Advertisment

ଅର୍ବାନ ମାଜେଷ୍ଟିକ୍‌ କାମ ବନ୍ଦ କରିବାକୁ ନିର୍ଦ୍ଦେଶ!

କିଟ୍‌ ଛକଠାରୁ ମାତ୍ର କିଛି ଦୂରରେ ଥିବା ଏହି ୫ ଏକର ଜମିକୁ ୧୯୭୯ ମସିହାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍‌ ଇଣ୍ଡଷ୍ଟ୍ରିଜର ପ୍ରୋପାଇଟର ତେଜପାଲ ସିଂହଙ୍କୁ ୯୯ ବର୍ଷ ଲିଜରେ ଦିଆଯାଇଥିଲା।

author-image
Ordigital Desk
ଅଦ୍ୟତନ ହୋଇଛି
Urban Majestic

Urban Majestic

ଭୁବନେଶ୍ୱର ପଟିଆ ଅଂଚଳରେ ତିଆରି ଚାଲିଥିବା ଅର୍ବାନ ମାଜେଷ୍ଟିକ୍‌ କାମକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଏମସି କମିଶନର ନଭେମ୍ବର ୧୯ ତାରିଖରେ ଦେଇଥିବା ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ସେପ୍ଟେମ୍ବର ୨୧ ତାରିଖର ଚିଠି ମୁତାବକ ଏଭଳି ବିବାଦୀୟ କାମକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଜମି ବିବାଦୀୟ ହୋଇଥିବାରୁ ଉପଯୁକ୍ତ କର୍ତ୍ତୃପକ୍ଷ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ପଡ଼ିବ। ଏହି ଜମିରେ ପ୍ରକଳ୍ପ କାମ ଆଗେଇ ନେଉଥିବା ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ୍‌ ଲିମିଟେଡର ଅନ୍ୟତମ ନିର୍ଦ୍ଦେଶକ ଅମନ ଅଗ୍ରୱାଲଙ୍କୁ ଏହି ଚିଠି କରାଯାଇଛି।

Advertisment

କିଟ୍‌ ଛକଠାରୁ ମାତ୍ର କିଛି ଦୂରରେ ଥିବା ଏହି ୫ ଏକର ଜମିକୁ ୧୯୭୯ ମସିହାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପାଲଟ୍ରୋନିକ୍ସ ଆଲାଏଡ୍‌ ଇଣ୍ଡଷ୍ଟ୍ରିଜର ପ୍ରୋପାଇଟର ତେଜପାଲ ସିଂହଙ୍କୁ ୯୯ ବର୍ଷ ଲିଜରେ ଦିଆଯାଇଥିଲା। ମାତ୍ର ୧୯୯୪ ମସିହାରେ ନୟାପଲ୍ଲୀ ଦିନଲିପି ଭବନରୁ ଚାଲୁଥିବା ଏକ କମ୍ପାନୀ- ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍ ୨୦୧୩ ମସିହାରେ ଡିଡ୍ ଅଫ୍ ଆସାଇନମେଣ୍ଟ ଜରିଆରେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲା ବୋଲି ଓରେରା, ବିଏମ୍‌ସି, ଡିଆଇସି ଭଳି କର୍ତ୍ତୃପକ୍ଷଙ୍କୁ ଦର୍ଶାଇଥିଲା।

୨୦୨୨ ମସିହାରେ ଶିଳ୍ପ ପାଇଁ ଦିଆଯାଇଥିବା ଏହି ୫ ଏକର ଲିଜ ଜମିର କିସମକୁ ଘରବାରି କିସମରେ ବଦଳାଇ ଦେଇଥିଲେ ଭୁବନେଶ୍ୱର ତହସିଲଦାର ଓ ଉପଜିଲ୍ଲାପାଳ। ପ୍ରାୟ ବର୍ଷେ ତଳେ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍ ଏହି ୫ ଏକର ଜମିରେ ଏକ ୬ ଟାୱାର ବିଶିଷ୍ଟ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ତିଆରି କରିବା ପାଇଁ ଅର୍ବାନ ଲିଭିଂ ବିଲଡର୍ସ ନାମକ ଅନ୍ୟ ଏକ ରିଅଲ ଇଷ୍ଟେଟ୍‌ ସଂସ୍ଥାକୁ ଦାୟିତ୍ୱ ଦେଇଥିଲା। କାମ ଅନେକ ବାଟ ଆଗେଇ ଯିବା ପରେ ଜିଏ, ଓରେରା, ବିଏମ୍‌ସି ଭଳି ଅନେକ କର୍ତ୍ତୃପକ୍ଷଙ୍କର ଚେତା ପଶିଥିଲା।

Advertisment

ପ୍ରତିବାଦୀ ସଂସ୍ଥା ଗୁଡ଼ିକ ହାଇକୋର୍ଟ ଯିବା ପରେ ସେପ୍ଟେମ୍ବର ୨୫ ତାରିଖରେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌କେ ପାଣିଗ୍ରାହୀ ଏକ ଆଦେଶ ଦେଇଥିଲେ। ଏହି ଜାଗା ଓ ପ୍ରକଳ୍ପ ବାବଦରେ ଅନେକ ଏଜେନ୍ସି ଏନ୍‌ଓସି ଦେବା ଓ ଅନେକ ଲୋକ ଘର ବୁକ କରିବା ପରେ ପ୍ରତିପକ୍ଷଙ୍କୁ ନଶୁଣି କାର୍ଯ୍ୟାନୁଷ୍ଠାନ ନେବା ନ୍ୟାୟପୂର୍ଣ୍ଣ ହେବ ନାହିଁ ବୋଲି ଆଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ରାୟ ପରେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ପ୍ରତିପକ୍ଷଙ୍କୁ ଶୁଣିବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅକ୍ଟୋବର ୨୩ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଅକ୍ଟୋବର ୨୩ ତାରିଖରେ ଦେଇଥିବା ତାଙ୍କ ନିର୍ଦ୍ଦେଶରେ ଲେଖିଛନ୍ତି- ଜିଲ୍ଲାପାଳ ତୁରନ୍ତ ସଂପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିରୋଧରେ ଏଭଳି ବେଆଇନ୍‌ କାର୍ଯ୍ୟ ପାଇଁ ଏଫ୍‌ଆଇଆର୍‌ ରୁଜୁ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏଥିସହ ଲିଜ୍ ବାତିଲ କରି ଜାଗା ସହ ନିର୍ମାଣାଧୀନ କୋଠାକୁ କବଜାକୁ ନିଅନ୍ତୁ। ଦରକାର ପଡ଼ିଲେ ହାଇକୋର୍ଟରେ ଲିଜଧାରୀ ଆଉ ମାମଲା ରୁଜୁ କରିବା ପୂର୍ବରୁ କାଭିଆଟ୍ ବା ପକ୍ଷ ରଖିବାକୁ ଜିଲ୍ଲାପାଳ ଉଦ୍ୟମ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ ଥିଲା।

ତେବେ ରାଜସ୍ୱ ବିଭାଗର ନିର୍ଦ୍ଦେଶର ମାସେ ପରେ ବି କାହିଁକି ବିଶେଷ ଅଗ୍ରଗତି ହୋଇନି ଏ ନେଇ ଓଡ଼ିଶା ରିପୋର୍ଟର ପକ୍ଷରୁ ନଭେମ୍ବର ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ। ସେ କହିଥିଲେ, ସଂପୃକ୍ତ ପ୍ରତିବାଦୀମାନେ ପୁଣି ହାଇକୋର୍ଟ ଯାଇଛନ୍ତି। ଏଥିସହ ସେମାନଙ୍କର ଅଭିଯୋଗକୁ ରାଜସ୍ୱ ପର୍ଷଦ ସଭ୍ୟଙ୍କ ପାଖକୁ ମଧ୍ୟ ନିଆଯାଇଛି। ଆମେ ଆଇନଗତ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପଟିଆରେ ଏହି ଜମିର କିସମ ପରିବର୍ତ୍ତନ ନେଇ ପୂର୍ବରୁ ଓଡ଼ିଶା ରିପୋର୍ଟରରେ ରିପୋର୍ଟ ପ୍ରକାଶ ପାଇଥିଲା।

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Bhubaneswar Bhubaneswar News