Advertisment

କଳାହାଣ୍ଡିରେ ଫଳିଛି ସବୁଜ ସେଓ

କାଳେଶ୍ୱରଙ୍କ ବଗିଚାରେ ୧୫୦ରୁ ଅଧିକ ଗଛରେ ଫଳିଛି ସବୁଜ ସେଓ। ଗତ ଅଢ଼େଇ ବର୍ଷ ତଳେ କରୋନା ଲକଡାଉନ ସମୟରେ ୟୁଟ୍ୟୁବ ଏବଂ ଇଣ୍ଟରନେଟ ମାଧ୍ୟମରେ ସେଓ ଚାଷ ସଂପର୍କରେ ତଥ୍ୟ ସଂଗ୍ରହ କରି ସେ କାମ ଆରମ୍ଭ କରିଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି
Farmer Grows Kashmir Apple On Odisha Soil

Farmer Grows Kashmir Apple On Odisha Soil

ଓଡ଼ିଶା ଜଳବାୟୁରେ ସବୁଜ ସେଓ ଚାଷ। ବିଶ୍ୱାସ ହେଉନଥିଲେ ବି ସତ। କାରଣ ଓଡ଼ିଶା ଭଳି ଗରମ ଜଳବାୟୁରେ ସେଓ ଫଳିବା ସମ୍ଭବ ନୁହେଁ। ମାତ୍ର ଅତ୍ୟଧିକ ଥଣ୍ଡା ଜଳବାୟୁରେ ଫଳୁଥିବା ସେଓକୁ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ କଦଳୀମୁଣ୍ଡା ଗ୍ରାମର ଯୁବ ଚାଷୀ କାଳେଶ୍ୱର କାଣ୍ଡ। ସେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। 

Advertisment

କାଳେଶ୍ୱରଙ୍କ ବଗିଚାରେ ୧୫୦ରୁ ଅଧିକ ଗଛରେ ଫଳିଛି ଗ୍ରୀନ୍ ସେଓ। ଗତ ଅଢ଼େଇ ବର୍ଷ ତଳେ କରୋନା ଲକଡାଉନ ସମୟରେ ୟୁଟ୍ୟୁବ ଏବଂ ଇଣ୍ଟରନେଟ ମାଧ୍ୟମରେ ସେଓ ଚାଷ ସଂପର୍କରେ ତଥ୍ୟ ସଂଗ୍ରହ କରି ସେ କାମ ଆରମ୍ଭ କରିଥିଲେ। ସେଓ ଚାଷ କିପରି ଅଧିକ ତାପମାତ୍ରା ଜଳବାୟୁରେ ହୋଇ ପାରିବ ଭାବି ସେ କୃଷି ଗବେଷଣା ସଂସ୍ଥାମାନଙ୍କ ସହ ଯୋଗାଯୋଗ ଆରମ୍ଭ କଲେ। ଏହାପରେ ସେ ହିମାଚଳ ପ୍ରଦେଶରୁ ୧୫୦ଟି ସେଓ ଚାରା ମଗାଇ ନିଜର ୭୦ ଡେସମିଲ ଜାଗାରେ ଚାରା ରୋପଣ କରିଥିଲେ। ସେଓ ଚାଷ ପାଇଁ ଧର୍ମଗଡ଼ ଉଦ୍ୟାନ ବିଭାଗ ମଧ୍ୟ କାଳେଶ୍ୱରଙ୍କୁ ସହଯୋଗ କରିଥିଲେ। ଏବେ ତାଙ୍କ ବଗିଚାରେ ଫଳୁଥିବା ସେଓ ଭାରି ସୁଆଦିଆ। ତାଙ୍କ ବଗିଚାରେ ଫଳିଥିବା ସେଓ ଦେଖିବାକୁ ଲୋକମାନଙ୍କ ଭିଡ଼ ଲାଗିରହିଛି।  

ଏହି କାର୍ଯ୍ୟରେ ପତ୍ନୀ ସାବିତ୍ରୀ କାଣ୍ଡଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢ଼ାଇଛି। ପୂର୍ବରୁ ପିଜୁଳି ଚାଷ ପାଇଁ କଦଳୀମୁଣ୍ଡା ଗାଁ ପ୍ରସିଦ୍ଧ ରହିଥିବା ବେଳେ ଏବେ ସଫଳତାର ସହ ସେଓ ଚାଷ କରି ଅନ୍ୟ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି। ଆଗକୁ ଏଠାରେ ସେଓ ଚାରା ପ୍ରସ୍ତୁତି ପାଇଁ ମଧ୍ୟ ଯୋଜନା ଆରମ୍ଭ କରିଛନ୍ତି କାଳେଶ୍ୱର। ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା। 

Advertisment

ସରକାରୀ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗକୁ ଆହୁରି ଭଲ ଚାଷ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କାଳେଶ୍ୱର କହିଛନ୍ତି।

Odisha Farmer Kalahandi