Advertisment

ଚଞ୍ଚଳା ମାଉସୀ ୭୦ ପାର; ମିଳୁନି ଭତ୍ତା, ମିଳିଲାନି ଘର

ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ଆଜି ପର୍ଯ୍ୟନ୍ତ ଚଞ୍ଚଳା ମାଉସୀଙ୍କ ନାଁ ଉଠି ପାରିଲା ନାହିଁ। ତେଣୁ ସେ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଚାଉଳ ପାଉନାହାନ୍ତି। ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ।

Sundaragarh

Sundaragarh

Advertisment

ଚଞ୍ଚଳା ମାଉସୀ ୭୦ ପାର କଲେଣି। ଅର୍ଥାତ ବାର୍ଦ୍ଧକ୍ୟରେ ପଦାର୍ପଣ କଲେ ଚଞ୍ଚଳା ମାଉସୀ। ହେଲେ ଦୁଃଖର ବିଷୟ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ତାଙ୍କୁ ନା ମିଳୁଛି ଦିବ୍ୟାଙ୍ଗ ଭତ୍ତା ନା ବାର୍ଦ୍ଧକ୍ୟ ଭତ୍ତା। ପରିଣତର ଏ ବୟସରେ ତାଙ୍କୁ କେବଳ ଭତ୍ତା ମିଳିନି, ଖାଦ୍ୟ ସୁରକ୍ଷା ଆଇନ୍‌ରେ ଚାଉଳ ଓ ଆବାସ ଯୋଜନାରେ ଘର ମଧ୍ୟ ମିଳୁନି। ତେଣୁ ଗୋରୁ ଗୁହାଳ ପରି ଦେଖାଯାଉଥିବା ଭଙ୍ଗାଦଦରା ଘରେ ଦୁଃଖ ଓ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଛନ୍ତି ଚଞ୍ଚଳା ମାଉସୀ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରୁ ଆସିଛି ଏପରି ଚିତ୍ର।

Advertisment

ବିରବିରା ପଞ୍ଚାୟତର ସାଲେପାଲି ଗାଁର ଭିନ୍ନକ୍ଷମ ଚଞ୍ଚଳା ଭଇଁସା। ବୟସ ୭୦ ବର୍ଷରୁ ଅଧିକ ହେବ। ଅଣ୍ଟା ବାଙ୍କି ଗଲାଣି। ଦେହର ଚମ ସବୁ ଧୁଡଧୁଡି ପଡ଼ିଗଲାଣି। ଚାଲିବାକୁ ପାଦରେ ବଳ ନାହିଁ। ତେଣୁ ଘୁଷୂରି ଘୁଷୂରି ଚାଲିଛନ୍ତି। ହେଲେ ଏ ବୟସରେ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତାଟିଏ। ଏଥିପାଇଁ ସେ ବହୁବାର ପ୍ରଶାସନ ପାଖରେ ଗୁହାରୀ ମଧ୍ୟ କରିଛନ୍ତି। ମାତ୍ର ତାଙ୍କୁ ସବୁଆଡୁ ନିରାଶ ହେବାକୁ ପଡ଼ିଛି। ସବୁଠାରୁ ଦୁଃଖର ବିଷୟ କିଛି ମାସ ତଳେ ଜଣେ ବ୍ୟକ୍ତି ଚଞ୍ଚଳାଙ୍କ ପାଖରେ ପହଞ୍ଚିଥିଲେ। ଆଉ ବାର୍ଦ୍ଧକ୍ୟ ଭତ୍ତା କରାଇଦେବେ ବୋଲି କହି ତାଙ୍କଠାରୁ ଆଧାରକାର୍ଡ ନେଇଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେ ତାଙ୍କୁ ଆଧାରକାର୍ଡ଼ ଫେରାଇଲେ ନାହିଁ। ତେଣୁ ଏବେ ତାଙ୍କ ପାଖରେ ନାହିଁ ଆଧାର କାର୍ଡ।

ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ଆଜି ପର୍ଯ୍ୟନ୍ତ ଚଞ୍ଚଳା ମାଉସୀଙ୍କ ନାଁ ଉଠି ପାରିଲା ନାହିଁ। ତେଣୁ ସେ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଚାଉଳ ପାଉନାହାନ୍ତି। ମୁଣ୍ଡ ଉପରେ ଛାତ ଖଣ୍ଡିଏ ନାହିଁ। ତେଣୁ ମାଟି ଓ ଇଟା କାନ୍ଥରେ ତିଆରି ଭଙ୍ଗା ଦଦରା ଘରେ ନିଜ ରୋଗୀଣା ପୁଅ ପ୍ରଦୀପ ଓ ନାତିକୁ ଧରି କାଳାତିପାତ କରୁଛନ୍ତି। ଯେଉଁ ଘର ଉପରେ ପଡ଼ିଛି କିଛି ଭଙ୍ଗା ଆଜବେଷ୍ଟସ୍‌ ଓ ଚିରି ଫଟା ପଲଥିନ୍‌ଟିଏ। ଖରା ଦିନରେ ସେହି ଘର ଭିତରେ ଖରା ପଡୁଛି ଓ ବର୍ଷା ଋତୁରେ ପାଣି ଗଳୁଛି। ତଥାପି ସେହି ବଖରାଏ ଭଙ୍ଗା ଦଦରା ଘରେ ଜୀବନକୁ ବାଜି ଲଗାଇ ରହୁଛନ୍ତି ପୁଅ ଓ ନାତି ସହ।

Advertisment

ସେପଟେ ଦେଖିବାକୁ ଗଲେ ଚଞ୍ଚଳାଙ୍କ ପରିବାର କହିଲେ ପୁଅ ପ୍ରଦୀପ ଓ ୧୦ ବର୍ଷର ନାତି। ପ୍ରଦୀପ ଜଣେ ଦିନ ମଜୁରିଆ। ଯେଉଁଦିନ କାମ ମିଳେ, ସେ ଦିନ କାମ କରିବାକୁ ଯାଆନ୍ତି। ଆଉ ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖ କଷ୍ଟରେ ଚଳନ୍ତି। ଯେଉଁଦିନ କାମ ନାହିଁ, ସେଦିନ କଥା ସରିଲା। ଭୋକିଲା ପେଟରେ ପାଣି ପିଇ ଶୋଇବାକୁ ପଡ଼ୁଛି। ଦାରିଦ୍ର୍ୟ ଭିତରେ ଜୁଝି ହେଉଥିବା ଚଞ୍ଚଳା ନାତିକୁ କେମିତି ପାଠ ପଢ଼ାଇବେ? ତେଣୁ ସେ ପାଠ ପଢ଼ାରେ ଡୋରୀ ବାନ୍ଦିଛି। ଏବେ ସେ ତା’ ବାପାଙ୍କ ସହିତ କାମ କରିବାକୁ ଯାଉଛି।

ଚଞ୍ଚଳାଙ୍କ ଦୁଃଖ ଶୁଣିବା ପରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥୀ ସରାବୁ କହିଛନ୍ତି, ଘଟଣାର ତଦନ୍ତ କରିବା ପାଇଁ ସଦର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛି। ତା’ପରେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ବାର୍ଦ୍ଧକ୍ୟ ଭତ୍ତା ମିଳିବାର ବ୍ୟବସ୍ଥା କରାଯିବ। ବର୍ଷା ଋତୁ ଚାଲିଥିବାରୁ ଘର ଉପରେ ଘୋଡାଇବା ପାଇଁ ପଲିଥିନ୍‌ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ରିପୋର୍ଟ- ସୁନ୍ଦରଗଡରୁ ଦେବବ୍ରତ ଜେନା

Sundargarh Old Age Old Age Pension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe