/odisha-reporter/media/post_attachments/uploadimage/library/16_9/16_9_0/House_1746171433.jpg)
House
୧୯୯୧ରେ ବରମୁଣ୍ଡା ବିଡିଏ ଡୁପ୍ଲେକ୍ସ ହାଉସିଂ କଲୋନୀରେ ୨୫୮ ପରିବାରଙ୍କୁ ଦୁଇ-ମହଲା ବିଶିଷ୍ଟ ଡୁପ୍ଲେକ୍ସ ଘର ଆବଣ୍ଟନ କରିଥିଲା ବିଡିଏ। ପ୍ରାୟ ୨୧୦୦ ବର୍ଗ ଫୁଟର ଘରକୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ଦୀର୍ଘସୂତ୍ରରେ ଲିଜ୍ ଦେଇଥିଲା ବିଡିଏ। ଭୁବନେଶ୍ବରରେ ସବୁ ସରକାରୀ ଜମି ସାଧାରଣ ପ୍ରଶାସନ ବା ଜିଏ ହାତରେ ରହିଛି। ୧୯୯୧ରେ ଏହି ହାଉସିଂ ପ୍ରକଳ୍ପ ପାଇଁ ବିଡିଏକୁ ପ୍ରାୟ ୨୩ ଏକର ଜମି ଦେଇଥିଲା ଜିଏ।
ପରେ ଲୋକେ ଜାଣିଲେ ହାଉସିଂ ପ୍ରକଳ୍ପ ପାଇଁ ଜିଏଠାରୁ ବିଡିଏ ପାଇଥିବା ଜମିରୁ ପ୍ରାୟ ୧୩ ଏକର ଜମି ରାଜସ୍ବ ଜଙ୍ଗଲ ଜମି କିସମର। ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟ ପାଇଁ ବ୍ୟବହାର କଲାବେଳେ ଅର୍ଥାତ୍ କିସମ ପରିବର୍ତ୍ତନ ବା ଡାଇଭର୍ସନ କଲାବେଳେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦କୁ ପାଳନ କରିବା କଥା। ରାଜ୍ୟର ଅନ୍ୟ ଜଙ୍ଗଲ ଜମି ପାଖରେ ସମପରିମାଣର ଅଣଜଙ୍ଗଲ ଜମି କିମ୍ବା ଦୁଇ ଗୁଣ କ୍ଷୟପ୍ରାପ୍ତ ଜଙ୍ଗଲ ବା ଡିଗ୍ରେଡେଡ୍ ଫରେଷ୍ଟ ଜମି ଦେବା କଥା। ପ୍ରକଳ୍ପ ପାଇଁ ନିଆଯାଉଥିବା ଜମିରେ ରହିଥିବା ଛୋଟ ଜଙ୍ଗଲର ମୂଲ୍ୟ-NPV ବା ନେଟ୍ ପ୍ରେଜେଣ୍ଟ ଭ୍ୟାଲୁ ଜମା କରିବା କଥା। ବନୀକରଣ ଖର୍ଚ୍ଚ ବି ଜଙ୍ଗଲ ବିଭାଗ ବା ଡିଏଫଓଙ୍କ ପାଖରେ ଜମା କରିବା କଥା। ଯାହାକି କାମ୍ପା ଫଣ୍ଡରେ ଜମା ରୁହେ। ମାତ୍ର ବରମୁଣ୍ଡା ହାଉସିଂ ପ୍ରକଳ୍ପ ପାଇଁ ଏ ସବୁ କରିନଥିଲେ ଜିଏର କିଛି ଅଫିସର। ସେ ସବୁ କରିନଥିବା ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ସେପ୍ଟେମ୍ବର ୨୩, ୨୦୨୨ରେ ଜାଣିବାକୁ ଚାହିଁଥିଲେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ଡିଆଇଜି? ମାତ୍ର ୩ ବର୍ଷ ପରେ ବି ଜିଏ କିମ୍ବା ବିଡିଏର ସେ ସମୟର ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ।
କେବଳ ଭୁବନେଶ୍ବରର ବରମୁଣ୍ଡା ନୁହେଁ, ସହରର ଅନେକ ଅଂଚଳ ଯେମିତିକି- ଘାଟିକିଆ, ଭରତପୁର, ଚନ୍ଦ୍ରଶେଖରପୁର ଅଂଚଳରେ ଅନେକ ଲୋକଙ୍କୁ ଜମି ଆବଣ୍ଟନ କରିଛି ଜିଏ ବା ସାଧାରଣ ପ୍ରଶାସନ ବିଭାଗ। ତାହାକୁ ଆବଣ୍ଟନ ପୂର୍ବରୁ ଏହା ଜଙ୍ଗଲ ଜମି ଅଛି କି ନାହିଁ ତାହା ତଦାରଖ କରିନାହିଁ। ମାର୍ଚ୍ଚ ୧୦ ତାରିଖରେ ବିଧାୟିକା ମନୋରମା ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଉତ୍ତରରୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳିଛି। ଅନେକ ଲୋକଙ୍କୁ ଜିଏ ବିଭାଗ ପ୍ଲଟ୍ ଦେବା ପରେ ଯାଇ ଏହା ଜଙ୍ଗଲ ଜମି ଥିବା ଜାଣିପାରିଛି। ଉପଯୁକ୍ତ ପଦ୍ଧତି ଅବଲମ୍ବନ ନ କରି ଜଙ୍ଗଲ ଜମି ଆବଣ୍ଟନ କରାଯାଇଥିବାରୁ ତାହାକୁ ବାତିଲ କରି ତା’ ବଦଳରେ ଅନ୍ୟ ଏକ ପ୍ଲଟ ଦେଇଛି। ସାଧାରଣ ବିଲଡର ଜମିର କିସମ ଚିହ୍ନଟ କରିନପାରି ବିଲଡିଂ କଲେ, ଦଣ୍ଡିତ ହେଉଥିବାବେଳେ ସରକାରୀ ସଂସ୍ଥାଗୁଡ଼ିକରେ କାମ କରି ଭୁଲ୍ କରିଥିବା ବାବୁଙ୍କୁ କାହିଁକି ଦଣ୍ଡ ଦିଆଯାଉନାହିଁ, ପ୍ରଶ୍ନ କରିଛନ୍ତି ବରମୁଣ୍ଡା ବିଡିଏ ଡୁପ୍ଲେକ୍ସସ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ। ଅନ୍ୟ ପଟରେ ଅଫିସରଙ୍କ ଭୁଲ୍ ପାଇଁ ଲୋକେ କାହିଁକି ଦଣ୍ଡ ଭୋଗିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ସୁବାସ ଦାସ। ଏ ନେଇ ଆମେ ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ତିରୁମାଲା ନାଏକଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ ସୁଦ୍ଧା ସେ କିଛି କହିନଥିଲେ।
ଏ ନେଇ ବରିଷ୍ଠ ପରିବେଶ ଆଡଭୋକେଟ୍ ଶଙ୍କର ପାଣି କହିଛନ୍ତି, ସରକାରଙ୍କ ପାଖରେ ୧୯୯୭ରୁ କେଉଁ ଜମିର କିସମ ରାଜସ୍ବ ଜଙ୍ଗଲ କି ବନ ବିଭାଗର ସଂରକ୍ଷିତ ଜଙ୍ଗଲ ତାହାର ସ୍ପଷ୍ଟ ତାଲିକା ରହିଛି। ଜିଲାସ୍ତରରେ କମିଟି ଗଢ଼ାଯାଇଛି। ତା’ ପରେ ବି ଅଧିକାରୀମାନେ ଭୁଲ୍ କରୁଛନ୍ତି। ଅନ୍ୟପଟରେ ପୂର୍ବତନ ପିସିସିଏଫ୍ ଡ. ବିଜୟ କେତନ ପଟ୍ଟନାୟକ କହିଛନ୍ତି- ଯାହା ଭୁଲ୍ ହୋଇଯାଇଛି, ତାର ସୁଧାର ଅଣାଯାଇପାରିବ। ବିଡିଏ ଅନ୍ୟଠାରେ ସେତିକି ପରିମାଣର ରାଜସ୍ବ ଜମି, ବନ ନଷ୍ଟ କରିଥିବାର କ୍ଷତିପୂରଣ ଟଙ୍କା ସହ ବନୀକରଣ ପାଇଁ ଟଙ୍କା ଦେଲେ ତାହା ନିୟମିତ ହେବ। ତେବେ ଏହା ପୂର୍ବରୁ ମନ୍ତ୍ରଣାଳୟ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବ। ସେଥିପାଇଁ ଏହା ବିଳମ୍ବ ହେଉଥାଇପାରେ। ମାତ୍ର ଏଭୁଲ୍ ପାଇଁ ସାଧାରଣ ଲୋକ ଦଣ୍ଡିତ ହେବେ କାହିଁକି?
(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
