Advertisment

ସାବାସ୍ ବାସନ୍ତୀ

ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ବାସନ୍ତୀଙ୍କ ମହତ କାର୍ଯ୍ୟ ବିଷୟରେ ଯିଏ ବି ଶୁଣୁଛନ୍ତି, ପ୍ରଶଂସା ନ କରି ରହିପାରୁ ନାହାନ୍ତି।

ଅଦ୍ୟତନ ହୋଇଛି
Constable Basanti Chaudhury

Constable Basanti Chaudhury

Advertisment

‘ସାବାସ୍ ବାସନ୍ତୀ’। ଯିଏ ତାଙ୍କ କଥା ଶୁଣୁଛନ୍ତି, ଏମିତି କହୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ ବିଭାଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ତେବେ କିଏ ଏହି ବାସନ୍ତୀ? ସେ ଏମିତି କ’ଣ କରି ଦେଲେ? 

Advertisment

ତାଙ୍କ ପୂରା ନାଁ ବାସନ୍ତୀ ଚୌଧୁରୀ। ମାଲକାନଗିରି ଜିଲ୍ଲାରେ ପୁଲିସ ବିଭାଗରେ କନଷ୍ଟେବଲ ଭାବେ କାର୍ଯ୍ୟ କରନ୍ତି ବାସନ୍ତୀ। ରବିବାର ସେ ଏକ ଭଲ କାମ କରିଛନ୍ତି। ନିଜ ଦରଦୀ ହୃଦୟର ପରିଚୟ ଦେଇଛନ୍ତି। ଗୋଟିଏ ପର ଛୁଆ ଉପରେ ଅଜାଡ଼ି ଦେଇଛନ୍ତି ମା'ର ମମତା। ଏବେ ଆପଣଙ୍କ ମନରେ ଉତ୍କଣ୍ଠା ଆସିଯାଇଥିବ ସମ୍ପୂର୍ଣ୍ଣ ଘଟଣା କ’ଣ ଜାଣିବା ପାଇଁ।

ସମ୍ପୂର୍ଣ୍ଣ ଘଟଣା ଏହିପରି। ରବିବାର ଥିଲା ଓଡ଼ିଶା ପୁଲିସ କନଷ୍ଟେବଲ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷା। ବିଭିନ୍ନ ସ୍ଥାନରେ ଏଥିପାଇଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ମାଲକାନଗିରି କଲେଜରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏହି ପରୀକ୍ଷା ଦେବାକୁ ମାଲକାନଗିରି କଲେଜକୁ ଆସିଥିଲେ ଚଞ୍ଚଳା ମଲ୍ଲିକ ନାମକ ଜଣେ ମହିଳା।  ଚଞ୍ଚଳାଙ୍କ ସାଙ୍ଗରେ ଥିଲା ତାଙ୍କର ୪ ମାସର ଝିଅ। ଝିଅ କାନ୍ଦିବାରୁ ଚଞ୍ଚଳା ତାକୁ ସାଙ୍ଗରେ ଧରି ଆସିଥିଲେ। ହେଲେ ପରୀକ୍ଷା ହଲ୍ ଭିତରକୁ ଛୋଟ ଛୁଆକୁ ନେବାକୁ ଅନୁମତି ନଥିଲା। ଝିଅର ଯତ୍ନ ନେବା ପାଇଁ ତାଙ୍କ ପରିବାରରୁ ବି କେହି ଆସି ନଥିଲେ। ଚଞ୍ଚଳା ତାଙ୍କ ମା'ଙ୍କୁ ଡାକିଥିଲେ। କିନ୍ତୁ ସେ ମଧ୍ୟ ଆସିପାରି ନଥିଲେ। ଏଣୁ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚି ଯାଇଥିଲେ ବି କ’ଣ କରିବେ କିଛି ଭାବି ପାରୁନଥିଲେ ଚଞ୍ଚଳା। କେମିତି ପରୀକ୍ଷା ଦେବେ, ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସେ।  

Advertisment

ସମୟ ଗଡ଼ି ଚାଲିଥାଏ। ପରୀକ୍ଷା ହଲ ଗେଟ୍ ବନ୍ଦ ହେବା ସମୟ ଉପନୀତ ହୋଇଥାଏ। ଝିଅର ଦାୟିତ୍ୱ ନେବା ପାଇଁ ପରିବାରରୁ କେହି ଆସି ପାରିନଥାନ୍ତି। ନିରୂପାୟ ହୋଇ ଚଞ୍ଚଳା ପରୀକ୍ଷା ଗେଟ୍ ପାଖରେ ଅନାଇ ବସିଥାନ୍ତି। ଛୁଆଟି ମଧ୍ୟ ଚାରିଆଡକୁ ଅନାଇ କାନ୍ଦୁଥାଏ। ସେଠାରେ ଡ୍ୟୁଟି କରୁଥିବା ବାସନ୍ତୀ ଏସବୁ ଦେଖୁଥିଲେ। ପରେ ସେ ଚଞ୍ଚଳାଙ୍କ ପାଖକୁ ଆସି ସବୁ କଥା ପଚାରି ବୁଝିଥିଲେ। ବାସନ୍ତୀ ତୁରନ୍ତ ତାଙ୍କ ଉପର ଅଫିସରଙ୍କୁ ଏହି ବିଷୟରେ ଜଣାଇଥିଲେ। ଉପର ଅଫିସରଙ୍କ ପରମିଶନ୍‌ ପାଇବା ପରେ ସେ ଚଞ୍ଚଳାଙ୍କ ଝିଅଙ୍କୁ କୋଳକୁ ନେଇ ତା’ ପିଠି ଥାପୁଡ଼ାଇ ତାକୁ ତୁନି କରାଇଥିଲେ। ସେ ଝିଅକୁ ସମ୍ଭାଳିବେ ବୋଲି ଚଞ୍ଚାଳଙ୍କୁ କହିଥିଲେ।

ଝିଅ ଟିକେ ଶାନ୍ତ ହେବାରୁ ହଲ୍ ଭିତରକୁ ଯାଇଥିଲେ ଚଞ୍ଚଳା। ହେଲେ ମା' ଚାଲିଯିବା ପରେ ପୁଣି ରାହା ଧରି କାନ୍ଦିଥିଲା କଅଁଳ ଶିଶୁଟି। ତେବେ ଝିଅଟିକୁ ତୁନି କରିବାରେ ସଫଳ ହୋଇଥିଲେ ବାସନ୍ତୀ। ଛୁଆଟିକୁ ଭୋକ ଲାଗିବାରୁ ତାକୁ ନିଜ କ୍ଷୀର ମଧ୍ୟ ପିଆଇଥିଲେ। ପିଲାଟି କ୍ଷୀର ପିଇ ବାସନ୍ତୀଙ୍କ କୋଳରେ ଶୋଇ ଯାଇଥିଲା। ପରୀକ୍ଷା ସରିବା ପରେ ବାସନ୍ତୀଙ୍କ ପାଖରେ ପହଞ୍ଚିଥିଲେ ଚଞ୍ଚଳା ଓ ଝିଅକୁ ନେଇ ଘରକୁ ଫେରିଥିଲେ।  

ଏହି ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସନ୍ତୀଙ୍କ ଏ ମହତ କାର୍ଯ୍ୟ ବିଷୟରେ ଯିଏ ବି ଶୁଣୁଛି, ସେ ସାବାସି ନଦେଇ ରହିପାରୁନି।

ବାସନ୍ତୀ ଚୌଧୁରୀ କହିଛନ୍ତି, ମୁଁ ଗୋଟିଏ ମା’। ମୋର ଗୋଟିଏ ଛୁଆ ଅଛି। ଛୁଆଟିକୁ ତାର ମା’ ପରୀକ୍ଷା ଦେବାକୁ ସାଙ୍ଗରେ ଧରି ଆସିଥିଲା। ହେଲେ ଛୁଆଟି କାନ୍ଦୁଥିବାରୁ ତାର ମା’ ପରୀକ୍ଷା ଦେବାକୁ ଯାଇପାରୁନଥିଲା। ମୁଁ ଛୁଆଟିକୁ କୋଳେଇ ଆଣିଥିଲି। ଛୁଆଟିକୁ ତୁନି କରିବା ସହ ତାକୁ କ୍ଷୀର ଦେଇ ପାଖରେ ରଖିଥିଲି। ପରୀକ୍ଷା ସରିବା ତାର ମା’ ମୋ ପାଖରୁ ଛୁଆଟିକୁ ନେଇଯାଇଥିଲେ।

ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ

Malkangiri Constable Recruitment Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe