- ସ୍ୱାଧୀନରେ ଲଢ଼ିବେ ବିଜେପି ନେତା ଦିଲୀପ ରାୟ, ନବୀନଙ୍କୁ ଦେବେ ଚକମା!
- ୨୦୦୨ରେ ନବୀନ ଇଚ୍ଛା କରି ମଧ୍ୟ ହରାଇ ପାରିନଥିଲେ ଦିଲୀପ ରାୟଙ୍କୁ!
- ଦିଲୀପଙ୍କୁ ଜିତାଇଥିଲା ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ
- ଆଉ ବିଜେପି ବିଧାୟକଙ୍କ ୨ୟ ପସନ୍ଦ ଭୋଟ୍
- ଏଥର ବିଜେପି ତରଫରୁ ମିଳିବ ପୂର୍ଣ୍ଣ ସମର୍ଥନ
- ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଅନ୍ୟ ଦଳ ବି ଦେବେ ଭୋଟ୍!
- ୨୦୦୨ରେ ମୋରିସ୍ କୁଜୁର, ଆଉ ଏବେ ଦତ୍ତେଶ୍ବର ହୋତାଙ୍କ ସହ ହେବ ଫାଇଟ୍
ଇତିହାସ ପୁଣି ଥରେ ଚାହିଁ ବସିଛି ଦିଲ୍ଲୀପ ରାୟଙ୍କୁ। ୨୦୦୨ରେ ପଥ ବହୁତ କଷ୍ଟକର ଥିଲା। ହେଲେ ଏଥର ବାଟ ପୂରା ସଫା ଥିଲା ଭଳି ଲାଗୁଛି।୨୦୦୨ରେ ଦିଲୀପ ଇଛା କରିଥିଲେ, ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ। ଏହା ଜାଣିବା ପରେ, ତାଙ୍କ ପଛରେ ନବୀନ ବାବୁ ଗୁଇନ୍ଦା ଲଗାଇ ଦେଲେ। କିନ୍ତୁ ନବୀନଙ୍କୁ ଚକମା ଦେବା ପାଇଁ, ଦିଲୀପ କୁଆଡ଼େ ଖେଳିଲେ ଏକ ଚମତ୍କାର ଚାଲ୍। କହିଲେ, ମୁଁ ଯାଉଛି କୋଲକାତା। ମୋର ନିର୍ବାଚନ ଲଢିବାର ନାହିଁ। ଏହା କହି ଟ୍ରେନରେ ଭୁବନେଶ୍ୱରରୁ ବାହାରି ପଡ଼ିଲେ। ଦିଲୀପଙ୍କ ପଛରେ ଲାଗିଥିବା ଗୁଇନ୍ଦା ଅଧିକାରୀ ଖବର ଦେଲେ ଯେ, ଦିଲୀପ ଆଉ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ଦିଲୀପ ବାଲେଶ୍ୱରରେ ଓହ୍ଲାଇ କାର୍ ଧରି ସିଧା ପହଞ୍ଚିଲେ ବିଧାନସଭାରେ। ତାଙ୍କୁ ଦେଖି ସମସ୍ତେ ଚକିତ।
ସ୍ୱାଧୀନ ବିଧାୟକ ଭାବେ ଦିଲୀପ ନାମାଙ୍କନ ପତ୍ର ଦାଖଲ କଲେ। ବିଜେପି ଓ କଂଗ୍ରେସରୁ ନେତା ରହିଲେ ତାଙ୍କ ପ୍ରସ୍ତାବକ ଓ ସମର୍ଥକ। ସେତେବେଳେ ସ୍ବାଧୀନ ବିଧାୟକ ମାନସ ମଲ୍ଲିକଙ୍କ ପୂର୍ଣ୍ଣ ସମର୍ଥନ ଥିଲା ଦିଲୀପ ରାୟଙ୍କ ସପକ୍ଷରେ। ନବୀନ ବାବୁଙ୍କ କଡ଼ା ନିର୍ଦ୍ଦେଶ, କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରୁ ପଛେ ଜିତି ଯାଆନ୍ତୁ, ହେଲେ ଦିଲୀପ ରାୟ କୌଣସି ଉପାୟରେ ନଜିତନ୍ତୁ। କିନ୍ତୁଭୋଟିଂ ହେଲା, ଜିତିଗଲେ ଦିଲୀପ ରାୟ। କୁହାଯାଉଛି, ବିଜେପି ବିଧାୟକଙ୍କ ଦ୍ୱିତୀୟ ପସନ୍ଦ ଭୋଟ୍ କୁଆଡ଼େ ମିଳିଥିଲା ଦିଲୀପଙ୍କୁ। ଖାଲି ସେତିକି ନୁହେଁ, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ମଧ୍ୟତାଙ୍କୁ ମିଳିଥିଲା। ଏପରିକି ତାରା ବାହିନୀପତି ଖୁଲମଖୁଲା ଦିଲୀପ ରାୟଙ୍କୁ ଭୋଟ ଦେଇଥିବାରୁ ତାଙ୍କୁ ଦଳରୁ କୁଆଡ଼େ ସସପେଣ୍ଡ କରାଯାଇଥିଲା। ୨୦୦୨ ମସିହାରେ ଦିଲୀପ ରାଜ୍ୟସଭା ସାଂସଦ ହୋଇ ପ୍ରଥମେ ନବୀନଙ୍କୁ ଦେଇଥିଲେ ଶକ୍ତ ଝଟକା।
୨୪ ବର୍ଷ ଶାସନ କରି ବିଦା ହୋଇଥିବା ନବୀନ ବାବୁ ପୁଣିଥରେ ୨୪ ବର୍ଷ ପରେ ସେଭଳି ଏକ ଝଟକା ଖାଇବେ ବୋଲି ଚର୍ଚ୍ଚା ହେଉଛି। ଦିଲୀପ ବର୍ତ୍ତମାନ ବିଜେପିରେ ଅଛନ୍ତି, ଆଉ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆସନ୍ତା ୫ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ। ଏହି ଦୃଷ୍ଟିରୁ ତାଙ୍କୁ ବିଜେପିର ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ଏବଂ ଦ୍ୱିତୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପରେ, ବିଜେପି ପାଖରେ ରହୁଛି ଆହୁରି ୨୨ ଖଣ୍ଡ ଭୋଟ୍। ଏହାରି ମଧ୍ୟରେ ବିଜେଡିର ୨ ଜଣ ବିଧାୟକ ଦଳରୁ ସସପେଣ୍ଡ ହୋଇଛନ୍ତି। ସେହିପରି ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ବହିଷ୍କାର କରିଥିବାରୁ, ତାଙ୍କ ପୁଅ ସୌଭିକ ବିଶ୍ୱାଳ କାହାକୁ ଭୋଟ ଦେଉଛନ୍ତି ତା ଉପରେ ନଜର ରହିଛି।
ଖାଲି ଏତିକି ନୁହେଁ, ବିଜେଡିର ସବୁ ନେତା ସଂତୃପ୍ତ ମିଶ୍ରଙ୍କ ଉପରେ ଖୁସି ନାହାଁନ୍ତି। ତେଣୁ ଦିଲୀପ ରାୟଙ୍କୁ ଭଲ ପାଉଥିବା ନେତାଙ୍କ ଭୋଟ୍ ମଧ୍ୟ ତାଙ୍କୁ ମିଳିପାରେ। ନବୀନ ଘୋଷଣା କରିଥିବା କମନ କ୍ୟାଣ୍ଡିଡେଟକୁ ନେଇ କଂଗ୍ରେସରେ ସହମତି ନାହିଁ। ଖୁଲମଖୁଲା ରମେଶ ଜେନା କହିଛନ୍ତି, ସେ ବିଜେଡି ସମୟରେ ହଇରାଣ ହୋଇଥିଲେ। ସେହିପରି ସୋଫିଆ ଫିରଦୋସ କଂଗ୍ରେସ ବୈଠକକୁ ଗଲେନାହିଁ। ଗତଥର ଦିଲୀପଙ୍କୁ ଖୁଲମଖୁଲା ଭୋଟ୍ ଦେଇଥିବା ତାରାବାହିନୀପତି, ଏଥର କାହାକୁ ଭୋଟ୍ ଦେବେ ତା ଉପରେ ନଜର। ଏପରି ଦେଖିଲେ ଦିଲୀପ ରାୟ ସଂଖ୍ୟା ଗଣିତରେ ଆରାମରେ ବାଜି ମାରିନେବେ। ଦିଲୀପ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ହୋଇଛି, ସେ ବିଜେପିର ସମର୍ଥନ ପାଉଛନ୍ତି।
ଦିଲୀପ ରାୟ ବିଜେପିରୁ ନଲଢ଼ି,ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏଥିଯୋଗୁଁ କ୍ରସ୍ ଭୋଟିଂ ହେଲେ ମଧ୍ୟ କୌଣସି ଦଳ ଏଥିରେ ନିନ୍ଦିତ ହେବେ ନାହିଁ। ମୈଦାନରେ ଦୁଇ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଥିବାରୁ, ନେତାମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେବେ।
ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/dillip-ray-2026-03-03-18-10-09.jpg)