Advertisment

ବାଲେଶ୍ୱର ଏମ୍‌ସ ସ୍ୟାଟେଲାଇଟ ସେଣ୍ଟର ପୂରଣ କରିପାରିନି ଲୋକଙ୍କ ସ୍ୱପ୍ନ

ଅବ୍ୟବସ୍ଥା ଯୋଗୁ ଧୀରେ ଧୀରେ ରୋଗୀମାନେ ବାଲେଶ୍ୱର ଏମ୍‌ସ ସ୍ୟାଟେଲାଇଟ ସେଣ୍ଟରଠାରୁ ମୁହଁ ମୋଡ଼ି ଦେଲେଣି।

AIIMS

AIIMS

Advertisment

ବାଲେଶ୍ୱରରେ ପ୍ରତିଷ୍ଠା ହୋଇଛି ଏମ୍‌ସ ସ୍ୟାଟେଲାଇଟ ସେଣ୍ଟର। ଏହା ଭୁବନେଶ୍ୱର ଏମ୍‌ସ ଅଧୀନରେ କାର୍ଯ୍ୟ କରୁଛି। ଏହା କାର୍ଯ୍ୟକ୍ଷମ ହେବାର ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ ନେଇ ବାଲେଶ୍ୱରବାସୀ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରିନି।

Advertisment

ପ୍ରଥମେ ଏଠାରେ ୩୦୦ ଶଯ୍ୟା ବିଶିଷ୍ଟ ଏମ୍‌ସ ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ସ୍ୟାଟେଲାଇଟ ସେଣ୍ଟର କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ୨୦୨୨ରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ସର ଏହି ସ୍ୟାଟେଲାଇଟ୍ ସେଣ୍ଟର କେବଳ ଓପିଡି ବା ବର୍ହିବିଭାଗରେ ସୀମିତ ରହିଛି। ସପ୍ତାହକୁ ମାତ୍ର ଦୁଇ ଦିନ ଓପିଡି ସୁବିଧା ମିଳୁଛି। ଆଇପିଡି ବା ଅନ୍ତଃବିଭାଗ ଖୋଲିବାକୁ ଗୁରୁତ୍ୱ ଦିଆଯାଉନି। ସେହିପରି ଲାବୋରୋଟୋରୀ ଓ ମେଡିସିନ୍ ଷ୍ଟୋର ନାହିଁ। ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ କିଛି ସୁବିଧା ନାହିଁ।

ସପ୍ତାହକୁ ଦୁଇ ଦିନ ଓପିଡି ଖୋଲା ରହୁଥିବା ବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ଆସୁନାହାନ୍ତି। ଯେଉଁ ଡାକ୍ତରମାନେ ଆସୁଛନ୍ତି, ସେମାନେ ନିୟମିତ ଆସୁ ନାହାନ୍ତି। ଅର୍ଥାତ୍ ପ୍ରତି ଥର ନୂଆ ନୂଆ ଡାକ୍ତର ଆସୁଛନ୍ତି। ଫଳରେ ରୋଗୀ ପ୍ରତିଥର ନୂଆ ନୂଆ ଡାକ୍ତରଙ୍କୁ ନିଜ ସମସ୍ୟା ବିଷୟରେ ପ୍ରାରମ୍ଭରୁ କହୁଛନ୍ତି ଓ ବିରକ୍ତ ହେଉଛନ୍ତି। ପୁଣି ଏହି ସେଣ୍ଟରରେ ଯେଉଁ ରେଜିଷ୍ଟ୍ରେସନ ହେଉଛି, ତାକୁ ଭୁବନେଶ୍ୱର ଏମ୍‌ସ ପକ୍ଷରୁ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ହୋଇଛି।

Advertisment

ଏଭଳି ଅବ୍ୟବସ୍ଥା ଯୋଗୁ ଧୀରେ ଧୀରେ ରୋଗୀମାନେ ବାଲେଶ୍ୱର ଏମ୍‌ସ ସ୍ୟାଟେଲାଇଟ ସେଣ୍ଟରଠାରୁ ମୁହଁ ମୋଡ଼ି ଦେଲେଣି। ମିଳିଥିବା ତଥ୍ୟ ମୁତାବକ ୨୦୨୨ରେ ଏଠାକୁ ୮,୫୫୦ ଜଣ ରୋଗୀ ଆସିଥିଲେ। ୨୦୨୩ରେ ଏହି ସଂଖ୍ୟା ୭,୪୪୦କୁ ହ୍ରାସ ପାଇଥିଲା। ସେହିପରି ୨୦୨୪ରେ ଏଠାକୁ ୬,୯୭୦ ଜଣ ରୋଗୀ ଆସିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି।

ବାଲେଶ୍ୱର ବାସିନ୍ଦା ଅଶୋକ କୁମାର ଜେନା କହିଛନ୍ତି, ଆମର ଏଠାରେ ଖୋଲିଥିବା ଏମ୍‌ସ ସ୍ୟାଟେଲାଇଟ ସେଣ୍ଟରରୁ ବିଶେଷ କିଛି ସୁଫଳ ମିଳିପାରୁନି। ମୋର ଏବେ ହାର୍ଟ ଅପରେସନ ହେଲା। ବହୁ କଷ୍ଟରେ ଯାଇ ଭୁବନେଶ୍ୱରରେ ଅପରେସନ ହେଲି। ଏଠାରେ ହୋଇଥିଲେ ଭଲ ହୋଇଥା’ନ୍ତା। ଏହି ସେଣ୍ଟରଟି ଭଲ ଭାବେ କାର୍ଯ୍ୟକ୍ଷମ ହେଉଥିଲେ ବାଲେଶ୍ୱର ସହିତ ଏହାର ଆଖପାଖ ଜିଲ୍ଲାବାସୀ ମଧ୍ୟ ଉପକୃତ ହୋଇପାରିଥା’ନ୍ତେ। ଆମେ ଚାହୁଁଛୁ ଏହି ସେଣ୍ଟରଟି ପ୍ରତ୍ୟେକ ଦିନ ଖୋଲା ହେଉ ଓ ଡାକ୍ତର ରହନ୍ତୁ।    

AIIMS Balasoreବାଲେଶ୍ୱର ସ୍ଥିତ ଏମ୍‌ସ ସ୍ୟାଟେଲାଇଟ ସେଣ୍ଟର

ସେହିପରି ବାଲେଶ୍ୱର ବାସିନ୍ଦା ରତିକାନ୍ତ ପାତ୍ର କହିଛନ୍ତି, ଏଠାରେ ଏମ୍‌ସ ପ୍ରତିଷ୍ଠା ହେବା ପରେ ବାଲେଶ୍ୱରବାସୀ ବହୁତ ଖୁସି ହୋଇଥିଲେ। ସେମାନେ ଭାବିଥିଲେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହେବ। ୩ ବର୍ଷ ହେଲାଣି ଏଠାରେ କେବଳ ଓପିଡି କାର୍ଯ୍ୟକ୍ଷମ ହୋଇଛି। ତାହା ପୁଣି ସପ୍ତାହରେ ଦୁଇ ଦିନ। ଷ୍ଟାଫ୍ ନାହାନ୍ତି। ମେସିନ ନାହିଁ। ଓପିଡିରେ କେଉଁ ବିଭାଗର ଡାକ୍ତର କେଉଁ ଦିନ ଆସୁଛନ୍ତି, ସେ ନେଇ ଲୋକଙ୍କୁ ସଚେତନ କରାଯାଉନାହିଁ। ଯେଉଁ ଲୋକମାନେ ଏଠାକୁ ଓପିଡିରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି ସେମାନେ ହଇରାଣ ହେଉଛନ୍ତି। ସେମାନଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି। ସକାଳୁ ଆସିଲେ ଫେରିଲା ବେଳକୁ ଅପରାହ୍ନ ହୋଇଯାଉଛି। ଭୁବନେଶ୍ୱର ଏମ୍‌ସ ପରି ଏହା କାର୍ଯ୍ୟକ୍ଷମ ହୋଇପାରିଲେ ଭଲ ହୁଅନ୍ତି। ଏନେଇ ବାଲେଶ୍ୱରବାସୀ ଯେଉଁ ଆଶା ରଖିଥିଲେ, ତାହା କେବଳ ଆଶାରେ ହିଁ ରହିଯାଇଛି।

ବାଲେଶ୍ୱର ଏମ୍‌ସ ସ୍ୟାଟେଲାଇଟ ସେଣ୍ଟରଟି ସବୁ ବ୍ୟବସ୍ଥା ଥାଇ କାର୍ଯ୍ୟକ୍ଷମ ହେଲେ ବାଲେଶ୍ୱର ସହିତ ମୟୂରଭଞ୍ଜ ଓ ଭଦ୍ରକ ଆଦି ଜିଲ୍ଲା ସହିତ ପଶ୍ଚିମବଙ୍ଗର ଲୋକେ ମଧ୍ୟ ଉପକୃତ ହୋଇପାରିବେ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହି କାର୍ଯ୍ୟରେ ବିଳମ୍ବ ଘଟିଥିବାରୁ ମୁଁ ଦୁଃଖିତ। ଏହି ପ୍ରସଙ୍ଗରେ ମୁଁ ବାରମ୍ବାର ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବର୍ତ୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହିତ ଏହି ବିଷୟରେ ମୁଁ ଆଲୋଚନା କରିଛି। ଏଥିରେ ଗୋଟିଏ ସମସ୍ୟା ରହିଛି। ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରାଯାଉଥିଲେ ହେଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ଆସୁ ନାହାନ୍ତି। ୨୬ ଜଣଙ୍କୁ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ଦିଆଗଲେ ୬ ଜଣ ଆବେଦନ କରୁଛନ୍ତି। ସମସ୍ତେ ଖାଲି ଭୁବନେଶ୍ୱରରେ ରହିବା ପାଇଁ ପସନ୍ଦ କରୁଛନ୍ତି। ଆବଶ୍ୟକ ଷ୍ଟାଫ୍ ନରହିଲେ ଏହା ପୂରାପୂରି କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହି ସମାଧାନ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ମୁଁ ଭାବୁଛି ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ।

ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନାଙ୍କ ରିପୋର୍ଟ

AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe