ଶଙ୍ଖାମେଦୀ ଗାଁ କାହାର?; ସମାଧାନ ହେଉନି ସରକାରୀ ସୀମା ବିବାଦ, ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଆ

ପଂଚାୟତ ଠାରୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଓଡିଶାର ଭୋଟର। ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସେମାନେ ହିତାଧିକାରୀ।

Sankhamedi PhotoOR

ଶଙ୍ଖାମେଦୀ

Niranjan Mishra
  • Published: Wednesday, 29 March 2023
  • Updated: 29 March 2023, 11:36 AM IST

ପଂଚାୟତ ଠାରୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନେ ଓଡିଶାର ଭୋଟର। ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସେମାନେ ହିତାଧିକାରୀ। ମାତ୍ର ରାଜସ୍ୱ ବିଭାଗ ରେକର୍ଡରେ ସେମାନେ ଓଡିଶାର ନୁହଁନ୍ତି। ସେମାନେ ପଶ୍ଚିମବଙ୍ଗର ବାସିନ୍ଦା। ପଶ୍ଚିମବଙ୍ଗ ସରକାର ୧୯୯୦ ମସିହାରୁ ନକ୍ସା ଜାରି କରି ଏହି ଗ୍ରାମକୁ ନିଜ କବ‌୍‍ଜାକୁ ନେଇ ଯାଇଛି। ଯାହା ପରେ ଏହି ଗାଁ ଭିତରେ ରହି ଅଣନିଶ୍ୱାସୀ ହୋଇପଡିଲାଣି ଓଡିଆ ଲୋକେ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଂଚାୟତ ଅନ୍ତଗର୍ତ ଏହି ଗାଁ ହେଉଛି ଶଙ୍ଖାମେଦୀ।

ଏହି ଗାଁରେ ୧୫୦ ପରିବାର ରୁହନ୍ତି। ବାସିନ୍ଦା ସଂଖ୍ୟା ୫୪୦। ମୂଳ ବାସିନ୍ଦା ଭାବରେ ୪୦୫ ଜଣ ତହସିଲ ଭୂକ୍ତ ଜାତିର ହୋଇଥିବା ବେଳେ ବହିରାଗତ ୧୩୧ ଜଣ ମୁସଲିମ ସଂପ୍ରଦାୟର। ଗାଁଟିକୁ ତିନି ଦିଗରୁ ଘେରି ରହିଛି ପଶ୍ଚିମବଙ୍ଗର ସନ୍ତେଶ୍ୱରପୁର, ପୁରୁଷୋତମପୁର ଓ ପଶ୍ଚିମ ସନ୍ତେଶ୍ୱରପୁର।

Also Read

ଗାଁର ପ୍ରବେଶ ପଥରେ ରହିଛି ୧୯୫୪ ମସିହାରେ ଓଡିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଓଡିଆ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏ ପିଲା ପାଠ ପଢ଼ନ୍ତି। ପାଠପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ ରହିଛନ୍ତି। ଓଡିଶା ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ଦୁଇ ଶିକ୍ଷକଙ୍କୁ ଦରମା ଦେଉଛନ୍ତି। ୨୦୦୮ ମସିହାରେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ଦ୍ୱିତଳ ବିଶିଷ୍ଟ କରାଯାଇଥିବା ବେଳେ ସମସ୍ତ ପିଲାଙ୍କୁ ପୋଷାକ ଓ ବହିପତ୍ର ଯୋଗାଇ ଦିଆଯାଉଛି।

Odia Schoolଓଡ଼ିଆ ସ୍କୁଲ

ସେପଟେ ଗାଁ ମଝିରେ ଥିବା କାଳିମନ୍ଦିରକୁ ଲାଗି ଓଡିଶା ସରକାରଙ୍କ ଅନୁଦାନରେ ତିଆରି ହୋଇଥିବା ଯୁବକ ସଂଘ ଘରେ ଚାଲିଛି ବଙ୍ଗଳା ବିଦ୍ୟାଳୟ। ଯେଉଁଠାରେ ୪୦ରୁ ଅଧିକ ପିଲା ପଢୁଛନ୍ତି ବଙ୍ଗଳା ପାଠ।

ହେଲେ ଓଡିଶା ସରକାର ଏଠାରୁ ଭୂ-ରାଜସ୍ୱ ଆଦାୟ କରୁନାହାନ୍ତି। ଫଳରେ ଓଡ଼ିଆ ଭୋଟରମାନଙ୍କୁ ନା ଓଡ଼ିଶା ସରକାରଙ୍କ ପକ୍ଷରୁ ପକ୍କାଘର ସୁବିଧା ମିଳୁଛି ନା ଜାତି ପ୍ରମାଣ ପତ୍ର କିମ୍ବା ବାସିନ୍ଦା ପ୍ରମାଣ ପତ୍ର। ସମବାୟ ସମିତିରୁ ଋଣ ନେଣଦେଣର ସୁବିଧା ୧୯୮୩ ମସିହା ଠାରୁ ପାଇବାରୁ ଗ୍ରାମବାସୀମାନେ ବଂଚିତ ଅଛନ୍ତି।

Bengali Schoolବେଙ୍ଗଲି ସ୍କୁଲ

ଗ୍ରାମବାସୀ ରାତନ ଜେନା, ଶତ୍ରୁଘ୍ନନ ଜେନା କହିଛନ୍ତି, ୧୯୨୨-୨୩ ଭୂ-ବନ୍ଦୋବସ୍ତ ପରେ ୧୯୮୩ ମସିହାଠାରୁ ଓଡିଶା ସରକାର ଏହି ଗାଁରୁ ରାଜସ୍ୱ ଆଦାୟ ବନ୍ଦ କରିଛନ୍ତି। ୧୯୮୨ ମସିହା ମେଜର ସେଟେଲମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଏହି ଗାଁକୁ ଓଡିଶାର ନକ୍ସା ଭୁକ୍ତ କରାଯାଇଥିଲେ ମଧ୍ୟ ୧୯୮୪ ମସିହାରେ ପଶ୍ଚମବଙ୍ଗ ସରକାର ପୁଲିସ ସହାୟତାରେ ଏହି ଗାଁକୁ କବ‌୍‍ଜା କରିଥିଲା। ଫଳତଃ ଶଙ୍ଖାମେଦୀ ଗାଁର ନକ୍ସା ଆଉ ଓଡିଶା ମାନଚିତ୍ରରେ ସାମିଲ ହୋଇପାରିନଥିଲା। ୧୯୮୯ରେ ରାଜ୍ୟରେ ମେଜର ସେଟେଲମେଣ୍ଟର କାର୍ଯ୍ୟ ଶେଷ ହୋଇଥିଲା। ୧୯୯୦ ମସିହାରେ ପଶ୍ଚିମବଙ୍ଗ ସରକାର ଶଙ୍ଖାମେଦୀ ଗାଁର ଅବିକଳ ନକ୍ସାକୁ ପଶ୍ଚିମବଙ୍ଗ ସହିତ ଯୋଡିଦେଇଥିଲେ। ଏହା ସହିତ ୬୦ ପ୍ରତିଶତ ଓଡିଶା ଭୋଟରଙ୍କୁ ପଶ୍ଚିମ ବଙ୍ଗର ଭୋଟର ହିସାବରେ ମାନ୍ୟତା ଦେଇ ଉକ୍ତ ଗାଁକୁ ପଶ୍ଚିମବଙ୍ଗର ବାଧିଆ ପଂଚାୟତ ବାଗବ୍ରଜକିଶୋରପୁର ୱାର୍ଡ ସହିତ ମିଶାଇ ଦେଇଛନ୍ତି। ତେଣୁ ଏଠାକାର ଅଧିବାସୀମାନେ ବାଧ୍ୟ ହୋଇ ପଶ୍ଚିମବଙ୍ଗ ସରକାରଙ୍କ ଶରଣରେ ପଶୁଛନ୍ତି। ଏଠାକାର ଲୋକଙ୍କୁ ରାସନ କାର୍ଡରେ ଚାଉଳ ମିଳୁଛି, ହେଲେ ଆବାସ ଯୋଜନାରେ ଘର ମିଳୁନି। ସେହିପରି ଅନେକ ସରକାରୀ ଯୋଜନାରେ ସହାୟତା ଲୋକଙ୍କୁ ମିଳୁ ନ ଥିବାରୁ ସେମାନେ ହଇରାଣ ହେଉଛନ୍ତି। ସେମାନେ କେଉଁ ରାଜ୍ୟର ସ୍ପଷ୍ଟ କରାଯାଉନାହିଁ। ସରକାର ତୁରନ୍ତ ଏହି ଗାଁ କେଉଁ ରାଜ୍ୟର ସ୍ପଷ୍ଟ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ। ଫଳରେ ଏଠାରେ ବସବାସ କରୁଥିବା ଗରିବ ଲୋକଙ୍କ ଦୁଃଖ ଦୂର ହୋଇପାରିବ।

ଏନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସନ୍ତୋଷ ଜେନା କହିଛନ୍ତି, କେବଳ ଶଙ୍ଖାମେଦୀ ନୁହେଁ ଓଡ଼ିଶାରେ ଏ ସମସ୍ୟା ଅନକ ସ୍ଥାନରେ ରହିଛି। ଯାହାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବାକୁ ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁଇ ରାଜ୍ୟ ସୀମାରେ ବସବାସ କରୁଥିବା ଲୋକେ କେଉଁ ଅଞ୍ଚଳର ତାହା ଜାଣିପାରୁନାହାନ୍ତି। ଶଙ୍ଖାମେଦୀର ଅନେକ ଲୋକ ଓଡ଼ିଶା ସରକାରଙ୍କ ଯୋଜନାର ଲାଭ ପାଉଛନ୍ତି। ମାତ୍ର ଓଡ଼ିଶାର ଲୋକ ବୋଲି ରେସିଡେନ୍ସ ସାର୍ଟିଫିକେଟ ଓ ପକ୍କାଘର ଯୋଜନା ସୁବିଧା ପାଉନାହାନ୍ତି। ଏଠାର ଓଡ଼ିଆ ପିଲାମାନେ ଓଡ଼ିଶାରେ ଚାକିରି କରିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଶଙ୍ଖାମେଦୀକୁ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗର ନଚେତ୍ ଓଡ଼ିଶାର କରାଯାଉ। ଏଠାରେ କୌଣସି ପ୍ରକାର ଦ୍ୱର୍ନ୍ଦ୍ୱ ରଖା ନ ଯାଉ।

କଂଗ୍ରେସ ନେତା ସତ୍ୟଶିବ ଦାସ କହିଛନ୍ତି, ଶଙ୍ଖାମେଦି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର। ୧୯୩୬ ମସିହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରଠାରୁ ଏହି ଗାଁ ଓଡ଼ିଶାର ଅଂଶ ହୋଇ ରହିଥିଲା। ୧୯୯୦ ମସିହା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ କରୁଥିବା ଓଡ଼ିଶା ସରକାର ହଠାତ୍ ଏଠାରୁ ରାଜସ୍ୱ ବନ୍ଦ କରିଦେଲେ। ଏହାପରେ ପଶ୍ଚିମବଙ୍ଗ ଏହାକୁ ସରକାରୀ ରେକର୍ଡରେ ତାଙ୍କର ବୋଲି କବ୍‌ଜା କରିନେଲା। ଏଥିସହ ଆଙ୍ଗୁଳାଏ ଜାଗା ଛାଡ଼ିବେନି ବୋଲି ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାର ଏଠାର ଓଡ଼ିଆ ଲୋକଙ୍କ ଭାଗ୍ୟ ଭବିଷ୍ୟକୁ ଅନିଶ୍ଚିତତା ଭିତରକୁ ଠେଲି ଦେଲେ। ତୁରନ୍ତ ଏଠାର ଓଡ଼ିଆଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉ। ଏଠାର ଲୋକେ କେଉଁ ସରକାରଙ୍କ ସବୁ ସୁବିଧା ପାଇବେ  ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଶି ତାହା ସୁନିଶ୍ଚିତ କରାନ୍ତୁ।

Sankamediଶଙ୍ଖାମେଦୀ

କେବଳ ଭୋଗରାଇ ବ୍ଲକରେ ଶଙ୍ଖାମେଦୀ ଗାଁ ନୁହେଁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ଉଦୟପୁର, ସାହାବାଜିପୁର ସହିତ ଜଳେଶ୍ୱର ବ୍ଲକର ସର୍ଦ୍ଦାର ବନ୍ଧ, ଦକ୍ଷିଣ ପ୍ରହରାଜପୁର, ମାଙ୍କିଡିଆ ଆଦି ୮୧ଟି ଗାଁର ଲୋକେ ଏବେ ସୀମା ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି।

ଭୋଗରାଇ ବ୍ଲକର ତଥ୍ୟ ଅନୁଯାଇ ଶଙ୍ଖାମେଦୀ ଗାଁକୁ ୯୦ଟି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ୨୮ ଜଣକୁ ବାର୍ଦ୍ଧକ ଭତ୍ତା, ୧୨୦ ପରିବାରକୁ ରେସନକାର୍ଡ ସହିତ ପ୍ରତି ଘରକୁ ରାଜୀବ ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି। ମାତ୍ର ସେମାନେ ବିପଦସଙ୍କୁଳ ଘରେ ରହୁଥିଲେ ହେଁ ପକ୍କାଘର ଯୋଜନାର ସୁବିଧା ପାଉନାହାନ୍ତି।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୩ ବର୍ଷ ପରେ ବି ଆନ୍ତଃରାଜ୍ୟ ସୀମା ସମସ୍ୟା ସୁଧୁରିଲା ନାହିଁ। ଆଉ ଦୁଇଦିନ ପରେ ରାଜ୍ୟ ସରକାର ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବାରୁ ଏହାର ସମୁଚିତ ସମାଧାନ କରିବାକୁ ଦାବି ହୋଇଛି।

ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ମତ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos