ସର୍ବୋଚ୍ଚ ଗିରିଶୃଙ୍ଗ ନୁହେଁ ମାଉଣ୍ଟ ଏଭରେଷ୍ଟ!

ପୃଥିବୀରେ ଥିବା କିଛି ଅବିଶ୍ୱସନୀୟ ଭୌଗୋଳିକ ଉପାଦାନକୁ ଆମେ ଶ୍ରେଷ୍ଠ ଆଉ ପ୍ରଥମ ଆଖ୍ୟା ଦେଇଛୁ। କିନ୍ତୁ ବାସ୍ତବରେ ଯଦି ମାନଚିତ୍ରକୁ ଟିକେ ଭଲକି ପରଖିବେ, କିଛି ଭିନ୍ନ ତଥା ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟ ପାଇବେ, ସେଥି ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

ସୁନ୍ଦର ପ୍ରକୃତି

  • Published: Monday, 21 August 2023
  • , Updated: 21 August 2023, 01:40 PM IST

ପୃଥିବୀ ସ୍ରଷ୍ଟାଙ୍କର ଏକ ବିଚିତ୍ର ସୃଷ୍ଟି। ଏଠାରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟେ। ଆମ ପୃଥିବୀରେ ଅନେକ ଏପରି ଭୌଗୋଳିକ ଉପାଦାନ ରହିଛି, ଯାହାକୁ ଦେଖିବା ମାତ୍ରେ ଆଖି ଝଲସିଯାଏ। ଏପରି କିଛି ଅବିଶ୍ୱସନୀୟ ଭୌଗୋଳିକ ଉପାଦାନକୁ ଆମେ ଶ୍ରେଷ୍ଠ ଆଉ ପ୍ରଥମ ଆଖ୍ୟା ଦେଇଛୁ। କିନ୍ତୁ ବାସ୍ତବରେ ଯଦି ମାନଚିତ୍ରକୁ ଟିକେ ଭଲକି ପରଖିବେ, କିଛି ଭିନ୍ନ ତଥା ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟ ପାଇବେ, ସେଥି ମଧ୍ୟରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

ମାଉଣ୍ଟ ଏଭେରେଷ୍ଟ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ ନୁହେଁ!

ସର୍ବଦା ଏକ ଯୁକ୍ତି ହୁଏକି ମାଉଣ୍ଟ ଏଭରେଷ୍ଟ ହେଉଛି ଦୁନିଆର ସବୁଠାରୁ ଉଚ୍ଚତମ ପର୍ବତ। ଏହାକୁ ଅତିକ୍ରମ କରିବା ପାଇଁ ପ୍ରତିବର୍ଷ ଲୋକମାନେ ନିଜ ଜୀବନକୁ ବିପଦରେ ପକାନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ମଧ୍ୟରେ ଏକ ଭୁଲ୍ ଧାରଣା ରହିଛି ଯେ, ମାଉଣ୍ଟ ଏଭେରେଷ୍ଟ ହିଁ ବିଶ୍ୱର ଉଚ୍ଚତମ ପର୍ବତ। ଯଦି ଆମେ ସମୁଦ୍ର ପତ୍ତନରୁ ହିସାବ କରିବା ତେବେ ମାଉଣ୍ଟ ଏଭରେଷ୍ଟ ଦୀର୍ଘତମ ହୋଇପାରେ, କିନ୍ତୁ ମାଟି ପତ୍ତନରୁ ଯଦି ବିଚାରକୁ ନିଆଯାଏ ତେବେ ‘ମଉନା କିଆ’ ପ୍ରଥମେ ଆସିବ। ହାୱାଇରେ ଅବସ୍ଥିତ ‘ମଉନା କିଆ’ ବିଶ୍ୱର ଉଚ୍ଚତମ ଗିରିଶୃଙ୍ଗ। ସମୁଦ୍ର ପତ୍ତନରୁ ମାଉନା କିଆର ଉଚ୍ଚତା ହେଉଛି ୧୩,୭୬୯ ଫୁଟ, କିନ୍ତୁ ଏହାର ମୂଳରୁ ବା ମାଟି ପତ୍ତନରୁ ଏହାର ଉଚ୍ଚତା ହେଉଛି ୩୩,୫୦୦ ଫୁଟ। ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଏହାର ମୂଳରୁ ହିସାବ କରାଗଲେ ହେବ ମାତ୍ର ୧୭,୬୦୦ ପୁଟ୍। କିନ୍ତୁ ସମୁଦ୍ର ପତ୍ତନରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ହେଉଛି ୮୮୪୮.୮୬ ମିଟର ବା ୨୯,,୦୩୧ ଫୁଟ। 

ପୋତି ହୋଇ ଯାଉଛି ମେକ୍ସିକୋ ସହର!

ମେକ୍ସିକୋ ସହର ପ୍ରଥମେ ୧୩୨୫ ଖ୍ରୀଷ୍ଟାବ୍ଦରେ ଏକ ହ୍ରଦ ଉପରେ ନିର୍ମିତ ହୋଇଥିଲା। ଏବେ ଏହି ମେକ୍ସିକୋ ସିଟି ପ୍ରତିବର୍ଷ ପ୍ରାୟ ୩.୨ ଫୁଟ ପୋତି ହୋଇ ଯାଉଛି। ଇଉରୋପୀୟମାନଙ୍କ ଆଗମନ ପୂର୍ବରୁ, ଲାଗୋ ଦେ ଟେକ୍ସକୋକୋକୁ ପୋତି ଆଜଟେକମାନେ ଏକ କୃତ୍ରିମ ଉପଦ୍ୱୀପ ସୃଷ୍ଟି କରିଥିଲେ। ଆଜଟେକ ସମ୍ପ୍ରଦାୟ ଲୋପ ପାଇଯିବା ପରେ ସ୍ପେନୀୟମାନେ ୧୫୨୧ ମସିହାରେ ଏହି ଧ୍ୱଂସାବଶେଷ ଉପରେ ଏକ ସହର ନିର୍ମାଣ କରିଥିଲେ, ଯାହା ମେକ୍ସିକୋ ସିଟି ନାମରେ ଜଣାଶୁଣା। ସବୁଠୁ ବଡ଼ କଥା ହେଉଛି କି, ଏହି ସହର ବର୍ତ୍ତମାନ ଧୀରେ ଧୀରେ ମାଟି ତଳେ ପୋତି ହୋଇଯାଉଛି। ବିଗତ ୬୦ ବର୍ଷ ମଧ୍ୟରେ ମେକ୍ସିକୋ ସହର ୩୨ ଫୁଟ୍ ପୋତି ଯାଇଥିବା କୁହାଯାଉଛି।

ଫିଲିପାଇନ୍ସରେ ରହିଛି ୭,୬୦୦ରୁ ଅଧିକ ଦ୍ୱୀପ 
ଫିଲିପାଇନ୍ସକୁ ଏକ ଦ୍ୱୀପପୁଞ୍ଜର ଦେଶ ବୋଲି କୁହାଯାଏ। ମୋଟ ଉପରେ, ଫିଲିପାଇନ୍ସର ଆରକିପେଲାଗୋରେ ୭,୬୧୧ରୁ ଅଧିକ ଦ୍ୱୀପ ଅଛି ବୋଲି କୁହାଯାଏ। 

ଆଲାସ୍କା ଆମେରିକାର ଉଭୟ ପଶ୍ଚିମ ଏବଂ ପୂର୍ବାଞ୍ଚଳର ଅଂଶ 
ମାନଚିତ୍ରକୁ ବିଚାରକୁ ନେଲେ ଆଲାସ୍କା ଆମେରିକାର ପଶ୍ଚିମରେ ରହିଛି। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାର ପୂର୍ବ ଭାଗରେ ମଧ୍ୟ ଆଲାସ୍କାର କିଛି ଅଂଶ ରହିଛି। ଏହା ସମ୍ଭବ, କାରଣ ଏହା ପଶ୍ଚିମ ପର୍ଯ୍ୟନ୍ତ ଏତେ ବିସ୍ତାର ହୋଇଛି ଯେ, ପୂର୍ବ ଗୋଲାର୍ଦ୍ଧକୁ ମଧ୍ୟ ବଢ଼ିଯାଇଛି। ଆଲାସ୍କାର ଆଲେଟିଆନ୍ ଦ୍ୱୀପପୁଞ୍ଜର ସେମିସୋପୋଚନୋଇ ଦ୍ୱୀପ, ଟେକ୍ନିକାଲ୍ ଭାବରେ ଉତ୍ତର ଆମେରିକାର ପୂର୍ବ ଭାଗରେ ଅବସ୍ଥିତ।

ଗୋଟିଏ ସମୟରେ ହୁଏ ସକାଳ ରାତି
ଋଷିଆ ଏପରି ଏକ ଦେଶ, ଯେଉଁଠାରେ ଗୋଟିଏ ସମୟରେ ସକାଳ ଓ ରାତି ହୋଇଥାଏ। ଆମେ ଜଣନ୍ତି ଯେ, କ୍ଷେତ୍ରଫଳ ଦୃଷ୍ଟିରୁ ଋଷିଆ ହେଉଛି ବିଶ୍ୱର ବୃହତ୍ତମ ଦେଶ। ରିପୋର୍ଟ ଅନୁସାରେ ଋଷିଆର ଗୋଟିଏ ଭାଗରେ ଯେଉଁ ସମୟରେ ସକାଳ ହୋଇଥାଏ ସେହି ସମୟରେ ଅନ୍ୟ ଏକ ପାର୍ଶ୍ୱରେ ରାତି ହୋଇଥାଏ। ସମଗ୍ର ପୃଥିବୀରେ ମୋଟ ୨୪ଟି ଟାଇମ ଜୋନ ବା ସମୟାଞ୍ଚଳ ରହିଛି, ସେଥିରୁ କେବଳ ରୁଷିଆରେ ଅଛି ୧୧ଟି। ସେଥିପାଇଁ ରୁଷିଆର ଏକ ଭାଗର ଲୋକମାନେ ଯେତେବେଳେ ସକାଳ ୭ଟାରେ ବିଛଣା ଛାଡ଼ିବା ଛାଡ଼ିବା ହେଉଥାନ୍ତି ସେତେବେଳେ ଅନ୍ୟ ଏକ ପ୍ରାନ୍ତର ଲୋକମାନେ ରାତ୍ରୀ ଭୋଜନ କରିବାକୁ ପ୍ରସ୍ତୁତି ଚଳାଇଥାନ୍ତି।

ସରଗାସୋ ସାଗରର ଉପକୂଳ ନାହିଁ 
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆଟଲଣ୍ଟିକ୍ ମହାସାଗରର ଉତ୍ତରରେ ଏପରି ଏକ ସାଗର ରହିଛି, ଯାହାର କୌଣସି ଉପକୂଳ ନାହିଁ, ଅର୍ଥାତ ଏହି ସମୁଦ୍ର ମାଟିକୁ ଲାଗିନାହିଁ। ଏହି ସାଗରର ନାମ ସରଗାସୋ। ଏହି ସରଗାସୋକୁ ଚାରିଟି ସମୁଦ୍ର ସ୍ରୋତ ଘେରି ରହିଛି, ଅର୍ଥାତ ସାରଗାସୋ ସାଗରର ଚାରିପଟେ ଅଛନ୍ତି ଆଉ ଚାରିଟି ସମୁଦ୍ର। ଏଠାରେ କୌଣସି ସ୍ଥଳ ଭାଗ ବା ଭୂମି ନାହିଁ। ଏଠାରେ କୌଣସି ଉପକୂଳ ଦେଖିବାକୁ ମିଳେ ନାହିଁ।

ଅଷ୍ଟ୍ରେଲିଆରେ ରହିଛି ବିଶ୍ୱର ସବୁଠୁ ବଡ ପଥର
ଅଷ୍ଟ୍ରେଲିଆନ୍ ଆଉଟବ୍ୟାକରେ ଏକ ପଥର ଅଛି, ଯାହା ଦେଖିବାକୁ ପର୍ବତ ଭଳି। ଏହାର ଉଚ୍ଚତା ୨,୩୦୦ ଫୁଟରୁ ଅଧିକ ଏବଂ ଏହା ୧୦୦ ମାଇଲରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖାଯାଏ।

ପୃଥିବୀର ବୃହତ୍ତମ ପଥର

ଦୂରତା ମାତ୍ର ୨.୪ ମାଇଲ, ସମୟ ବ୍ୟବଧାନ ୨୦ ଘଣ୍ଟା! 
ଆମେରିକା ଏବଂ ଋଷ ମଧ୍ୟରେ ଡାୟୋମେଡେ ଦ୍ୱୀପପୁଞ୍ଜ ଅଛି, ଯେଉଁଠାରେ ଦୁଇ ଦେଶ ବିଭାଜିତ ହୋଇଛନ୍ତି। ବିଗ୍ ଡାୟୋମେଡେ ଋଷର ଏବଂ ଲିଟିଲ୍ ଡାୟୋମେଡେ ଆମେରିକାର। ଏ ଦୁଇ ଦ୍ୱୀପ ମଧ୍ୟରେ ଦୂରତା ହେଉଛି ମାତ୍ର ୨.୪ ମାଇଲ। ହେଲେ ରୁଷିଆ ଓ ଆମେରିକାର ସମୟାଞ୍ଚଳ ବା ଟାଇମ୍‌ ଜୋନ ଦୃଷ୍ଟିରୁ ମାତ୍ର ପ୍ରାୟ ୫ କିଲୋମର ଦୂରତାରେ ଥିବା ଏଇ ଦୁଇ ଦ୍ୱୀପର ସମୟ ବ୍ୟବଧାନ ହେଉଛି ୨୦ ଘଣ୍ଟା। ଏହି କାରଣରୁ ବିଗ୍‌ ହାୟୋମେଡ଼େକୁ ଆସନ୍ତାକାଲିର ଦ୍ୱୀପ କୁହାଯାଉଥିବାବେଳେ ଲିଟିଲ୍‌ ଡାୟୋମେଡ୍‌କୁ ଗତକାଲିର ଦ୍ୱୀପ ବୋଲି କୁହାଯାଏ।

ଏକାଠି ଦୁଇ ଦେଶର ଦ୍ୱୀପ

ଡାମାସ୍କସ୍ ହେଉଛି ବିଶ୍ୱର ସର୍ବ ପୁରାତନ ଜୀବନ୍ତ ସହର
ପୁରୁଣା ସହର କଥା କହିଲେ ମନକୁ ନିଶ୍ଚୟ ଏଥେନ୍ସ ଏବଂ ଇଜିପ୍ଟ କଥା ମନକୁ ଆସେ। କିନ୍ତୁ ବାସ୍ତବରେ ଡାମାସ୍କସ୍ ହେଉଛି ବିଶ୍ୱର ସର୍ବ ପୁରାତନ ଜୀବନ୍ତ ସହର। ଏଠାରେ ୧୧,୦୦୦ ବର୍ଷ ଧରି ଜନବସତି ରହି ଆସିଛି। ସେଥିପାଇଁ ଏହାକୁ ୨୦୦୮ ମସିହାରେ ଆରବର ସାଂସ୍କୃତିକ ରାଜଧାନୀ ବୋଲି ନାମିତ କରାଯାଇଥିଲା। ଏଇ ସହରରେ ଏପରି ୧୨୫ରୁ ଅଧିକ ପୁରାତନ ସ୍ମାରକୀ ରହିଛି, ଯାହା ଖ୍ରୀଷ୍ଟପୂର୍ବ ୩ ହଜାରରୁ ସେହିପରି ଅଛି। 

ବିଶ୍ୱର ସର୍ବ ପୁରାତନ ସହର ଡାମାସ୍କସ୍

କେଣ୍ଟୁକିରେ ଅଛିସର୍ବାଧିକ ଗୁମ୍ଫା
କେଣ୍ଟୁକି ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ୫୦ଟି ରାଷ୍ଟ୍ର ମଧ୍ୟରୁ ଗୋଟିଏ। କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଆମେରିକାର ୩୬ତମ ଓ ଜନସଂଖ୍ୟା ଦୃଷ୍ଟିରୁ ୨୬ତମ ବୃହତ୍ତମ ରାଷ୍ଟ୍ର। କେଣ୍ଟୁକିରେ ଅଛି ବିଶ୍ୱର ସର୍ବବୃହତ ଗୁମ୍ଫା ଶୃଙ୍ଖଳ। ଏହାକୁ ମାମୋଥ ଗୁମ୍ଫା କୁହାଯାଏ।  ଏବେ ସୁଦ୍ଧା ଏହି ଗୁମ୍ଫାର ୪୦୦ ମାଇଲ୍‌ ଯାଏଁ ଲୋକେ ପହଞ୍ଚିଛନ୍ତି। କୁହାଯାଉଛି ଗୁମ୍ଫାର ଆହୁରି ୨୦୦ ମାଇଲ୍‌ ଅନାବିଷ୍କୃତ ରହିଛି। 

ସାହାରା ମରୁଭୂମିରେ ବି ହୁଏ ତୁଷାରପାତ 
ସାହାରା ମରୁଭୂମି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ପରିଗଣିତ। ଏଠାରେ ସର୍ବାଧିକ ତାପମାତ୍ରା ୧୩୬ ଡିଗ୍ରୀ ଫାରେନହାଇଟ ରହେ। ତାପମାତ୍ରା ଅତ୍ୟଧିକ ଥିବାରୁ ତୁଷାରପାତ କଥା ନିଶ୍ଚୟ କୌତୁହଳ ପରି ଲାଗିପାରେ। ମାତ୍ର ଏହା ସତ ଯେ, ଏଠାରେ ତୁଷାରପାତ ହୁଏ। କାରଣ ଏଠାରେ ହାରାହାରି ତାପମାତ୍ର ୮୬ ଡିଗ୍ରୀ ଫାରେନହାଇଟ୍‌ ହୋଇଥିଲେ ହେଁ ବେଳେ ବେଳେ ସନ୍ଧ୍ୟା ସମୟର ତାପମାତ୍ର ୨୫ ଡିଗ୍ରୀ ଫାରେନହାଇଟ୍‌କୁ  ଖସିଯାଏ। ନିକଟରେ ଜାନୁଆରୀ ୨୦୧୮ରେ ଅବିଶ୍ୱସନୀୟ ଭାବେ ଏଠାରେ ତୁଷାରପାତ ହୋଇଥିଲା।

ଗ୍ରେଟ୍ ବ୍ୟାରିଅର୍ ରିଫରେ ହୃଦୟ
ଅଷ୍ଟ୍ରଲିଆ ଉପକୂଳରେ ୧୪୨୯ ମାଇଲ ପର୍ଯ୍ୟନ୍ତ ବ୍ୟାପୀ ରହିଛି ପୃଥିବୀରେ ବୃହତ୍ତମ ଜୀବନ୍ତ ଜୀବଶ୍ରେଣୀ ଗ୍ରେଟ୍ ବ୍ୟାରିଅର୍ ରିଫ୍। ସମୁଦ୍ରର ଏହି ବିରାଟ ସ୍ଥାନରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ବାସ କରୁଛନ୍ତି। ଯଦି ଆକାଶ ମାର୍ଗରୁ ଏହାକୁ ଦେଖିବେ ତେବେ ଏହା ମଧ୍ୟରେ ହୃଦୟ ଆକୃତିର ଏକ ପ୍ରାକୃତିକ ସ୍ଥାନ ଦେଖିବାକୁ ପାଇବେ। ।  

ବ୍ୟାରିଅର୍ ରିଫରେ ହୃଦୟ

ଆଫ୍ରିକା ସମସ୍ତ ଚାରି ଗୋଲାର୍ଦ୍ଧକୁ ବିସ୍ତାର କରିଛି
ଆଫ୍ରିକା ହେଉଛି ଏସିଆ ପରେ ବିଶ୍ୱର ଦ୍ୱିତୀୟ ଦୀର୍ଘତମ ଏବଂ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାଦେଶ। ମୋଟ ଉପରେ, ଏହା ପୃଥିବୀର ସମୁଦାୟ ଭୂପୃଷ୍ଠର ୬% ଓ ଭୂକ୍ଷେତ୍ରର ୨୦% ଅଧିକାର କରିଛି। ଏହା ପ୍ରାୟ ୧୨ ନିୟୁତ ବର୍ଗ ମାଇଲ ପରିବ୍ୟାପ୍ତ ଏକ ମହାଦେଶ। ଏହାର ଜନସଂଖ୍ୟା ୨୦୧୮ ମସିହା ହିସାବରେ ୧୩୦ କୋଟି। ଏହି ମହାଦେଶରେ ଅଛି ୫୪ଟି ଦେଶ। ତନ୍ମଧ୍ୟରେ ସବୁଠୁ ବଡ଼ ଦେଶ ହେଲା ଆଲଜେରିଆ। ଏହା ପୃଥିବୀର ଏକମାତ୍ର ମହାଦେଶ, ଯାହା ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଗୋଲାର୍ଦ୍ଧକୁ ଲାଗି ରହିଛି। 

ତିନି ଭାଗ ପାଣି, କିନ୍ତୁ ପିଇବାକୁ ନାହିଁ!
ଭୂପୃଷ୍ଠର ୭୧ ଭାଗ ହେଲା ଜଳ। ମାତ୍ର ମଣିଷର ପିଇବା ପାଇଁ ଅଛି ମାତ୍ର .୦୦୭ ପ୍ରତିଶତ। ଭୂପୃଷ୍ଠର ୭୧ ପ୍ରତିଶତ ଜଳ ହୋଇଥିଲେ ହେଁ ମାତ୍ର ୨.୫ ପ୍ରତିଶତ ହେଉଛି ମଧୁର ଜଳ। ବାକି ସବୁ ଜଳ ଲୁଣିଆ ଓ ସମୁଦ୍ର ଜଳ, ଯାହାକୁ ମଣିଷ ସିଧାସଳଖ ବ୍ୟବହାର କରିପାରିବ ନାହିଁ। ଏହି ମଧୁର ଜଳର ମାତ୍ର ୧ ପ୍ରତିଶତ ମଣିଷ ପାଇଁ ଉପଲବ୍ଧ। ବାକି ବରଫ ପାହାଡ଼ ଓ ତୁଷାର ସ୍ତର ଭିତରେ ଜମାଟବନ୍ଧା ଅବସ୍ଥାରେ ରହିଛି।

ବଡ଼ ନାଁ ଥିବା ଦେଶ
ଇଂଲଣ୍ଡର ପୂରା ନାଁ କହିଲେ ଅନେକ ହୁଏତ ଜାଣି ନଥିବେ। କେତେକ ଗ୍ରେଟ ବ୍ରିଟେନ କହିବେ। ଏହା ମଧ୍ୟ ଠିକ। ତେବେ ଇଂଲଣ୍ଡ ବା ଗ୍ରେଟ୍‌ ବ୍ରିଟେନର ପୂରା ନାଁ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦେଶନାମ। ଏହାର ପୂରା ନାମ ହେଲା ୟୁନାଇଟେଡ କିଙ୍ଗଡମ ଅଫ୍‌ ଗ୍ରେଟ୍‌ ବ୍ରିଟେନ୍‌ ଆଣ୍ଡ ନର୍ଦର୍ଣ୍ଣ ଆୟର୍ଲାଣ୍ଡ। ଏହା ପୂର୍ବରୁ ଏକଦା ଲିବିୟାର ନାଁ ଥିଲା ପୃଥିବୀର ସବୁଠୁ ବଡ଼। ଇଂରାଜୀ ଭାଷାରେ ଇଂଲଣ୍ଡର ପୂରା ନାଁ ଲେଖିଥିଲେ ସେଥିରେ ୪୫ଟି ଅକ୍ଷର ରହୁଛି। ଲିବିୟାର ପୂରା ନାଁରେ ରହିଥିଲା ୬୩ଟି ଅକ୍ଷର। ଲିବ୍ୟାର ଏହି ପୂରା ନାମ ହେଲା ଅଲ୍‌ ଜୁମାହିରିୟାହ୍‌ ଅଲ୍‌ ଆରବୀୟାହ୍‌ ଅଲ୍‌ ଲିବିୟାହ୍‌ ଅଶ୍‌ ଶବିୟାହ୍‌ ଅଲ୍‌ ଇଶ୍ତିରକିୟାହ୍‌ ଅଲ୍‌ ଉଜ୍‌ମା। ତେବେ ୨୦୧୩ ମସିହାର ଲିବିୟା ସରକାର ଦେଶନାମ ସଂଶୋଧନ କରି ସଂକ୍ଷିପ୍ତ କରିଦେଇଛନ୍ତି। ଏବେ ଏହା କେବଳ ଷ୍ଟେଟ୍‌ ଅଫ୍‌ ଲିବିୟା ନାମରେ ପରିଚିତ।

ସବୁଠୁ କମ ସମୟର ବିମାନଯାତ୍ରା

ପୃଥିବୀର ସବୁଠୁ କମ୍‌ ସମୟର ବିମାନଯାତ୍ରା ପାଇଁ କେତେ ସମୟ ଲାଗେ? କେହି କଳ୍ପନା କରିପାରିବେ, ଏହା ୧ ମିନିଟ୍‌ ବି ଲାଗେ ନାହିଁ। ବିମାନ ଉଡ଼ାଣ ମାରିବା ଓ ଅବତରଣ କରିବା ଭିତରେ ସମୟ ଲାଗେ ମୋଟ ଉପରେ ମାତ୍ର ୫୭ ସେକେଣ୍ଡ! ସ୍କଟ୍‌ଲାଣ୍ଡର ୱେଷ୍ଟ୍‌ରେଠାରୁ ପାପା ୱେଷ୍ଟରେ ମଧ୍ୟରେ ଏହି ବାଣିଜ୍ୟିକ ବିମାନ ଉଡ଼ାଣ ମାରେ। ଏହି ଦୁଇ ଦ୍ୱୀପ ମଧ୍ୟରେ ଏହି ବିମାନଯାତ୍ରା ପାଇଁ କେତେ ଲୋକ ଆଗ୍ରହୀ। ଅନେକ ତ ଖାଲି ରେକର୍ଡ଼ ପାଇଁ ଟିକେଟ କିଣନ୍ତି!

ଗୋଟିଏ ସହର, ଦୁଇ ମହାଦେଶ
ତୁର୍କୀ ବା ତୁରସ୍କର ରାଜଧାନୀ ହେଉଛି ଇସ୍ତାନବୁଲ୍‌। ଏହି ସହର କିନ୍ତୁ ଦୁଇଟି ମହାଦେଶ ମଧ୍ୟରେ ବିଭାଜିତ। ଏସିଆ ଓ ୟୁରୋପ ମଧ୍ୟରେ ଇସ୍ତାନବୁଲ୍‌କୁ ବିଭାଜିତ କରୁଛି ବୋସଫୋରସ୍‌ ପ୍ରଣାଳୀ। ସହରର ଏ ଦୁଇ ଭାଗକୁ ସଂଯୁକ୍ତ କରୁଛି ଗୋଟିଏ ପୋଲ। ଇସ୍ତାନବୁଲ୍‌ର ୟୁରୋପ ଅଂଶ ଅଧିକ ଜନାକୀର୍ଣ୍ଣ ଓ ଏହା ଏକ ଐତିହାସିକ କେନ୍ଦ୍ର। ଇସ୍ତାନବୁଲ୍‌ ସହରର ଇତିହାସ ପ୍ରାୟ ୨୦୦୦ ବର୍ଷର। ଏକଦା ଏହା ରୋମ, ବୈଜନ୍ତାଇନ୍‌ ଓ ଅଟ୍ଟୋମାନ୍‌ ସାମ୍ରାଜ୍ୟର ରାଜଧାନୀ ଥିଲା।

ନଈର ଏମୁଣ୍ଡରୁ ସେମୁଣ୍ଡ ଯିବାକୁ ୯୦ ଦିନ ସମୟ ନିଏ ବିନ୍ଦୁଏ ଜଳ!
ଉତ୍ତର ଆମେରିକା ମହାଦେଶର ସବୁଠୁ ବଡ଼ ନଦୀ ହେଉଛି ମିସିସିପି। ଏହା ଦ୍ୱିତୀୟ ବୃହତ୍ତମ ନଦୀ ଓ ଦ୍ୱିତୀୟ ଦୀର୍ଘତମ ଜଳ ନିଷ୍କାସନ ବ୍ୟବସ୍ଥା। ଏହି ନଈଟି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାୟ ୧୦ଟି ଦେଶର ସୀମା ଛୁଇଁ ବା ଭିତରେ ପ୍ରବାହିତ ହୋଇ ଗଲ୍ଫ ଅଫ୍ ମେକ୍ସିକୋରେ ସମୁଦ୍ରରେ ମିଶିଛି। ଏହାର ଦୈର୍ଘ୍ୟ ହେଉଛି ୨୩୪୮ ମାଇଲ। ଏହାର ଉତ୍ତରତ୍ତମ ଅଞ୍ଚଳ ମିନେସୋଟାରେ ଜଳ ବିନ୍ଦୁଟିଏ ପଡ଼ିଲେ ତାହା ଗଲ୍ଫ ଅଫ୍‌ ମେକ୍ସିକୋରେ ମିଶିଲା ବେଳକୁ ୯୦ ଦିନ ଲାଗି ଯାଇଥାଏ। 

ଆମେରିକା ଭିତରେ ଇଂଲଣ୍ଡର ଜମି
ଉତ୍ତର କାରୋଲିନାର ଓକ୍ରାକୋକ୍ ସହରର ଏକ ଜମି ଇଂଲଣ୍ଡକୁ ସବୁଦିନ ପାଇଁ ଲିଜ୍ ଦିଆଯାଇଛି। ଜମିଟି ହେଉଛି ଏକ ଶ୍ମଶାନ ଏବଂ ସ୍ମାରକ। ଏହା ହେଉଛି ଇଂଲଣ୍ଡ ନୌସୈନିକଙ୍କ ସ୍ମାରକୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ପାଟ୍ରୋଲିଂ ସମୟରେ ଏଚଟିଏମ ବେଡ଼ଫୋର୍ଡ଼ଶାୟାର ନାମକ ଏକ ଯୁଦ୍ଧ ଜାହଜ ବୁଡ଼ି ଯାଇଥିଲା। ଏହି ଯୁଦ୍ଧ ଜାହାଜରେ ୩୭ ଜଣ ସୈନିକ ଥିଲେ। ସମସ୍ତେ ସମୁଦ୍ର ଭିତରେ ନିଖୋଜ ହୋଇଯାଇଥିଲେ। କେବଳ ୪ ଜଣଙ୍କର ମୃତଦେହ କୂଳରେ ଲାଗିଥିଲା। ସେମାନଙ୍କ ସମାଧି ନିମନ୍ତେ ସବୁଦିନ ପାଇଁ ଇଂଲଣ୍ଡକୁ ଲିଜ୍‌ରେ ଦିଆଯାଇଛି ଏହି ଜମି।

ଉତ୍ତର କରୋଲିନାରେ ଇଂଲଣ୍ଡ ସ୍ମାରକୀ

 

Related story