ଦାଦା ଯାଇଥିଲେ, ସେଇ ବାଟେ ଦିଦି ବି ଯିବେ !

୨୪ ବର୍ଷ ପରେ ଆମ ରାଜ୍ୟର ଲୋକ ସରକାର ବଦଳାଇଦେଲେ। ଠିକ ସେହିପରି ମମତା ବାନାର୍ଜୀ ମଧ୍ୟ ଦେଶରେ ଲମ୍ବା ସମୟ ଧରି ରହିଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ।

ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକ

  • Published: Tuesday, 20 August 2024
  • , Updated: 20 August 2024, 07:20 PM IST

ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଅନେକ ସିମିଲାରିଟିଜ୍ ରହିଛି । ମମତା ଏବଂ ନବୀନ ଉଭୟେ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। ଆଉ ତାପରେ ଏମାନେ ରାଜନୀତିର ଶିଖର ଛୁଇଁଛନ୍ତି। ଅବଶ୍ୟ ମମତା ବାନାର୍ଜୀଙ୍କ ରାଜନୈତିକ କ୍ୟାରିୟର ତା ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ମମତା କଂଗ୍ରେସ ଦଳରୁ ତାଙ୍କ ପଲଟିକାଲ କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ସମିଲାରିଟିଜ୍ ରହିଛି। ଆମର ସଂସ୍କୃତି ଚାଲି ଚଳନ ପୋଷାକ ପରିଧାନ ଅନେକାଂଶରେ ଖାପ ଖୁଆଉଛି। ଏଥିପାଇଁ ଓଡ଼ିଶାରେ ଯେଉଁ ରାଜନୈତିକ ପରିବର୍ତ୍ତନ ହୋଇଛି ତାର କେଉଁଠି ନା କେଉଁଠି ଜବରଦସ୍ତ ପ୍ରଭାବ ପଡୁଛି ପଶ୍ଚିମବଙ୍ଗ ଉପରେ।

୨୪ ବର୍ଷ ପରେ ଆମ ରାଜ୍ୟର ଲୋକ ସରକାର ବଦଳାଇଦେଲେ। ଠିକ ସେହିପରି ମମତା ବାନାର୍ଜୀ ମଧ୍ୟ ଦେଶରେ ଲମ୍ବା ସମୟ ଧରି ରହିଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ। ଆମ ରାଜ୍ୟରେ ଯେଉଁଭଳି ଭାବେ ସରକାର ପରିବର୍ତ୍ତନର ହାଓ୍ବା ବୋହିଲା ଆଉ ତାପରେ ସରକାର ବଦଳିଗଲା, ଠିକ ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ସେହି ହାଓ୍ବା ବୋହିବା ଆରମ୍ଭ କରିଛି। ଆର.ଜି କର ହସ୍ପିଟାଲରେ ହୋଇଥିବା ଘଟଣାକୁ ଏବେ ସାରା ଦେଶରେ ନିନ୍ଦା କରାଯାଉଛି। ମେଡିକାଲ ଛାତ୍ରଛାତ୍ରୀମାନେ ସାରା ଦେଶରେ ଆନ୍ଦୋଳନ କରୁଛନ୍ତି। ଆଉ ଏହାକୁ ନେଇ ବର୍ତ୍ତମାନ ମମତାଙ୍କ ଆସନ ଟଳମଳ ହେବାରେ ଲାଗିଲାଣି। ଯେଉଁଭଳି ଏତେ ଦିନ ପରେ ନବୀନ ପଟ୍ଟନାୟକଙ୍କ ସରକାର ଗଳି ପଡିଲା ଠିକ ସେହିପରି ମମତାଙ୍କ ସରକାର ମଧ୍ୟ ପରିବର୍ତ୍ତନ ହେବା ଆଶଙ୍କା ଦେଖାଦେଲାଣି । ତେବେ ସେଠାରେ ନିର୍ବାଚନ ଆହୁରି ୨ ବର୍ଷ ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ପରିବର୍ତ୍ତନର ହାଓ୍ବା। ଲୋକେ ନବୀନଙ୍କୁ ସରକାରରୁ ହଟାଇଦେଲେ ମମତାଙ୍କୁ କାହିଁକି କ୍ଷମତାରୁ ହଟାଇ ଦେଇପାରନ୍ତି, ଆସନ୍ତୁ ଏହାର 10ଟି ବଡ଼ ବିନ୍ଦୁ ଉପରେ ଆଲୋଚନା କରିବା।

ନାରୀ ଆଖିରେ ନିଆଁ

ଏବେ ପୂରା ବଙ୍ଗାଲ ଜଳୁଛି। ବଙ୍ଗାଲକୁ ନେଇ ସାରା ଦେଶରେ ନିଆଁ ଲାଗିଛି। ଚାରିଆଡ଼େ କେବଳ ପ୍ରୋଟେଷ୍ଟ। କୋଲକାତାର ଆର.ଜି.କର ହସ୍ପିଟାଲରେ ଯେଉଁ ହୃଦୟ ବିଦାରକ ଏବଂ ଦୁଃଖଦ ଘଟଣା ଘଟିଲା ତାକୁ ନେଇ ସାରା ଦେଶରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ। ସମସ୍ତେ ଦିଦିଙ୍କୁ ଦୋଷ ଦେଉଛନ୍ତି ଏଥିପାଇଁ ଯେ ଦିଦି କୁଆଡ଼େ ଘଟଣାକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ କରିଥିଲେ।

ଆର.ଜି କର ହସ୍ପିଟାଲର ପ୍ରିନସିପାଲ ସନ୍ଦୀପ ଘୋଷଙ୍କୁ ଚାକିରିରୁ ବାହାର କରିବା ବଦଳରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲର ପ୍ରିନସିପାଲ କରିଦେଲେ। ଠିକ ସେହିପରି ଓଡ଼ିଶାରେ ମମିତା ମେହେର, ବେବିନା, ଇତିଶ୍ରୀ ଭଳି ଅନେକ ଘଟଣା ଘଟିଥିଲେ ମଧ୍ୟ ନବୀନ ଠିକ ଭାବେ ତୁରନ୍ତ ଆକସନ ନେଇ ପାରୁନଥିଲେ। ଏପରିକି ଦେଶରେ ସବୁଠାରୁ ଅଧିକ ନାରୀମାନଙ୍କ ପ୍ରତି ହେଉଥିବା ଅସଦାଚରଣର ରାଜ୍ୟ ପାଲଟିଯାଇଥିଲା ଓଡ଼ିଶା। ବିଜେପିର ନେତାମାନେ ବାରଂବାର ଓଡ଼ିଶା ଆସି ଏ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ଏହାର ଜବରଦସ୍ତ ପ୍ରଭାବ ପଡିଥିଲା ବିଜେଡିର ମହିଳା ଭୋଟ ବ୍ୟାଙ୍କ ଉପରେ। ଠିକ ସେହି ଦଶା ଏବେ ମମତାଙ୍କର।

ଅଭିଷେକ ବାନାର୍ଜୀ, ଭି.କେ ପାଣ୍ଡିଆନ୍

ଦିଦି ବି ଅବିବାହିତ ଆଉ ନବୀନ ବି ଅବିବାହିତ। ମମତା ନିର୍ଭର କରୁଛନ୍ତି ଅଭିଷେକ ବାନାର୍ଜୀଙ୍କ ଉପରେ ଆଉ ନବୀନ ନିର୍ଭର କରୁଥିଲେ ପାଣ୍ଡିଆନଙ୍କ ଉପରେ। ଏବେ ଟିଏମସିର ସର୍ବେସର୍ବା ଅଭିଷେକ ବାନାର୍ଜୀ। ତାଙ୍କ କଥାରେ ଦିଦି କୁଆଡ଼େ ପରିଚାଳିତ। ଖାଲି ପାର୍ଟିରେ ନୁହେଁ ସରକାରରେ ମଧ୍ୟ ଅଭିଷେକ ନିଷ୍ପତ୍ତି ନିଅନ୍ତି କେଉଁ ଜିଲ୍ଲାରେ କେଉଁ ଏସପି ଏବଂ କଲେକ୍ଟର କିଏ ରହିବେ। ସେହିପରି ରାଜ୍ୟ ପ୍ରଶାସନରେ ମଧ୍ୟ ପୁଲିସଠୁ ଆରମ୍ଭ କରି ବ୍ୟୁରୋକ୍ରାଟ ଯାଏଁ ସମସ୍ତେ ଅଭିଷେକଙ୍କ କଥା ମାନନ୍ତି। ପାର୍ଟିର ଲୋକେ ମଧ୍ୟ ମମତାଙ୍କ ପରେ ଅଭିଷେକଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି। ଠିକ ସେହିପରି ଓଡିଶାରେ ନବୀନ ଓ ପାଣ୍ଡିଆନ। ପ୍ରଥମେ ଫାଇବ-ଟି ବିଭାଗ ଖୋଲି ସବୁ ବିଭାଗକୁ ନିଜ ଅଧୀନକୁ ନେଇଗଲେ। ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ସଙ୍କୁଚିତ କରିଦେଲେ। ଏହାପରେ ନବୀନଙ୍କୁ ନବୀନ ନିବାସରେ ବସାଇ ସାରା ରାଜ୍ୟରେ ଅଭିଯୋଗ ଶୁଣିବା ନାଁରେ ହେଲକପ୍ଟରରେ ଉଡି ବୁଲିଲେ। ଚାକିରି ଛାଡି ରାଜନୀତିରେ ଯୋଗଦେଲେ। ବିଜେପି କହିଲା, ପାଣ୍ଡିଆନ ହୋଇଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ବିପଦରେ ଓଡ଼ିଆ ଅସ୍ମିତା । ଆଉ ଶେଷରେ ନବୀନଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହେଲା।

ଚାକିରି ଦୁର୍ନୀତି

ଆପଣଙ୍କ ମନେଥିବ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା। ଅଭିଯୋଗ ହେଲା ପାର୍ଥ ବାବୁ ଶିକ୍ଷକ ନିଯୁକ୍ତି ଦୁର୍ନୀତିର କାର୍ପଟଦାର ଥିଲେ। ଏଥିରେ ତାଙ୍କୁ ସିନେ ତାରକା ଅର୍ପିତା ମୁଖାର୍ଜୀ ସହଯୋଗ କରିଥିବା ଅଭିଯୋଗ ଆସିଲା। ପାର୍ଥ ବାବୁ ଟିଏମସିର ବଡ଼ ନେତା । ଜବ ସ୍କାମରେ ଟିଏମସିର ନେତାଙ୍କ ସିଧା ସଳଖ ସଂପୃକ୍ତି ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି କରିଥିଲା। ଖାଲି ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନୁହେଁ ଅନ୍ୟାନ୍ୟ ଚାକିରରେ ମଧ୍ୟ ଏଭଳି କୋଟି କୋଟି ଟାଙ୍କର ସ୍କାମ ହେଉଛି ଆଉ ଏଥିରେ ଟିଏମସି ନେତାଙ୍କ ଇନଭଲମେଣ୍ଟର କଥା ଉଠୁଛି। ସେହିପରି ଓଡ଼ିଶା ଷ୍ଟାପ ସିଲେକସନ୍ କମିଶନରେ ସ୍କାମ ଆଉ ଏଥିରେ ଓଏସଏସସି କମିଶନରଙ୍କ ପ୍ରାଇଭେଟ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ସଂପୃକ୍ତି କଥା ଆପଣଙ୍କ ମନେଥିବ। ସେହିପରି ପୋଷ୍ଟାଲ ରିକ୍ରୁଇଟିମେଣ୍ଟ ସ୍କାମ। ଅନେକ ନିଯୁକ୍ତିରେ ବିଜେଡି ନେତାଙ୍କ ପକେଟ ଗରମ ହେଉଥିବା ଅଭିଯୋଗ ହେଉଥିଲା ଓଡ଼ିଶାରେ। ବିଶେଷକରି ଯୁବ ଭୋଟରଙ୍କୁ ଏହା ବେଶ ପ୍ରଭାବିତ କରିଥିଲା। ଜବ ସ୍କାମ ଏବଂ ଓଡିଶାର ଯୁବକଙ୍କୁ ନିଯୁକ୍ତି ନ ମିଳିବା ଘଟଣା ଯୁବ ପିଢିଙ୍କୁ ସରକାରୀ ବିରୋଧୀ ବନାଇଦେଲା। 

ଆଳୁ ଟେନସନ୍

ଆଜି ଓଡ଼ିଶା ବଜାରରେ ଆଳୁ ଆଉ 40 ତଳକୁ ଖସୁନି ଏହାର କାରଣ ହେଉଛି ଦିଦିଙ୍କ ଦାଦାଗିରି। ଆଳୁକୁ ନେଇ ସେଠାରେ ଚାଷୀମାନେ ବର୍ତ୍ତମାନ ଆନ୍ଦୋଳନକୁ ଓହ୍ଲାଇଲେଣି । ହେଲେ ଦିଦି କିନ୍ତୁ ତାଙ୍କ ନିଷ୍ପତ୍ତିରେ ଅଟଳ। ଏହା ଫଳରେ ଚାଷୀ ଏବଂ ବ୍ୟବସାୟୀ ବର୍ତ୍ତମାନ ଦିଦିଙ୍କ ବିରୋଧୀ ହେବାରେ ଲାଗିଛନ୍ତି। ଓଡ଼ିଶାରେ ମଧ୍ୟ ଆଳୁ ଟେନସନ ସବୁ ବେଳେ ରହି ଆସିଛି। ନାଁକୁ ମାତ୍ର ହୋଇଥିବା ଆଳୁ ମିସନ ଫେଲ ମାରିଛି। ଗତ 24 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ନୀତି ଏମିତି ଯେ ଆମକୁ ଅଣ୍ଡାଠୁ ଆରମ୍ଭ କରି ଆଳୁ ଯାଏଁ ସବୁ ବାହାର ରାଜ୍ୟରୁ ଆଣିବାକୁ ପଡୁଛି। ଏହା ଫଳରେ ଆମ ରାଜ୍ୟ ମୁଦ୍ରାସ୍ଫୀତିରେ ବର୍ତ୍ତମାନ ଦେଶରେ ଏକ ନମ୍ବର ରହିଛି। ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି ଦରଦାମ ବୃଦ୍ଧି ଯୋଗୁଁ।

ପି.ସି.ସରକାର

ଆପଣଙ୍କ କୋଲକାତାର ଯାଦୁଗର ପିସି ସରକାର କଥା ମନେଥିବ। ହେଲେ ଏବେ ସେହି ପି.ସି ସରକାର କଥା ଆମେ କହୁନୁ ଆମେ କହୁଛୁ କେମିତି ପିସି ନଦେଲେ କାମ ହୋଇପାରୁନି। ଦିନେ ବାମ ଦଳର ନେତାମାନେ ସବୁଥିରେ କମିଶନ ନେଉଥିଲେ ଆଜି ଟିଏମସିର ଗୁଣ୍ଡାମାନେ କମିଶନ ନେଉଛନ୍ତି। ତହସିଲ ଅଫିସଠୁ ଆରମ୍ଭ କରି ଥାନା ଯାଏଁ ବଙ୍ଗାଲରେ ପିସି ନ ଦେଲେ କାମ ହେଉନି। ଠିକ ସେହିପରି ଓଡ଼ିଶାରେ ମଧ୍ୟ ଫାଇବଟି ସରକାର ଥିଲା, ସବୁ ଅଫିସର ଟ୍ରାନସପରନେସିର ବୋର୍ଡ ଲାଗିଥିଲା ହେଲେ ପିସି ନେଦେଲେ କାମ ହେଉନଥିଲା। ଏବେ ଭିଜିଲାନସ୍ ଧରୁଥିବା ବାବୁମାନଙ୍କଠାରୁ ବାହାରୁଛି ତାଜୁବ କଲାଭଳି କୋଟି କୋଟି ଟଙ୍କାର ସଂପତ୍ତି।

ସନ୍ଦେଶଖାଲି ମମିତା ମେହେର

ଗତ କିଛିଦିନ ତଳେ ଆପଣ ମନେ ପକାନ୍ତୁ ସନ୍ଦେଶଖାଲିର ଟିଏମସି ନେତା ଶେଖ ଶାହାଜାନଙ୍କ କଥା। ତାଙ୍କ ନାଁରେ ଅନେକ ମହିଳା ଅଭିଯୋଗ ଆଣିଲେ ଧର୍ଷଣ ଏବଂ ଜମି ଦୁର୍ନୀତିର। ଏହାକୁ ନେଇ ଆନ୍ଦୋଳନ ଜୋରଦାର ହେଲା। ହେଲେ ଦିଦିଙ୍କ ଛତ୍ରଛାୟା ତଳେ ନିଜ ସାମ୍ରାଜ୍ୟ ବୃଦ୍ଧି କରିଥିଲା ଶେଖ ସାହାଜାନ। ଏତେ ସବୁ ଘଟଣା ଘଟିଲେ ମଧ୍ୟ ଟିଏମସି ଘଣ୍ଟା ଘୋଡାଇଲା ଏହି ଘଟଣାକୁ। ଯାହା ଫଳରେ ସାଧାରଣ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଆକ୍ରୋଶ ରହିଛି । ଠିକ ସେହିପରି ପଶ୍ଚିମ ଓଡ଼ିଶାର ବହୁ ଚର୍ଚିତ ଘଟଣା ମମିତା ମେହେର ହତ୍ୟାକାଣ୍ଡ। ଅତି ବର୍ବରତାର ସହ ମମିତାଙ୍କୁ ହତ୍ୟା କରିବା ଏବଂ ପରେ ତାଙ୍କ ମର ଶୀରରକୁ ମାଟିରେ ପୋତିଦେବାକୁ ନେଇ ସାରା ପଶ୍ଚିମ ଓଡ଼ିଶା ସମେତ ରାଜ୍ୟରେ ତତ୍କାଳୀନ ନବୀନ ସରକାରଙ୍କ ବିରୋଧରେ ଅନେକ ଜନ ଆକ୍ରୋଶ ସୃଷ୍ଚି ହୋଇଥିଲା। ଏହାକୁ ନେଇ ସେତେବେଳର ମନ୍ତ୍ରୀ ଦିବଶ୍ୟଙ୍କର ମିଶ୍ରଙ୍କ ନାଁ ଉଠିଥିଲେ ମଧ୍ୟ ନବୀନ ତାଙ୍କ ବିରୋଧରେ ଆକସନ ନେଇ ପାରନଥିଲେ। ଆଗରୁ ଛୋଟ ଛୋଟ ଘଟଣାରେ ଆକସନ ନେଇଯାଉଥିବା ନବୀନ କିନ୍ତୁ ବଡ଼ ବଡ଼ ଘଟଣା ଘଟିଲେ ମଧ୍ୟ ଚୁପ ରହିଲେ । 

ଦିଦିଙ୍କ ବାଂଲାଦେଶୀକୁ ନବୀନଙ୍କ ବାହାରି ପ୍ରେମ

ସବୁବେଳେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୁଏ ସେ ବାଙ୍ଗଲାଦେଶୀମାନଙ୍କୁ ପଶ୍ଚିମବଙ୍ଗରେ ରଖିବା ଏବେ ତାଙ୍କୁ ସବୁପ୍ରକାର ସରକାର ସୁବିଧା ସୁଯୋଗ ଦେବା ନେଇ। ଏପରିକି ନିଜ ଭୋଟ ବ୍ୟାଙ୍କ ପାଇଁ ଦିଦି ହଜାର ହଜାର ବାଙ୍ଗଲାଦେଶୀଙ୍କୁ ଭୋଟର ତାଲିକାରେ ନାଁ ଲଗାଇ ଦେଇଥିବା ଅଭିଯୋଗ ହୁଏ। ସେହିପରି ଓଡିଶାରେ ମଧ୍ୟ ବିଜେଡି ସରକାର ଅନେକ ବାଙ୍ଗଲାଦେଶୀଙ୍କୁ ନିଜ ଭୋଟ୍ ବ୍ୟାଙ୍କ ପାଇଁ ଭୋଟର ଲିଷ୍ଟରେ ନାଁ ଲଗାଇଛି। ଏହାଛଡା ଓଡ଼ିଶାରେ ଓଡ଼ିଆ କଣ୍ଟ୍ରାକ୍ଟର ଓଡ଼ିଆ ଲୋକଙ୍କ ପ୍ରଭାବ କମ ବାହାର ରାଜ୍ୟର ଲୋକଙ୍କ ପ୍ରଭାବ ଅଧିକ ରହୁଥିଲା। ସେହି ଠିକା କାମ ହେଉ ବା ଶାସନ ଚଳାଇବାରେ ସବୁଥିରେ ଓଡ଼ିଆ ଲୋକଙ୍କୁ ଅଣଦେଖା କରାଯାଉଥିଲା ଅଣ ଓଡ଼ିଆଙ୍କ ରାଜ୍ ଚାଲିଥିଲା ।

ନିଜ ଲୋକ ବୁଡ଼ାଇବେ ନିଜ ସରକାର

ନିଜ ଲୋକଙ୍କ ନାଁରେ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ ଆଉ ଦିଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାଁନ୍ତି। ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାଁରେ ଦଳରୁ ଏବଂ ସରକାରରୁ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ ଦିଦିଙ୍କ ହାତ ଯାଉନି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ଠିକ ସେହିପରି ପାଣ୍ଡିଆନଙ୍କୁ ନେଇ ଦଳରେ ଅନେକ ଅସନ୍ତୋଷ ଥିଲେ ମଧ୍ୟ ନବୀନ ତାଙ୍କୁ ସବୁ କ୍ଷମତା ଦେବାକୁ ବାଧ୍ୟ ହୋଇଥିଲେ। ଏହାର ଫଳ ସ୍ବରୂପ ରାଜ୍ୟରୁ ଚାଲିଗଲା ବିଜେଡି ସରକାର। ଆଉ ଏବେ ବି ନବୀନ ଏହାକୁ ନେଇ ପାଣ୍ଡିଆନଙ୍କୁ ଦୋଷ ଦେଉ ନାହାନ୍ତି। ହେଲେ ନେତା କହୁଛନ୍ତି ପାଣ୍ଡିଆନ ବୁଡାଇଦେଲେ ଦଳକୁ ।

କୋଟେରୀ ସରକାର

ପଶ୍ଚିମ ବଙ୍ଗରେ ବି ଚାଲିଛି କୋଟେରି ସରକାର । ଅଭିଷେକ ବାନାର୍ଜୀ, ମମତା ବାନାର୍ଜୀଙ୍କ ସହ ରହିଛିନ୍ତି କିଛି ପଲିଟିକାଲ ଲିଡର ଏବଂ ଟପ ବ୍ୟୁରୋକ୍ରାଟ । ଏହି କୋଟେରୀ ଚଳାଏ ପଶ୍ଚିମବଙ୍ଗରେ ସରକାର। ସେମାନେ ନିଷ୍ପତ୍ତି ନିଅନ୍ତି ସରକାରରେ କଣ ହେବ କଣ ହେବନି। ଠିକ ସେହିପରି ଓଡ଼ିଶାରେ ବବି, ପାଣ୍ଡିଆନ ଏବଂ କୁଟେଙ୍କ କୋଟେରି ଚଳାଉଥିଲେ ନବୀନ ସରକାର ।

ସରକାରୀ ବିରୋଧୀ ହାଓ୍ବା

ଓଡ଼ିଶାରେ ସରକାରୀ ବିରୋଧୀ ହାଓ୍ବା ଏତେ ଥିଲା ଯେ ୨୪ ବର୍ଷର ଏକ ସ୍ଥିର ସରକାର ଗୋଟିଏ ମାସରେ ପରିବର୍ତ୍ତନ ହୋଇଗଲା। ନବୀନଙ୍କ ବିରୋଧରେ ଆଣ୍ଟି ଇନକମ୍ବେନ୍ସି ଜଳ ଜଳ ଦେଖାଯାଉଥିଲେ ମଧ୍ୟ ବିଜେଡି ସରକାର କି ତାଙ୍କ କୋଟେରୀ ଗ୍ରୁପ ତାହା ଦେଖି ପାରୁନଥିଲେ। ଆଉ ଶେଷରେ ଲୋକେ ପାନେ ଦେଲେ। ଠିକେ ସେହପିର ପଶ୍ଚିମ ବଙ୍ଗରେ ଦିନକୁ ଦିନ ମମତାଙ୍କ ଲଢୁଆ ଛବିରେ ପରିବର୍ତ୍ତନ ହେବାରେ ଲାଗିଛି। ଦିଦି ଦିନକୁ ଦିନ ଆସ୍ଥା ହରାଇବାରେ ଲାଗିଛନ୍ତି । ଦିନକୁ ଦିନ ସରକାରୀ ବିରୋଧୀ ହାଓ୍ବା ଜୋର ହେବାରେ ଲାଗିଛି।

ଆସନ୍ତା ୨୦୨୬ରେ ପଶ୍ଚିମ ବଙ୍ଗରେ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରାୟ ୨ ବର୍ଷ ଅଛି ଦିଦିଙ୍କ ପାଖରେ। ତେବେ ଦିଦି କେତେ କରେକସନ୍ କରିପାରୁଛନ୍ତି ନା ହାତ ଟେକି ଦେଉଛନ୍ତି ତାହା ଦେଖିବା କଥା। ସେ ସନ୍ଦେଶଖାଲି ହେଉ ବା ଆର ଜି କର ହସ୍ପିଟାଲର ଘଟଣା। ଦିନକୁ ଦିନ ଦିଦି ହରାଇ ହରାଇ ଚାଲିଛନ୍ତି ଲୋକପ୍ରିୟତା। ତେବେ ପଶ୍ଚିମବଙ୍ଗରେ ବିରୋଧୀ ଦଳମାନେ ଏହି ଦୁଇ ବର୍ଷ ମଧ୍ୟରେ କଣ ରଣନୀତି ଆପଣାଉଛନ୍ତି ତାହା ମଧ୍ୟ ମାଇନା ରଖେ ସରକାର ବଦଳାଇବାରେ ।

Related story