Advertisment

ସ୍ମାର୍ଟ ସ୍କୁଲରେ ହିନ୍ଦୀ ସାର୍‌ ପଢ଼ାଉଛନ୍ତି ସଂସ୍କୃତ, ଗଣିତ, ବିଜ୍ଞାନ, ଇଂରାଜୀ...

ଗତ ଏପ୍ରିଲରେ ଏହି ବିଦ୍ୟାଳୟକୁ 5Tରେ ଅନ୍ତର୍ଭୁକ୍ତ କରାଯାଇଛି। ବିଦ୍ୟାଳୟର ଉଦ୍ୟାନଠାରୁ ଆରମ୍ଭ କରି ବିଜ୍ଞାନଗାର, ଡିଜିଟାଲ କ୍ଲାସ ରୁମ୍‌ କରାଯାଇଛି। ବାହାରୁ ଚାକଚକ୍‌ ଦେଖାଯାଉଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି।

author-image
Manoranjan Sial
School

School

ଧନ୍ୟ ଆମ ରାଜ୍ୟ ସରକାର। ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଥିବା ସ୍କୁଲକୁ 5Tରେ ରୂପାନ୍ତରିତ କଲେ। ହେଲେ ଶିକ୍ଷକ ଦେଲେନାହିଁ। ତେଣୁ ଜଣେ ଶିକ୍ଷକରେ ଚାଳିଛି ସ୍ମାର୍ଟ ସ୍କୁଲ। ଆଉ ହିନ୍ଦୀ ଶିକ୍ଷକ ପଢ଼ାଉଛନ୍ତି- ଗଣିତ, ସଂସ୍କୃତ, ସାହିତ୍ୟ, ବିଜ୍ଞାନ, ଇଂରାଜୀ, ଭୂଗୋଳ ଓ ଇତିହାସ। ଖଣିଖାଦାନ ଭରା କେନ୍ଦୁଝର ପୌରାଞ୍ଚଳରେ ଚାଲିଛି ଏମିତିକା ସ୍ମାର୍ଟ ସ୍କୁଲ୍‌।

Advertisment

୧୯୮୧ ମସିହାରେ ବଡ଼ହଳ ଗାଁରେ ପ୍ରତିଷ୍ଠା କରାଯାଇଥିଲା କଲେଜ ରୋଡ୍‌ ହାଇସ୍କୁଲ। ଚଳିତବର୍ଷରେ ନବମ ଓ ଦଶମ ଶ୍ରେଣୀରେ ମୋଟ୍‌ ୫୫ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ। ୨୮ ଦଶମ ଓ ୩୭ ଜଣ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଦଶମରେ ପଢ଼ୁଥିବା ୨୮ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ। ସେଥିରୁ ୨୭ ଜଣ ପାସ୍‌ କରିଥିଲେ। ତେବେ ନବମ ଶ୍ରେଣୀରେ ପଢ଼ୁଥିବା ୩୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଅନ୍ୟ ସ୍କୁଲରେ ଦଶମରେ ନାମ ଲେଖାଇଲେ। ଶିକ୍ଷକ ନଥିବାରୁ ପିଲାମାନେ ଅନ୍ୟ ସ୍କୁଲରେ ନାଁ ଲେଖାଇଥିବା ଜଣାପଡ଼ିଛି। ଚଳିତବର୍ଷ ଏହି ସ୍କୁଲରେ ଦଶମରେ ୨୫ ପିଲା ଓ ନବମ ଶ୍ରେଣୀରେ ୩୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ସବୁଠାରୁ ମଜା କଥା ହେଉଛି, ଗତ ଏପ୍ରିଲରେ ଏହି ବିଦ୍ୟାଳୟକୁ 5Tରେ ଅନ୍ତର୍ଭୁକ୍ତ କରାଯାଇଛି। ବିଦ୍ୟାଳୟର ଉଦ୍ୟାନଠାରୁ ଆରମ୍ଭ କରି ବିଜ୍ଞାନଗାର, ଡିଜିଟାଲ କ୍ଲାସ ରୁମ୍‌ କରାଯାଇଛି। ବାହାରୁ ଚାକଚକ୍‌ ଦେଖାଯାଉଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ୧୨ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଅଛନ୍ତି ଜଣେ ଶିକ୍ଷକ। ତାହା ପୁଣି ସେ ହିନ୍ଦୀ ଶିକ୍ଷକ। ସ୍ମାର୍ଟ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗଣିତ ଜଟିଳ ଅଙ୍କ ପଢ଼ାଉଛନ୍ତି ହିନ୍ଦୀ ଶିକ୍ଷକ। ଖାଲି ଗଣିତ ନୁହେଁ, ସଂସ୍କୃତ, ସାହିତ୍ୟ, ବିଜ୍ଞାନ, ଇଂରାଜୀ, ଭୂଗୋଳ ଓ ଇତିହାସ ମଧ୍ୟ ପଢ଼ାଉଛନ୍ତି। ଦରକାର ପଡ଼ିଲେ ହିନ୍ଦୀ ସାର୍‌ ଖେଳ ଶିକ୍ଷକଙ୍କ କାମ ମଧ୍ୟ କରୁଛନ୍ତି।

Advertisment
Studentପିଲାମାନେ ଶ୍ରେଣୀ ଗୃହରେ ବସି ପଢ଼ୁଛନ୍ତି

ଅବସର ନେଉଥିବା ଶିକ୍ଷକଙ୍କ ସ୍ଥାନରେ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଯେଉଁଥିପାଇଁ ଶିକ୍ଷକ ମରୁଡ଼ି ଦେଖାଦେଇଛି। ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲର ଏପରି ବିକଳ ଚିତ୍ର ଦେଖି ହତବାକ ହୋଇଛନ୍ତି ଅଭିଭାବକ। ନିଜ ପିଲାମାନଙ୍କୁ କାଢ଼ି ନେଇ ଅନ୍ୟ ସ୍କୁଲରେ ନାମ ଲେଖାଉଛନ୍ତି।

ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ଏହି ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ସେହି ବିଦ୍ୟାଳୟରୁ ଯେଉଁ ଶିକ୍ଷକମାନେ ଅବସର ନେଇଛନ୍ତି, ସେମାନଙ୍କ ସ୍ଥାନରେ ନୂଆ ଶିକ୍ଷକ ନିଯୁକ୍ତି ନିଆଯାଇ ନାହିଁ। ଯେଉଁଥିପାଇଁ ସମସ୍ୟା ଦେଖାଦେଉଛି। ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଏକକ ଶିକ୍ଷକ ଥିବା ହାଇସ୍କୁଲ ଗୁଡିକ ଚିହ୍ନଟ କରାଯାଉଛି। ସେହି ସ୍କୁରେ ଖୁବ୍‌ଶୀଘ୍ର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Keonjhar School Smart School 5T