Advertisment

ଅସହ୍ୟ ହେଲା ଦୁଇ ପୁଅଙ୍କ ନିର୍ଯାତନା; ୪ ଦିନ ହେଲା ଧର୍ମଶାଳାରେ

ମଦ ନିଶାରେ ବାପା ଓ ମାଆଙ୍କୁ ନାନା ନିର୍ଯାତନା ଦେଉଛନ୍ତି। ଯେଉଁ ହାତ ଧରି ବଡ଼ ହୋଇଥିଲେ ସେହି ହାତରେ ବୃଦ୍ଧ ବାପା ଓ ମାଆଙ୍କୁ ମାଡ଼ ମାରୁଥିଲେ। ଅଭଦ୍ର ଭାଷାରେ ଗାଳି ଦେଉଥିଲେ।

author-image
Manoranjan Sial
Baripada

Baripada

ଅଲୋଡ଼ା ହେଲେ ବାପା-ମାଆ! ଅସହ୍ୟ ହେଲା ଦୁଇ ପୁଅଙ୍କ ନିର୍ଯାତନା। ତେଣୁ ଯେଉଁ ସାଂସାରକୁ ନିଜ ହାଡ ଓ ମାଂସ ଦେଇ ଗଢ଼ିଥିଲେ, ଆଜି ବାର୍ଦ୍ଧକ୍ୟରେ ସେହି ଘରକୁ ଛାଡ଼ିଦେଲେ। ଦିନେ ଯେଉଁ ପୁଅମାନଙ୍କ ଆଶ୍ରାବାଡ଼ ହେବାକୁ ଚାହିଁଥିଲେ, ଆଜି ସେମାନଙ୍କଠାରୁ ଦୂରେଇ ଗଲେ। ପ୍ରାଣପ୍ରିୟାଙ୍କ ହାତ ଧରି ଘରଠାରୁ ଅନେକ ଦୂର ପଳାଇ ଆସିଲେ ଅରବିନ୍ଦ ସାହୁ। ପୁଅମାନଙ୍କ ନିର୍ଯାତନା ଯୋଗୁ ଗତ ୪ ଦିନ ହେଲା ଧର୍ମପତ୍ନୀଙ୍କ ସହ ବାରିପଦା ମହାରାଣୀ ଧର୍ମଶାଳାରେ ଜୀବନ ଅତିବାହିତ କରୁଛନ୍ତି ଅରବିନ୍ଦ ମଉସା।

Advertisment

ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବଜାରରେ ଅରବିନ୍ଦ ସାହୁଙ୍କ ଘର। ପରିବାର କହିଲେ ପତ୍ନୀ ପ୍ରେମଲତା ଓ ଦୁଇ ପୁଅ। କ୍ଷୀର ବେପାର କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ନିଜର ସ୍ୱଳ୍ପ ରୋଜଗାରରେ ଅରବିନ୍ଦ ନିଜର ଦୁଇ ପୁଅଙ୍କ ପାଠ ପଢ଼ାଇ ବଡ଼ ମଣିଷ କରିଥିଲେ। ବାହା ମଧ୍ୟ କରାଇଥିଲେ। ବାହାଘର ପରେ ଘରକୁ ଲକ୍ଷ୍ମୀ ପ୍ରତିମା ପରି ବୋହୂ ଦୁଇଟି ଆସି ଥିଲେ। ସେମାନେ ଶିକ୍ଷକତା କରୁଛନ୍ତି। ସେମାନଙ୍କ ହସରେ ଫାଟି ପଡୁଥିଲା ପରିବାର। ସେହି ହସର ସଂସାର ଭିତରେ ନିଜକୁ ହଜାଇ ଦେଉଥିଲେ ଅରବିନ୍ଦ ଓ ପ୍ରେମଲତା।

ଏବେ ବାର୍ଦ୍ଧକ୍ୟରେ ପଦାର୍ପଣ କରିଛନ୍ତି ଅରବିନ୍ଦ ଓ ପ୍ରେମଲତା। ବୟସ ୭୦ ବର୍ଷରୁ ଅଧିକ ହେବ। ରୋଗ ଯନ୍ତ୍ରଣାରେ ଜର୍ଜରିତ ଶରୀର। ଚାଲିବା ପାଇଁ ପାଦରେ ବଳ ନାହିଁ କି ଅଣ୍ଟାରେ ଶକ୍ତି ନାହିଁ। ଆଉ କ୍ଷୀର ବେପାର କରିପାରୁ ନାହାନ୍ତି। ତେଣୁ ଗାଈମାନଙ୍କୁ ବିକ୍ରି କରିଦେଲେ। ହେଲେ ଏପରି ସ୍ଥିତିରେ ପରିବାର ଚଳିବ କେମିତି? ବାପା-ମାଆଙ୍କ ବାର୍ଦ୍ଧକ୍ୟ ବେଳେ ହାତ ଛାଡ଼ିଦେଲେ ଦୁଇ ପୁଅ। ଯେଉଁ ପୁଅମାନଙ୍କୁ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଗଢ଼ିଥିଲେ ଓ ସମାଜ ଆଗରେ ଛିଡ଼ା କରାଇଥିଲେ, ସେମାନେ ଆଜି ଧୋକ୍କା ଦେଲେ।

Advertisment

ମଦ ନିଶାରେ ବାପା ଓ ମାଆଙ୍କୁ ନାନା ନିର୍ଯାତନା ଦେଉଛନ୍ତି। ଯେଉଁ ହାତ ଧରି ବଡ଼ ହୋଇଥିଲେ ସେହି ହାତରେ ବୃଦ୍ଧ ବାପା ଓ ମାଆଙ୍କୁ ମାଡ଼ ମାରୁଥିଲେ। ଅଭଦ୍ର ଭାଷାରେ ଗାଳି ଦେଉଥିଲେ। ଦୁଇ ପୁଅଙ୍କ ଏପରି ନିର୍ଯାତନା ଦେଖି ସହି ପାରୁନଥିଲେ ନିଜ ସମ୍ପର୍କୀୟ ଓ ପରିଜନ। ସେମାନେ ପ୍ରତିବାଦ କରୁଥିଲେ। ହେଲେ ଦୁଇ ଭାଇ ସେମାନଙ୍କୁ ମଦ ନିଶାରେ ଅଭଦ୍ର ଭାଷାରେ ଗାଳି ଗୁଳଜ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ନିଜ ସମ୍ପର୍କୀୟମାନେ ଅରବିନ୍ଦ ଓ ପ୍ରେମଲତାଙ୍କଠାରୁ ଦୂରେଇ ଯାଇଥିଲେ। ଏପରି ସ୍ଥିତିରେ ସେମାନେ କ’ଣ କରିବେ? ଜୀବନର ଶେଷ ସମୟରେ କେଉଁଠି ରହିବେ? ସେହି ଚିନ୍ତାରେ ପଡ଼ିଗଲେ ଅରବିନ୍ଦ ଓ ପ୍ରେମଲତା।

ବହୁ ବିଚାର ବିମର୍ଶ କରିବା ପରେ ଅରବିନ୍ଦ ନେଲେ ଚରମ ନିଷ୍ପତ୍ତି। ଯେଉଁ ସଂସାରକୁ ନିଜର ହାଡ଼ ଓ ମାଂସ ଦେଇ ଗଢ଼ିଥିଲେ, ସେହି ଘରକୁ ଛାଡ଼ିଦେବେ। ମଙ୍ଗଳବାର ସକାଳେ ପତ୍ନୀ ପ୍ରେମଲତାଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ବାହାରି ଆସିଲେ। ନଇଁ ଯାଉଥିବା ଅଣ୍ଟାକୁ ସାହାରା କରି ପତ୍ନୀଙ୍କ ହାତ ଧରି ବାରିପଦା ଟାଉନ୍‌ ଚାଲି ଆସିଲେ। ଉଭୟ ବାରିପଦା ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ଅରବିନ୍ଦଙ୍କ ଆଖି ଚେଷ୍ଟ କରାଯାଇଥିଲା। ତା’ପରେ ଉଭୟ ରହିବା ପାଇଁ ଏକ ବୃଦ୍ଧା ଶ୍ରମକୁ ଯାଇଥିଲେ। ହେଲେ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷ ଜାଗା ନଥିବା କହି ଫେରାଇ ଦେଇଥିଲେ।

ବୃଦ୍ଧାଶ୍ରମରୁ ଫେରିବା ପରେ ଅରବିନ୍ଦ ଓ ପ୍ରେମଲତା ମେଡ଼ିକାଲ୍‌ ବାରଣ୍ଡାରେ ଅଖିଆ ପିଆ ରାତି କଟାଇଥିଲେ। ରାତିର ଅନ୍ଧକାର ଭିତରେ ନିଜକୁ ନିଜେ ଧିକ୍କାର କରିଥିଲେ। ଆଉ ନିରୁଳାରେ ଅଶ୍ରୁ ଗଡ଼ାଇ ଥିଲେ। କୌଣସି ସୂତ୍ରରୁ ଖବର ପାଇ ନାରାୟଣ ସେବା ଅନୁଷ୍ଠାନ କର୍ମକର୍ତ୍ତାମାନେ ସେମାନଙ୍କୁ ଉଦ୍ଧାର କରି ମହାରାଣୀ ଧର୍ମଶାଳାରେ ଥଇଥାନ କରିଥିଲେ। ଗତ ୪ ଦିନ ରେ ଅରବିନ୍ଦ ଓ ପ୍ରେମଲତା ସେଠାରେ ରହୁଛନ୍ତି। ଘରକୁ କେବେ ଫେରିବେ ନାହିଁ ବୋଲି କହିଛନ୍ତି।

ଅରବିନ୍ଦ ମଉସା କହିଛନ୍ତି, କ’ଣ କରିବି କିଛି ଜାଣିନି? ବୋଧହୁଏ ପୂର୍ବ ଜନ୍ମରେ କିଛି କରିଥିଲି, ସେଥିପାଇଁ ଏବେ ଭୋଗୁଛି। ପୁଅ ହୋଇ ଯଦି ବାପା-ମାଆଙ୍କ ଉପରେ ହାତ ଉଠାଇଲେ, ତାହାହେଲେ ତାଙ୍କଠାରୁ ପାପୀ ଏ ଦୁନିଆରେ ଆଉ କେହି ନାହାନ୍ତି। ଘରକୁ ଗଲେ ଯଦି ପୁଣି ଥରେ ମାଡ଼ ଓ ଗାଳି ହେଲା? ତାହାହେଲେ ଯିବି କାହିଁକି? ମୋର ଆଉ ସେ ଘରକୁ ଯିବାର ନାହିଁ। ସବୁଦିନ ପାଇଁ ଏଠାରେ ରହିବାକୁ ଚାହୁଁଛି ଅରବିନ୍ଦ ମଉସା କହିଛନ୍ତି।

ଅରବିନ୍ଦ ଓ ପ୍ରେମଲତାଙ୍କ ଅଭିଯୋଗ ନେଇ ନିଜର ଦୁଇ ପୁଅଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada