Advertisment

ବାଉଁଶ ଜୁଏଲାରୀରେ ଲାଗିଛି ଭିଡ଼, ଝିଅମାନଙ୍କୁ ଦେଉଛି ରୋଜଗାର

ରାୟଗଡା ଜିଲ୍ଲା ସଦର ବ୍ଲକ କାର୍ଲାକଣା ଗାଁରେ ଏବେ ଏହି ଅଳଙ୍କାର ଶିଳ୍ପ ନିଜର କାର୍ଯ୍ୟକ୍ରମକୁ ବୃଦ୍ଧି କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Bamboo jewelry

Bamboo jewelry

ଲୋକପ୍ରିୟ ହେବାରେ ଲାଗିଛି ବାଉଁଶରେ ନିର୍ମିତ ‘ବାମ୍ବୋ ଜୁଏଲାରୀ’ ବା ବାଉଁଶରେ ନିର୍ମିତ ଅଳଙ୍କାର। ଏହାକୁ ପ୍ରସ୍ତୁତ କରି ଅନେକ ଯୁବତୀ ସ୍ୱାବଲମ୍ବୀ ହେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଫାର୍ମ ଟୁ ଫେଶନ’ ଅଭିଯାନ ଅନ୍ତର୍ଗତ ‘ଲୋକାଲ ଫୋର୍ ଭୋକାଲ’ ନାରାକୁ ଭିତ୍ତି କରି ସ୍ଥାନୀୟ ବେକାରୀ ଯୁବତୀ ତାଲିମ ନେଇ ଏହି ବାଉଁଶ ଅଳଙ୍କାର ଦୋକାନ ଓ ଶିଳ୍ପ ଖୋଲିଛନ୍ତି। ରାୟଗଡ଼ା ରେଲୱେ ଷ୍ଟେଶନ୍‌ରେ ଖୋଲିଛି ବାଉଁଶ ନିର୍ମିତ ଅଳଙ୍କାର ଦୋକାନ। ଯେଉଁଠି ଅଳଙ୍କାର କିଣି ନେବାକୁ ହେଉଛି ପ୍ରବଳ ଭିଡ଼। ଜେକେ ପେପରମିଲ ଏହି ଷ୍ଟଲ ଖୋଲିଛି। ସେପଟେ ରାୟଗଡା ଜିଲ୍ଲା ସଦର ବ୍ଲକ କାର୍ଲାକଣା ଗାଁରେ ଏବେ ଏହି ଅଳଙ୍କାର ଶିଳ୍ପ ନିଜର କାର୍ଯ୍ୟକ୍ରମକୁ ବୃଦ୍ଧି କରିଛି। ଏଠାର ଯୁବତୀମାନେ ଏବେ ବାଉଁଶ ଅଳଙ୍କାର ତାଲିମ ନେଇ ଅଳଙ୍କାର ପ୍ରସ୍ତୁତ କରିବା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସେମାନେ ବିଭିନ୍ନ ପ୍ରକାର କାନ ଫୁଲ, ବେକର ଅଳଙ୍କାର, ରାକ୍ଷୀ, ବ୍ରେସ୍‌ଲେଟ, ଚୁଡ଼ି, କ୍ଲିପ୍ ପରି ଅନେକ ପ୍ରକାରର ସୁକ୍ଷ୍ମ ଅଳଙ୍କାର ନିଜେ ହାତରେ ତିଆରି କରି ବିକ୍ରି କରୁଛନ୍ତି। ଏହି ଶିଳ୍ପ ପ୍ରତ୍ୟେକଙ୍କୁ ଅଳ୍ପ ପରିଶ୍ରମରେ ମାସକୁ ୭ରୁ ୧୦ ହଜାର ଟଙ୍କା ରୋଜଗାର ଦେଉଥିବା ଜଣାପଡ଼ିଛି।

Bamboo jewelryବାଉଁଶ ଅଳଙ୍କାର

ଏନେଇ କାର୍ଲାକଣାର ବାଉଁଶ ଅଳଙ୍କାର ପ୍ରସ୍ତୁତକାରୀ ଅଞ୍ଜଳି ମହାନନ୍ଦିଆ ଓ ଗୁପ୍ତେଶ୍ୱରୀ ଡଙ୍ଗାକା କହିଛନ୍ତି, ଆମ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବାଉଁଶ ଗଛ ସହଜରେ ଉପଲବ୍ଧ। ଅଧିକାଂଶ ଲୋକଙ୍କ ବାଡିବଗିଚାରେ ବାଉଁଶ ଗଛ ରହିଛି। ଏହାକୁ ବ୍ୟବହାର କରି ବାଉଁଶ ଅଳଙ୍କାର ପ୍ରସ୍ତୁତ କରାଯାଇପାରିବ। ବାସ୍‌ ଏଥିନିମନ୍ତେ ସାମାନ୍ୟ ତାଲିମ ନେବାର ଆବଶ୍ୟକତା ରହିଛି। ଲମ୍ବା ବାଉଁଶକୁ ଚିରି ଛୋଟ ଛୋଟ ଖଣ୍ଡ କରି କଟା ଯାଏ। ଏହି ବାଉଁଶ ଖଣ୍ଡକୁ ମେସିନ୍ ସାହାଯ୍ୟରେ ପଲିସ କରାଯାଏ। ଏଥିରୁ ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାରର ରୂପ ଦିଆଯାଏ। ଅଳଙ୍କାରକୁ ବହୁଦିନ ପର୍ଯ୍ୟନ୍ତ କୀଟ ଦାଉରୁ ରକ୍ଷା କରିବା ନିମନ୍ତେ ପ୍ରାକୃତିକ କେମିକାଲ ଦିଆଯାଏ। ଏହାକୁ ଆବଶ୍ୟକ ସ୍ଥଳେ ରଙ୍ଗ ଦିଆଯାଇ ସୌନ୍ଦର୍ଯ୍ୟ ବଢ଼ାଇ ଦିଆଯାଏ। ତମ୍ବା କିମ୍ବା ସୁତା ସାହାଯ୍ୟରେ ଅଳଙ୍କାର ଗୁନ୍ଥା ଯାଏ। ଅନେକ ସ୍ଥଳରେ ବାଉଁଶ ସହ ଲିମ୍ବ, ବେଲ, ତୁଳସୀ, ରୁଦ୍ରାକ୍ଷ, କାଚ ମାଳି ମଧ୍ୟ ବ୍ୟବହାର କରାଯାଏ। ଏହାକୁ ବଜାରରେ ବିକ୍ରି କରି ମାସିକ ୭ରୁ ୧୦ ହଜାର ଟଙ୍କା ରୋଜଗାର କରିହେଉଛି।

Advertisment
Bamboo jewelryବାଉଁଶ ଅଳଙ୍କାର

ଭୁବନେଶ୍ୱରର ଇକୋଫ୍ରେଣ୍ଡଲି ଜୁଏଲାରୀ କାରିଗର ପ୍ରିୟଦର୍ଶିନୀ ଦାସ ସ୍ଥାନୀୟ ବେକାରୀ ଯୁବତୀଙ୍କୁ ବାଉଁଶ ବ୍ୟବାହର କରି ବିଭିନ୍ନ ପ୍ରକାରର ଅଳଙ୍କାର ତିଆରି ତାଲିମ ପ୍ରଦାନ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ପ୍ରଥମ ପର୍ଯ୍ୟାୟରେ ବଡ଼ଚାନ୍ଦିଲି ଗାଁର ୨୫ ଜଣ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଆଉ ୨୫ ଜଣକୁ ଏହି ତାଲିମ୍ ପ୍ରଦାନ କରାଯାଉଛି।

Bamboo jewelryବାଉଁଶ ଅଳଙ୍କାର ପ୍ରସ୍ତୁତ କରୁଛନ୍ତି

ତାଲିମ ନେଉଥିବା ବଡ଼ଚାନ୍ଦିଲିର ରାଜେଶ୍ୱରୀ ରଥ କହିଛନ୍ତି, ଆଗକୁ ଏହାଦ୍ୱାରା ବହୁ ଯୁବତୀ ସ୍ୱାବଲମ୍ବି ହେବେ ଆଶା ରହିଛି। ଆଦିବାସୀ ଅଧ୍ୟୁଷିତ ତଥା ଏହି ପାହାଡିଆ ଅଞ୍ଚଳରେ ବାଉଁଶ ଅତି ସହଜରେ ମିଳିଯାଉଛି। ତେଣୁ ତାଲିମ ନେଇ ଏହି ଜୁଏଲାରୀ ପ୍ରସ୍ତୁତ କରାଯାଇପାରୁଛି। ଏହାର ଚାହିଦା ସ୍ଥାନୀୟ ବଜାର ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ବିକ୍ରି ନିମନ୍ତେ ବଜାର ସୁବିଧା ମିଳିଥିବାରୁ ଯୁବତୀ ଓ ମହିଳାମାନେ ଏହି ଶିଳ୍ପ ପ୍ରତି ଆକର୍ଷିତ ହେଉଛନ୍ତି।

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ

Jeweller Expert Craftswoman