Advertisment

କଥା ଦେଇ କଥା ରଖିଲେନି ପୂର୍ବତନ ମନ୍ତ୍ରୀ ଓ ଜିଲ୍ଲାପାଳ; ବଦଳିନି ପଦୁଗୁଡ଼ାର ଚିତ୍ର

ଅଭିନୟର ପେଡ଼ି ଧରି ମଞ୍ଚକୁ ଆସିଥିଲେ କୁନି ଝିଅ ସୋନାଲି। କୋରାପୁଟର ଦେଶୀଆ ଭାଷାରେ ଅନର୍ଗଳ ଭାବେ କହି ଚାଲିଥିଲା ବଣ ପାହାଡ଼ ଘେରା ପଦୁଗୁଡ଼ାର ଦୁଃଖ ଓ ଯନ୍ତ୍ରଣା।

Village Road

Village Road

Advertisment

ବର୍ଷେ ତଳର କଥା। ସ୍ୱାଧୀନତା ଦିସବରେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା କୋରାପୁଟ ଜିଲ୍ଲାର ଏକ ପଛୁଆ ଗାଁ। ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କ ଆଗରେ ଅଭିନୟ ମାଧ୍ୟମରେ ଗାଁର ଦୁଃଖ, ଯନ୍ତ୍ରଣା ଓ ବେଦନାକୁ ବର୍ଣ୍ଣନା କରିଥିଲେ କୁନି ଝିଅ ସୋନାଲି ଦାସ। ଆଉ ତା’ପରେ ଚର୍ଚ୍ଚାକୁ ଆସିଥିଲା ପଦୁଗୁଡ଼ା ଗାଁ। ଏହାପରେ ସରକାରୀ କଳ ଫୁଲ୍ ଯୋଶରେ ଗାଁର ଚିତ୍ର ସୁଧାରିବାକୁ ଅଣ୍ଟା ଭିଡ଼ିଥିଲା। ହେଲେ ବିଡ଼ମ୍ବନାର ବିଷୟ ଇତି ମଧ୍ୟରେ ବର୍ଷେ ବିତି ଗଲାଣି। ହେଲେ ପଦୁଗୁଡ଼ାରେ ପାଦେ ମଧ୍ୟ ଆଗେଇ ପାରିଲାନି ବିକାଶ ରଥ।

Advertisment

ଦଶମନ୍ତପୁର ବ୍ଲକ୍‌ଠାରୁ ଗଲେ ପଡ଼ିବ ଲୁଲ୍ଲା ପଞ୍ଚାୟତ। ଏଠାରୁ ଦୁଇଟି ପାହାଡ ଅତିକ୍ରମ କରି ୩ କିମି ଚାଲିଗଲା ଗଲେ ପଡ଼ିବ ପଦୁଗୁଡ଼ା। ମୁରାନ ନଦୀ କୂଳରେ ରହିଛି ଏହି ଗାଁଟି। ବିଭିନ୍ନ ସମ୍ପ୍ରଦାୟର ୯୦ ପରିବାରର ୩୦୦ରୁ ୪୦୦ ଲୋକ କେଉଁ କାଳରୁ ବସବାସ କରୁଛନ୍ତି। କାମଦାମ କରି ପରିବାର ଭରଣ ପୋଷଣ କରନ୍ତି ଗାଁ ଲୋକ। ହେଲେ ଦୁଃଖ ଓ ପରିତାପର ବିଷୟ ଗାଁକୁ ଯିବା ପାଇଁ ଖଣ୍ଡିଏ ରାସ୍ତା ନାହିଁ। ପ୍ରତିଦିନ ଗାଁ ଲୋକେ ଜଙ୍ଗଲି ଆବୁଡା ଖାବୁଡା ରାସ୍ତା ଦେଇ ପଞ୍ଚାୟତ ସଦର ମହକୁମା ଲୁଲ୍ଲାକୁ ଆସୁଛନ୍ତି। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକମାନେ ଜୀବନକୁ ବାଜି ଲଗାଇ ସେହି ଜଙ୍ଗଲୀ ରାସ୍ତାରେ ଯିବା ଆସିବା କରୁଛନ୍ତି।

ଶିକ୍ଷାର ଆଲୁଅ ଜଳାଇବା ପାଇ ପଦୁଗୁଡ଼ା ଗାଁରେ ଗୋଟିଏ ସ୍କୁଲ ହୋଇଛି। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ପିଲାଙ୍କ ପାଠ ପଢ଼ା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଯେଉଁ ଶ୍ରେଣୀ ଗୃହ ରହିଛି, ତାହାର ଅବସ୍ଥା ନକହିବା ଭଲ। ଛାତରୁ ପାଣି ଗଳୁଛି। ବର୍ଷା ହେଲେ ଅନେକ ସମୟରେ ସ୍କୁଲ ଛୁଟି କରିଦେଉଛନ୍ତି ସାର୍‌। ସବୁଠାରୁ ମଜାଦାର କଥା ହେଉଛି ଯେଉଁ ସ୍କୁଲରେ ପିଲାଙ୍କ ପାଇଁ ଶ୍ରେଣୀ ଗୃହ ନାହିଁ, ସେଠାରେ ପୁଣି ଚାଲୁଛି ଅଙ୍ଗନବାଡ଼ି। ଅଙ୍ଗନବାଡ଼ି ପାଇଁ ନିଜସ୍ୱ ଘର ନଥିବାରୁ ସ୍କୁଲରେ ଗୋଟିଏ ଭଙ୍ଗା ଘରେ ଚାଲିଛି।

Advertisment

ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲା ନାହିଁ ବିଜୁଳି। ତେଣୁ ଗାଁ ଲୋକେ ଡିବିର ଆଲୁଅ ଉପରେ ନିର୍ଭର କରୁଛନ୍ତି। ପାନୀୟ ଜଳ କଥା ନକହିବା ଭଲ। ଗାଁ ଲୋକେ ନଦୀ ପାଣି ବ୍ୟବହାର କରୁଛନ୍ତି। ସେହି ପାଣି ପିଉଛନ୍ତି ଓ ଗାଧୋଇବା କାମରେ ବ୍ୟବହାର କରୁଛନ୍ତି। ଏମିତି ନାନା ସମସ୍ୟା ଦେଇ ଗତି କରୁଛି ପଦୁଗୁଡ଼ା ଗାଁ। ବଣ ପାହାଡ଼ ଘେରା ଆଜିର ଦିନରେ ଅର୍ଥାତ ୨୦୨୩ ମସିହା ଅଗଷ୍ଟ ୧୫ ତାରିଖ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା। ଦଶମନ୍ତପୁରରେ ଏକ ପ୍ରାଇଭେଟ୍‌ ସ୍କୁଲରେ ପଢ଼ୁଥିବା କୁନି ଝିଅ ସୋନାଲି ଦାସ ପଦୁଗୁଡ଼ା ଗାଁକୁ ଲୋକଲୋଚନକୁ ଆଣିଥିଲେ।

୨୦୨୩ ମସିହାରେ କୋରାପୁଟ୍‌ରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସେତେବେଳର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପାରେଡ୍‌ ରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମ। ମଞ୍ଚଳରେ ବସିଥିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେତେବେଳର ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଓ ମହମ୍ମଦ ଅବ୍ଦଲ ଅଖତର। ଆଉ ଅଭିନୟର ପେଡ଼ି ଧରି ମଞ୍ଚକୁ ଆସିଥିଲେ କୁନି ଝିଅ ସୋନାଲି। କୋରାପୁଟର ଦେଶୀଆ ଭାଷାରେ ଅନର୍ଗଳ ଭାବେ କହି ଚାଲିଥିଲା ବଣ ପାହାଡ଼ ଘେରା ପଦୁଗୁଡ଼ାର ଦୁଃଖ ଓ ଯନ୍ତ୍ରଣା।

କୁନି ଝିଅ ସୋନାଲି କହିଥିଲେ, ବାବୁ ଆମ ଗାଁକୁ ରାସ୍ତା ନାହିଁ। ପିଇବା ପାଣି ନାହିଁ। ନଳକୂପ ନାହିଁ। ଆମେ ବହୁ କଷ୍ଟରେ ଅଛୁ ବାବୁ। ଏମିତି କେତେ କ’ଣ କଥା କହିଥିଲା କୁନି ଝିଅ ସୋନାଲି। ଆଉ ମଞ୍ଚରେ ବସିଥିବା ଅତିଥିମାନେ ସୋନାଲିଙ୍କ ସଂଳାପ ଶୁଣି ହସିଥିଲେ ଓ ତାଳି ମାରିଥିଲେ। ସେତେବେଳେ ଅର୍ଥାତ ୨୦୨୩ ମସିହାରେ ସୋନାଲିଙ୍କ ସେହି ଭିଡିଓଟି ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଆଉ ତା’ପରେ ପଦୁଗୁଡ଼ା ଗାଁ ସାମ୍ନାକୁ ଆସିଲା। ଲୋକମାନେ ପଦୁଗୁଡ଼ା ଗାଁକୁ ଖୋଜିଥିଲେ। ଆଉ ଜାଣିବାକୁ ଚାହିଁଥିଲେ ପଦୁଗୁଡ଼ା ଗାଁର ଚିତ୍ର କେମିତି ଅଛି?

ସେତେବେଳେ ଓଡ଼ିଶା ରିପୋର୍ଟର ଟିମ୍‌ ପଦୁଗୁଡ଼ା ଗାଁକୁ ଯାଇଥିଲା। ଗାଁ ଦୁଃଖ ଓ ଯନ୍ତ୍ରଣାକୁ ଆଖି ଆଗରେ ଦେଖି ଶବ୍ଦକୁ ଖଞ୍ଜି ଆପଣଙ୍କ ପାଖରେ ପହଞ୍ଚାଇ ଥିଲା। ଆଉ ତା’ପରେ ଏହି ଖବର ମନ୍ତ୍ରୀ ଓ ଜିଲ୍ଲାପ୍ରଶାସନ ପାଖରେ ପହଞ୍ଚିଥିଲେ। ପରେ ତତ୍‌କାଳୀନ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ଗାଁରେ ପହଞ୍ଚିଥିଲା। ଗାଁ ଲୋକଙ୍କ ସହିତ କଥା ହୋଇଥିଲା। ଦୁଇ ମାସ ଭିତରେ ଉକ୍ତ ଗାଁକୁ ଏକ ଆଦର୍ଶ ଗାଁ ରୂପେ ଗଢ଼ି ତୋଳିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ। ପରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ମଧ୍ୟ ଉକ୍ତ ଗାଁକୁ ପୋଷ୍ୟ ଗ୍ରମ୍ୟ ଭାବେ ଗ୍ରହଣ କରିଥିଲେ। ଲୋକମାନେ ଭାବିଥିଲେ ଗାଁର ଦୁଃଖ ଦୂର ହୋଇଗଲା।

ଆଜି ସେହିଦିନ ଅର୍ଥାତ ଅଗଷ୍ଟ ୧୫ ତାରିଖ। ଇତି ମଧ୍ୟରେ ବର୍ଷେ ବିତି ଗଲାଣି। ବଦଳିଛି ରାଜ୍ୟର ମନ୍ତ୍ରିମଣ୍ଡଳ। ବଦଳିଛନ୍ତି ଜିଲ୍ଲାପାଳ। ଆଉ ନିର୍ବାଚିତ ହୋଇଛନ୍ତି ନୂଆ ବିଧାୟକ। ହେଲେ ବଦଳିଲାନି ପଦୁଗୁଡ଼ା ଗାଁର ଚିତ୍ର। ଆଗରୁ ଗାଁ ଲୋକେ ଯେମିତି ଦୁଇଟି ପାହାଡ ଚଢ଼ି ଅତି ଦୟନୀୟ ଭାବେ ଯାତ୍ରା କରୁଥିଲେ, ଆଜି ମଧ୍ୟ ସେମିତି ଯାଉଛନ୍ତି। ବର୍ଷେ ଭିତରେ ନା ଗାଁକୁ ଆସିଛି ବିଜୁଳି ନା ମରାମତି ହୋଇଛି ସ୍କୁଲ ଶ୍ରେଣୀ ଗୃହ। ପାନୀୟ ଜଳ ପାଇଁ କେବଳ ପାଇପ୍‌ ଟଙ୍କା ହଡପ୍‌ କରି ଚାଲିଗଲେ ଠିକାଦର। ଗାଁ ଲୋକମାନେ ଯେମିତି ନଦୀ ପାଣି ପିଉଥିଲେ, ଆଜି ମଧ୍ୟ ସେମିତି ନଦୀର ପାଣି ପିଉଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କେବେ ସୁଧୁରିବ ପଦୁଗୁଡ଼ା ଗାଁର ଚିତ୍ର? ଏହାର ଉତ୍ତର ଖୋଜିବାକୁ ଯାଇ ଦଶମନ୍ତପୁର ବିଡ଼ିଓ ମିଲନ କୁମାର ଝାଙ୍କରଙ୍କ ପାଖରେ ପହଞ୍ଚିଥିଲୁ। ସେ କହିଛନ୍ତି, ଆଉ ଅଳ୍ପ କିଛି ଦିନ ଭିତରେ ସବୁ କାମ ଆରମ୍ଭ ହେବ। ସତକରେ କ’ଣ ପଦୁଗୁଡ଼ା ଗାଁର ବିକାଶର ଚିତ୍ର ଦେଖିବ ନା ଆଉ ଗୋଟିଏ ସ୍ୱାଧୀନତା ଦିବସକୁ ଅପେକ୍ଷା କରିବା ପାଇଁ ପଡ଼ିବ, ତାହା ଭବିଷ୍ୟତ କହିବ???

ରିପୋର୍ଟ- ଲକ୍ଷ୍ମୀପୁରରୁ ଗିରିଧର ଖରା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe