Advertisment

ଅସହାୟ ଭଗବାନ

କେବେ ସରକାର ତାଙ୍କ ଦୁଃଖ ବୁଝିବେ ଓ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ଘର ଖଣ୍ଡେ ଦେବେ ସେନେଇ ଚାତକ ଭଳି ଅନାଇ ବସିଛନ୍ତି ଭଗବାନ।

author-image
Tapaswini Nayak
ଅଦ୍ୟତନ ହୋଇଛି
Hata bhagya Bhagaban

Hata bhagya Bhagaban

ବୟସ ୫୪ ଛୁଇଁଲାଣି। ନିଜର ବୋଲି କେହି ନାହାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ବି ନାହିଁ। ପରିସ୍ଥିତିରେ ପଡ଼ି ୬ ବର୍ଷ ହେଲା ଗଛ ତଳେ ଏକ କୂଡ଼ିଆରେ ବିତୁଛି ତାଙ୍କ ଜୀବନ। ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୌଡ଼ ଦୌଡ଼ି ନୟାନ୍ତ ହେଲେଣି ସେ। ହେଲେ କେହି ଦୁଃଖ ଶୁଣୁ ନାହାନ୍ତି। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ଗାଁରେ ରହୁଥିବା ହତଭାଗ୍ୟ ଭଗବାନ ନାୟକଙ୍କ କଥା।

Advertisment

ବାପାମା’ ତାଙ୍କ ନାଁ  ଭଗବାନ ରଖିଥିଲେ। ହେଲେ ତାଙ୍କ ଭାଗ୍ୟରେ ଲେଖା଼ଥିଲା ଖାଲି ଦୁଃଖ। ଛୋଟ ବେଳେ ଭଗବାନଙ୍କୁ ତାଙ୍କ ବାପା ମା’ ଆଉ ଏକ ଦମ୍ପତିଙ୍କୁ ଦେଇ ଦେଇଥିଲେ। ସେଠାରେ ବଡ଼ ହୋଇଥିଲେ ସେ। ହେଲେ ସେଠି ମଧ୍ୟ ବଦଳି ନଥିଲା ଭଗବାନଙ୍କ ଭାଗ୍ୟ। ୬ ବର୍ଷ ତଳେ ସେ ସେହି ଘର ଛାଡ଼ି ଦେଇଥିଲେ। ଆଉ ଗଦାଶିଳା ଗାଁରେ ଆସି ରହିଥିଲେ। ସେବଠାରୁ ଏକ ଆମ୍ବ ଗଛ ମୂଳେ ଏକ ଭଙ୍ଗା କୁଡ଼ିଆ ପାଲଟିଛି ତାଙ୍କର ଆଶ୍ରୟସ୍ଥଳୀ।। ଚାରିଖଣ୍ଡ ବାଉଁଶ କିଛି ବସ୍ତା, ଛିଣ୍ଡା ଜରିପାଲକୁ ନେଇ ତିଆରି କରିଛନ୍ତି କୁଡ଼ିଆ। ହଠାତ୍ ଏହି କୁଡ଼ିଆକୁ ଦେଖିଲେ ସେଥିରେ ଜଣେ ମଣିଷ ରହୁଛି ବୋଲି କେହି ଭାବି ପାରିବେନି। ଶୀତ ଓ ଖରା ଦିନରେ ଭଗବାନ ଏଇଠି ଦିନ କାଟି ଦେଇଥା’ନ୍ତି। ହେଲେ ବର୍ଷା ଦିନେ ତାଙ୍କ ଦୁଃଖ ବଢ଼ିଯାଏ। ବର୍ଷା ଦିନରେ ଭଙ୍ଗା କୁଡ଼ିଆ ଘର ଛାଡି ଗାଁର କାହା ପିଣ୍ଡାରେ ଆଶ୍ରୟ ନିଅନ୍ତି। 

ଆଖପାଖ ଅଞ୍ଚଳରେ ମୂଲ ଲାଗି କରି ପେଟ ପୋଷନ୍ତି ଭଗବାନ। ବେଳେ ବେଳେ ଓଳିଏ ଖାଇ ଓଳିଏ ଉପାସ ରହନ୍ତି। ତାଙ୍କ ଦୁଃଖ ଏଥିରେ ସରିନି।ତାଙ୍କ ଶରୀର ବି ଅସୁସ୍ଥ ରହୁଛି। ଡାକ୍ତର କହିଛନ୍ତି ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। ଭଲ କରି ଗଣ୍ଡିଏ ଖାଇବାକୁ ପାଉନଥିବା ଭଗବାନ କିପରି ଅସ୍ତ୍ରୋପଚାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ଚାରି ବର୍ଷ ପୂର୍ବେ ଖାଦ୍ୟ ସୁରକ୍ଷା ଯୋଜନାରେ ଭଗବାନଙ୍କୁ ରାସନ କାର୍ଡ ଖଣ୍ଡେ ମିଳିଥିଲା। କିନ୍ତୁ ମାତ୍ର ୬ ମାସ ପର୍ଯ୍ୟନ୍ତ ଚାଉଳ ମିଳିଥିଲା। କିନ୍ତୁ ହଠାତ୍ ତାଙ୍କୁ ରାସନକାର୍ଡରେ ଆଉ ଚାଉଳ ମିଳିଲା ନାହିଁ। ଏନେଇ ସେ ଗଦାଶିଳା ସରପଞ୍ଚଙ୍କୁ ଜଣାଇଥିଲେ। ହେଲେ କିଛି ସୁଫଳ ମିଳିଲା ନାହିଁ।

ଗଦାଶିଳା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତାପ କୁମାର ସାହୁ କହିଛନ୍ତି, ଘର ଖଣ୍ଡିଏ ପାଇଁ ଭଗବାନ ଗ୍ରାମସଭାରେ ଅଭିଯୋଗ କରିଥିଲେ। ତାଙ୍କ ବିଷୟରେ ଓଡ଼ାପଡ଼ା ବିଡିଓଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ଯାଞ୍ଚ କରାଯାଇ ଭଗବାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯିବ।

ଭଗବାନ ନାୟକ କହିଛନ୍ତି, ମୋର ଘରଟିଏ ନଥିବାରୁ ହଇରାଣ ହେଉଛି। ମୋତେ ଘର ଖଣ୍ଡିଏ ମିଳିଲେ ମୁଁ ଖୁସରେ ରହିବି।

କେବେ ସାହା ହେବେ ସରକାର ଆଉ ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ମିଳିବ, ସେନେଇ ଚାତକ ଭଳି ଅନାଇ ବସିଛନ୍ତି ଭଗବାନ।

Dhenkanal Odisha Awas Pm Awas