Nitish and Modi Photograph: (Internet)
ଦେବେନ୍ଦ୍ର ପୃଷ୍ଟି
ବିହାର ବିଧାନସଭା ନିର୍ବାଚନରୁ ଭାରତରେ ରାଜନୀତିକ ପରିବର୍ତ୍ତନ ହେବ ବୋଲି ଯେଉଁମାନେ ଆଶା ଓ ଦାବି କରୁଥିଲେ ସେମାନେ ସମସ୍ତେ ନିରାଶ ହୋଇଛନ୍ତି। ହେବା ସ୍ୱାଭାବିକ କଥା। କାରଣ ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟି ଓ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତିକ ପରାୟଜ ଆଶା କରୁଥିଲେ। ମାତ୍ର, ସେମାନଙ୍କର ସେହି ଆଶା ପୂରଣ ହୋଇନାହିଁ। ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଭୋଟ ଗଣତି ଆରମ୍ଭ ହେବା ପର୍ଯ୍ୟନ୍ତ ଦାବି କରୁଥିଲେ ତାଙ୍କ ମେଣ୍ଟ ସରକାର ଗଠନ କରିବ। ତାଙ୍କର ଏହି ଦମ୍ଭ ଭାଙ୍ଗି ଚୁରମାର ହୋଇଯାଇଛି।
ନିର୍ବାଚନ ପରିଣାମ ଅନୁଯାୟୀ ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ସର୍ବାଧିକ ୮୯, ଏହାର ସହଯୋଗୀ ସଂଯୁକ୍ତ ଜନତା ଦଳ ୮୫, ମହାଗଠବନ୍ଧନର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳ ୨୫, ଚିରାଗ ପାଶ୍ୱାନଙ୍କ ଏଲଜେପି ୧୯ଟି ଆସନରେ ବିଜୟୀ ହୋଇଛନ୍ତି। କଂଗ୍ରେସ ମାତ୍ର ୬ଟି ଆସନ ପାଇବାକୁ ସମର୍ଥ ହୋଇଛି। ଅନ୍ୟ ଦଳଗୁଡ଼ିକ ବାକି ଆସନରେ ବିଜୟୀ ହୋଇଛନ୍ତି। ଏହି ପରିଣାମ ଅନୁସାରେ ଜେଡିୟୁ ନେତା ନୀତୀଶ କୁମାର ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପ୍ରାୟ ନିଶ୍ଚିତ। କାରଣ ଏନଡିଏ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିଲା।
ଏହି ନିର୍ବାଚନର ଗୋଟିଏ ବଡ଼ ଉପଲବ୍ଧି ହେଲା, ବିହାରରେ ମହିଳା ଜାଗରଣ। ଏହି ନିର୍ବାଚନରେ ମହିଳା ଭୋଟରଙ୍କ ମଧ୍ୟରୁ ୭୧ ପ୍ରତିଶତ ଉପରେ ଭୋଟ ଦେଇଛନ୍ତି। ଏହା ତୁଳନାରେ ପୁରୁଷଙ୍କ ମତଦାତାଙ୍କ ହାର ପ୍ରାୟ ୯ ପ୍ରତିଶତ କମ, ୬୨ ପ୍ରତିଶତ। ଏହି ଅଧିକ ସଂଖ୍ୟକ ମହିଳା ହିଁ ଏନଡିଏ ବିଜୟର ପ୍ରଧାନ କାରଣ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି। ସେ ତାଙ୍କର ବିଜୟୀ ଭାଷଣରେ ମହିଳା ଭୋଟରମାନଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଅର୍ପଣ କରିଛନ୍ତି। ବିହାର ପରି ଏକ ପଛୁଆ ରାଜ୍ୟରେ ଅଧିକ ସଂଖ୍ୟକ ମହିଳା ମତଦାନ କରିବା ନିଶ୍ଚିତ ଭାବେ ଏକ ରାଜନୀତିକ ପରିବର୍ତ୍ତନର ସୂଚନା ଦିଏ। ଏହା ଶାସକ ମେଣ୍ଟକୁ ଦୁର୍ବଳ କରିବା ପରିବର୍ତ୍ତେ ସଶକ୍ତ କରିଛି। ଏଥିପାଇଁ ନିର୍ବାଚନ ସମୟରେ ମହିଳାମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବା ଏକ କାରଣ ବୋଲି କୁହାଯାଉଛି। ତେବେ, ବିହାରରେ ମଦ ନିଷେଧ ପାଇଁ ମଧ୍ୟ ଅନେକ ମହିଳା ନୀତୀଶ କୁମାରଙ୍କ ସରକାରଙ୍କ ଉପରେ ସନ୍ତୁଷ୍ଟ ଥିବା ଅନ୍ୟ ଏକ କାରଣ।
ଅନ୍ୟ ଏକ ଲକ୍ଷ୍ୟଣୀୟ ଦିଗ ହେଲା ଗତ ତିନିଟି ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ସହଯୋଗୀ ବିଜେପିର ଭୋଟହାର ବଢ଼ିଛି। ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ୧୫.୪ ପ୍ରତିଶତ ଭୋଟ ପାଇଥିବାବେଳେ ସେହି ବର୍ଷ ଲୋକସଭା ନିର୍ବାଚନରେ ବିଧାନସଭା ଅଗ୍ରଣୀ ଅନୁସାରେ ୧୮.୫ ଓ ୨୦୨୫ ବିଧାନସଭା ନିର୍ବାଚନରେ ୧୯.୩ ପ୍ରତିଶତ ଭୋଟ ପାଇଛି। ଜେଡିୟୁର ସହଯୋଗୀ ଭାରତୀୟ ଜନତା ପାର୍ଟି ଏହି ତିନିଟି ନିର୍ବାଚନରେ ଯଥାକ୍ରମେ ୧୯.୫, ୨୦.୫ ଓ ୨୦.୮ ପ୍ରତିଶତ ଭୋଟ ପାଇଛି। ଅନ୍ୟପକ୍ଷରେ ବିପକ୍ଷ ମହା ଗଠବନ୍ଧନର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳର ଭୋଟହାର ପ୍ରାୟ ଅପରିବର୍ତ୍ତିତ ରହିଛି। କିନ୍ତୁ ସହଯୋଗୀ କଂଗ୍ରେସ ଦଳର ଭୋଟହାର ପ୍ରାୟ ୧ ପ୍ରତିଶତ କମିଛି। ରାଷ୍ଟ୍ରୀୟ ଜନତା ଦଳର ଭୋଟ ହାର ଏହି ତିନିଟି ନିର୍ବାଚନରେ ୨୩.୧, ୨୨.୧ ଓ ୨୩ ପ୍ରତିଶତ ଥିଲାବେଳେ କଂଗ୍ରେସର ୯.୫, ୯.୨ ଓ ୮.୭ ପ୍ରତିଶତକୁ ଖସି ଆସିଛି। ଏହି ଦଳ ପାଇଁ ଏହା ନିଶ୍ଚୟ ଆତ୍ମସମୀକ୍ଷା କରିବାର ବିଷୟ।
୨୦୨୦ ନିର୍ବାଚନରେ ଆରଜେଡି ୨୩.୧ ଭୋଟ ହାର ପାଇଥିଲେ ମଧ୍ୟ ୭୫ଟି ବିଧାନସଭା ଆସନ ହାସଲ କରି ରାଜ୍ୟର ଏକ ନମ୍ବର ଦଳ ହୋଇଥିଲା। ଏଥର ଏହି ଦଳ ୨୩ ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ୫୦ ଆସନ ହରାଇ ୨୫କୁ ଖସି ଆସିଛି। ଗତ ନିର୍ବାଚନରେ ବିଜେପି ୧୯.୫ ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ୭୪ ଆସନ ଅକ୍ତିଆର କରିଥିଲା। ଏଥର ଏହି ଦଳ ୨୦.୮ ପ୍ରତିଶତ ଭୋଟ ପାଇ ଆସନ ସଂଖ୍ୟା ୮୯କୁ ବୃଦ୍ଧି କରିଛି। ୨୦୨୦ରେ ଜେଡିୟୁ ୧୫.୪ ପ୍ରତିଶତ ଭୋଟ ପାଇ ୪୩ ଆସନ ହାସଲ କରିଥିଲା। ଏଥର ଏହି ଦଳର ଭୋଟ ହାର ୧୯.୩ ଥିଲେ ବି ଆସନ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି। ମୋଟ ଭୋଟ ହାର ଦୃଷ୍ଟିରୁ ଶାସକ ଏନଡିଏ ମୋଟ ଭୋଟ୍ର ପ୍ରାୟ ୪୭ ପ୍ରତିଶତ ପାଇ ୨୦୨ ଆସନ ହାସଲ କରିଥିବାବେଳେ ମହା ଗଠବନ୍ଧନ ପ୍ରାୟ ୩୭ ପ୍ରତିଶତ ଭୋଟ ପାଇ ୩୫ ଆସନରେ ସୀମୀତ ରହିଛି।
ସଫଳତା ହାର ଦେଖିଲେ ବିଜେପି ସର୍ବାଧିକ ସଫଳ ଦଳ ଭାବେ ପ୍ରତିଷ୍ଠା ଲାଭ କରିଥିବାବେଳେ ଜେଡିୟୁ ଦ୍ୱିତୀୟ ସଫଳ ଦଳ ଭାବେ ପରିଣାମ ଅର୍ଜନ କରିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୦୧ ଆସନରେ ପ୍ରାର୍ଥୀ ଦେଇ ୮୮.୧ ପ୍ରତିଶତ ସଫଳ ହୋଇ ୮୯ ଆସନ ଲାଭ କରିଛି। ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେଇଥିବା ଜେଡିୟୁ ୮୪.୨ ପ୍ରତିଶତ ହାରରେ ସଫଳ ହୋଇ ୮୫ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଆରଜେଡି ୧୪୩ ଆସନରେ ପ୍ରାର୍ଥୀ ଦେଇ ୧୭.୫ ହାରରେ ୨୫ ଆସନରେ ସନ୍ତୁଷ୍ଟ ହୋଇଛି। କଂଗ୍ରେସର ସଫଳତା ହାର ୧୦ରୁ କମ। ଏହି ଦଳ ୬୧ ଆସନରେ ପ୍ରାର୍ଥୀ ଦେଇଥିଲା, ଜିତିଛି ମାତ୍ର ୬ଟି।
ଏହି ନିର୍ବାଚନରେ ଶାସକ ଏନଡିଏର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ସହିତ ଆଗୁଆ ଆସନ ବୁଝାମଣା ଓ ପ୍ରଚାର ସମନ୍ୱୟ ତଥା ସଂହତି ମଧ୍ୟ ଏକ କାରଣ ହୋଇପାରେ। ଶାସକ ମେଣ୍ଟରେ ଅନେକ ବିରୋଧାଭାସ ଥିଲା। ବିଶେଷ କରି ୨୦୨୦ ବିଧାନସଭା ନିର୍ବାଚନରେ ନୀତୀଶଙ୍କ ବିରୋଧରେ ଯାଇଁ ମେଣ୍ଟରୁ ଅଲଗା ହୋଇଯାଇଥିବା ଚିରାଗ ପାଶ୍ୱାନ ଏଥିରେ ମେଣ୍ଟରେ ରହି ନିର୍ବାଚନ ଲଢ଼ିଥିଲେ। ହାମ୍ ଓ ଆରଏଲମ ଦଳ ମଧ୍ୟ ଆସନ ବଣ୍ଟନରେ ସନ୍ତୁଷ୍ଟ ରହି ନିର୍ବାଚନ ଲଢ଼ିଲେ। ଅନ୍ୟପକ୍ଷରେ ମହା ଗଠବନ୍ଧନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପର୍ଯ୍ୟନ୍ତ ଆସନ ବଣ୍ଟନ ଅଡ଼ୁଆ ଲାଗି ରହିଥିଲା। କଂଗ୍ରେସ ଓ ଭିଆଇପି ଦଳ ଅଧିକ ଆସନ ଅଡ଼ି ବସିଥିଲେ। ଶେଷରେ ଅଡ଼ୁଆ ତୁଟିବା ସତ୍ତ୍ୱେ ୧୧ଟି ଆସନରେ ମେଣ୍ଟଭୁକ୍ତ ଦଳଗୁଡ଼ିକ ମଧ୍ୟରେ ‘ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ’ ଦେଖିବାକୁ ମିଳିଲା। ଭୋଟ ଫଳାଫଳରୁ ଜଣାପଡ଼େ ଯେ ଏହା ବନ୍ଧୁତ୍ୱପୂର୍ଣ୍ଣ ନଥିଲା, ଥିଲା ବନ୍ଧୁଦ୍ରୋହର ଯୁଦ୍ଧ। ମହାଗଠବନ୍ଧନର ଏହି ଆସନ ବଣ୍ଟ ଅଡ଼ୁଆ ଭୋଟଗ୍ରହଣ ପୂର୍ବରୁ ତୃଣମୂଳ ସ୍ତରକୁ ସଂକ୍ରମିତ ହୋଇସାରିଥିଲା। ଗାଁର କର୍ମୀମାନେ ପରସ୍ପର ସହିତ ସମନ୍ୱୟ ଓ ସଂହତି ନରଖି ଯିଏ ଯାହା ବିରୋଧରେ କାମ କରିଥିଲେ।
ମହା ଗଠବନ୍ଧନରେ ସାମିଲ ହେବାକୁ ଆସଦ୍ଦୁଦ୍ଦିନ ଓବେସୀଙ୍କ ଏଆଇଏମଆଇଏମ ଓ ହେମନ୍ତ ସୋରେନଙ୍କର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକାଧିକ ବାର ଅନୁରୋଧ କରିଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ସେମାନଙ୍କୁ ସାଙ୍ଗରେ ନେଇନଥିଲେ। ଫଳରେ ଝାଡ଼ଖଣ୍ଡ ଦଳ ନିର୍ବାଚନରେ ବିଲ୍କୁଲ୍ ଭାଗ ନେଲାନି ଓ ଏଆଇଏମଆଇଏମ ଏକଲା ଲଢ଼ି ୫ ଆସନ ଜିତିଗଲା, ତା’ଠାରୁ ଅନେକ ଆସନରେ ମୁସଲିମ ଭୋଟ ଛଡ଼େଇନେଲା। ନିର୍ବାଚନ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ଼ ଭାଇ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କରାଗଲା। ସେ ଅନ୍ୟ ଏକ ଦଳ ନାଁରେ ଅନେକ ଆସନରେ ପ୍ରାର୍ଥୀ ଦେଲେ ଓ ଆରଜେଡି ବିରୋଧରେ କାମ କଲେ। କେତେକ ଆସନରେ ଆରଜେଡି ପ୍ରାର୍ଥୀଙ୍କୁ ହରାଇବାରେ ତାହା ସହାୟକ ହେଲା।
ଫୋ- ୯୪୩୭୦୩୬୨୭୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/15/modi-and-nitish-2025-11-15-16-45-38.jpg)