୋର୍ଟ ଦେବାକୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ନୋଟସିଟ୍ ପଠାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟସଚିବଙ୍କ ତାଗିଦ୍ ପରେ ବି ପ୍ରସ୍ତୁତ ହୋଇପାରୁନି ରିପୋର୍ଟ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଉଦବେଗ ପ୍ରକାଶ କରିବାକୁ ମାସେ ପୂରିଲାଣି। ତଥାପି ସରକାରୀ ବିଭାଗଗୁଡ଼ିକ ୧୦ ବର୍ଷର ରିପୋର୍ଟ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଏଭଳି ରିପୋର୍ଟକୁ ନେଇ ବିଭାଗରେ କମ୍ପନ ଲାଗି ରହିଛି। ମୁଖ୍ୟ ସଚିବ ମନୋଜ ଆହୁଜା ଗତ ମେ’ ୨୨ ତାରିଖରେ ରାଜ୍ୟର ସମସ୍ତ ୫ଟି ଇଞ୍ଜିନିୟରିଂ ବିଭାଗର ସଚିବଙ୍କୁ ଚିଠି ଲେଖି ଜୁନ୍ ୨ ତାରିଖ ସୁଦ୍ଧା ଇଞ୍ଜିନିୟରିଂ ବିଭାଗଗୁଡ଼ିକ ଦ୍ୱାରା ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ସମ୍ପାଦିତ ହୋଇଥିବା କାର୍ଯ୍ୟ (ସର୍ଭେ-ଡିଜାଇନଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପର୍ଯ୍ୟନ୍ତ)ର ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏନେଇ ଏକ ସମୀକ୍ଷା ବୈଠକ ମଧ୍ୟ ମୁଖ୍ୟ ସଚିବଙ୍କ ଦ୍ୱାରା ହୋଇସାରିଛି। ଏସବୁ ପରେ ମଧ୍ୟ ବିଭାଗଗୁଡ଼ିକ ୧୦ ବର୍ଷର ହିସାବକୁ ଏକଜୁଟ କରିପାରିନଥିବା ସୂଚନା ମିଳିଛି। ବେସରକାରୀ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକ ସହ ଉପର ସ୍ତରରେ ଚାଲିଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଯିବାର ଭୟ ଓ ସରକାରୀ ବିଭାଗ-ସଂସ୍ଥା ଏସବୁ କାର୍ଯ୍ୟ ପାଇଁ ଅପାରଗ ବୋଲି ଲିଖିତ ଭାବେ ଦେବାକୁ ଥିବାରୁ ଏହି ରିପୋର୍ଟ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଯଦି ଅସମର୍ଥିତ ସୂତ୍ରକୁ ବିଶ୍ୱାସ କରାଯାଏ, ତା’ହେଲେ ବିଗତ କିଛି ବର୍ଷ ମଧ୍ୟରେ କେବଳ ଜଳସମ୍ପଦ ବିଭାଗ ନିଜର ପ୍ରକଳ୍ପ ସର୍ଭେ-ଡିଜାଇନଠୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପାଇଁ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକୁ ପ୍ରାୟ ୫୦୦ କୋଟି ଟଙ୍କା ଦେଇଛି।
ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ଯଥାର୍ଥ, ଶ୍ୱେତପତ୍ର ଆସୁ: ବିଶେଷଜ୍ଞ
ରାଜ୍ୟର ପୂର୍ବତନ ଉନ୍ନୟନ କମିଶନର ତଥା ଖଡ଼ଗପୁର ଆଇଆଇଟିର ଇଞ୍ଜିନିୟର ଗ୍ରାଜୁଏଟ୍ ଉପେନ୍ଦ୍ରନାଥ ବେହେରା କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଗୋଟିଏ ଗୁରୁତର ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦବେଗ ବି ଯଥାର୍ଥ। କାରଣ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ହିଁ ସରକାରୀ ଚାକିରିକୁ ଦକ୍ଷ ଇଞ୍ଜିନିୟରମାନେ ଆସୁଛନ୍ତି। ରାଜ୍ୟରେ ସରକାରୀ ଯନ୍ତ୍ରୀମାନଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଆକର୍ଷଣୀୟ ରହିଛି। ଯେହେତୁ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକ ଦ୍ୱାରା ସେମାନଙ୍କର କାର୍ଯ୍ୟ (ଡିଜାଇନଠୁ ପ୍ଲାନ୍ ଏଷ୍ଟିମେଟ,ଡିପିଆର ଆଦି) କରାଇ ନିଆଯାଉଛି ତେଣୁ ଯେଉଁ ଯୁବ ଇଞ୍ଜିନିୟରମାନେ ସରକାରୀ ଚାକିରିରେ ଯୋଗ ଦେଉଛନ୍ତି ସେମାନେ ନିଜର ଦକ୍ଷତା ପ୍ରତିପାଦନର ସୁଯୋଗ ପାଉନାହାନ୍ତି। ସେମାନେ ଚାକିରି ଆରମ୍ଭବେଳେ ଯାହା ନିଜର ସିନିୟରମାନଙ୍କଠୁ ଶିଖିବା କଥା ତାହା ଶିକ୍ଷା କରିବାର ସୁଯୋଗ ମଧ୍ୟ ରହୁନି। ଏହା ଆମର ଦକ୍ଷ ଯନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାକୁ ନିଶ୍ଚିତ ପ୍ରଭାବିତ କରୁଛି। ସରକାର ତ ଅଧିକ ସଂଖ୍ୟକ ମୁଖ୍ୟଯନ୍ତ୍ରୀ ପଦବୀ ସୃଷ୍ଟି କରିସାରିଲେଣି। ତା’ଛଡ଼ା ପ୍ରକଳ୍ପର ଡିଜାଇନ, ଡ୍ରଇଂ, ପ୍ଲାନ୍ ଆଦି ପାଇଁ ଆବଶ୍ୟକ ପଡ଼ୁଥିବା ଅଧିକାଂଶ ଯନ୍ତ୍ରପାତି ଓ ଉପକରଣ ମଧ୍ୟ ସରକାରଙ୍କ ପାଖରେ ଅଛି। ଯାହା ଅଧିକ ଆବଶ୍ୟକ ପଡ଼ିବ ତାକୁ କିଣିବା ବି ସରକାରଙ୍କ ପାଇଁ ଏତେ ବ୍ୟୟବହୁଳ ନୁହେଁ। ଯଦି କାର୍ଯ୍ୟ ଚାପ ରହୁଛି ଅବା ଯଦି ଅତ୍ୟନ୍ତ ଜଟିଳ ସମସ୍ୟା ଥିବ ତା’ହେଲେ କାଁଭାଁ ପ୍ରକଳ୍ପ ନିମନ୍ତେ ସେଭଳି ପ୍ରତିଷ୍ଠିତ ସ୍କିଲଡ୍ ସଂସ୍ଥାର ସହଯୋଗ ନିଆଯାଇପାରିବ। ମାତ୍ର ସବୁ ପ୍ରକଳ୍ପ ପାଇଁ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକ ଉପରେ ନିର୍ଭର ରହିବା ଏକ ନିୟମିତ ପ୍ରାକ୍ଟିସ୍ ହେବା ଅନୁଚିତ୍ ବୋଲି ଶ୍ରୀ ବେହେରା କହିଛନ୍ତି।’ ଶ୍ରୀ ବେହେରା ରାଜ୍ୟ ସରକାରରେ ଅର୍ଥ, ଗୃହ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ସମେତ ଇଡକୋ ସିଏମଡି ଓ ଅନ୍ୟ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି।
ସେହିପରି ‘ଏନଡିଟିଭି’ର ପୂର୍ବତନ ଓଡ଼ିଶା ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀ ବେଶ୍ ଭଲ ନିଷ୍ପତ୍ତି ନେଇଛନ୍ତି। ଯେଉଁ ତଥ୍ୟ ମାଗିଛନ୍ତି ତାକୁ ସରକାର ଶ୍ୱେତପତ୍ର ଆକାରରେ ବିଧାନସଭାରେ ଉପସ୍ଥାପିତ କଲେ ବିଗତ ବର୍ଷଗୁଡ଼ିକରେ ପ୍ରାଇଭେଟ୍ ଆଉଟସୋର୍ସିଂ ସଂସ୍ଥାଗୁଡ଼ିକୁ କେତେ ଟଙ୍କା ଓ କାହିଁକି ଦିଆଯାଇଛି ତାହା ଲୋକଲୋଚନକୁ ଆସିପାରନ୍ତା। ଏସବୁ ପଛରେ ‘କଟ୍ ମନି’ ବା ‘ପିସି’ର କରାମତି ଅଛି ବୋଲି ମୁଁ ଅନୁଭବ କରୁଛି। ତେଣୁ ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟକୁ ସାର୍ବଜନୀନ କରିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750224597.jpg)