Advertisment

ମୟୂରଭଞ୍ଜ ମହୋତ୍ସବରେ ହେଲା ସତସତିକା ବାହାଘର

ନାଚଗୀତ ପରେ ହୋଇଥିଲା ଉଭୟଙ୍କ ବାହାଘର। ମାଝି ହାଡାମ(ମୁରବୀ)ଙ୍କ ଉପସ୍ଥିତିରେ ହୋଇଥିଲା ବିବାହ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହ ରୂପ ନେଇଥିଲା। ଆଉ ଗୋଲାପୀଙ୍କ ପତ୍ନୀ ରୂପେ ଗ୍ରହଣ କଲେ ରାଜେନ।

author-image
Manoranjan Sial
Baripada

Coupla

ମହୋତ୍ସବରେ ସାଧାରଣତଃ ନାଚ ଗୀତର ଆସର ଜମିଥାଏ। ଆଉ ସେହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥାଆନ୍ତି ଦର୍ଶକ। ହେଲେ ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସୋମବାର ହୋଇଛି ସତସତିକା ବାହାଘର। ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍‌ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ଆଉ ଦୀର୍ଘ ଦିନର ସତସତିକା ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ।

Advertisment

ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍‌ ମୁଣ୍ଡାକଟା ଗାଁରେ ଏକ ଆଜେବେଷ୍ଟସ୍‌ ଘରେ ରହନ୍ତି ରାଜେନ୍‌ ମୁର୍ମୁ। କାମଦାମ କରି ଚଳନ୍ତି। ଅଭାବୀ ଜୀବନ ଭିତରେ କେତେବେଳେ କେମିତି ଚପଳାମୀ କରିଦେଲେ ଜାଣିପାରିନଥିଲେ। ଆଉ ନିଜ ଅଜାଣତରେ ସେ ଶୁଳିଆପଦା ଗାଁର ଗୋଲାପୀ ମୁର୍ମୁଙ୍କୁ ମନ ଦେଇ ବସିଥିଲେ। ଗୋଲାପୀ ମଧ୍ୟ ଜାଣିପାରିଥିଲେ ନିଜ ମନର ମାନସଙ୍କ ଇସାରାକୁ। ସେ ରାଜେନଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଉଭୟଙ୍କ ପ୍ରେମ ସମ୍ପର୍କରେ ବାଧକ ସାଜିଥିଲେ ଅର୍ଥ! ଆର୍ଥିକ ଅନଟନ ଭିତରେ ଘାଣ୍ଟି ହେଉଥିବା ରାଜେନ୍‌ ଆଦିବାସୀ ରୀତିନୀତି ଅନୁସାରେ ବାହା ହୋଇପାରୁନଥିଲେ। ନିଜ ବାହା ଘରକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। କିନ୍ତୁ ଉଭୟଙ୍କ ମନ ଭିତରେ ଜଳୁଥିବା ଦୁଃଖକୁ କାହାରିକୁ କହିପାରୁନଥିଲେ।

ସେପଟେ ମୟୂରଭଞ୍ଜ ମହୋତ୍ସବ କମିଟି ଆଦିବାସୀ ପରମ୍ପରାରେ ବାହାଘରକୁ ନେଇ ଏକ ପ୍ଲେ’ ଷ୍ଟେଜ୍‌ରେ କରିବାକୁ ଚାହୁଁଥିଲା। ନାଟକ ଅପେକ୍ଷା ସତସତିକା ବାହାଘର କରିବାକୁ ଯୋଜନା କରୁଥିଲା। ଠିକ୍‌ ସେହି ସମୟରେ ରାଜେନ ଓ ଗୋଲାପୀଙ୍କ ପ୍ରେମ କାହାଣୀ ସମ୍ପର୍କରେ ଶୁଣିବାକୁ ପାଇଥିଲେ। ତା’ପରେ ଉଭୟ ପରିବାର ସହିତ ଯୋଗାଯୋଗ କରିଥିଲା ମହୋତ୍ସବ କମିଟି। ଆଲୋଚନା ଓ ପର୍ଯ୍ୟାଲୋଚା ପରେ ମହୋତ୍ସବ ଷ୍ଟେଜ୍‌ରେ ଆଦିବାସୀ ରୀତିନୀତିରେ ବାହାଘର କରିବାକୁ ନିଷ୍ପତ୍ତି ହୋଇଥିଲା।

Advertisment
Baripadaବାହାଘର ବେଳେ ହେଉଛି ନାଚଗୀତ

ସୋମବାର ସନ୍ଧ୍ୟାରେ ବାରିପଦାରେ ଆୟୋଜିତ ହେଉଥିବା ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ ସଜେଇ ହୋଇଥିଲା। ଷ୍ଟେଜ୍‌ରେ ବସିଥିଲା ପ୍ରତୀକାତ୍ମକ ‘ହାଣ୍ଡିଆ ହାଣ୍ଡି’। ବାଜୁଥିଲା ମାଦଲ, ଢୋଲ ଓ ମହୁରୀ। ନାଚୁଥିଲେ ଧାଙ୍ଗଡା ଓ ଧାଙ୍ଗଡ଼ି। ଆଦିବାସୀ ଗୀତ ଓ ବାଦ୍ୟରେ କମ୍ପୁଥିଲା ସମ୍ପୂର୍ଣ୍ଣ ପରିବେଶ। ତାହାରି ଭିତରେ ବର ଯାତ୍ରୀଙ୍କୁ ଧରି ବର ବେଶରେ ଏଣ୍ଟ୍ରୀ ମାରିଥିଲେ ରାଜେନ୍‌। ସେ ଜଣଙ୍କ କାନ୍ଧରେ ବସିଥିଲେ। ଆଉ ତାଙ୍କ ଭାବି ପତ୍ନୀ ଗୋଲାପୀ ଗୋଟିଏ ଟୋକେଇରେ ବସିଥିଲେ। ସେହି ଟୋକେଇକୁ କିଛି ଯୁବକ କାନ୍ଧରେ ଧରିଛନ୍ତି। ମୁଣ୍ଡରେ ଲମ୍ୱା ଓଢ଼ଣୀ ପକାଇ ଚାଉଳ ଫିଙ୍ଗୁଥିବା ଦେଖିବାକୁ ମିଳୁଥିଲା।

Baripadaପରିବାର ଲୋକଙ୍କ ଗହଣରେ ନବ ଦମ୍ପତି

ନାଚଗୀତ ପରେ ହୋଇଥିଲା ଉଭୟଙ୍କ ବାହାଘର। ମାଝି ହାଡାମ(ମୁରବୀ)ଙ୍କ ଉପସ୍ଥିତିରେ ହୋଇଥିଲା ବିବାହ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହ ରୂପ ନେଇଥିଲା। ଆଉ ଗୋଲାପୀଙ୍କ ପତ୍ନୀ ରୂପେ ଗ୍ରହଣ କଲେ ରାଜେନ। ଶହ ଶହ ଲୋକଙ୍କ ଆଗରେ ଗୋଲାପୀ ଓ ରାଜେନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଉଭୟଙ୍କ ବାହାଘର ପରେ ମହୋତ୍ସବରେ ସାମିଲ ଥିବା ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହିତ ଉପହାର ଦେଇଥିଲେ। ବାହାଘର ପରେ ଭୋଜିଭାତର ଆୟୋଜନ କରାଯାଇଥିଲା। ଗୋଲାପୀ ଓ ରାଜେନଙ୍କ ସମ୍ପର୍କୀୟ ଏବଂ ସାହିଭାଇ ଭୋଜିଭାତରେ ଆପ୍ରାୟିତ ହୋଇଥିଲେ।

ଗୋଲାପୀ ଓ ରାଜେନଙ୍କ ଏହି ନିଆରା ବାହାଘରକୁ ଷ୍ଟେଜ୍‌ ଉପଭୋଗ କରିଥିଲେ ମହୋତ୍ସବରେ ଯୋଗଦେଇଥିବା ଶହଶହ ଲୋକ। ସବୁବେଳେ ଆଧୁନିକ ଗୀତରେ ଝୁମୁଥିବା ଦର୍ଶକ ସତ ସତିକା ବାହାକୁ ଦେଖି ସ୍ତମ୍ଭିଭୁତ ହୋଇଥିଲେ। ଆଉ ବାହାଘରକୁ ପୂରା ଉପଭୋଗ କରିଥିଲେ।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

Baripada