ତାତିକି ଅଛନ୍ତି ଲୋକେ; ବିଧାୟକ ସ୍ୱରୂପ ଦାସ ଆସିଲେ ପାଣି କଥା ପଚାରିବେ...

ଦୀର୍ଘ ଦିନ ଧରି ଲୋକମାନେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ ରାଜନେତାଙ୍କ ଦେଖାନାହିଁ। ନିର୍ବାଚନ ପରଠାରୁ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ନାୟକ କେବେ ଗାଁକୁ ଆସିନାହାନ୍ତି। ଏଥର ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଗାଁ ଲୋକ।

ବାମରୁ ସ୍ୱରୂପ ଦାସ ଓ ନଳକୂପ ପାଖରେ ଦୁଇ ମହିଳା

  • Published: Saturday, 11 May 2024
  • , Updated: 11 May 2024, 04:08 PM IST

ତାତିକି ଅଛନ୍ତି ଗାଁ ଲୋକ। ଭୋଟ୍‌ ମାଗିବାକୁ ବିଧାୟକ ସ୍ୱରୂପ ଦାସ ଆସିଲେ ଗାଁରେ ଥିବା ପାନୀୟ ଜଳ ସମସ୍ୟା କଥା ପଚାରିବୁ। ଖାଲି ସେତିକି ନୁହେଁ, ଉପନିର୍ବାଚନ ପରଠାରୁ କେଉଁଠି ଥିଲ ବୋଲି ମଧ୍ୟ ପଚାରିବୁ। ଆଗାମୀ ନିର୍ବାଚନରେ ତାଙ୍କୁ ଉଚିତ ଜବାବ ଦେବୁ ବୋଲି କହିଛନ୍ତି। ପାନୀୟ ଜଳ ମୁନ୍ଦାଏ ପାଇଁ ଛଟପଟ ହେଉଥିବା ବାଲେଶ୍ୱର ସଦର ବ୍ଲକ୍‌ ମିରିଗିଗୁଣ୍ଡି ଗାଁ ଲୋକମାନେ ଆଜି ଏପରି କହିଛନ୍ତି। ଯାହାକୁ ନେଇ ହଇଚଇ ଆରମ୍ଭ ହୋଇଛି।

ବାଲେଶ୍ଵର ସଦର ମହକୁମାଠାରୁ କିଛି କିଲୋମିଟର ଗଲେ ପଡ଼ିବ ମିରିଗିମୁଣ୍ଡି ଗାଁ। ଏଠାରେ ଲୋକ ସଂଖ୍ୟା ୨୦୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟ ଚାଷବାସ ଓ ଦିନ ମଜୁରୀ କରି ପରିବାର ଭରଣ ପୋଷଣ କରନ୍ତି। ଗାଁର ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଗୋଟିଏ ନଳକୂପ ରହିଛି। ସେଥିରୁ ପୁଣି ଅଳ୍ପ ଅଳ୍ପ ପାଣି ବାହାରୁଛି। ଗ୍ରୀଷ୍ମ ଋତୁରେ ଅବସ୍ଥା ବେହାଲ। ତେଣୁ ଗାଁ ଲୋକେ ପାଣି ପାଇଁ ପୋଖରୀ ବା ଗାଡ଼ିଆ ଉପରେ ନିର୍ଭର କରୁଛନ୍ତି। ଗୋଳିଆ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାମ କରୁଛନ୍ତି। ଲୋକମାନେ ଗାଡ଼ିଆ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନେକ ସମୟରେ ଝାଡ଼ା ବାନ୍ତି ଭଳି ରୋଗରେ ପଡ଼ୁଥିବା ଗାଁ ଲୋକେ କହିଛନ୍ତି।

ଦୀର୍ଘ ବର୍ଷ ଧରି ଗାଁରେ ଏମିତି ପାନୀୟ ଜଳ ସମସ୍ୟା ରହିଛି। ଗାଁ ଲୋକେ ଏନେଇ ବହୁବାର ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। କେତେ ଗୁହାରୀ ପରେ ଗାଁରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଆଜକୁ ୩ ବର୍ଷ ତଳେ ୫ କୋଟି ୮୭ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଥିଲା। ଘରକୁ ଘର ପାଇପ ବିଛାଯାଇଥିଲା। ଛକ ଛକରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ପାଣି ପହଞ୍ଚି ପାରିଲା ନାହିଁ। ଯେଉଁଥିପାଇଁ ଗାଁ ଲୋକେ ଡହଳ ବିକଳ ହେଉଛନ୍ତି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଦୀର୍ଘ ଦିନ ଧରି ଲୋକମାନେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ ରାଜନେତାଙ୍କ ଦେଖାନାହିଁ। ନିର୍ବାଚନ ପରଠାରୁ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ନାୟକ କେବେ ଗାଁକୁ ଆସିନାହାନ୍ତି। ଏଥର ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଗାଁ ଲୋକ। ଯାହାକୁ ନେଇ ଶାସକ ବିଜେଡି ଅଡୁଆରେ ପଡ଼ିଛି। ସେପଟେ ଦେଖିବାକୁ ଗଲେ ସେହି ଗାଁରେ ଭୋଟର ସଂଖ୍ୟା ୧୬୦୦ ରହିଛି।

ଗାଁର ବାସନ୍ତୀ ବେହେରା କହିଛନ୍ତି, ଆମ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ସେଥିରେ ପାନୀୟ ଜଳ ଆସୁନି। ତେଣୁ ଆମେ ପୋଖରୀ ଓ ଗାଡ଼ିଆ ପାଣି ବ୍ୟବହାର କରୁଛୁ। ଏପରିକି ପିଉଛୁ। ଯାହା ଫଳରେ ଅନେକ ସମୟରେ ଗାଁ ଲୋକ ଝାଡ଼ାବାନ୍ତି ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏନେଇ ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଛୁ। ହେଲେ ଆମ କଥା କେହି ଶୁଣୁନଥିବା ବାସନ୍ତୀ କହିଛନ୍ତି।

ଗାଁର ତାରାମଣି ପରିଡ଼ା କହିଛନ୍ତି, ଆମ ଗାଁରେ ପାନୀୟ ସମସ୍ୟା ରହିଛି। ଆମେ ଗାଡ଼ିଆ ପାଣି ପିଉଛୁ। ଆଉ କ’ଣ କରିବୁ? ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବଡ଼ବଡ଼ ଅଧିକାରୀଙ୍କ ପାଖରେ ଗୁହାରୀ କରିଛୁ। ହେଲେ ଆମ କଥା କେହି ଶୁଣୁନାହାନ୍ତି। ଏଥର ବିଧାୟକ ଭୋଟ୍‌ ମାଗିବାକୁ ଆସିଲେ ତା’ ସହିତ ମୋର କଥାବାର୍ତ୍ତା। ଏଥର ତାଙ୍କୁ ଭୋଟ୍‌ ଦେବୁନି ବୋଲି ତାରାମଣି କହିଛନ୍ତି।

ଗାଁର କାଳୀଚରଣ ପ୍ରଧାନ କହିଛନ୍ତି, କୁହାଯାଉଛି ନବୀନ ବାବୁ ହେଉଛନ୍ତି ବିଶ୍ୱର ଏକ ନମ୍ୱର ମୁଖ୍ୟମନ୍ତ୍ରୀ। ହେଲେ ଆମ ଗାଁରେ ପାଣି ନାହିଁ। ଉପନିର୍ବାଚନରେ ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ନାନା ପ୍ରତିଶ୍ରୁତି ଦେଇଥିଲେ। ସେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କୁ ଆମେ ଦେଖିବାକୁ ପାଉନାହୁଁ। ଏଥର ଭୋଟ୍‌ ମାଗିବାକୁ ଆସିଲେ ଭାବିଚିନ୍ତି ରଖିଛୁ, ଭଲ ଭାବେ ଉତ୍ତରଦେବୁ। ସେମାନଙ୍କୁ ବିଦା କରିବୁ ବୋଲି କାଳୀଚରଣ କହିଛନ୍ତି।

ଗାଁ ଲୋକଙ୍କ ଭିଯୋଗ ନେଇ ସଦର ବିଧାୟକ ସ୍ୱରୂପ ଦାସ କହିଛନ୍ତି, ଖରା ଦିନ ପାଇଁ ଜଳ ସମସ୍ୟା ସବୁଠି ଦେଖା ଦେଇଛି। ସେ ସମସ୍ୟାର ସମାଧାନ ପାଇଁ ଧିରେ ଧିରେ ପଦକ୍ଷେପ ନିଆଯାଉଛି। ହେଲେ କେବେ ସୁଦ୍ଧା ଗାଁର ପାନୀୟ ଜଳ ସମସ୍ୟା ସମାଧାନ ହେବ, ସେନେଇ ବିଧାୟକ କିଛି ସ୍ପଷ୍ଟ ଉତ୍ତର ରଖିଲେ ନାହିଁ।

ରିପୋର୍ଟ- ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା

Related story