Advertisment

ଗାଁ ମୁଣ୍ଡରେ ବୁଲୁଛନ୍ତି ମାଳ ମାଳ ହରିଣ, ଜଗିଛନ୍ତି ଲୋକେ

ହରିଣଙ୍କ ଆଗମନ ଦେଖି ଗାଁ ଲୋକେ ଧାନ ଅମଳ ପରେ ନିଜ ବିଲରେ ବିରି ଓ ମୁଗ ବୁଣି ଦେଇଛନ୍ତି। ଏଥିସହ ଶୋଷ ମେଣ୍ଟାଇବା ପାଇଁ ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଖୋଳି ଦେଇଛନ୍ତି। ଲୁଣ ଚଟାଣ ମଧ୍ୟ କରାଯାଇଛି।

ଅଦ୍ୟତନ ହୋଇଛି
Ganjam

Deer

Advertisment

ହରିଣମାନଙ୍କ ଗାଁ ଚିକିଲି। ରାତି ପାହିଲେ ହରିଣମାନେ ଦଳଦଳ ହୋଇ ଗାଁ ମୁଣ୍ଡକୁ ଚାରଣ ପାଇଁ ଚାଲି ଆସନ୍ତି। ଅତି ନିର୍ଭୟରେ ବୁଲନ୍ତି। ଦୌଡ଼ କୁଦ କରନ୍ତି। ଗାଁ ପୋଖରୀରେ ପାଣି ପିଇ ସନ୍ଧ୍ୟା ହେଲେ ଫେରି ଯାଆନ୍ତି। ଗାଁ ଲୋକେ ପାଳି କରି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି। ହରିଣଙ୍କ ପାଦେ ପାଦେ ଜଗି ଥାଆନ୍ତି ଗାଁ ଲୋକେ। ଏମିତି ଏକ ଭଲ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନାଞ୍ଚାଳରୁ।

Advertisment

ସବୁଜିମା ଚକିଢ଼ିମ୍ୱିରା ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ରହିଛି। ତଥାପି ଖାଇବା ଆଶାରେ ସକାଳେ, ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ବିଲ ମାଳକୁ ଡେଇଁ ଡେଇଁ ଚିକିଲି ଗାଁ ମୁଣ୍ଡକୁ ଧାଇଁ ଆସନ୍ତି ହରିଣ ପଲ। ହରିଣମାନେ ନିର୍ଭୟରେ ଗାଁ ମୁଣ୍ଡରେ ବୁଲନ୍ତି। ଦିନ ସାରା ବିଲରେ ଚାରଣ କରନ୍ତି। ସନ୍ଧ୍ୟା ବେଳେ ଲୁଣ ଚଟାଣରେ ଲୁଣ ଖାଇ ଜଙ୍ଗଲକୁ ଫେରିଯାଆନ୍ତି। ଅନେକ ସମୟରେ ହରିଣମାନେ ଗାଁ ମୁଣ୍ଡରେ ଥିବା ଚକାଠାକୁର ଉଦ୍ୟାନରେ ବୁଲାବୁଲି କରନ୍ତି। ତେଣୁ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକମାନେ ହରିଣଙ୍କୁ ଦେଖି ବିମୋହିତ ହେଉଛନ୍ତି।

ହରିଣଙ୍କ ଆଗମନ ଦେଖି ଗାଁ ଲୋକେ ଧାନ ଅମଳ ପରେ ନିଜ ବିଲରେ ବିରି ଓ ମୁଗ ବୁଣି ଦେଇଛନ୍ତି। ଏଥିସହ ଶୋଷ ମେଣ୍ଟାଇବା ପାଇଁ ଗାଁ ମୁଣ୍ଡରେ ଦୁଇଟି ପୋଖରୀ ଖୋଳି ଦେଇଛନ୍ତି। ଲୁଣ ଚଟାଣ ମଧ୍ୟ କରାଯାଇଛି। ଏଥିରେ ବନ ବିଭାଗ ସହଯୋଗ କରିଥିବା ଗାଁ ଲୋକେ କହିଛନ୍ତି।

Advertisment

ଚିକିଲି ଗାଁ ମୁଣ୍ଡରେ ପର୍ଯ୍ୟପ୍ତ ପରିମାଣର ଖାଦ୍ୟ ମିଳୁଥିବାରୁ ହରିଣମାନେ ନିର୍ଭୟରେ ଚାଲି ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଗାଁ ଲୋକେ ଆଗଭର ହୋଇଛନ୍ତି। ଶିକାରୀ ଓ ବୁଲା କୁକୁରଙ୍କ କବଳରୁ ବଞ୍ଚାଇବା ପାଇଁ ଗାଁ ଲୋକେ ହରିଣମାନଙ୍କୁ ପାଳି କରି ଜଗୁଛନ୍ତି। ହରିଣଙ୍କ ଆସିବା ସମୟ ହେଲେ ଜଗୁଆଳିଟିଏ ପରି ଗାଁ ଲୋକେ ଘରୁ ବାହାରି ଆସୁଛନ୍ତି। ଆଉ ହରିଣଙ୍କ ସୁରକ୍ଷାରେ ଲାଗି ପଡ଼ନ୍ତି। ଏଥିସହ ଗାଁ ମୁଣ୍ଡରେ ଗୋଟିଏ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ବନ ବିଭାଗ କର୍ମଚାରୀଙ୍କ ସହି ଗାଁ ଲୋକେ ପାଳି କରି ଜଗୁଛନ୍ତି।

Ganjamହରିଣମାନେ ଗାଁ ମୁଣ୍ଡକୁ ଚରିବାକୁ ଆସିଛନ୍ତି

ହରିଣଙ୍କ ଆଗମନ ନେଇ ଚିକିଲି ଗାଁର ଉତ୍ତମ ସ୍ୱାଇଁ କହିଛନ୍ତି, ଦୀର୍ଘ ବର୍ଷ ହେଲା ହରିଣମାନେ ଆମ ଗାଁକୁ ଆସୁଛନ୍ତି। ଶିକାରୀ ଓ କୁକୁରଙ୍କ କବଳରୁ ହରିଣଙ୍କୁ ସୁରକ୍ଷା ଦେବା ପାଇଁ ଆମେ ପାଳି କରି ଜଗୁଛୁ। ବନ ବିଭାଗ ପକ୍ଷରୁ ଗାଁରେ ଗୋଟିଏ ଟାୱାର କରାଯାଇଛି। ହରିଣଙ୍କ ପାଣି ପିଇବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ହରିଣମାନେ ଆସୁଥିବାରୁ ଦୂରଦୂରାନ୍ତରୁ ଲୋକମାନେ ଆମ ଗାଁକୁ ବୁଲିବା ପାଇଁ ଆସୁଛନ୍ତି। ଏହା ଦେଖି ଆମକୁ ଖୁସି ଲାଗୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସେହିପରି ଗାଁର ଭାସ୍କର ଗୌଡ କହିଛନ୍ତି, ୪ ବର୍ଷ ହେଲା ଗାଁ ଲୋକେ ହରିଣଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ବିଲରେ ବିରି, ମୁଗ ଓ ମାଣ୍ଡିଆ ବୁଣା ଯାଉଛି। ସେୟାକୁ ଖାଇବା ପାଇଁ ହରିଣମାନେ ଆସୁଛନ୍ତି। ନିର୍ଭୟରେ ହରିଣମାନେ ଗାଁ ମୁଣ୍ଡରେ ବୁଲି ଫେରି ଯାଉଛନ୍ତି ବୋଲି ଶ୍ରୀ ଗୌଡ଼ କହିଛନ୍ତି।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam Forest Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe