Advertisment

ଦୁର୍ଗମ ଅଞ୍ଚଳ ନୁହେଁ, ସହର ଭିତରେ ବାଉଁଶ ପୋଲ

ବାଉଁଶ ପୋଲ ନିର୍ମାଣ ହେବା ପରେ ପିଲାମାନେ ସ୍କୁଲ ଯାଉଛନ୍ତି, ବୟସ୍କ ମହିଳା ଓ ପୁରୁଷମାନେ ଅନାୟସ୍‌ରେ ମେଡ଼ିକାଲ୍‌ ଯାଇପାରୁଛନ୍ତି। ଗାଁ ଲୋକେ ଏହି ଗୋଟିଏ ସମସ୍ୟା ଭିତରେ ଘାଣ୍ଟି ହେଉନାହାନ୍ତି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ସହର ଭିତରେ ବାଉଁଶ ପୋଲ। ଏ ଚିତ୍ର କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳର ନୁହେଁ। ଏହା ଅଛି ବାଲେଶ୍ୱର ଜିଲ୍ଲା ସଦର ମହକୁମାରରେ। ସାହି ଭିତରକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକମାନେ ଟଙ୍କା ଆଦାୟ କରି ତିଆରି କରିଛନ୍ତି ବାଉଁଶ ପୋଲ।

Advertisment

ବାଲେଶ୍ୱର ପୌରାଞ୍ଚଳର ଦୁଇ ନମ୍ବର ଓ୍ୱାର୍ଡରେ ୨୦୦ରୁ ୨୫୦ ପରିବାର ବସବାସ କରୁଛନ୍ତି। ହେଲେ ଦୁଃଖର ବିଷୟ ଏହି ସାହିକୁ ଯିବେ ପାଇଁ ରାସ୍ତା ଖଣ୍ଡିଏ ନାହିଁ। ସାହି ଲୋକେ ନାଳର ଆଣ୍ଠୁଏ ପାଣିରେ ଯିବାଆସିବା କରୁଥିଲେ। ଏଥିରେ ବେଶୀ ଅସୁବିଧାରେ ପଡ଼ୁଥିଲେ ଛୋଟ ଛୋଟି ପିଲା, ବୃଦ୍ଧ ଓ ବୃଦ୍ଧା। ସାହି ଲୋକେ ଏନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବହୁବାର ଗୁହାରୀ କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା।

ଅଢ଼େଇ ବର୍ଷ ତଳେ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ହୋଇଥିଲା ଉପନିର୍ବାଚନ। ସେତେବେଳେ ଦୁଇ ନମ୍ୱର ୱାର୍ଡକୁ ବଡ଼ ବଡ଼ ନେତାମାନେ ଆସିଥିଲେ। ନାଳ ଉପରେ ବ୍ରିଜ୍‌ ହେବ ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ। ଇତି ମଧ୍ୟରେ ନିର୍ବାଚନ ଯାଇ ୨୦୨୪ ସାଧାରଣ ନିର୍ବାଚନ ଆସିଲାଣି। ହେଲେ ସାହି ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇନାହିଁ। ନେତା ଓ ପ୍ରଶାସନଠାରୁ ନିରାଶ ହୋଇ ସାହି ଲୋକ ଟଙ୍କା ଆଦାୟ କରି ନାଳ ଉପରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ମନରେ ଭୟ ଥିଲେ ମଧ୍ୟ ସାହି ଲୋକ ବର୍ତ୍ତମାନ ସେହି ବାଉଁଶ ପୋଲ ଉପରେ ଯିବା ଆସିବା କରୁଛନ୍ତି।

Advertisment

ବାଉଁଶ ପୋଲ ନିର୍ମାଣ ହେବା ପରେ ପିଲାମାନେ ସ୍କୁଲ ଯାଉଛନ୍ତି, ବୟସ୍କ ମହିଳା ଓ ପୁରୁଷମାନେ ଅନାୟସରେ ମେଡ଼ିକାଲ୍‌ ଯାଇପାରୁଛନ୍ତି। ତେବେ ସାହି ଲୋକେ ଏହି ଗୋଟିଏ ସମସ୍ୟା ଭିତରେ ଘାଣ୍ଟି ହେଉନାହାନ୍ତି। ପାନୀୟ ଜଳ ଓ ଡ୍ରେନେଜ୍‌ ପରି ବହୁ ସମସ୍ୟା ରହିଛି ସେମାନଙ୍କର। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି।

ଗାଁର ଜଣେ ବ୍ୟକ୍ତି କହିଛନ୍ତି, ଆମ ସାହିକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ନାଳରେ ଆଣ୍ଠୁଏ ପାଣି ଭିତରେ ଆମେ ଯିବା ଆସିବା କରୁଥିଲୁ। ନାଳ ଉପରେ ବ୍ରିଜ୍‌ଟିଏ କରିବା ପାଇଁ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛୁ। ହେଲେ ଆମ କଥା କେହି ଶୁଣିଲେ ନାହିଁ। ଶେଷରେ କିଛି ପଇସା ଆଦାୟ କରି ବାଉଁଶ ପୋଲଟିଏ କରିଛୁ।

ଗାଁର ଜଣେ ମହିଳା କହିଛନ୍ତି, ନାଳ ଉପରେ ପୋଲଟିଏ ନଥିବାରୁ ପିଲାମାନେ ପାଠ ପଢ଼ିବାକୁ ଯାଇପାରୁନଥିଲେ। ପ୍ରଶାସନଠାରୁ ନିରାଶ ହେବା ପରେ ଟଙ୍କା ଆଦାୟ କରି ଏହି ବାଉଁଶ ପୋଲଟିକୁ କରିଛୁ।

ଯୁବ ନେତା ବିକ୍ରମ ପଣ୍ଡା କହିଛନ୍ତି, ଅଢ଼େଇ ବର୍ଷ ତଳେ ବାଲେଶ୍ୱରରେ ଉପନିର୍ବାଚନ ହୋଇଥିଲା। ଭୁବନେଶ୍ୱରରୁ ସବୁ ବଡ଼ବଡ଼ ନେତା, ମନ୍ତ୍ରୀ ଓ ଅଫିସରମାନେ ବାଲେଶ୍ୱର ଆସିଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ନିର୍ବାଚନ ପ୍ରଚାର ବେଳେ ବଡ଼ ବଡ଼ ନେତାମାନେ ଏହି ରାସ୍ତା ଦେଇଯାଇଥିଲେ। ଆଉ ଗଲା ବେଳେ କହିଯାଇଥିଲେ, ଏହି ଅଞ୍ଚଳ ସୁନା ହୋଇଯିବ। ଦୁର୍ଭାଗ୍ୟର ବିଷୟ, ନିର୍ବାଚନ ପରେ ବଡ଼ ବଡ଼ ନେତାମାନେ ପଳାଇଗଲେ। ହେଲେ ଯିଏ ବିଜୟୀ ହେଲେ ସେ ମଧ୍ୟ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି। ଯାହା ଫଳରେ ଏହି ସାହିର ଲୋକେ ବହୁ ସମସ୍ୟା ମଧ୍ୟରେ ରହିଛନ୍ତି। 

Balasore Balasore Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe