/odisha-reporter/media/post_attachments/uploadimage/library/16_9/16_9_0/IMAGE_1751208137.jpg)
Car Festival
ଚଳିତ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଓ ଅନ୍ୟାନ୍ୟ ଅବ୍ୟବସ୍ଥା ଯୋଗୁ ରାଜ୍ୟର ବିଜେପି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଶରଧାବାଲିରେ ଆଜି ଭୋର ସମୟରେ ଦଳାଚକଟାରେ ୩ଜଣ ଲୋକ ପ୍ରାଣ ହରାଇବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ମୋହନ ମାଝୀ ସରକାରଙ୍କ ପ୍ରଶାସନିକ ଅପାରଗତା ଓ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷଣମୀୟ ତ୍ରୁଟି କହି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ମାଗିସାରିଛନ୍ତି । ସରକାର ମଧ୍ୟ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳ-ଏସପିଙ୍କୁ ହଟାଇବା ସହ ବରିଷ୍ଠ ଅଧିକାରୀଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ତଦନ୍ତ ନିର୍ଦ୍ଦେଶ ଦେଇ ଆଗାମୀ ଦିନରେ ଅଧିକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଙ୍କେତ ଦେଇସାରିଛନ୍ତି । ମାତ୍ର ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ବିରୋଧୀ ସନ୍ତୁଷ୍ଟ ନାହାନ୍ତି । ବିରୋଧୀ ଦଳ ଏହି ଘଟଣାରେ ମୋହନ ସରକାରଙ୍କ କଡ଼ା ସମାଲୋଚନା କରିବାରେ ଲାଗିଛି । ତେବେ ରଥଯାତ୍ରା ସମୟରେ ପୁଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାର ଅନେକ ନଜିର ରହିଛି । ବିଜେଡି ଶାସନ ସମୟରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟବେଳେ ସର୍ବାଧିକ ଠେଲାପେଲା ଓ ଦଳାଚକଟାରେ ସଂଖ୍ୟାଧିକ ଲୋକ ପ୍ରାଣ ହରାଇଥିବାବେଳେ କଂଗ୍ରେସ ଶାସନରେ ମଧ୍ୟ ଅନୁରୂପ ତ୍ରୁଟି ହୋଇସାରିଥିବା ଜଣାପଡ଼ିଛି ।
ପାରିବାପଣିଆ ଦେଖାଉଛନ୍ତି ବିରୋଧୀ
ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଯୋଗୁ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବିରୋଧୀ ବିଜେଡି, କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ସିଧାସଳଖ ମୋହନ ମାଝୀ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି । ମାତ୍ର ବିଜେଡି ଓ କଂଗ୍ରେସ ଶାସନ ସମୟରେ ବି ପୁରୀରେ ଏଭଳି ଅଭାବନୀୟ ଘଟଣାରେ ମୂଲ୍ୟବାନ ଜୀବନ ଯାଇଥିବାର ନଜିର ରହିଛି । ଯଦିଓ ଚଳିତ ରଥଯାତ୍ରାରେ ଅବ୍ୟବସ୍ଥା ଓ ୩ଜଣଙ୍କ ଜୀବନ ଯିବା ଘଟଣା ନିଶ୍ଚିତ ଭାବେ ପ୍ରଶାସନିକ ଚରମ ଅବହେଳାକୁ ସୂଚିତ କରୁଛି କିନ୍ତୁ ବିଜେଡି ଓ କଂଗ୍ରେସ ଯେଭଳି ନିଜର ପାରିବାପଣିଆ ଦେଖାଉଛନ୍ତି ସତେଯେମିତି ସେମାନଙ୍କ ଶାସନବେଳେ ପୁରୀରେ ତ୍ରୁଟିଶୂନ୍ୟ ରଥଯାତ୍ରା ସମ୍ଭବପର ହୋଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ରଥଯାତ୍ରାରେ ଅଭାବନୀୟ ଭିଡ଼ ପରିଚାଳନା ପାଇଁ ଅନେକ ଭକ୍ତ ଆହତ ହେବା ଓ ମାତ୍ର ଦିନକ ପରେ ଦଳାଚକଟାରେ ୩ଜଣ ଭକ୍ତଙ୍କ ମୃତ୍ୟୁ ହେବା ହିଁ ଏକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ଥିବା କହି ସମାଲେଚାନା କରିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ତାଙ୍କୁ ବ୍ୟଥିତ କରିଛି ଓ ଚଳିତଥର ରଥଯାତ୍ରାରେ ଏଭଳି ଅବ୍ୟବସ୍ଥା ଓ ଅଘଟଣ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନଥିବାକୁ ଦର୍ଶାଉଛି ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶରଧାବାଲିରେ ଠେଲାପେଲା କାରଣରୁ ହୋଇଥିବା ପାଇଁ ସେ ବ୍ୟକ୍ତିଗତ ଭାବେ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରୁଛନ୍ତି । ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷାରେ ଅବହେଳାର ତଦନ୍ତ କରାଯିବ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସ୍ତ କରିଛନ୍ତି । ସେହିପରି ବରିଷ୍ଠ ସାଂସଦ ତଥା ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଠେଲାପେଲାରେ ଶ୍ରଦ୍ଧାଳୁଙ୍କ ମୃତାହତ ନେଇ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରବାରକୁ ସମବେଦନା ଜଣାଇଛନ୍ତି ।
ପୁରୀରେ ଦଳାଚକଟା-ଠେଲାପେଲା
୨୦୨୫ ରଥଯାତ୍ରା: ଶରଧାବାଲି ସମ୍ମୁଖରେ ୩ମୃତ
୨୦୨୫ ମସିହା ରଥଯାତ୍ରାରେ ୩ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଅଟକିଥିବାବେଳେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଯୋଗୁ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୨୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ସହ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
୨୦୧୫ ବାହୁଡ଼ା ଯାତ୍ରା: ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୧୫ ମସିହାରେ ବାହୁଡ଼ା ଯାତ୍ରା ସମୟରେ ଭିଡ଼ ମଧ୍ୟରେ ଠେଲାପେଲା ଯୋଗୁଁ ଦୁଇ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏସ.ନାୟଡୁଙ୍କ ନେତୃତ୍ୱରେ ବିଚାରବିଭାଗୀୟ ଆୟୋଗ ଗଠନ କରାଯାଇଥିଲା । ଆୟୋଗଙ୍କ ରିପୋର୍ଟରେ ପୁଲିସ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଏବଂ ପ୍ରଶାସନିକ ଅବହେଳାକୁ ମୁଖ୍ୟ କାରଣ ଭାବେ ଚିହ୍ନଟ କରାଯାଇଥିଲା । ତତକାଳୀନ ବିଜେଡି ସରକାର ଏହି ରିପୋର୍ଟକୁ ଗ୍ରହଣ କରିଥିଲେ ।
୨୦୧୦ ରଥଯାତ୍ରା: ଜଣେ ମହିଳା ମୃତ
୨୦୧୦ ମସିହା ରଥଯାତ୍ରାରେ ଠେଲାପେଲାରେ ଅଣନିଶ୍ୱାସୀ ହୋଇ ଜଣେ ୬୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ଜଣ ଆହତ ହୋଇଥିଲେ ।
୨୦୦୮ ରଥଯାତ୍ରା: ଛଅ ଜଣଙ୍କ ମୃତ୍ୟୁ
୨୦୦୮ ମସିହା ରଥଯାତ୍ରାରେ ପହଣ୍ଡି ସମୟରେ ଠେଲାପେଲା ଓ ଦଳାଚକଟା ଯୋଗୁଁ ଛଅ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ହରାଇଥିଲେ । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ନେତୃତ୍ୱରେ ଏକ ଆୟୋଗ ଗଠନ କରାଯାଇଥିଲା । ତଦନ୍ତ ରିର୍ପୋଟରେ ପୁଲିସର ନିଷ୍କ୍ରିୟତା ଏବଂ ଭିଡ଼ ନିୟନ୍ତ୍ରଣରେ ବିଫଳତାକୁ ଦାୟୀ କରାଯାଇଥିଲା ।
୨୦୦୬ ରଥଯାତ୍ରା: ଚାରି ଜଣଙ୍କ ମୃତ୍ୟୁ
୨୦୦୬ ମସିହାରେ ରଥଯାତ୍ରା ସମୟରେ ଦଳାଚକଟା ଓ ଠେଲାପେଲା ଯୋଗୁଁ ଚାରି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଜଷ୍ଟିସ ପିକେ ମହାନ୍ତିଙ୍କ ନେତୃତ୍ୱରେ ଜଣିକିଆ ଆୟୋଗ ଗଠନ କରାଯାଇଥିଲା । ତାଙ୍କର ରିପୋର୍ଟକୁ ପ୍ରାୟ ୩ବର୍ଷ ପରେ ୨୦୦୯ ସେପ୍ଟେମ୍ବର ୧୪ରେ ତତଳୀନ ବିଜେଡି ସରକାର ଗ୍ରହଣ କରିଥିଲେ ।
୧୯୯୭ ରଥଯାତ୍ରା: ଚାରି ଜଣଙ୍କ ମୃତ୍ୟୁ
୧୯୯୭ ମସିହାରେ ରଥଯାତ୍ରା ସମୟରେ ଏକ ଠେଲାପେଲା ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ଏସ.ଏନ ପଣ୍ଡାଙ୍କ ନେତୃତ୍ୱରେ ଏକ ବିଚାରବିଭାଗୀୟ ଆୟୋଗ ଗଠନ କରାଯାଇଥିଲା । ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଯୋଗୁ ୪ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି । ।
୧୯୭୮ ରଥଯାତ୍ରା: ତିନି ଜଣଙ୍କ ମୃତ୍ୟୁ
୧୯୭୮ ମସିହାରେ ପୁରୀ ରଥଯାତ୍ରା ସମୟରେ ଦଳାଚକଟା ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
