Advertisment

ସରକାର ବୁଝିବା କଥା ଶିକ୍ଷକ ନଥିବାରୁ ଆମେ ପାଠ ପଢ଼ି ପାରୁନୁ, ଦୁଃଖ କହିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ଆମ ଭବିଷ୍ୟତ ନଷ୍ଟ ହେଉଛି। ଆମେ କିପରି ଭଲ ପାଠପଢ଼ି ଭଲ ନମ୍ୱର ରଖିପାରୁବୁ ସେଥିନିମନ୍ତେ ସରକାର ଖାଲି ପଡ଼ିଥିବା ପଦବୀରେ ଶିକ୍ଷକ ନିଯୁକ୍ତ କରନ୍ତୁ।

author-image
Niranjan Mishra
ଅଦ୍ୟତନ ହୋଇଛି
student

student

ସରକାର ବୁଝିବା କଥା ଶିକ୍ଷକ ନଥିବାରୁ ଆମେ ପାଠ ପଢ଼ି ପାରୁନୁ। ଆମ ଭବିଷ୍ୟତ ନଷ୍ଟ ହେଉଛି। ଆମେ କିପରି ଭଲ ପାଠପଢ଼ି ଭଲ ନମ୍ୱର ରଖିପାରୁବୁ ସେଥିନିମନ୍ତେ ସରକାର ଖାଲି ପଡ଼ିଥିବା ପଦବୀରେ ଶିକ୍ଷକ ନିଯୁକ୍ତ କରନ୍ତୁ। ଖୁବ୍‌ ଦୁଃଖର ସହ ଏହା କହିଛନ୍ତି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଭିଂଜେତୋରା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଛାତ୍ରୀ କମଳିନୀ ସିଂ। ଖାଲି କମଳିନୀ କହିଁକି ଏଠାରେ ପାଠପଢ଼ୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସମାନ ଅଭିଯୋଗ।

Advertisment

ଅଭିଯୋଗ ମୁତାବକ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିବା ନିମନ୍ତେ ଏହି ଆଶ୍ରମ ସ୍କୁଲରେ ନାମ ଲେଖାଇଛନ୍ତି ୧୫୦ ଛାତ୍ରଛାତ୍ରୀ। ଏଠାରେ ସେମାନଙ୍କ ରହିବା ନିମନ୍ତେ ହଷ୍ଟେଲ ସୁବିଧା ମଧ୍ୟ ଅଛି। ମାତ୍ର ସେମାନଙ୍କୁ ପାଠପଢ଼ାଇବାକୁ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ। ଏପରିସ୍ଥଳେ ଛାତ୍ରଛାତ୍ରୀଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

ଏଠାରେ ଜଣେ ଶିକ୍ଷକ ଆଶ୍ରମ ପରିଚାଳନା କଥା ବୁଝୁଛନ୍ତି। ଏଥିସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟସ୍ତ ରହୁଛନ୍ତି। ମାତ୍ର ଦୁଇ ଜଣ ଶିକ୍ଷକ ଯେନତେନ ପିଲାମାନଙ୍କ ପାଠପଢ଼ା କଥା ବୁଝୁଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ସମସ୍ତ ଶ୍ରେଣୀରେ ଏକକାଳୀନ ପାଠପଢ଼ା ହୋଇପାରୁନି। ସବୁ ବିଷୟ ମଧ୍ୟ ପଢା ହୋଇପାରୁନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଶୀଘ୍ର ସ୍କୁଲକୁ ଶିକ୍ଷକ ଯୋଗାଇ ଦେବାକୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି।

Advertisment
studentଛାତ୍ରଛାତ୍ରୀ ପାଠପଢ଼ାଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ

ପୂର୍ବରୁ ଏହି ବିଦ୍ୟାଳୟରେ ପାଞ୍ଚ ଜଣ ଶିକ୍ଷକ ଥିଲେ। ପାଠପଢା ଠିକ୍‌ ଭାବେ ହେଉଥିଲା। ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯିବା ପରେ ଏବେ ଏଠାରେ ପାଠପଢା ଠିକ୍‌ ଭାବେ ହୋଇପାରୁନାହିଁ।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ବହୁଥର ସ୍କୁଲ ପରିଚାଳନା କମିଟି ଅଭିଯୋଗ କରିଛନ୍ତି। ମାତ୍ର ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରାଯାଉନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍କୁଲ୍ କମିଟି ଚେୟାରମେନ ଅରୁଣ ସାହୁ କହିଛନ୍ତି, ପିଲାମାନଙ୍କ ଭବିଷ୍ୟକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏଠାରେ ଆବଶ୍ୟକ ଶିକ୍ଷକ ଦିଅନ୍ତୁ। ଏପରି ଦାୟିତ୍ୱହୀନ ହୋଇ ପିଲାମାନଙ୍କ ଭବିଷ୍ୟତ ଉଜାଡ଼ି ନଦିଅନ୍ତୁ। ସେମାନଙ୍କୁ ଉତ୍ତମ ଶିକ୍ଷା ମିଳିପାରିଲେ, ଆଦିବାସୀମାନଙ୍କ ଉନ୍ନତି ହୋଇପାରିବ। ଏହା ସରକାର ବୁଝିବା ଉଚିତ୍।

ପ୍ରଧାନଶିକ୍ଷକ ଦ୍ରୋଣ ପଟେଲ କହିଛନ୍ତି, ପ୍ରତି ଶ୍ରେଣୀ ନିମନ୍ତେ ଜଣେ ଲେଖାଏଁ ଶିକ୍ଷକ ଆବଶ୍ୟକ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାମାନଙ୍କୁ ଠିକ୍‌ ଭାବେ ପାଠପଢ଼ାଇବା କଷ୍ଟ ହେଉଛି। ତେଣୁ ତୁରନ୍ତ ଏଠାରେ ଶିକ୍ଷକ ନିଯୁକ୍ତ କରାଗଲେ ଭଲ ହେବ।

ଏନେଇ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ କହିଛନ୍ତି, ବ୍ଲକ୍ ଗ୍ରାଣ୍ଟ ସ୍କୁଲ ଓ ୬୧୦ ବର୍ଗର ସ୍କୁଲରେ ଶିକ୍ଷକ ଅଭାବ ରହିଛି। ସେଠାରେ ଅଗଷ୍ଟ ପହିଲାରୁ ଅତିଥି ଶିକ୍ଷକ ଦିଆଯିବାର ବ୍ୟବସ୍ଥା କରାଯାଉଛି। ୨୦୧୭ ପରଠାରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ସମସ୍ୟା ଲାଗି ରହିଛି। ଚଳିତ ବର୍ଷ ଏହି ନିଯୁକ୍ତି ମିଳିବାର ସମ୍ଭାବନା ରହିଛି।

ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ସରକାରୀ ସ୍କୁଲରେ ଶିକ୍ଷକ ଅଭାବ ସରକାରୀ ଯୋଜନାକୁ ବାଟବଣା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସ୍ୱପ୍ନକୁ ଧୂଳିସାତ କରିଦେଉଛି। ରାଜ୍ୟ ଶିକ୍ଷା ବିଭାଗର ଉଦାସୀନତା ଯୋଗୁଁ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ହ୍ରାସ ପାଉଛି। ଏହାର ସୁଯୋଗ ନେଇ ଓଡ଼ିଶାରେ ଛତୁ ଫୁଟିବା ଭଳି ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଗଢି ଉଠିଛି। ମଧ୍ୟମ ଓ ଧନିକ ଶ୍ରେଣୀର ଅଭିଭାବକମାନେ ସରକାରୀ ସ୍କୁଲର ଏଭଳି ସ୍ଥିତି ଦେଖି ସେମାନଙ୍କ ପିଲାକୁ ଏଠାକୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନରେ ସେମାନଙ୍କ ନାମ ଲେଖାଉଛନ୍ତି ବୋଲି ଅଭିଯୋଗ ହେଉଛି।

Students Life In Danger Odisha School Failed Baragarh