Advertisment

ନଡ଼ିଆ ସଢ଼େଇରେ ଚନ୍ଦ୍ରଯାନ-୩; ପ୍ରଧାନମନ୍ତ୍ରୀଙ୍କ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟ

ରାସ୍ତା ଖୋଜୁ ଖୋଜୁ ଗାଁ ପାଖ ମନ୍ଦିରରୁ ବଞ୍ଚିବାର ନୂଆ ରାସ୍ତା ପାଇଗଲେ ବିଜୟ। ପୂଜା ପରେ ଅଦରକାରୀ ଭାବେ ମନ୍ଦିରରୁ ବାହାରୁଥିବା ସଢ଼େଇ(ନଡ଼ିଆ ଖୋଳପା)କୁ ସଂଗ୍ରହ କରିବାରେ ଲାଗିଲେ।

Baripada

Baripada

Advertisment

ନଡ଼ିଆ ସଢ଼େଇ। ଅଦରକାରୀ ଭାବି କିଏ ନିଆଁରେ ପକାଇ ପୋଡ଼ିଦିଏ ତ ଆଉ କିଏ ପିଲାଙ୍କୁ ଖେଳିବା ପାଇଁ ଦେଇଦିଏ। ହେଲେ ସେହି ଅଦରକାରୀ ସାମଗ୍ରୀ ଆଜି ଜଣେ ଗ୍ୟାରେଜ ମିସ୍ତ୍ରୀଙ୍କୁ ଦେଇଛି ନୂଆ ପରିଚୟ। ଗ୍ୟାରେଜ ମିସ୍ତ୍ରୀରୁ ସେ ପାଲଟି ଯାଇଛନ୍ତି ଚାରୁକଳା ଶିଳ୍ପୀ। ଏମିତି ଜଣେ ଶିଳ୍ପୀ ହେଉଛନ୍ତି ବିଜୟ କୁମାର କମିଳା। ସେ ସଢ଼େଇକୁ ବ୍ୟବହାର କରି ତିଆରି କରିଛନ୍ତି ଚନ୍ଦ୍ରଯାନ-୩। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟ।

Advertisment

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍‌ଏସି ୭ ନମ୍ବର ୱାର୍ଡରେ ବାସ କରନ୍ତି ବିଜୟ କୁମାର କମିଳା। ସେ ପେସାରେ ଜଣେ ଗ୍ୟାରେଜ ମିସ୍ତ୍ରୀ। ଦୀର୍ଘ ୨୦ ବର୍ଷ ଧରି ଗ୍ୟାରେଜ ମିସ୍ତ୍ରୀ ଭାବେ କାମ କରୁଛନ୍ତି। ଜଣେ ଭଲ ଗ୍ୟାରେଜ ମିସ୍ତ୍ରୀ ଭାବେ ଆଖପାଖ ଅଞ୍ଚଳରେ ତାଙ୍କର ନାଁ ରହିଛି। ମହାମାରୀ କରୋନା କାଳରେ ପୂରା ଦୁନିଆ ଠପ୍‌ ହୋଇଗଲା। ଗ୍ୟାରେଜ ବନ୍ଦ ହୋଇଗଲା। ଘରେ ବସି ବସି ବୋର ହୋଇଯାଇଥିଲେ ବିଜୟ। ମହାମାରୀର ସେହି ସମୟକୁ ଅତିବାହିତ କରିବା ପାଇଁ ନୂଆ ରାସ୍ତା ଖୋଜିଲେ ବିଜୟ।

ରାସ୍ତା ଖୋଜୁ ଖୋଜୁ ଗାଁ ପାଖ ମନ୍ଦିରରୁ ବଞ୍ଚିବାର ନୂଆ ରାସ୍ତା ପାଇଗଲେ ବିଜୟ। ପୂଜା ପରେ ଅଦରକାରୀ ଭାବେ ମନ୍ଦିରରୁ ବାହାରୁଥିବା ସଢ଼େଇ(ନଡ଼ିଆ ଖୋଳପା)କୁ ସଂଗ୍ରହ କରିବାରେ ଲାଗିଲେ। ଗାଁ ପାଖ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ମାଆ ତାରିଣୀ ମନ୍ଦିରରୁ ସଂଗ୍ରହ କଲେ ସଢ଼େଇ। ସେହି ସଢ଼େଇକୁ ଘରକୁ ଆଣି ବିଭିନ୍ନ ସାଜସଜା ସାମଗ୍ରୀ ତିଆରି କରିବାରେ ଲାଗିଲେ। ପ୍ରଥମେ ପ୍ରଥମେ ଫେଲ୍‌ ମାରିଲେ। ନିଜର ଅଧ୍ୟବସାୟ ଓ ଧୌର୍ଯ୍ୟ ବଳରେ ସେ ସଫଳ ମଧ୍ୟ ହେଲେ। ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ।

Advertisment

ସଢ଼େଇକୁ ବ୍ୟବହାର କରି ୪ ଫୁଟ ୩ ଇଞ୍ଚର ଡାକୋଟା ବିମାନ ତିଆରି କରିଥିଲେ। ସେହି ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ବିଜୟ। ହେଲେ ଆଜି ପର୍ଯ୍ୟନ୍ତ ସେ ଦେଇପାରିଲେ ନାହିଁ। ଏବେ ମଧ୍ୟ ଉଦ୍ୟମ ରଖିଛନ୍ତି। ସମୟ ମିଳିଲେ, ସଢ଼େଇରେ ତିଆରି ଡାକୋଟାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ।

Baripadaନଡ଼ିଆ ସଢ଼େଇରେ ତିଆରି ଘର ସାଜା ସାମଗ୍ରୀ

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ପାଇଁ ଅଢେଇ ବସ୍ତା ସଢ଼େଇରେ ତିଆରି କରିଛନ୍ତି ଚନ୍ଦ୍ରଯାନ-୩। ଯାହାର ଉଚ୍ଚତା ରହିଛି ୩ ଫୁଟ ୮ଇଞ୍ଚ। ଯାହାକୁ ତିଆରି କରିବା ପାଇଁ ବିଜୟଙ୍କୁ ଲାଗିଥିଲା ପାଖାପାଖି ୪ ମାସ ସମୟ। ସୁଯୋଗ ମିଳିଲେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵ’ହସ୍ତରେ ପ୍ରଦାନ କରିବେ ବୋଲି କହିଛନ୍ତି ବିଜୟ। ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଛି। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନିଶ୍ଚିତ ଆସିବେ। ସୁଯୋଗ ମିଳେ, ସେହି ଉପହାରଟିକୁ ଦେବେ ବୋଲି ବିଜୟ କହିଛନ୍ତି।

ସଢ଼େଇକୁ ବ୍ୟବହାର କରି ବିଜୟ ବିଭିନ୍ନ ଘର ସାଜସଜା ଉପକରଣ ତିଆରି କରୁଛନ୍ତି। ଯେମିତି ଫୁଲ ଦାନି, କପ୍‌, ପ୍ଲେଟ୍‌, ଫ୍ୟାନ, ନଡ଼ିଆ ଗଛ, ଫୁଲ ଦାନି, ମାଛ, କଇଁଛ, କୁମ୍ଭୀର, ଯୋଡ଼ା ହଂସ ସହିତ ଭଳିକି ଭଳି ଜିନିଷ ରହିଛି। ବିଜୟଙ୍କ କହିବା ଅନୁସାରେ ଦୁନିଆରେ କୌଣସି ଜୀନିଷ ଅଦରକାରି ନୁହଁ। ଗଢ଼ି ପାରିଲେ ସବୁ ଜୀନିଷ ସୁନ୍ଦର ଲାଗିଥାଏ ବୋଲି ସେ କହିଛନ୍ତି। ଏହି କାମରେ ତାଙ୍କୁ ତାଙ୍କ ପରିବାର ଲୋକ ସହଯୋଗ କରୁଛନ୍ତି। ଏବେ ଗ୍ୟାରେଜରୁ ସମୟ ମିଳିଲେ ଏହି କାମରେ ଲାଗି ପଡ଼ୁଛନ୍ତି ବିଜୟ।

ବିଜୟଙ୍କ ଏହି କଳାକୃତି ତାଙ୍କୁ ନୂଆ ପରିଚୟ ଦେଇଛି। ଉଦଳା ମହୋତ୍ସବ ସମେତ ମେଳାରେ ତାଙ୍କୁ ବିଭିନ୍ନ ସଂଘଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ତାଙ୍କର ହାତ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ବାରିପଦା, ଉଦଳା, କପ୍ତିପଦାରେ ପଦର୍ଶିତ ହୋଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ହୋଇଛି।

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe