Advertisment

ବାପାଙ୍କୁ କ୍ୟାନ୍‌ସର, ଝିଅକୁ ଥାଲାସେମିଆ; କେମିତି ଚଳିବ ଘର?

ବିଜୁ ସ୍ୱାସ୍ଥ୍ୟ କାର୍ଡରେ କଟକରେ ଏକ ଘରୋଇ ମେଡ଼ିକାଲ୍‌ରେ ବଳରାମଙ୍କ ମୁଖଗହ୍ୱର କ୍ୟାନସର ଅପରେସନ୍‌ ହୋଇଥିଲା। ଅପରେସନ୍‌ ପରେ ସେ ନିୟମିତ କେମୋ ନେଇଥିଲେ। ଧୀରେ ଧୀରେ ସୁସ୍ଥ ହେଉଥିଲେ ବଳରାମ।

author-image
Manoranjan Sial
Keonjhar

Keonjhar

କ୍ୟାନସରରେ ପୀଡ଼ିତ ବାପା। ଆଉ ଝିଅ ଥାନାସେମିଆ ପରି ଦୋରା ରୋଗରେ ପୀଡ଼ିତ। ଏପରି ସ୍ଥିତି କେମିତି ଚଳିବ ପୂରା ପରିବାର? ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି କୁଇନ ନାଥ। ସ୍ୱାମୀ ବଳରାମ ଓ ଝିଅର ଜୀବନ ଭିକ୍ଷା କରିଛନ୍ତି। ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି। ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ଘଷିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଗାଆଁର ବଳରାମ ନାଥ। ଚେନ୍ନାଇରେ କାମ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ବଳରାମଙ୍କ ତେଲ ଓ ଲୁଣର ସଂସାର। ପରିବାର କହିଲେ ପତ୍ନୀ କୁଇନ ନାଥ ଓ ଦୁଇ ପୁଅଝିଅ। ପିଲାଙ୍କ ଭିତରେ ସବା ବଡ଼ ହେଉଛି ଝିଅ। ନାଁ ତା’ର ଲିମା। ଜନ୍ମରୁ ଥାଲାସେମିଆ ରୋଗରେ ପୀଡ଼ିତ। ପ୍ରତିମାସ ଦରକାର ହେଉଛି ରକ୍ତ।

ଅଭାବ ଅନଟନ ଭିତରେ ଜୀବନ ଜିଉଁଥିବା କୁଇନ ନାଥଙ୍କ ଝିଅ ଲିମାକୁ ପ୍ରତି ମାସ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ନେଉଥିଲେ। କେତେ କାହାକୁ କୁକୁତି ମିନତି ହୋଇ ଝିଅ ପାଇଁ ରକ୍ତ ଯୋଗାଡ଼ କରୁଥିଲେ। ଝିଅକୁ ନେଇ କୁଇନ ନାଥ ଚିନ୍ତିତ ଥିବା ସ୍ୱାମୀ ବଳରାମ ଦେଢ଼ବର୍ଷ ତଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ତେଣୁ ସେ ଚେନ୍ନାଇରୁ ଗାଁକୁ ପଳାଇ ଆସିଥିଲେ। ମେଡ଼ିକାଲ୍‌ ଯିବାରୁ ମୁଖଗହ୍ୱର କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିବା ବଳରାମ ଜାଣିବାକୁ ପାଇଥିଲେ। ଏକଥା ଶୁଣିବା ପରେ ବଳରାମଙ୍କ ପାଦ ଦଳୁ ମାଟି ଖସି ଯାଇଥିଲା।

Advertisment

ଗୋଟିଏ ପାର୍ଶ୍ୱରେ ଝିଅ ଥାଲାସେମିଆ ପରି ଦୋରା ରୋଗରେ ପୀଡ଼ିତ ହୋଇଥିବା ବେଳେ ନିଜେ କ୍ୟାନ୍‌ସରରେ ଆକ୍ରାନ୍ତ ହେବା ଘଟଣା ବଳରାମଙ୍କ ଚିନ୍ତା ବଢ଼ାଇ ଦେଇଥିଲା। କ’ଣ କରିବେ? କେମିତି ଜୀବନ ଜିଇଁବେ? ଝିଅ ଓ ନିଜେ କେମିତି ଚିକିତ୍ସା ହେବେ? ଏହାକୁ ନେଇ ଚିନ୍ତିତ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଜୁ ସ୍ୱାସ୍ଥ୍ୟ କାର୍ଡ ତାଙ୍କୁ ବଞ୍ଚିବାର ରାହା ଦେଖାଇଥିଲା।

ବିଜୁ ସ୍ୱାସ୍ଥ୍ୟ କାର୍ଡରେ କଟକରେ ଏକ ଘରୋଇ ମେଡ଼ିକାଲ୍‌ରେ ବଳରାମଙ୍କ ମୁଖଗହ୍ୱର କ୍ୟାନସର ଅପରେସନ୍‌ ହୋଇଥିଲା। ଅପରେସନ୍‌ ପରେ ସେ ନିୟମିତ କେମୋ ନେଇଥିଲେ। ଧୀରେ ଧୀରେ ସୁସ୍ଥ ହେଉଥିଲେ ବଳରାମ। ହେଲେ କାମ ଦାମ କରିବାକୁ ଯାଇପାରିଲେ ନାହିଁ। ତାହାହେଲେ ଚଳିବେ କେମିତି? ପୁଅ ଓ ରୋଗୀଣା ଝିଅକୁ ପାଠ କେମିତି ପଢ଼ାଇବେ? ସେହି ଚିନ୍ତାରେ ପଡ଼ିଗଲେ ବଳରାମ ଓ ପତ୍ନୀ କୁଇନ ନାଥ। ପରିବାର ଚଳାଇବା ପାଇଁ ବଳରାମ ନିଜ ଘରେ ଗୋଟିଏ ତେଜରାତି ଦୋକାନ କଲେ। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଚଳୁଥିଲା ଦୁଃଖ କଷ୍ଟର ସାଂସାର।

ହେଲେ ଗତ କିଛି ଦିନ ହେଲା ପୁଣି ଥରେ ବଳରାମ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ମୁହଁର ଆକୃତି ବଢ଼ି ଯାଇଥିଲା। ତେଣୁ ସେ ପୁଣି ଥରେ ମେଡ଼ିକାଲ୍‌ ଚେକ୍‌ଅପ୍‌ କରିଥିଲେ। ଚେକ୍‌ଅପ୍‌ ପରେ ତାଙ୍କ ମୁଖରେ ଅନ୍ୟ ଏକ ସ୍ଥାନରେ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ସେଥିପାଇଁ ଅପରେସନ୍‌ର ଆବଶ୍ୟକତା ଥିଲା। ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ନଥିବାରୁ ଅପରେସନ୍‌ କରିପାରୁ ନାହାନ୍ତି ବଳରାମ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ମାରାତ୍ମକ ମୁଖଗହ୍ୱର କ୍ୟାନସରରୁ କେମିତି ବଞ୍ଚିବେ? ଏଥିପାଇଁ ସହାୟତା ଯୋଗାଇ ଦେବାକୁ ବଳାରାମ ଓ ତାଙ୍କ ପତ୍ନୀ ନିବେଦନ କିଛନ୍ତି।

ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ

Keonjhar