Advertisment

ଦୟନୀୟ ମେଡିକାଲ୍‌ କୋଠା; ସମୂହ ଛୁଟିରେ ଯିବା ପାଇଁ ଡାକ୍ତରଙ୍କ ଚିଠି

୨୦୦୪ ମସିହାରେ ତେଲକୋଇ ସଦର ମହକୁମାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଲୋକାର୍ପିତ ହୋଇଥିଲା। ସେତେବେଳେ ମେଡ଼ିକାଲ୍‌ରେ ୧୬ ବେଡ୍‌ ଥିଲା। ଏଥିସହ ଡାକ୍ତର ଓ ଷ୍ଟାଫ୍‌ଙ୍କ ପାଇଁ କ୍ୱାର୍ଟର୍ସ ତିଆରି କରିଥିଲେ ସରକାର। ଇତି ମଧ୍ୟରେ ୨୦ ବର୍ଷ ବିତି ଗଲାଣି।

author-image
Manoranjan Sial
Medical

Medical

୨୦ ବର୍ଷ ତଳେ ତିଆରି ହୋଇଥିବା ମେଡିକାଲ୍‌ କୋଠାର ଅବସ୍ଥା ଦୟନୀୟ। ମେଡ଼ିକାଲ୍‌ ୱାର୍ଡ, ଡାକ୍ତର ଓ କର୍ମଚାରୀଙ୍କ କ୍ୱାର୍ଟର୍ସ ଛାତ ଫାଟି ଆ’ କରିଛି। ବର୍ଷା ହେଲେ ସେଥିରୁ ଅନବରତ ଗଳୁଛି ପାଣି। ନା ମେଡ଼ିକାଲ୍ ୱାର୍ଡରେ କେହି ରହିପାରୁଛନ୍ତି ନା କ୍ୱାର୍ଟର୍ସରେ। ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇରେ। ସ୍ଥିତି ଅସମ୍ଭାଳ ହେବାରୁ ଗତ ଶୁକ୍ରବାର ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ।

Advertisment

୨୦୦୪ ମସିହାରେ ତେଲକୋଇ ସଦର ମହକୁମାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଲୋକାର୍ପିତ ହୋଇଥିଲା। ସେତେବେଳେ ମେଡ଼ିକାଲ୍‌ରେ ୧୬ ବେଡ୍‌ ଥିଲା। ଏଥିସହ ଡାକ୍ତର ଓ ଷ୍ଟାଫ୍‌ଙ୍କ ପାଇଁ କ୍ୱାର୍ଟର୍ସ ତିଆରି କରିଥିଲେ ସରକାର। ଇତି ମଧ୍ୟରେ ୨୦ ବର୍ଷ ବିତି ଗଲାଣି। ଏହାରି ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଛି। ତେଲକୋଇର କାୟାକଳ୍ପ ବୃଦ୍ଧି ପାଇଛି। ତା’ସହ ଜନ ସଂଖ୍ୟା ମଧ୍ୟ ବଢ଼ିଛି। ହେଲେ ଲୋକଙ୍କ ସେବା ପ୍ରତି ଧ୍ୟାନ ଦେଇନାହାନ୍ତି ସେତେବେଳର ସରକାର। ତେଣୁ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ମେଡ଼ିକାଲ୍‌। ଅତି ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ରୋଗୀ। ଡାକ୍ତରଙ୍କ କଥା ନକହିବା ଭଲ।

ରକ୍ଷଣାବେକ୍ଷଣା ଅଭାବରୁ ମେଡ଼ିକାଲ୍‌ କୋଠା ଫାଟି ଆ’ କରିଛି। ବର୍ଷା ହେଲେ ଛାତରୁ ଗଳୁଛି ଅନବରତ ପାଣି। ୱାର୍ଡରେ ଲାଗିଥିବା ଝରକା ସବୁ ନଷ୍ଟ ହୋଇଗଲାଣି। ଏବେ ଝରକା ପଡ଼ିଛି ଫାଙ୍କା। ମେଡ଼ିକାଲ୍‌ କାନ୍ଥରେ ଉଠିଛି ଗଛ। ଅନାବନା ଗଛରେ ପରିପୂର୍ଣ୍ଣ ମେଡ଼ିକାଲ୍‌ କ୍ୟାମ୍ପସ। ସେହି ଭଙ୍ଗା ଦଦରା ୱାର୍ଡରେ ରୋଗୀମାନେ ରହି ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ସେପଟେ ବର୍ଷା ଦିନରେ କାନ୍ଥକୁ ଅଜାଣତରେ କେହି ଛୁଇଁ ଦେଲେ କରେଣ୍ଟ ମାରିଲା ପରି ଲାଗୁଛି। କହିବାକୁ ଗଲେ ମେଡ଼ିକାଲ୍‌ରେ ପାଦେ ପାଦେ ବିପଦ ରହିଛି।

Advertisment
Medicalମେଡ଼ିକାଲ୍‌ କ୍ୱାର୍ଟର୍ସ

ଇଏତ ଗଲା ରୋଗୀଙ୍କ ୱାର୍ଡ ଓ ମେଡ଼ିକାଲ୍‌ କଥା। ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ତିଆରି ହୋଇଥିବା କ୍ୱାର୍ଟର୍ସ କଥା ନକହିବା ଭଲ। କ୍ୱାର୍ଟର୍ସ ଛାତରୁ ଗଳୁଛି ପାଣି। ସେଥିପାଇଁ ଷ୍ଟାଫ୍‌ମାନେ ଛାତରେ ପଲିଥିନ୍‌ ପକାଇଥିଲେ। ତେବେ ୭ ଦିନ ତଳେ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ମେଘ ଲାଗି ରହିଥିବାରୁ ବେହାଲ ହୋଇଥିଲେ ୱାର୍ଡରେ ଥିବା ରୋଗୀ, ଡାକ୍ତର ଓ କର୍ମଚାରୀ। କେତେକ ରୋଗୀ ଜୀବନ ବିକଳରେ ଅନ୍ୟ ମେଡିକାଲ୍‌କୁ ପଳାଇ ଯାଇଥିଲେ। ହେଲେ ଡାକ୍ତର ଓ କର୍ମଚାରୀମାନେ କରିବେ କଣ? ବାଧ୍ୟ ହୋଇ ସେହି ଭଙ୍ଗା ଦଦରା କ୍ୱାର୍ଟର୍ସ ରହିଥିଲେ।

ମେଡ଼ିକାଲ୍‌ର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ମେଡ଼ିକାଲ୍‌ ବିଲ୍‌ଡିଂ, ଡକ୍ଟର ଓ ଷ୍ଟାଫ୍‌ କ୍ୱାର୍ଟର୍ସ ବହୁ ପୁରୁଣା ହୋଇଗଲାଣି। ତେଣୁ ବର୍ଷା ହେଲେ ଛାତରୁ ଅହରହ ପାଣି ଗଳୁଛି। ଏତେ ପାଣି ଗଳୁଛି ଯେ କ୍ୱାର୍ଟର୍ସ ଓ ମେଡ଼ିକାଲ୍‌ ବେଡ୍‌ରେ କେହି ରହିପାରୁନାହାନ୍ତି। ଗତ କିଛି ଦିନ ହେଲା ପ୍ରବଳ ବର୍ଷା ହେବାରୁ ଡାକ୍ତରମାନେ ଏଠାରେ ରୋଗୀ ସେବା କରିବେ ନାହିଁ ବୋଲି କହିଥିଲେ। ତେଣୁ ବାଧ୍ୟ ହୋଇ ଚିଠି ଲେଖିଥିଲୁ ବୋଲି ଡାକ୍ତର ଆଚାର୍ଯ୍ୟ କହିଛନ୍ତି।

Medicalମେଡ଼ିକାଲ୍‌ର ଅବସ୍ଥା.....

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହେବାରୁ ଡାକ୍ତର ଓ କର୍ମଚାରୀମାନେ ନେଲେ ଚରମ ନିଷ୍ପତ୍ତି। ସମୂହ ଛୁଟିରେ ଯିବା ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏଥିସହ ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକଙ୍କ ପାଖକୁ ମଧ୍ୟ ଚିଠି ଲେଖିଥିଲେ। ରବିବାର ବିଧାନସଭା ଛୁଟି ଥିବାରୁ ଡକ୍ଟର ନାଏକ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ଡାକ୍ତର ଓ ମେଡ଼ିକାଲ୍‌ କର୍ମଚାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକ ଡାକ୍ତର ଫକିର ମୋହନ ନାଏକ କହିଛନ୍ତି, ବିଧାନସଭା ଚାଲିଥିବା ବେଳେ ମୁଁ ମେଡ଼ିକାଲ୍‌କୁ ଆସିଛି। ଡାକ୍ତର ଓ କର୍ମଚାରୀଙ୍କ କ୍ୱାର୍ଟର୍ସରେ ଛାତରୁ ପାଣି ଗଳୁଛି। ମେଡ଼ିକାଲ୍‌ରେ ଅବସ୍ଥା ଦୟନୀୟ ହୋଇ ରହିଛି। ଏ ସମ୍ପର୍କରେ ସିଡିଏମ୍‌ଓ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବି। ଦରକାର ପଡ଼ିଲେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବି। ମେଡ଼ିକାଲର ପୁନରୁଦ୍ଧାର ପାଇଁ ଉଦ୍ୟମ କରିବି ବୋଲି ଡାକ୍ତର ନାଏକ କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar Odisha Medical