ଲୋକେ ହସୁଥିଲେ, ଏବେ ଦେବେନ୍ଦ୍ର ହସୁଛନ୍ତି

ନିଜେ ରୋଜଗାରକ୍ଷମ ହେବା ସହିତ ୧୦/୧୨ ଜଣଙ୍କୁ କାମ ଦେଇଛନ୍ତି ଦେବେନ୍ଦ୍ର।

Debendra Pradhan

ଦେବେନ୍ଦ୍ର ପ୍ରଧାନ

Jitendra Garnayak
  • Published: Tuesday, 15 April 2025
  • , Updated: 15 April 2025, 06:38 PM IST

ଗେଣ୍ଡୁ ଫୁଲ ଚାଷ ଆଉ କିଛି ନୂଆ କଥା ନୁହେଁ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଚାଷ ହେଉଛି। କିନ୍ତୁ ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ଗାଁର ଦେବେନ୍ଦ୍ର ପ୍ରଧାନ ଯେତେବେଳେ ଗେଣ୍ଡୁ ଫୁଲ ଚାଷ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, ଲୋକେ ତାଙ୍କ ଉପରେ ହସିଥିଲେ। ସେମାନେ ଦେବେନ୍ଦ୍ରଙ୍କୁ ଉପହାସ କରିଥିଲେ। ବାହାର ଲୋକଙ୍କ କଥା ଛାଡ଼ନ୍ତୁ, ଘର ଭିତରୁ ମଧ୍ୟ ଦେବେନ୍ଦ୍ରଙ୍କୁ ମିଳିନଥିଲା ସମର୍ଥନ। ହେଲେ ଏସବୁ ତାଙ୍କ ବାଟ ଓଗାଳି ପାରି ନଥିଲା। ସେ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ ଓ ଫୁଲ ଚାଷ ଆରମ୍ଭ କରିଥିଲେ। ଆଉ ଏହି ଗେଣ୍ଡୁ ଫୁଲ ଚାଷ ତାଙ୍କ ମୁହଁରେ ହସ ଫୁଟାଇ ପାରିଛି।

ଦେବେନ୍ଦ୍ରଙ୍କର କିଛି ଜମି ଅଛି, ଯେଉଁଗୁଡ଼ିକ ପ୍ରାୟତଃ ପଡ଼ିଆ ପଡ଼େ। କେଉଁ ବର୍ଷ କେମିତି ସେ ସେଥିରେ ଧାନ ଚାଷ କରୁଥିଲେ। କିନ୍ତୁ ଅଧିକ ବର୍ଷା ହେଲେ ଧାନ ଭଲ ହେଉ ନଥିଲା। ତେଣୁ ଗତ ବର୍ଷ ସେ ସେହି ଜମିରେ ଗେଣ୍ଡୁ ଫୁଲ ଚାଷ କରିବା ପାଇଁ ଯୋଜନା କରିଥିଲେ। ପରିବାରର ସଦସ୍ୟ ତଥା ସାଙ୍ଗସାଥୀମାନେ ତାଙ୍କୁ ଫୁଲ ଚାଷ ନ କରି ଅନ୍ୟ କିଛି ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେ କିଛି ଶୁଣି ନଥିଲେ। କେବଳ ଗେଣ୍ଡୁ ଫୁଲ ଚାଷ କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ନୂଆପଡ଼ା ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସହାୟତା ଲୋଡ଼ିଥିଲେ।

ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଦେବେନ୍ଦ୍ରଙ୍କୁ ଆବଶ୍ୟକ ସହଯୋଗ କରିଥିଲା। ଫଳରେ ଗୋଟିଏ ଏକର ଜମିରେ ଗତ ବର୍ଷ ଗେଣ୍ଡୁ ଫୁଲ ଚାଷ କରିଥିଲେ ସେ। ଗତ ବର୍ଷ ସେ ତିନିଟି ପର୍ଯ୍ୟାୟରେ ଗେଣ୍ଡୁ ଫୁଲ ଚାଷ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୧ ଲକ୍ଷ ଟଙ୍କା ଲାଭ କରିଥିଲେ। ପ୍ରତି ପର୍ଯ୍ୟାୟରେ ସେ ୧ରୁ ୨ ଲକ୍ଷ ଟଙ୍କା ଲାଭ କରୁଥିବା ବେଳେ ଏବେ ପଞ୍ଚମ ପର୍ଯ୍ୟାୟରେ ହୋଇଥିବା ଚାଷରୁ ଫୁଲ ତୋଳା ଯାଉଛି। ଷଷ୍ଠ ପର୍ଯ୍ୟାୟ ଚାଷ ଆରମ୍ଭ ହୋଇଯାଇଛି। ସେ ଗେଣ୍ଡୁ ଚାରା ଲଗାଇ ସାରିଛନ୍ତି।

ଦେବେନ୍ଦ୍ରଙ୍କ ଯୋଗୁ ଦର୍ଲିମୁଣ୍ଡା ଆଖପାଖ ତଥା ନୂଆପଡ଼ା, ପଦ୍ମପୁର ଓ ନୃସିଂହନାଥରେ ଗେଣ୍ଡୁ ଫୁଲର ଆବଶ୍ୟକତା ସହଜରେ ପୂରଣ ହୋଇପାରୁଛି। ଫୁଲ ବିକ୍ରିବଟାରେ ତାଙ୍କର କିଛି ଅସୁବିଧା ହେଉ ନାହିଁ। ପୂଜାର୍ଚ୍ଚନା, ବାହାଘରରେ ସାଜସଜ୍ଜା ପାଇଁ ବେପାରୀମାନେ ଆସି ତାଙ୍କଠାରୁ ଫୁଲ କିଣି ନେଇ ଯାଉଛନ୍ତି।

ଫୁଲ ଚାଷ କେବଳ ଦେବେନ୍ଦ୍ରଙ୍କ ପାଇଁ ଆୟର ଏକ ଭଲ ଉତ୍ସ ପାଲଟି ନାହିଁ, ତାଙ୍କ ଗାଁର ଆଉ ୧୦ଟି ପରିବାରର ପେଟ ମଧ୍ୟ ପୋଷୁଛି। ଦେବେନ୍ଦ୍ରଙ୍କ ପାଖରେ ପ୍ରାୟ ୧୦ ଜଣ ଶ୍ରମିକ ନିୟମିତ କାମ କରୁଛନ୍ତି। ଫୁଲଗଛର ଯତ୍ନ ନେବାଠାରୁ ଆରମ୍ଭ କରି ଫୁଲ ତୋଳିବା ଓ ମାଳ ତିଆରି କରିବା ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି ଏହି ଶ୍ରମିକମାନେ। ସେମାନଙ୍କ ମଧ୍ୟରୁ କେହି କେହି ପୂର୍ବରୁ ଦାଦନ ଖଟିବାକୁ ଯାଉଥିଲେ। କିନ୍ତୁ ଏବେ ଘର ପାଖରେ ଆୟର ମାଧ୍ୟମ ମିଳି ଯାଇଥିବାରୁ ସେମାନେ ଖୁସି ଅଛନ୍ତି।

ଦେବେନ୍ଦ୍ରଙ୍କ ଗେଣ୍ଡୁ ଫୁଲ ଚାଷ

ଆହୁରି ଅଧିକ ଜମିରେ ଫୁଲ ଚାଷ କରିବା ପାଇଁ ନୂଆପଡ଼ା ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଦେବେନ୍ଦ୍ରଙ୍କୁ ପରାମର୍ଶ ଦେଇଥିବା ବେଳେ ଏହା ମଧ୍ୟରେ ବିଭାଗର ପରାମର୍ଶ କ୍ରମେ ସେ ଡାଳିମ୍ବ ଚାଷ ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଦେବେନ୍ଦ୍ର ପ୍ରଧାନ କହିଛନ୍ତି, ଯେଉଁ ଜମିରେ ଗେଣ୍ଡୁ ଫୁଲ ଚାଷ ହେଉଛି, ସେଗୁଡ଼ିକ ପୂର୍ବରୁ ଖାଲି ପଡ଼ିଥିଲା। ଅତିବେଶିରେ ଧାନ ଚାଷ କରାଯାଉଥିଲେ। ନହେଲେ ଆଉ କିଛି କରାଯାଉ ନଥିଲା। ବର୍ଷା ହେଲେ ଏଠାରେ ଧାନ ବି ହେଉ ନଥିଲା। ଗତବର୍ଷ ସେଥିରୁ ଗୋଟିଏ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଥିଲି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଲାଭ ମିଳିଥିଲା। ବର୍ଷରେ ତିନି ଥର ଚାଷ କରୁଛି। ଏବେ ମୋର ୫ ନମ୍ବର ପର୍ଯ୍ୟାୟ ଚାଷ ଚାଲିଛି। ଭଲ ଲାଭ ମିଳୁଛି। ଯେତେବେଳେ ଗେଣ୍ଡୁ ଫୁଲ ଚାଷ ଆରମ୍ଭ କଲି, ସେତେବେଳେ ଲୋକେ ମୋ ଉପରେ ହସିଥିଲେ। ମୋତେ ଉପହାସ କରିଥିଲେ। ମୁଁ ପାଗଳ ହୋଇଯାଇଛି ବୋଲି କହିଥିଲେ। ଫୁଲ ଚାଷରୁ ମୁଁ କ’ଣ ପାଇବି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଘର ଲୋକେ ମଧ୍ୟ ବିରୋଧ କରିଥିଲେ। କିନ୍ତୁ ମୁଁ ଲାଭ ପାଇବି ବୋଲି ଦୃଢ଼ ବିଶ୍ୱାସ ରଖିଥିଲି। ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବେଶ୍ ପ୍ରୋତ୍ସାହନ ମିଳିଥିଲା। ଏ ବର୍ଷ ୨ ଏକର ଜମିରେ ଫୁଲ ଫୁଟିଛି। ପର୍ଯ୍ୟାୟ କ୍ରମେ ଚାଷ ଚାଲିଛି। ଏବେ ଆଉ ଅଧା ଏକର ଜମିରେ ଚାରା ଲଗାଯାଇଛି। ଯେଉଁମାନେ ପୂର୍ବରୁ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ, ଏବେ ମୋ ପାଖରେ ବର୍ଷ ସାରା କାମ କରୁଛନ୍ତି। ୧୦/୧୨ ଜର ଶ୍ରମିକ ମୋ ପାଖରେ କାମ କରୁଛନ୍ତି। ଜିଲ୍ଲା ଉଦ୍ୟାନ କୃଷି ବିଭାଗର ପରାମର୍ଶକ୍ରମେ ଏ ବର୍ଷଠାରୁ ଡାଳିମ୍ବ ଚାଷ ଆରମ୍ଭ କରିଛି। ଫୁଲ ବିକ୍ରିବଟାରେ କିଛି ଅସୁବିଧା ହେଉ ନାହିଁ। ପୂଜାର୍ଚ୍ଚନା, ବାହାଘର ଆଦିରେ ସାଜସଜ୍ଜା ପାଇଁ ଲୋକେ ତଥା ବେପାରୀ ମୋଠାରୁ ଫୁଲ କିଣି ନେଇଯାଉଛନ୍ତି। ଗତ ବର୍ଷ ନୂଆପଡ଼ା ପଲିଶ୍ରୀ ମେଳା ପାଇଁ ମୋ ପାଖରୁ ସବୁ ଫୁଲ ଯାଇଥିଲା। ନୂଆପଡ଼ାକୁ ଅଧିକ ଫୁଲ ବିକ୍ରି ହେବାକୁ ଯାଉଛି। ତା’ ସହିତ ପଦ୍ମପୁର ଓ ନୃସିଂହନାଥକୁ ଫୁଲ ଯାଉଛି। ମୋତେ କେଉଁଠାକୁ ଯିବାକୁ ପଡୁନି। ବେପାରୀ ମୋ ପାଖକୁ ଆସି ଫୁଲ କିଣି ନେଉଛନ୍ତି। ଏହି ଫୁଲ ବେପାରରୁ ମୁଁ ମୋ ପରିବାର ପୋଷୁଛି। ପୂର୍ବରୁ କଷ୍ଟରେ ଚଳୁଥିଲି। ଫୁଲ ଚାଷ କଲା ଦିନଠାରୁ ମୋ ଜୀବନରେ ବହୁତ ଉନ୍ନତି ଆସିଛି।

ଏ ବର୍ଷ ୨ ଏକର ଜମିରେ ଫୁଟିଛି ଗେଣ୍ଡୁ ଫୁଲ।

ସେହିପରି ନୂଆପଡ଼ା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ହାଁସଦା କହିଛନ୍ତି, ଦେବେନ୍ଦ୍ର ପ୍ରଧାନ ଜଣେ ଉତ୍ସାହୀ ଚାଷୀ। ଗତ ବର୍ଷ ପରୀକ୍ଷାମୂଳକ ଭାବେ ଗୋଟିଏ ଏକର ଜମିରେ ଫୁଲ ଚାଷ କରିବା ପାଇଁ ତାଙ୍କୁ ଚାରା ଦିଆଯାଇଥିଲା। ଗୋଟିଏ ଏକର ଜାଗାରେ ଫୁଲ ଚାଷ କଲା ପରେ ସେ ଜାଣିଲେ ଯେ ଏଥିରେ ବହୁତ ଲାଭ ମିଳିପାରିବ। ସେହି ହିସାବରେ ସେ ଏ ବର୍ଷ ୨ ଏକର ଜାଗାରେ ଫୁଲ ଚାଷ କରିଛନ୍ତି। ସେ ପାଖାପାଖି ସମସ୍ତ ମନ୍ଦିରକୁ ଫୁଲ ଯୋଗାଉଛନ୍ତି। ଆଖପାଖରେ ଯେତେ ବାହାଘର ହେଉଛି, ସେଠାକୁ ଫୁଲ ଯୋଗାଉଛନ୍ତି ଦେବେନ୍ଦ୍ର। ସେହିପରି ବିଭିନ୍ନ ପର୍ବପର୍ବାଣୀରେ ଆଖପାଖ ଅଞ୍ଚଳରେ ହେଉଥିବା ସବୁ କାର୍ଯ୍ୟକ୍ରମ ପାଇଁ ତାଙ୍କ ପାଖରୁ ଫୁଲ ଯାଉଛି। ଫୁଲ ଚାଷ ପାଇଁ ତାଙ୍କର ଆଗ୍ରହ ଦେଖି ଆମେ ବିଭାଗ ପକ୍ଷରୁ ତାଙ୍କୁ ଯାହା ସବୁ ସାହାଯ୍ୟ ଯୋଗାଇ ଦେବା କଥା ଦେଇଛୁ। ତାଙ୍କ ପାଇଁ ସବ୍‌ସିଡି ସୁବିଧା କରାଯାଇଛି। ଜଳ ସେଚନ ପାଇଁ ଡ୍ରିପ୍‌ସ ଓ ସ୍ପ୍ରିଙ୍କଲ ଆଦିର ବ୍ୟବସ୍ଥା କରାଯାଇଛି। ଆହୁରି ଅଧିକ ଜମିରେ ଫୁଲ ଚାଷ କରିବାକୁ ଆମେ ତାଙ୍କୁ ପରାମର୍ଶ ଦେଇଛୁ।

ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ପଡ଼ିଆ ପଡୁଥିବା ଜମିରେ ଆଜି ହସୁଛି ଗେଣ୍ଡୁ ଫୁଲ। ଆଉ ତା’ ସହିତ ହସୁଛନ୍ତି ଦେବେନ୍ଦ୍ର ଓ ତାଙ୍କ ପରିବାର। ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ନିଶ୍ଚୟ। 

(ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ)

Related story