ଗେଣ୍ଡାଳିଆ ହନିମୁନ୍ ପ୍ଲେସ୍! ଅକ୍ଷୟ ତୃତୀଆରେ ଦଳ ଦଳ ହୋଇ ଆସନ୍ତି। ବଡ଼ ବଡ଼ ଗଛର ଡାଳରେ ବସା ବାନ୍ଧି ଅଣ୍ଡା ଦିଅନ୍ତି। ଅଣ୍ଡାରୁ ଛୁଆ ବାହାରିବା ପରେ ଡେଣା ହଲାଇ ହଲାଇ ନୀଳ ଆକାଶରେ ମେଘ ମାଳ ଭିତରେ ଦୀପାବଳିରେ ଉଡ଼ି ଯାଆନ୍ତି। ଗେଣ୍ଡାଳିଆଙ୍କ ଏମିତିକା ହନିମୋନ୍ ପ୍ଲେସ୍ ବରଗଡ଼ ଜିଲ୍ଲାରେ ରହିଛି। ଯେଉଁଠି ଏବେ ଶହଶହ ଗେଣ୍ଡାଳିଆଙ୍କ କାକଳିରେ ପ୍ରକମ୍ପିତ ହେଉଛି ଗ୍ରାମୀଣ ପରିବେଶ।
ଅକ୍ଷୟତୃତୀୟାରେ ଚାଷୀ ବିଚରା ଅଖିମୁଠି ବାହି ଚାଷ କାମ ଅନୁକୂଳ କରିଥାଏ। ଆଉ ସେହି ଦିନ କାହିଁ କେତେ ଦୂରରୁ ଦଳଦଳ ହୋଇ ଗେଣ୍ଡାଳିଆ ପକ୍ଷୀମାନେ ଉଡି ଆସନ୍ତି କୁର୍ଲାଜୁରୀ, ଅନ୍ତପାଲି, ବାଲିଜୋରୀ, କେନ୍ଦମୁଣ୍ଡି ପରି ଗାଁକୁ। ଏମାନେ କାହିଁ କେଉଁ କାଳରୁ ଉଡି ଆସୁଛନ୍ତି। ପକ୍ଷୀମାନେ ଗାଁରେ ଥିବା ବଡ଼ ଗଛ ଉପରେ ପ୍ରଥମେ ବସା ବାନ୍ଧନ୍ତି। ତା’ପରେ ଆଖପାଖ ଅଞ୍ଚଳରେ ଘୂରି ବୁଲି ଖାଦ୍ୟ ସଂଗ୍ରହ କରନ୍ତି। ଖାଦ୍ୟ ସଂଗ୍ରହ କରିବା ପରେ ବସାକୁ ଫେରିଥାଆନ୍ତି।
ପକ୍ଷୀମାନେ ଗଛ ଡାଳରେ ବସା ବାନ୍ଧି ଅଣ୍ଡା ଦିଅନ୍ତି। ଖାଦ୍ୟ ସଂଗ୍ରହ କରିବା ପାଇଁ ଗଲେ ମଧ୍ୟ ଅଣ୍ଡା ପ୍ରତି ଧ୍ୟାନ ଦେଇଥାଆନ୍ତି। ଶୀଘ୍ର ଶୀଘ୍ର ଖାଦ୍ୟ ଧରି ବସାକୁ ଫେରନ୍ତି ଓ ଅଣ୍ଡାକୁ ଜଗି ରହିଥାଆନ୍ତି। ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ମାଆ ଗେଣ୍ଡାଳିଆ ଜଗି ରହିଥାଏ। ଛୁଆ ବାହାରିଲା ପରେ ତାକୁ ନୀଳ ଆକାଶରେ ଉଡା ଶିଖାଇଥାଏ ମାଆ ଗେଣ୍ଡାଳିଆ। ଧୀରେ ଧୀରେ ଉଡିବା ଶିଖିଲେ ଦୀପାବଳିରେ ମାଆ ସହିତ ଛୁଆ ଗେଣ୍ଡାଳିଆ ଡେଣା ଝାଡ଼ି ଉଡ଼ିଯାଆନ୍ତି।
ଗେଣ୍ଡାଳିଆଙ୍କ ଆଗମନକୁ ନେଇ ସ୍ଥାନୀୟ ଲୋକଙ୍କ ବିଶ୍ୱାସ୍, ଯେଉଁ ବର୍ଷ ଗେଣ୍ଡାଳିଆ ଆସିଥାଆନ୍ତି, ସେ ବର୍ଷ ଭଲ ବର୍ଷା ହୋଇଥାଏ। ଆଉ ଫସଲ ଭଲ ଅମଳ ହୋଇଥାଏ। ଆଉ ଯେଉଁ ବର୍ଷ ଆସିନଥାଆନ୍ତି, ସେ ବର୍ଷ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି ଗାଁ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଗାଁ ଲୋକଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଗାଁ ଲୋକଙ୍କ ପକ୍ଷରୁ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଉଛି। ବନ ବିଭାଗ ମଧ୍ୟ ଗାଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି। ଗେଣ୍ଡଳିଆଙ୍କର ଯେପରି କିଛି କ୍ଷତି ନହେବ, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛି।
ତେବେ ଗତ କିଛି ବର୍ଷ ହେଲା ଏହି ଅତିଥି ପକ୍ଷୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ସହ ବଡ ବଡ ଗଛ କାଟିଦିଆ ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଯାହାକୁ ନେଇ ପରିବେଶବିତ ଓ ପ୍ରକୃତି ପ୍ରେମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ପକ୍ଷୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା କରାଯାଉଥିବା ବେଳେ ଗଛ ନକାଟିବାକୁ ବନ ବିଭାଗ ଅନୁରୋଧ କରିଛି।
ରିପୋର୍ଟ-ବରଗଡ଼ରୁ ଦୀପକ ଶାର୍ମା
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।