Advertisment

୩ଟି ଯୁଦ୍ଧ ଲଢ଼ିଥିଲେ ଓଡ଼ିଆ ପୁଅ; ୮୦ ବର୍ଷରେ ପୂରା ଫିଟ୍‌

ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ୧୯୯୯ ମସିହାରେ ହୋଇଥିଲା ୫୩ ବର୍ଷ। ସେତେବେଳେ ପାକିସ୍ତାନ ବିରୋଧରେ ଚାଲିଥିଲା କାର୍ଗିଲ ଯୁଦ୍ଧ। ସେହି ଯୁଦ୍ଧରେ ଭାରତୀୟ ବାୟୁସେନା ପକ୍ଷରୁ ମୁତୟନ ହୋଇଥିଲା ଯୁଦ୍ଧ ଜାହାଜ ଜାଗୁଆର୍‌।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

୩ଟି ଯୁଦ୍ଧରେ ଲଢ଼ିଥିଲେ ଓଡ଼ିଆ ପୁଅ। ସେ ୧୯୭୧ ମସିହା ବାଂଲାଦେଶ, ୧୯୬୫ ମସିହାର ପାକିସ୍ତାନ ଓ ୧୯୯୯ ମସିହାର କାର୍ଗିଲ୍‌ ଯୁଦ୍ଧ ଲଢ଼ିଥିଲେ। ଆଉ ଶତ୍ରୁପକ୍ଷଙ୍କୁ ଚକ୍‌ମା ଦେଇ ଉଡାଇଥିଲେ ବିଜୟ ବାନା। ଏବେ ତାଙ୍କୁ ହୋଇଛି ୮୦ ବର୍ଷ। ହେଲେ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ପ୍ରତିଦିନ ୮ କିମି ମର୍ଣ୍ଣିଂୱାକ୍‌ ଓ ବ୍ୟାୟାମ୍‌ କରୁଛନ୍ତି। କାର୍ଗିଲ୍‌ ବିଜୟ ଦିବସ ଅବସରରେ ସମ୍ମାନିତ କରିବା ପାଇଁ ତାଙ୍କ ପାଖକୁ ଆସିଛି ନିମନ୍ତ୍ରଣ।

Advertisment

ବାରିପଦା ନିବାସୀ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ ୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର। ସେ ଗ୍ୱଆଲିଅର ଏୟାର ବେସରେ କାର୍ଯ୍ୟ କରୁଥିଲେ।

ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ୧୯୯୯ ମସିହାରେ ହୋଇଥିଲା ୫୩ ବର୍ଷ। ସେତେବେଳେ ପାକିସ୍ତାନ ବିରୋଧରେ ଚାଲିଥିଲା କାର୍ଗିଲ ଯୁଦ୍ଧ। ସେହି ଯୁଦ୍ଧରେ ଭାରତୀୟ ବାୟୁସେନା ପକ୍ଷରୁ ମୁତୟନ ହୋଇଥିଲା ଯୁଦ୍ଧ ଜାହାଜ ଜାଗୁଆର୍‌। ହେଲେ ଯୁଦ୍ଧାସ୍ତ୍ର ଧରି ଟାଇଗର୍‌ ହିଲ୍‌ ଉପରକୁ ଉଠିବାରେ ଫେଲ୍‌ ମାରିଥିଲା ଜାଗୁଆର। ତେଣୁ ଭାରତ ସରକାର ମିଶନ୍‌ ‘ସଫେଦ ସାଗର’ କାର୍ଯ୍ୟକାରୀ କରିଥିଲେ। ପାକିସ୍ତାନୀ ସେନାକୁ ମାତ ଦେବା ପାଇଁ ମିଶନ୍‌ରେ ‘ମିରାଜ-୨୦୦୦’ ନିୟୋଜିତ କରାଯାଇଥିଲା।

Advertisment
Baripadaଏହି ଜେଟ୍‌ର ରାଡାର ଠିକ୍‌ କରିଥିଲେ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ

କାର୍ଗିଲ ଯୁଦ୍ଧରେ ମିରାଜ-୨୦୦୦କୁ ମୁତୟନ ନେଇ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ଖବର ଦିଆଯାଇଥିଲା। ଆଉ ତା’ପରେ ରାତି ଅଧରେ ସେ ସାଥୀମାନଙ୍କୁ ଧରି ଗ୍ୱଆଲିର ଏୟାର୍‌ ବେସ୍‌ରୁ ଅମ୍ବାଲା ଏୟାର ବେସକୁ ଯାଇଥିଲେ। ମିଶନ ‘ସଫେଦ ସାଗର’କୁ ସଫଳ କରିବା ପାଇଁ ଲାଗି ପଡ଼ିଥିଲେ। ସାମ୍ନାରେ ଥିଲା ବୃହତ କାରଗିଲ୍‌ ପାହାଡ଼। ଆଉ ଶତ୍ରୁ ପକ୍ଷ ପାକିସ୍ତାନୀ ସେନା। ଆରମ୍ଭ ହୋଇ ଯାଇଥିଲା ଘମାଘୋଟ୍‌ ଲଢ଼େଇ। ସୁଉଚ୍ଚ କାରଗିଲ୍‌ ପାହାଡ଼କୁ ଉଠି ଲଢେଇ କରିଥିଲା ମିରାଜ୍‌-୨୦୦୦ ଯୁଦ୍ଧ ଜାହାଜ। ପଚାଶ ଘଣ୍ଟାର ଅବିଶ୍ରାନ୍ତ ଲଢ଼େଇ ପରେ କାର୍ଗିଲ୍‌ ହିଲ୍‌ରେ ବିଜୟ ବାନା ଉଡାଇଥିଲା ଭାରତୀୟ ସେନା।

ଯୁଦ୍ଧ ସମୟରେ ପ୍ରମୁଖ ଭୂମିକା ନେଇଥିଲେ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ। କାର୍ଗିଲ୍‌ ହିଲ୍‌ରେ କେଉଁଠି ପାକିସ୍ତାନୀ ସେନା ଅଛନ୍ତି? କେତେ ଦୂରରେ ଶତ୍ରୁପକ୍ଷ ଜେଟ୍‌ ଆସୁଛି? ଏସବୁ ତଥ୍ୟକୁ ସଂଗ୍ରହ କରୁଥିଲୁ। ଗୋଇନ୍ଦା ବିଭାଗର ସେହି ସବୁ ତଥ୍ୟକୁ ଜେଟ୍‌ରେ ଫିଡ୍‌ କରୁଥିଲୁ। ଆଉ ତା’ପରେ ପାଇଲଟ୍‌ ଏୟାରକ୍ରାପ୍ଟ ନେଇ ଯାଉଥିଲେ। ଶତ୍ରୁପକ୍ଷଙ୍କୁ ମାତ ଦେଉଥିଲେ। ଏଥିସହ ମିରାଜ୍‌ ଜେଟ୍‌ରେ ମିଶାଇଲ୍‌ ଖଞ୍ଜିବା ବା କୌଣସି ଟେକ୍ନିକାଲ୍‌ ସମସ୍ୟା ଦେଖାଦେଲେ, ଯଥା ଶୀଘ୍ର ସମାଧାନ କରୁଥିଲୁ।

ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ କହିଛନ୍ତି, ଯୁଦ୍ଧ ଜାହାର ଆଖି ହେଉଛି ରାଡାର୍‌। କାର୍ଗିଲ୍‌ ଯୁଦ୍ଧ ସମୟରେ ମିଶନ୍‌ରେ ଯିବା ବେଳେ ମିରାଜ-୨୦୦୦ର ଗୋଟିଏ ରାଡାର ଖରାପ ହୋଇଥିବା ଜଣାପଡ଼ିଥିଲା। ସେହି ରାଡାରକୁ ଅଧ ଘଣ୍ଟାଏ ଭିତରେ ରିପ୍ଲେସ୍‌ କରିବାରେ ସଫଳ ହୋଇଥିଲୁ। ଏହା ଆମ ପାଇଁ ବଡ଼ ସଫଳତା ଥିଲା ବୋଲି ସେ କହିଛନ୍ତି।

କାର୍ଗିଲ୍‌ ଯୁଦ୍ଧ ପୂର୍ବରୁ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ ଲଢ଼ିଥିଲେ ୧୯୭୧ ମସିହାର ବାଂଲାଦେଶ ଓ ୧୯୬୫ ମସିହାର ପାକିସ୍ତାନ ଯୁଦ୍ଧ। ଏଥପାଇଁ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି।

ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜ ୨୦୦୩ ମସିହା ଜୁଲାଇ ମାସରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ଗାଁକୁ ଫେରି ଆସିଥିଲେ। ଏବେ ସେ ବାରିପଦାରେ ପରିବାର ଲୋକଙ୍କ ସହିତ ରହୁଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ହୋଇଛି। ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ନିଜ କାର୍ଯ୍ୟ ନିଜେ କରୁଛନ୍ତି। ପ୍ରତିଦିନ ସେ ୮ କିମି ମର୍ଣ୍ଣିଂୱାକ୍‌ କରୁଛନ୍ତି। ଏଥିସହ ବ୍ୟୟାମ୍‌ ମଧ୍ୟ କରୁଛନ୍ତି। ଆଜି ପର୍ଯ୍ୟନ୍ତ ସେ ଔଷଧ ଖାଇନଥିବା କହିଛନ୍ତି।

ଆସନ୍ତା ଜୁଲାଇ ୧୬ ତାରିଖରେ ନୂଆଦିଲ୍ଲୀର ସରସାୱାରେ କାରଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଏଥିପାଇଁ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ(ବୀରତ୍ୱ ପୁରସ୍କାର) ଦିଆଯିବ। ସେଥିପାଇଁ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ଭଞ୍ଜ ଆଜି ଟ୍ରେନ୍‌ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

Kargil Vijay Diwas Baripada