Advertisment

ଦଶ ମାସ ହେଲା ବିଧବା ଭତ୍ତା ପାଇ ନାହାନ୍ତି ଅସହାୟ ଗୀତାମଣି

ପରବର୍ତ୍ତୀ ସମୟ ଅର୍ଥାତ ୨୦୨୩ ମସିହା ଫେବ୍ରୁଆରୀରୁ ଆଜି ପର୍ଯ୍ୟନ୍ତ ତାଙ୍କ ମିଳୁନି ଭତ୍ତା। ପ୍ରତି ମାସ ସେ ପଞ୍ଚାୟତକୁ ଯାଉଛନ୍ତି, ଖାଲି ହାତରେ ଫେରୁଥିଲେ। ଭତ୍ତା ଟଙ୍କା ଆସିନି ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଶୁଣି ଘରକୁ ଫେରି ଆସୁଥିଲେ।

author-image
Manoranjan Sial
Geeta Mani

Geeta Mani

ଦଶ ମାସ ହେଲା ବିଧବା ଭତ୍ତା ପାଇନାହାନ୍ତି ଗୀତାମଣି। ଏଥିପାଇଁ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ହେଲେ ସବୁଆଡୁ ନିରାଶ ହୋଇଛନ୍ତି। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅଞ୍ଚଳରୁ।

Advertisment

ଖଡ଼ିଆଳ ବ୍ଲକ୍‌ ସରଧାପୁର ପଞ୍ଚାୟତର ସରଧାପୁର ଗାଁରେ ବାସ କରନ୍ତି ଗୀତାମଣି ଶବର। ଦୁଇ ବର୍ଷ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଅତି ଦୟନୀୟ ଭାବରେ ଏକମାତ୍ର ପୁତ୍ର ସହ ଜୀବନ ବିତାଉଛନ୍ତି ଗୀତାମଣି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୨୦୨୨ ମସିହା ନଭେମ୍ବର ୨୩ ତାରିଖ ତାଙ୍କୁ ବିଧବା ଭତ୍ତା ମିଳିଥିଲା। ତା’ପରେ ଅର୍ଥାତ ଡିସେମ୍ୱର ଓ ଜାନୁଆରୀ ମାସରେ ତାଙ୍କୁ ବିଧବା ଭତ୍ତା ମିଳିଥିଲା। ଭତ୍ତା ବାବଦକୁ ତାଙ୍କୁ ମାସିକ ୫୦୦ ଟଙ୍କା ମିଳୁଥିଲା। ଦୁଃଖ କଷ୍ଟରେ ଚଳିଯାଉଥିଲେ ଗୀତା।

ପରବର୍ତ୍ତୀ ସମୟ ଅର୍ଥାତ ୨୦୨୩ ମସିହା ଫେବ୍ରୁଆରୀରୁ ଆଜି ପର୍ଯ୍ୟନ୍ତ ତାଙ୍କ ମିଳୁନି ଭତ୍ତା। ପ୍ରତି ମାସ ସେ ପଞ୍ଚାୟତକୁ ଯାଉଛନ୍ତି, ଖାଲି ହାତରେ ଫେରୁଥିଲେ। ଭତ୍ତା ଟଙ୍କା ଆସିନି ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଶୁଣି ଘରକୁ ଫେରି ଆସୁଥିଲେ। ପରେ ଏନେଇ ସେ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ସେମାନେ ଖାଲି ଫାଙ୍କା ପ୍ରତିଶ୍ରୁତି ଦେଉଥିଲେ। କେତେବେଳେ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ବୋଲି କୁହାଯାଉଥିଲା ତ ଆଉ କେତେକେବେ ତାଲିକାରେ ନାଁ ନଥିବା କୁହାଯାଉଥିଲା। ପଞ୍ଚାୟତରୁ ନିରାଶ ହୋଇ ଗୀତା ପ୍ରଶାସନିକ ଅଧିକାରୀଙ୍କ ପାଖରେ ଗୁହାରୀ କରିଥିଲେ। ହେଲେ କେହି ଶୁଣିଲେ ନାହିଁ। ୧୦ ମାସ ହେଲା ଭତ୍ତା ଟଙ୍କା ପାଇନି ବୋଲି ଗୀତା କହିଛନ୍ତି।

Advertisment

ଖଡ଼ିଆଳ ବିଡିଓ ବୀରସେନ ବେହେରା କହିଛନ୍ତି, ଏ ସମ୍ପର୍କରେ କିଛି ଜାଣିନଥିଲି। ପ୍ରଥମ ଥର ପାଇଁ ଜାଣିବାକୁ ପାଇଲି। କ’ଣ ପାଇଁ ଭତ୍ତା ଟଙ୍କା ମିଳୁନି, ପଚାରି ବୁଝିବି। ତାଙ୍କୁ ପୂର୍ବପରି କେମିତି ଭତ୍ତା ଟଙ୍କା ମିଳିବ, ସେଥିପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି।

ଅଭାବ ଅନଟନ ଭିତରେ ଜୀବନ ଅତିବାହିତ କରୁଥିବା ଗୀତାଙ୍କୁ ଆଣି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ। ତେଣୁ ଭଙ୍ଗା ଦଦରା ଘରେ କାଳାତିପାତ କରୁଛନ୍ତି। ଯେଉଁ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି। ବର୍ଷା ଦିନ କଥା ନକହିବା ଭଲ। ଦୁଃଖ କଷ୍ଟରେ ରହୁଛନ୍ତି। ମୁଣ୍ଡ ଉପରେ ଗୋଟିଏ ଛାତଘର ଯୋଗାଇଦେବାକୁ ଗୀତା ଅନୁରୋଧ କରିଛନ୍ତି।

ରିପୋର୍ଟ-ଖଡ଼ିଆଳରୁ କୁନାଲ ଚରଣ ବେହେରା

Nuapada