Medical
ଯେତିକି ଡାକ୍ତରୀ ପଦ ରହିଛି, ତା’ର ଅଧାରୁ କମ୍ ଡାକ୍ତର ଅଛନ୍ତି। ତାହା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏଭଳି ସ୍ଥିତିରେ ଚିକିତ୍ସା ସେବା କେମିତି ଚାଲିଥିବ, ତାହା ଅନୁମାନ କରି ହେଉଛି। ଏହି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।
ବାଲେଶ୍ଵରରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମୟୂରଭଞ୍ଜରୁ ପ୍ରତିଦିନ ଅଢ଼େଇ ହଜାରରୁ ଅଧିକ ରୋଗୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବା ବର୍ହିବିଭାଗକୁ ଆସୁଛନ୍ତି। ତେବେ ସେମାନଙ୍କ ଚିକିତ୍ସା କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର।
ଏହି ଡାକ୍ତରଖାନାରେ ୧୬୭ଟି ଡାକ୍ତରୀ ପଦ ରହିଛି। କିନ୍ତୁ ଅଛନ୍ତି ମାତ୍ର ୬୯ ଜଣ ଡାକ୍ତର। ଆହୁରି ୯୮ଟି ପଦ ଖାଲି ପଡ଼ିଛି। ସେଥିପାଇଁ ଅନେକ ସମୟରେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରୋଗୀଙ୍କୁ ରେଫର କରି ଦିଆଯାଏ। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କ ଅବସ୍ଥା ସାମାନ୍ୟ ଜଟିଳ ହେଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ନେଇଯିବାକୁ କୁହାଯାଉଛି। ତେଣୁ ବହୁ ସମୟରେ ରୋଗୀମାନେ ବାଲେଶ୍ୱର ସହରରେ ଥିବା ଘରୋଇ ନର୍ସିଂହୋମଗୁଡ଼ିକ ଉପରେ ନିର୍ଭର କରୁଛନ୍ତି।
ବାଲେଶ୍ୱର ବାସିନ୍ଦା ଗିରିଜା ଶଙ୍କର ଦାସ କହିଛନ୍ତି, ବାଲେଶ୍ୱରରେ ଖାଲି ମେଡିକାଲ ଅଛି। ସ୍ୱାସ୍ଥ୍ୟ ସେବା ନାହିଁ। କାରଣ ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି ଡାକ୍ତର ରହିବା କଥା, ତା’ଠାରୁ ପ୍ରାୟ ୧୦୦ ଡାକ୍ତର କମ୍ ଅଛନ୍ତି। ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଅବସ୍ଥା ମଧ୍ୟ ସେମିତି। ସବୁଠି କମ୍ ଡାକ୍ତର ଅଛନ୍ତି। ଆମ ଜିଲ୍ଲାରେ ୬୪୩ ଡାକ୍ତର ରହିବା କଥା। କିନ୍ତୁ ଏବେ ୩୦୦ରୁ କମ୍ ଡାକ୍ତର ଅଛନ୍ତି। ନର୍ସିଂ ଷ୍ଟାଫ୍ ମଧ୍ୟ କମ୍ ଅଛନ୍ତି। ତେଣୁ ଚିକିତ୍ସା କେମିତି ହେବ। ତା’ ଛଡ଼ା ଏଠି ସବୁ ଡାକ୍ତର ଚାମ୍ବର କରି ବସିଛନ୍ତି। ଯେଉଁ ପିଲାମାନେ ପାସ୍ ଆଉଟ୍ ହେଉଛନ୍ତି, ସେମାନଙ୍କୁ ବସାଇ ଦେଉଛନ୍ତି। ଚିକିତ୍ସା ଏଠାରେ କିଛି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ପ୍ରବଳ, କିନ୍ତୁ ଡାକ୍ତର ଦୁର୍ବଳ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସହିତ ନର୍ସିଂ ଅଫିସରଙ୍କର ମଧ୍ୟ ଅଭାବ ରହିଛି। ଏଠାରେ ୧୪୦ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଜିଲ୍ଲାରେ ଥିବା ୱେଲନେସ ସେଣ୍ଟରଗୁଡ଼ିକୁ ଡେପୁଟେସନରେ ପଠାଇ ଦିଆଯାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏକଥା ସ୍ୱୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୋପୀନାଥ ପରିଡ଼ା।
ସେ କହିଛନ୍ତି, ବାଲେଶ୍ୱର ଜିଲ୍ଲାରେ ମୋଟ ୬୪୩ ଜଣ ଡାକ୍ତର ରହିବା କଥା। କିନ୍ତୁ ଅଛନ୍ତି ୨୯୩ ଜଣ। ଖାଲି ପଡ଼ିଛି ୩୫୦ଟି ପୋଷ୍ଟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୬୭ ପୋଷ୍ଟ ଅଛି। ୬୯ ଜଣ ଡାକ୍ତର ଏବେ ଅଛନ୍ତି। ୯୮ଟି ପଦ ଖାଲି ପଡ଼ିଛି। ସେହିପରି ଜିଲ୍ଲାରେ ୬୩୬ଟି ନର୍ସିଂ ଅଫିସର ପୋଷ୍ଟ ଅଛି। ୫୧୨ ଜଣ କାର୍ଯ୍ୟ କରୁଛନ୍ତି। ୧୨୪ଟି ପଦ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪୦ ନର୍ସିଂ ଅଫିସର ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କମ୍ୟୁନିଟି ହେଲ୍ଥ ଅଫିସର ଭାବେ ପିଏଚ୍ସିଗୁଡ଼ିକରେ କାମ କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ୬୯ ଜଣ ଡାକ୍ତରଙ୍କ ମଧ୍ୟରେ କିଛି ପିଜି ପିଲା ଅଛନ୍ତି। ସେମାନେ କଟକ ଓ ବ୍ରହ୍ମପୁରରେ ପିଜି କରୁଛନ୍ତି। କିନ୍ତୁ ଦରମା ପାଉଛନ୍ତି ବାଲେଶ୍ୱରରୁ। ତେଣୁ ବାସ୍ତବରେ ଆମର ଡାକ୍ତର ସଂଖ୍ୟା ଆହୁରି କମ୍। ଡାକ୍ତର ସଂଖ୍ୟା କମ୍ ଥିବା ବେଳେ ରୋଗୀ ସଂଖ୍ୟା ବହୁତ ବଢ଼ିଯାଇଛି। ତେଣୁ ନିହାତି ଭାବେ ସ୍ୱାସ୍ଥ୍ୟ ସେବାରେ ଅସୁବିଧା ହେଉଛି।
ଜିଲ୍ଲାର ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ବି ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତରେ ଆସିଥିବା ବେଳେ କହିଥିଲେ, ଏହି ସମସ୍ୟା କେବଳ ବାଲେଶ୍ୱରର ନୁହେଁ, ସାରା ରାଜ୍ୟର। ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଆମେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛୁ। ତେଣୁ ଏହାର ସମାଧାନ କରିବା ଦିଗରେ ଟିକେ ସମୟ ଲାଗିବ।
ନିକଟରେ ରାଜ୍ୟ ସରକାର ୫୦୦୦ ହଜାର ଡାକ୍ତରଙ୍କୁ ନିଯୁକ୍ତି ନେବା ନେଇ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିପାରିବ ବୋଲି ଆଶା କରାଯାଉଛି। ତେବେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାର ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଥିବା ଡାକ୍ତରୀ ପଦଗୁଡ଼ିକ କେବେ ପୂରଣ ହେବ, ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।
ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ ମହାନ୍ତି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Medical_1737879545.jpg)