Advertisment

ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଆଜି ପର୍ଯ୍ୟନ୍ତ ନିର୍ମାଣ ହେଲାନି ବସ୍‌ଷ୍ଟାଣ୍ଡ

ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇପାରୁ ନାହିଁ। ଯେଉଁଥିପାଇଁ କାଦୁଅ ପଚପଚ ପୁରୁଣା ବସ୍‌ଷ୍ଟାଣ୍ଡ ଭିତରେ ଘାଣ୍ଟି ହେଉଛନ୍ତି ଯାତ୍ରୀ। ବିବାଦର ଅବସାନ୍ନ ଘଟୁନଥିବାରୁ ମାମଲା ହାଇକୋର୍ଟ ଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Bus Stand

ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଯାତ୍ରୀଙ୍କ ଦୁଃଖ ଯିବ। ସେଥିପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶପଲ୍ଲା ଯାଇ ନୂଆ ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ୍‌ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ବସ୍‌ଷ୍ଟାଣ୍ଡ। ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇପାରୁନଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାଉନ୍‌ରେ ନୂଆ ବସ୍‌ ଷ୍ଟାଣ୍ଡ ନିର୍ମାଣ ହେବ। ସେଥିପାଇଁ ୭ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର। ୨୦୨୨ ମସିହା ମାର୍ଚ୍ଚ ୧୯ ତାରିଖରେ ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ୍‌ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଦଶପଲ୍ଲା ଯାଇ ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ୍‌ କରିଥିଲେ। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଜାଗା ସ୍ଥିର ହୋଇପାରୁନଥିବାରୁ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇପାରୁ ନଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଯେଉଁଠି ବସ୍‌ଷ୍ଟାଣ୍ଡ ରହିଛି ସେହି ସ୍ଥାନରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଉ ବୋଲି ଘରୋଇ ବସ୍‌ ମାଲିକ ସଂଘ ଦାବି କରୁଛି। ଦେଖିବାକୁ ଗଲେ ଏଠାରୁ ଥାନା, ମେଡିକାଲ, କୋର୍ଟ ଓ ବ୍ଲକ୍‌ ଅଫିସ୍‌ର ଦୂରତା ବହୁ କମ୍‌। ତେଣୁ ଯାତ୍ରୀଙ୍କୁ ବେଶୀ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ଘରୋଇ ବସ୍‌ ମାଲିକ ସଂଘ ଦାବି କରୁଛି।

Advertisment

ଅନ୍ୟପକ୍ଷରେ ଦଶପଲ୍ଲା କୁଞ୍ଜବନ ଗଡ ଗାଁର ଦିଲପ କୁମାର ଦାସଙ୍କ ଗୋଷ୍ଠୀଙ୍କ କହିବା କଥା, ଦଶପଲ୍ଲା ସହର ଠାରୁ ଦୁଇ କିଲୋମିଟର ଦୂରରେ ଅର୍ଥାତ ନରସିଂହପୁର ମଶାଣୀ ମୌଜାରେ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଉଛି। କାରଣ ଭବିଷ୍ୟତରେ ଦଶପଲ୍ଲା ସହର ଅଭିବୃଦ୍ଧି ଘଟିବ ଓ ଯାତ୍ରୀମାନେ ଉପକୃତ ହୋଇପାରିବେ।

Busବସ୍‌ଷ୍ଟାଣ୍ଡରେ ଠିଆ ହୋଇଛି ବସ୍‌

ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇପାରୁ ନାହିଁ। ଯେଉଁଥିପାଇଁ କାଦୁଅ ପଚପଚ ପୁରୁଣା ବସ୍‌ଷ୍ଟାଣ୍ଡ ଭିତରେ ଘାଣ୍ଟି ହେଉଛନ୍ତି ଯାତ୍ରୀ। ବିବାଦର ଅବସାନ୍ନ ଘଟୁନଥିବାରୁ ମାମଲା ହାଇକୋର୍ଟ ଯାଇଥିଲା। ମାମଲାକୁ ଗୁରୁତର ସହ ନେଇଥିଲେ କୋର୍ଟ। ଉପଯୁକ୍ତ ସ୍ଥାନ ଚୟନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ସେଥିପାଇଁ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)କୁ ଦାୟିତ୍ତ୍ୱ ଦେଇଥିଲେ ନୟାଗଡ ଜିଲ୍ଲାପାଳ। ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ।

ତେବେ ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ସମସ୍ତ ରିପୋର୍ଟ ଆମେ ୪ ମାସ ପୂର୍ବରୁ ଜିଲ୍ଲାପାଳଙ୍କୁ ଦେଇ ସାରିଛୁ। ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇ ନାହାନ୍ତି ଜିଲ୍ଲାପାଳ। ବର୍ତ୍ତମାନ ଫାଇଲରେ ଚାପି ହୋଇ ରହିଛି ଦଶପଲ୍ଲା ବସ୍‌ ଷ୍ଟାଣ୍ଡର ଭାଗ୍ୟ।

ରିପୋର୍ଟ- ଦଶପଲ୍ଲାରୁ ସଞ୍ଜିବ ସାହୁ

Nayagarh