Advertisment

ରୋଗୀଙ୍କୁ ଡାକ୍ତର କହିଲେ- ସମୟ ସରିଆସିଲାଣି, ଘରକୁ ପଳାଅ...

ପାଖରେ କାଣିଚାଏ ନଥିବାରୁ ବାଧ୍ୟ ହୋଇ ନିଜ ଚାଷ ଜମିକୁ ୨୦୦୦ ଟଙ୍କାରେ ବନ୍ଧା ପକାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଶଙ୍କର।

author-image
Manoranjan Sial
ଅଦ୍ୟତନ ହୋଇଛି
Keonjhar

Keonjhar

ସମୟ ସରିଆସିଲାଣି, ଘରକୁ ପଳାଅ...। ଏକ ସରକାରୀ ମେଡିକାଲ୍‌ରେ ଜଣେ ରୋଗୀଙ୍କୁ ଏପରି କହିଲେ ଡାକ୍ତର! ଯେଉଁଥିପାଇଁ ରୋଗୀଣା ଶରୀରକୁ ଧରି ଘରକୁ ଫେରିଆସିଲେ ରୋଗୀ। ଚିକିତ୍ସା ବିଜ୍ଞାନ ଉପରେ ଭରସା ତୁଟିବାରୁ ଗୁଣି ଗାରେଡି ଉପରେ ସେ କରିଛନ୍ତି ଭରସା। ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗୁଣିଆ ଡାକି ଘରେ ପୂଜା କରିଛନ୍ତି। କୁକୁଡ଼ା ବଳି ମଧ୍ୟ ଦେଇଛନ୍ତି। ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ।

Advertisment

ବରଦାପାଳ ପଞ୍ଚାୟତ ହେସଲଗୁଠ ସାହିର ଶଙ୍କର ମୁଣ୍ଡା। ପରିବାର କହିଲେ ସ୍ତ୍ରୀ ଓ ୬ ପୁଅଝିଅ। ମୂଲ ମଜୁରୀ ଲାଗି ପରିବାର ଚଳାଉଥିଲେ। ଅଭାବ ଅନଟନ ଭିତରେ ଜୀବନ ଜୀଉଁଥିଲେ ମଧ୍ୟ ମନରେ କେବେ ନଥିଲା ଦୁଃଖ। ନିଜ ରୋଜଗାରରେ ବେଶ ହସ ଖୁସିରେ ଚଳୁଥିଲେ ଶଙ୍କର। ହେଲେ ତାଙ୍କର ସେହି ହସ ଖୁସିର ସଂସାରରେ ଲାଗିଲା କାହାର ନଜର। ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଶଙ୍କର ମୁଣ୍ଡା। ଦେହ, ହାତ, ଗୋଡ଼ ସବୁ ଶୁଖିଗଲା। ପେଟ ଫୁଲିଗଲା। ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କଲେ। ଠିକ୍‌ରେ ଖାଇପିଇ ପାରିଲେ ନାହିଁ।

ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ଶଙ୍କରଙ୍କ ପତ୍ନୀ ଭାଙ୍ଗି ପଡ଼ିଲେ। ପାଖରେ କାଣିଚାଏଟିଏ ନଥିବାରୁ ବାଧ୍ୟ ହୋଇ ନିଜ ଚାଷ ଜମିକୁ ୨୦୦୦ ଟଙ୍କାରେ ବନ୍ଧା ପକାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଶଙ୍କର। ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖାଇ ଚିକିତ୍ସା ହୋଇଥିଲେ। ଦୁଇ ଦିନ ମେଡିକାଲ୍‌ରେ ରହିଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିନଥିଲା।

Advertisment
Keonjharଶଙ୍କରଙ୍କ ଯନ୍ତ୍ରଣା ନେଇ ପାରିନାହାନ୍ତି। ଅସହାୟ ପରିବାର ମାଗୁଛି ଜୀବନ ଭିକ୍ଷା।

ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ଧୈର୍ଯ୍ୟହରା ହୋଇଯାଇଥିଲେ ପତ୍ନୀ। ଡାକ୍ତରଙ୍କୁ ସ୍ୱାମୀଙ୍କ ଜୀବନ ଭିକ୍ଷା ମାଗିଥିଲେ। ହେଲେ ଚିକିତ୍ସା କରୁଥିବା ଡାକ୍ତର ଅସହାୟତା ପ୍ରକାଶ କରିଥିଲେ। ଶଙ୍କରଙ୍କ ସମୟ ସରିଆସିଲାଣି ବୋଲି କହିବା ସହ ତାଙ୍କୁ ଘରକୁ ନେଇଯିବା ପାଇଁ ଡାକ୍ତର କହିଥିବା ଅଭିଯୋଗ ହୋଇଛି। କିଛି ଉପାୟ ନପାଇ ଶଙ୍କର ନିଜର ରୋଗୀଣା ଦେହକୁ ଧରି ଘରକୁ ଫେରିଲେ। ହେଲେ ରୋଗ ଯନ୍ତ୍ରଣାରୁ କେମିତି ମୁକ୍ତି ପାଇବେ? ସେହି ଚିନ୍ତା ତାଙ୍କ ଘାରିଲା। ଶେଷରେ ମନ୍ତ୍ରତନ୍ତ୍ରର ଆଶ୍ରୟ ନେଲେ ଶଙ୍କର। ଘରେ ପୂଜା ଆୟୋଜନ କରିଥିଲେ। ଦୁଇଟି କୁକୁଡ଼ା ବଳି ଦେଇଥିଲେ। ପାଖରେ ପଇସା ନଥିବା ବେଳେ ଧାର ଉଧାର କରି ଘରେ ପୂଜା ଆୟୋଜନ କରିଥିଲେ। ହେଲେ ଶଙ୍କର ସ୍ୱାସ୍ଥ୍ୟରେ କୌଣସି ଉନ୍ନତ ହୋଇନଥିଲା। 

ସୂଚନାରୁ ପ୍ରକାଶ, ବିଜୁ ସ୍ୱାସ୍ଥ୍ୟ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ଜିଲ୍ଲା ଚିକିତ୍ସାଳୟର ଡାକ୍ତର କାହିଁକି ଶଙ୍କରଙ୍କୁ ଘରକୁ ପଠାଇ ଦେଲେ? ଯଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ନାହିଁ, ତା’ହେଲେ ଡାକ୍ତର ଚାହିଁଥିଲେ କଟକ ବଡ଼ମେଡ଼ିକାଲ୍‌ ବା ଅନ୍ୟ କୌଣସି ପ୍ରାଇଭେଟ୍‌ ମେଡ଼ିକାଲ୍‌କୁ ରେଫର କରିପାରିଥାଆନ୍ତେ। ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସେ ଚିକିତ୍ସା ହୋଇପାରିଥାଆନ୍ତେ। 

ଶଙ୍କରଙ୍କ ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି

Health Keonjhar