Advertisment

ଶହେ କୋଟିର ଖର୍ଚ୍ଚ, ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀ!

ଓଡ଼ିଶାର ଶାସନ ଏଯାଏଁ ଓଡ଼ିଆ ଭାଷାରେ ଚାଲିଲା ନାହିଁ। ଆଇନରେ ଦଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଆରେ ସରକାରୀ କାର୍ଯ୍ୟ ନକରିବା ପାଇଁ ଏଯାଏଁ କେହି ଦଣ୍ଡିତ ହେଲେ ନାହିଁ। ସରକାରଙ୍କର ସବୁ ନେତା ଓ ବାବୁମାନଙ୍କ ଦପ୍ତର ଦୁଆର, ଟେବୁଲ ଓ ଘର ଗେଟ୍‌ରେ ଓଡ଼ିଆ ନାମ ଫଳକ ଲାଗିଲା ନାହିଁ। ରାଜଧାନୀ ସମେତ ରାଜ୍ୟର ସହରବଜାରରେ ଓଡ଼ିଆ ନାମଫଳକ ପ୍ରାୟତଃ ଅଦୃଶ୍ୟ, ନାହିଁ କହିଲେ ଚଳେ।

World Odia Language Conference

World Odia Language Conference

Advertisment

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଏହି ପଦରେ ରହିବା ପରେ ମଧ୍ୟ ଏଯାଏଁ ଓଡ଼ିଆ ଭାଷା ପଢ଼ି, ଲେଖି, କହି ପାରୁନାହାନ୍ତି। ନବୀନବାବୁଙ୍କ ମାତୃଭାଷା ଓଡ଼ିଆ ନୁହେଁ, ପଞ୍ଜାବୀ। ତାଙ୍କ ମା’ ପଞ୍ଜାବୀ ଝିଅ ଥିଲେ। ନବୀନବାବୁଙ୍କ ଚର୍ଚ୍ଚିତ ଉତ୍ତରାଧିକାରୀଙ୍କର ମାତୃଭାଷା ମଧ୍ୟ ଓଡ଼ିଆ ନୁହେଁ, ତାମିଲ। ସେ ଯେଉଁ ଓଡ଼ିଆ କହୁଛନ୍ତି ତାହା ମଧ୍ୟ ନବୀନବାବୁଙ୍କ ପରି ବିକୃତ ଓଡ଼ିଆ।

Advertisment

ଓଡ଼ିଶାର ଶାସନ ଏଯାଏଁ ଓଡ଼ିଆ ଭାଷାରେ ଚାଲିଲା ନାହିଁ। ଆଇନରେ ଦଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଆରେ ସରକାରୀ କାର୍ଯ୍ୟ ନକରିବା ପାଇଁ ଏଯାଏଁ କେହି ଦଣ୍ଡିତ ହେଲେ ନାହିଁ। ସରକାରଙ୍କର ସବୁ ନେତା ଓ ବାବୁମାନଙ୍କ ଦପ୍ତର ଦୁଆର, ଟେବୁଲ ଓ ଘର ଗେଟ୍‌ରେ ଓଡ଼ିଆ ନାମ ଫଳକ ଲାଗିଲା ନାହିଁ। ରାଜଧାନୀ ସମେତ ରାଜ୍ୟର ସହରବଜାରରେ ଓଡ଼ିଆ ନାମଫଳକ ପ୍ରାୟତଃ ଅଦୃଶ୍ୟ, ନାହିଁ କହିଲେ ଚଳେ।

ଓଡ଼ିଆ ସାହିତ୍ୟ ପାଇଁ ଦିଆଯାଉଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୭ରୁ ଦିଆଯାଇନାହିଁ। ସ୍କୁଲ ଓ କଲେଜ ସ୍ତରରେ ମାତୃଭାଷା ଓଡ଼ିଆରେ ଅନେକ ଶିକ୍ଷକ ପଦବୀ ଖାଲି। ଓଡ଼ିଆରେ ଓଡ଼ିଆ ପିଲା ଫେଲ୍‌ ହେଉଛନ୍ତି।

Advertisment

ଓଡ଼ିଶା ଶାସନର ସବୁ ଅର୍ଥକରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଅଣଓଡ଼ିଆ ଅଫିସର। ଓଡ଼ିଶାର ସବୁ ବଡ଼ ବଡ଼ ପ୍ରକଳ୍ପର ଠିକାଦାର ଅଣଓଡ଼ିଆ କମ୍ପାନୀ। ଓଡ଼ିଶାର ସବୁ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ, ଖଣି ପଟ୍ଟାଦାର ଓ ବ୍ୟାବସାୟିକ ସଂସ୍ଥାର ମାଲିକ ଅଣଓଡ଼ିଆ।

ଏହିଭଳି ଏକ ସମୟରେ ୨୦୨୪ ଫେବୃଆରୀ ୩ ତାରିଖରୁ ୫ ତାରିଖ ଯାଏଁ ରାଜ୍ୟ ସରକାର ଆୟୋଜନ କରୁଛନ୍ତି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବିଭିନ୍ନ ଆଲୋଚନାରେ ଭାଗ ନେବେ ବିଦେଶରୁ ଆସିଥିବା ଅତିଥି ହର୍ମାନ କୁଲ୍‌କେ, ଆର୍ଲୋ ଗ୍ରିଫିଥ୍‌ସ, ଉବେ ସ୍କୋଡ଼ା ଓ ଆନ୍ନେ ସ୍କେମ୍‌ଦେନ୍‌। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟକ୍ରମ ତାଲିକାରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ କହିବାକୁ ଥିବା କୌଣସି ଓଡ଼ିଆଙ୍କର ନାଁ ନାହିଁ। ସରକାରଙ୍କ ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଏହି ତିନି ଦିନ ଧରି ବିଶେଷଜ୍ଞମାନେ ଓଡ଼ିଆ ଭାଷା ନେଇ ଯେଉଁ ନୀତି ନିର୍ଣ୍ଣୟ କରିବେ ତାହାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବେ।

ଏହି ସମ୍ମିଳନୀର ପ୍ରଥମ ଦିନ ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିକାଶ, ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଭାରତର ଶାସ୍ତ୍ରୀୟ ଭାଷା ଓଡ଼ିଆ ଉପରେ ବକ୍ତାମାନେ କହିବେ। ଦ୍ୱିତୀୟ ଦିନ ଓଡ଼ିଆ ଅସ୍ମିତାର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସ, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ଓଡ଼ିଶାର ଲୋକଗୀତ, ଓଡ଼ିଶାର ଭାଷା ବିବିଧତା ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ଦିନ ସୂଚନା ପ୍ରଯୁକ୍ତି ଯୁଗରେ ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ, ଓଡ଼ିଆରୁ ଓଡ଼ିଆକୁ ପରିବର୍ତ୍ତନ ଏବଂ ବିଜ୍ଞାନର ଭାଷା ଓଡ଼ିଆ ଆଦି ବିଷୟରେ ଚର୍ଚ୍ଚା ହେବ। ଅବଶ୍ୟ କିଏ କି ଚର୍ଚ୍ଚା କରିବେ ସେନେଇ ସରକାର ଏଯାଏଁ କିଛି ସ୍ପଷ୍ଟ କରିନାହାନ୍ତି।

ଏହି କାର୍ଯ୍ୟକ୍ରମକୁ ପ୍ରତି ପଂଚାୟତରେ ଲୋକେ ଯେପରି ଦେଖିବେ ସେଥିପାଇଁ ପଞ୍ଚାୟତକୁ ଟଙ୍କା ଦିଆଯାଇଛି। ଏହା ପଞ୍ଚାୟତିରାଜ ବିଭାଗର କାମ ସ୍କୁଲ କଲେଜ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସେଥିରେ ଟଙ୍କା ଖର୍ଚ୍ଚ ହେଉଛି। ଏହା ସ୍କୁଲ ଓ ଉଚ୍ଚଶିକ୍ଷା ବିଭାଗର କାମ। ପୂର୍ତ୍ତ ବିଭାଗ ପକ୍ଷରୁ ଶହଶହ ବିଜ୍ଞାପନ ହୋର୍ଡ଼ିଂ ଆଦି ଲଗାଯାଇଛି। ଫେବୃଆରୀ ୩ରୁ ୯ ମଧ୍ୟରେ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଚାଲିବ। ସେଥିପାଇଁ ରାଜଧାନୀ ରାସ୍ତାରେ ସବୁଜ ରଙ୍ଗ ଲିପି ଦିଆଯାଇଛି। ରାସ୍ତାକଡ଼ ଗଛ ସାରା ଚାଇନା ଆଲୁଅ। ଉତ୍ସବରେ ଅଣଓଡ଼ିଆ କଳାକାର ସଂଖ୍ୟାଧିକ। ଏସବୁ ବାବଦରେ କେତେ ଖର୍ଚ୍ଚ ହେବ ତାହା ମଧ୍ୟ ସରକାରୀ ଭାବେ ଘୋଷଣା କରାଯାଇନାହିଁ। ତେବେ ଆୟୋଜନରୁ ଜଣାପଡ଼ୁଛି ୧୦୦ କୋଟି ବୋହିଯିବା ନିଶ୍ଚିତ।

ତଥାପି ଏହି ସମ୍ମିଳନୀ ପରେ ଓଡ଼ିଶାର ସଂପୂର୍ଣ୍ଣ ଶାସନ କଳ ଓଡ଼ିଆ ଭାଷାରେ ଚାଲିବ ବୋଲି ଆଶା କରାଯାଉ। ମୁଖ୍ୟମନ୍ତ୍ରୀ ଓ ତାଙ୍କର ଉତ୍ତରାଧିକାରୀ ଓଡ଼ିଆ ଲେଖାପଢ଼ା ଶିଖିବେ ବୋଲି ଆଶା କରାଯାଉ। ଓଡ଼ିଶାର ଖଣିଜ ସଂପଦ, ଜଙ୍ଗଲ ସଂପଦ, ଭୂସଂପଦ, ଜଳ ସଂପଦ ଆଦି ଉପରେ ଓଡ଼ିଆ ଉଦ୍ୟୋଗୀମାନଙ୍କର ଅଗ୍ରାଧିକର ରହିବ ବୋଲି ଆଶା କରାଯାଉ। ମୋଟ ଉପରେ ସମ୍ମିଳନୀ ସଫଳ ହେଉ।

Odisha Odia Language Odia Pride First World Odia Language Conference
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe