Advertisment

ଏମିତି ଏକ ବିଚିତ୍ର ଗାଁ; ଯାହାର ପିନ୍‌କୋଡ୍ କୋରାପୁଟ, ଜିଲ୍ଲା ରାୟଗଡ଼ା

ସ୍ୱାଧୀନ ଭାରତ ଗଠନ ବେଳେ ଜୟପୁର ଗଡ଼ଜାତ ସମେତ କାଶିପୁର ଭାରତରେ ବିଲୀନ ହୋଇଥିଲା। ସେହି ସମୟରେ ଜିଲ୍ଲା ଓ ବ୍ଲକ୍ ସୀମା ନିର୍ଦ୍ଧାରଣ ହୋଇଥିଲା। ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିଲା ଗମ୍ଭାରୀଗୁଡ଼ା ଗାଁ।

Koraput

Koraput

Advertisment

ଏମିତି ଏକ ବିଚିତ୍ର ଗାଁ। ଯାହାର ପୋଷ୍ଟାଲ୍‌ ପିନ୍‌କୋଡ୍ କୋରାପୁଟ ଜିଲ୍ଲାରେ ରହିଛି। ମାତ୍ର ଜିଲ୍ଲା ରାୟଗଡ଼ାର। ଅର୍ଥାତ ସରକାରୀ କାଗଜପତ୍ରରେ ଠିକଣା ରହିଛି ରାୟଗଡ଼ା ଜିଲ୍ଲା। ଏମିତି ଅଜବ ସମ୍ପର୍କ ଧରି ଦୀର୍ଘବର୍ଷ ହେଲା କୋରାପୁଟ ଅଞ୍ଚଳରେ ଥିବା ଗମ୍ଭାରୀଗୁଡ଼ା ଗାଁର ଲୋକମାନେ ରହିଛନ୍ତି। ଯାହାଫଳରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏନେଇ କେତେ କାହାକୁ ନେହୁରା ହେଲେ ମଧ୍ୟ କେହି ଶୁଣୁ ନାହାନ୍ତି। ତେଣୁ ସେମାନେ ଆଜି ଭୋର୍ଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି।

Advertisment

ରଜାରାଜୁଡ଼ା ଶାସନ ସମୟରେ ଜୟପୁର ମହାରାଜା ତାଙ୍କ ସଂପର୍କୀୟ ତଥା କାଶିପୁର ରାଜାଙ୍କୁ ତାଙ୍କ ଗଡଜାତର ଏକ ଗାଁ ଉପହାରରେ ଦେଇଥିଲେ। ସେହି ଗାଁ ହେଉଛି ‘ଗମ୍ଭାରୀଗୁଡ଼ା’। ଯାହା ବର୍ତ୍ତମାନ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ କୁଚେଇପଦର ପଞ୍ଚାୟତରେ ରହିଛି। ଏହି ଗାଁର ପୋଷ୍ଟାଲ୍ କୋଡ୍‌ ହେଉଛି- ୭୬୪୨୦୮। ଯାହା କୋରାପୁଟ ଜିଲ୍ଲାରେ ରହିଛି। କିନ୍ତୁ ସମସ୍ତ ଠିକଣା ଓ କାଗଜପତ୍ର ଗୁଡ଼ିକରେ ରାୟଗଡ଼ା ଜିଲ୍ଲାର ଠିକଣା ରହିଛି।

ସ୍ୱାଧୀନ ଭାରତ ଗଠନ ବେଳେ ଜୟପୁର ଗଡ଼ଜାତ ସମେତ କାଶିପୁର ଭାରତରେ ବିଲୀନ ହୋଇଥିଲା। ସେହି ସମୟରେ ଜିଲ୍ଲା ଓ ବ୍ଲକ୍ ସୀମା ନିର୍ଦ୍ଧାରଣ ହୋଇଥିଲା। ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିଲା ଗମ୍ଭାରୀଗୁଡ଼ା ଗାଁ। ୧୯୯୩ ମସିହାରେ କୋରାପୁଟ ଜିଲ୍ଲା ବିଭାଗନ ହୋଇଥିଲା। ଆଉ ଗଢ଼ି ଉଠିଥିଲା ରାୟଗଡ଼ା ଜିଲ୍ଲା। ତା’ପରେ ଗମ୍ଭାରୀଗୁଡ଼ା ଗାଁ ରାୟଗଡ଼ା ଜିଲ୍ଲା ଅଧିନକୁ ଚାଲି ଆସିଥିଲା। ସେହି ସମୟରେ ସୀମା ନିର୍ଦ୍ଧାରଣ ପାଇଁ ନିୟୋଜିତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁ ବଦଳି ନଥିଲା ପିନ୍‌କୋଡ୍‌ ନମ୍ୱର। ଯେଉଁଥିପାଇଁ କୋରାପୁଟ ଜିଲ୍ଲା ପିନ୍‌କୋଡ୍‌ରେ ରହିଗଲା ଗମ୍ଭାରୀଗୁଡ଼ା ଗାଁ। ଯାହା ଆଜି ପର୍ଯ୍ୟନ୍ତ ରହିଛି। ଆଉ ଗମ୍ଭାରୀଗୁଡ଼ା ଗାଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି।

Advertisment

ଦୀର୍ଘ ୩୧ ବର୍ଷ ହେଲା ଗମ୍ଭାରୀଗୁଡ଼ା ଗାଁ ଲୋକେ ଏନେଇ ଅଭିଯୋଗ କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ କଥା କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଗାଁ ଲୋକଙ୍କ ସହିତ ସ୍ୱର ମିଳାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା।

ସେ ଏନେଇ କହିଛନ୍ତି, ପୂର୍ବରୁ ସଂସଦରେ ଏହି ସମସ୍ୟା ଉପସ୍ଥାପନ କରିଥିଲି। ସେତେବେଳେ କେନ୍ଦ୍ର ସରକାର ଏହି ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସରକାର ଚାହିଁଲେ ଗୋଟାଏ ଦିନରେ ଏହି ସମସ୍ୟା ସମାଧାନ ହେବ। ହେଲେ ଏହି ପ୍ରସଙ୍ଗକୁ ସରକାର ଗୁରୁତ୍ଵ ଦେଉ ନାହାନ୍ତି। ଫଳରେ ଗାଁ ଲୋକ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ସୂଚନାରୁ ପ୍ରକାଶ, ଗମ୍ଭାରୀଗୁଡ଼ା ଗାଁରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। କୁଲି ମଜୁରୀ ସହିତ ଜଙ୍ଗଳରୁ ଜାଳେଣୀ କାଠ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟା ଉଛନ୍ତି। ଗାଁର ସମସ୍ତେ ପ୍ରାୟ ଦାରିଦ୍ର୍ୟ ସୀମରେଖା ତଳେ ଅଛନ୍ତି। ଏହି ଗାଁରୁ ପଞ୍ଚାୟତ କାର୍ଯ୍ୟଳୟ ଚେଇପଦରକୁ ଦୂରତା ୩୦ କିମି ଓ ବ୍ଲକ୍‌ ମୁଖ୍ୟାଳୟ କାଶିପୁରକୁ ୭୦ କିମି। ଏହି ଗାଁର ଲୋକଙ୍କୁ ଭତ୍ତା କିମ୍ବା ପିଡିଏସ ସାମଗ୍ରୀ ଆଣିବା ପାଇଁ ୩୦ କିମି ଯିବାକୁ ପଡ଼ୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ମିଳୁଥିବା ମାଗଣା ଚାଉଳ ପାଇଁ ମଧ୍ୟ ସେମାନେ ଗାଡ଼ି ଭଡ଼ା କରି ପଞ୍ଚାୟତ କାର୍ଯ୍ୟଳୟକୁ ଯାଉଛନ୍ତି। ଏହାସହ ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇଁ ଗାଡ଼ି ଭଡ଼ା କରି ଯାଉଛନ୍ତି।

ଅନ୍ୟପକ୍ଷରେ ଗମ୍ଭାରୀଗୁଡ଼ା ଗାଁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଖ୍ୟାଳୟଠାରୁ ୩ କିମି ଦୂରରେ ରହିଛି। ତେଣୁ ସେମାନେ ସମସ୍ତ କାର୍ଯ୍ୟ ପାଇଁ ଦଶମନ୍ତପୁର ଉପରେ ଭରସା କରୁଛନ୍ତି। ବଜାର ସଉଦା, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କାର୍ଯ୍ୟ ପାଇଁ ଦଶମନ୍ତପୁରକୁ ଯିବାକୁ ପଡ଼ୁଛି। ଏପରିକି ସେମାନଙ୍କ ଚାଷ ଜମି ଗୁଡିକ ଦଶମନ୍ତପୁର ତହସିଲ ଅଧିନରେ ଆସୁଥିବାରୁ ଏଠାରେ ଖଜଣା ପୈଠ କରିଥାନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput Post Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe