ଆଜି ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଜଣାଇ ନୂଆବର୍ଷକୁ ସ୍ୱାଗତ କରାଯାଉଛି। ଏହି ବିଦାୟ ବେଳାଳେ କିଏ କେମିତି ସେଲିବ୍ରେସନ୍ କରୁଛନ୍ତି। କିଏ ଭୋଜି ଭାତରେ ମାତିଛି ତ ଆଉ କିଏ ନାଚଗୀତରେ ମଜିଛନ୍ତି। ହେଲେ ଭୋକର ଭୂଗୋଳ ଭିତରେ ପେଶି ହେଉଥିବା ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ? ବୋଧହୁଏ ଏହାର ଅର୍ଥ କାହା ପାଖରେ ନଥିବ।
ଅନୁଗୋଳ ବିକାଶ ପାଲ୍। ମାଆଙ୍କ ଗର୍ଭରୁ ଜନ୍ମ ବେଳେ ଗୋଟିଏ ଆଖି ହରାଇଥିଲେ। ଭାବିଥିଲେ ଗୋଟିଏ ଆଖିରେ ଦୁନିଆ ଦେଖିବେ। ହେଲେ ଭାଗ୍ୟ ଖେଳିଲା ବିକାଶଙ୍କ ଜୀବନରେ ଅଜବ ଖେଳ। ବାଲ୍ୟାବସ୍ତାରେ ଚପଳାମି ବେଳେ ପଡ଼ି ଯାଇଥିଲେ। ଯେଉଁଥିପାଇଁ ସାରା ଦୁନିଆକୁ ଦେଖୁଥିବା ଆଖିକୁ ହରାଇଲେ। ଏବେ ସେ ଗୋଟିଏ ଆଖିରେ ଝାପ୍ସା ଝାପ୍ସା ଦେଖୁଛନ୍ତି। ଦୁଃଖେ କଷ୍ଟେ ସେହି ଆଖିରେ ଚଳି ଯାଉଥିଲେ। ପାଠ ମଧ୍ୟ ପଢ଼ୁଥିଲେ। ତେବେ ଅଷ୍ଟମରେ ପଢ଼ୁଥିବା ବେଳେ ବିକାଶଙ୍କ ମୁଣ୍ଡ ଉପରୁ ଉଠିଗଲା ବାପାଙ୍କ ହାତ।
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ। ଭାଗ୍ୟକୁ ଦେଖନ୍ତୁ ଅଞ୍ଜଳି ମଧ୍ୟ ଦିବ୍ୟାଙ୍ଗ। ସେ ଦୁଇ ଆଖରେ ଦେଖୁପାରୁନଥିଲେ। ବିକାଶଙ୍କ ପରି ଅଞ୍ଜଳି ଭାଗ୍ୟ ଆକାଶ ଅନ୍ଧକାର। ଟିଟିଲାଗଡ଼ରେ ମାଟ୍ରିକ୍ରେ ପଢୁଥିବା ବେଳେ ବାପାଙ୍କୁ ହରାଇଲେ। ତେଣୁ ପାଠ ପଢ଼ାରେ ଡୋରୀ ବାନ୍ଧିଲେ। ଆଉ ଭୋକର ଯନ୍ତ୍ରଣା ତାଙ୍କୁ ଘରୁ ଗୋଡ କାଢ଼ିବା ପାଇଁ ବାଧ୍ୟ କରିଥିଲା। ତେଣୁ ସେ ଧୂପ କମ୍ପାନୀରେ କାମ କରିବାକୁ ଆସିଥିଲେ। ସେଠାରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ବିକାଶ। ପ୍ରଥମ ସ୍ପର୍ଶରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ହେଲେ ମନର କଥାକୁ ଓଠରେ କହିପାରୁନଥିଲେ। ଚୁପ୍ଚାପ୍ ନୀରବ ପ୍ରେମ କରୁଥିଲେ।
ହେଲେ ଉଭୟଙ୍କ ଏ ନୀରବତା ବେଶୀ ଦିନ ତିଷ୍ଠି ପାରିନଥିଲା। ଶେଷରେ ଏମିତି ସମୟ ଆସିଲା ବିକାଶ ଓ ଅଞ୍ଜଳି ନିଜ ମନର କଥା ପରସ୍ପରକୁ କହିଥିଲେ। ତା’ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ମସିହା ନଭେମ୍ୱରରେ ବିକାଶଙ୍କ ମନର ମାନସୀ ସାଜିଥିଲେ ଅଞ୍ଜଳି। ବିବାହ ପରେ ଉଭୟ ଭୁବନେଶ୍ୱର ପଳାଇ ଆସିଥିଲେ। ଶିଶୁପାଳଗଡ଼ରେ ଘର ଭଡ଼ା ନେଇଛନ୍ତି। ଉଭୟଙ୍କ ଔରଷରୁ ଏବେ ୫ ବର୍ଷର ପୁଅଟିଏ ରହିଛି। ପୁଅ ହଷ୍ଟେଲ୍ରେ ରହି ପାଠ ପଢ଼ୁଛି।
ଦୁଇ ଜଣଙ୍କ ଆଖିକୁ ଦେଖାଯାଉନି। ତାହାହେଲେ ଚଳିବେ କେମିତି? ସେହି ଚିନ୍ତା ସେମାନଙ୍କୁ ଘାରିଥିଲା। ପେଟର ଭୋକର ଯନ୍ତ୍ରଣା ସେମାନଙ୍କୁ ରାସ୍ତାକୁ ଟାଣି ଆଣିଥିଲା। ଜନ ଗହଳୀ ପୂର୍ଣ୍ଣ ରାଜଧାନୀର ଭିଡ ଭିତରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ବ୍ଲାଇଣ୍ଡ ଷ୍ଟିକ୍ ଧରି ଆଗରେ ଚାଲୁଛନ୍ତି ବିକାଶ। ଆଉ ତାଙ୍କ ହାତକୁ ଧରି ପଛେ ପଛେ ଚାଲୁଛନ୍ତି ଅଞ୍ଜଳି। ଆଜି ନୂଆବର୍ଷ। କିଏ କେମିତି ଏହି ନୂଆବର୍ଷକୁ ପାଳନ କରୁଛନ୍ତି। ସେହି ଭିଡ ଭିତରେ ଭାଗ୍ୟକୁ ଆଦରି ଉଭୟ ଏ ଗଳିରୁ ସେ ଗଳି ଘୁରି ବୁଲୁଛନ୍ତି। ଆଉ ହାତ ପାତି ଭିକ ମାଗୁଛନ୍ତି। ବାବୁ କ’ଣ ଦିଅ...।
ତେବେ ଏଠି ପ୍ରଶ୍ନ ଉଠୁଛି, ଚକାଚକ୍ ରାଜଧାନୀରେ ବିକାଶ ଓ ଅଞ୍ଜଳିଙ୍କ ପରି ଦିବ୍ୟାଙ୍ଗ ପାଇଁ ନୂଆବର୍ଷର ଅର୍ଥ କ’ଣ? ଏହାର ଉତ୍ତର ହୁଏତ କାହା ପାଖରେ ନଥିବ। ହେଲେ ଉଭୟ ଏଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ନିଃଶ୍ୱାସ ନେଇ କହିଥିଲେ, ନୂଆବର୍ଷ ପାଳିବାକୁ ଆମର ମଧ୍ୟ ମନ ହେଉଛି। ହେଲେ ଅଣ୍ଟିରେ ଧାନ କାହିଁ? ଆମର ସବୁଦିନ ଯାହା ଆଜି ମଧ୍ୟ ସେୟା। ଆମ ପାଇଁ ନୂଆବର୍ଷ ଏକ ଅନୁଭବ। ବର୍ତ୍ତମାନ ପରିସ୍ଥିତିରେ ମାସକୁ ମିଳୁଥିବା ଭତ୍ତା ବାବଦକୁ ୧୨୦୦ ଟଙ୍କାରେ ଚଳିବା କଷ୍ଟକର। ତେଣୁ କେମିତି ନୂଆବର୍ଷ ପାଳନ କରିବୁ ବୋଲି ବିକାଶ ଓ ଅଞ୍ଜଳି କ୍ଷୋଭର ସହ କହିଥିଲେ।
ବିକାଶ ଓ ଅଞ୍ଜଳି କହିଛନ୍ତି, ରାଜଧାନୀରେ ଘର ଖଣ୍ଡିଏ ପାଇଁ ବହୁବାର ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଛୁ। ହେଲେ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିଲାନି। ମୁଣ୍ଡ ଉପରେ ଛାତ ଖଣ୍ଡିଏ ହେଲେ ଚଳିଯିବୁ। ଫିନାଇଲ୍ ତିଆରି ପାଇଁ ତାଲିମ୍ ନେଇଥିବାରୁ ଦରକାର ପଡ଼ିଲେ ଫ୍ୟାକ୍ଟ୍ରିଟିଏ ମଧ୍ୟ କରିବୁ ବୋଲି ଅଞ୍ଜଳି କହିଛନ୍ତି।
ରିପୋର୍ଟ- ଭୁବନେଶ୍ୱରରୁ ସ୍ୱାତୀ ଜେନା