/odisha-reporter/media/media_files/2026/02/22/hirod-2026-02-22-17-20-39.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ରେ ସୁନ୍ଦରଗଡ଼ର ଚାଷୀ ହିରୋଦ ପଟେଲଙ୍କ କଥା। ଆଇଟିଆଇ ପଢ଼ିବା ପରେ ଚାକିରି ପଛରେ ନଧାଇଁ ନିଜ ପୈତୃକ ଜମିରେ ଚାଷ କରି ଅ।ଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ପ୍ରାୟ ୧୦ ଏକର ଜମିରେ ସମସ୍ତ ପ୍ରକାରର ଚାଷ କରି ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ଲାଭ କରୁଛନ୍ତି ସେ। ହିରୋଦ ସ୍ୱାବଲମ୍ବୀ ହେବା ସହ କିଛି ପରିବାରକୁ ରୋଜଗାର ଦେଇଛନ୍ତି।
ଜିଲ୍ଲା ଜଳ ବିଭାଜିକା ମିଶନ ପକ୍ଷରୁ ବିଭିନ୍ନ ପ୍ରକାରର ସହାୟତା ପାଇ ଆଗେଇ ଚାଲିଛନ୍ତି ହିରୋଦ। ଆଉ ଏଥିରେ ସହଯୋଗ କରୁଛନ୍ତି ତାଙ୍କ ବାପା ଶିବଶଙ୍କର ପଟେଲ।
ନିଜର ଜମିରେ ପ୍ରଥମେ କେବଳ କିଛି ଶାଗ ଚାଷ କରୁଥିଲେ ଶିବଶଙ୍କର। ହିରୋଦ ପାଠପଢ଼ି ଆସିବା ପରେ କିଛି ତାଲିମ ନେଇ ଆରମ୍ଭ କରିଥିଲେ କଦଳୀ ଚାଷ। ପରେ ପରେ ନଡ଼ିଆ, ବରକୋଳି, ଫୁଲ, ମାଛ ଓ ଲାଉ ସହ ଅନ୍ୟାନ୍ୟ ପରିବା ଚାଷ କରୁଛନ୍ତି। ସେ ଧାନ ଚାଷ ମଧ୍ୟ କରୁଛନ୍ତି।
ପୋଖରୀରେ ମାଛ ଚାଷ କରିବା ସହିତ ତା’ଉପରେ ତାର ଜାଲି ବାନ୍ଧି ସେଥିରେ ଲାଉ ଚାଷ କରିଛନ୍ତି ହିରୋଦ। ଲାଉ ତୋଳିବା ପାଇଁ ସେ ପ୍ଲାଷ୍ଟିକ ଡ୍ରମ୍ ସାହାଯ୍ୟରେ ତିଆରି କରିଛନ୍ତି ଡଙ୍ଗା।
ହିରୋଦଙ୍କ ଚାଷ ଦେଖି ଅନେକ ଚାଷୀ ଏଠାକୁ ବୁଲିବାକୁ ଆସନ୍ତି ଓ ସେ ଚାଷ ପାଇଁ ଆପଣାଇଥିବା ପ୍ରଣାଳୀଗୁଡ଼ିକୁ ଦେଖନ୍ତି। ସରକାରୀ ସ୍ତରରେ ଅନେକ ଥର ପୁରସ୍କୃତ ହୋଇଛନ୍ତି ହିରୋଦ।
ଆଜି ପ୍ରଧାନମନ୍ତ୍ରୀଙ୍କ ମନକିବାତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହିରୋଦ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ତାଲିମ ନେବାକୁ ବିହାର ରାଜଧାନୀ ପାଟନା ଯାଇଛନ୍ତି।
ଚାଷ ପାଇଁ ପ୍ରଧାନମନ୍ତ୍ରୀ ଆଜି ଆମ ନାଁ ନେଇଛନ୍ତି। ସେଥିପାଇଁ ଆମେ ବହୁତ ଖୁସି। ଏହା ଆମକୁ ପ୍ରେରଣା ଯୋଗାଇବ ଓ ଆହୁରି ଭଲ ଚାଷ କରିବୁ ବୋଲି କହିଛନ୍ତି ହିରୋଦଙ୍କ ବାପା ଶିବଶଙ୍କର ପଟେଲ ଓ ସ୍ତ୍ରୀ ସମିତା ପଟେଲ।
ସୁନ୍ଦରଗଡ଼ରୁ ଦେବବ୍ରତଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
