Advertisment

ଜଗା ଦର୍ଶନ ସାରି ଫେରିବାବେଳେ ସିଝି ଯାଉଛି ପାଦ

ଶ୍ରୀମନ୍ଦିରରୁ ବାହାରୁଥିବା ଶ୍ରଦ୍ଧାଳୁ ଉତ୍ତର ଦ୍ୱାର ଦେଇ ଜଳନ୍ତା ପରିକ୍ରମା ମାର୍ଗ ପଟେ ଖାଲି ପାଦରେ ବାହାରିବାକୁ ବାଧ୍ୟ ହେଉଛନ୍ତି

author-image
Biswajit Samal
PURI

PURI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଇଏ ଆଉ ଏକ ସାଇଡ୍-ଇଫେକ୍ଟ। ଜଗା ଦର୍ଶନ ସାରି ପ୍ରସନ୍ନ ମନରେ ନୁହେଁ କିଲିବିଲା ହୋଇ ବାହାରୁଛନ୍ତି ଶ୍ରଦ୍ଧାଳୁ। ସତେ ଯେମିତି ଉତ୍ତର ଦ୍ୱାର ବାହାରେ ଅପେକ୍ଷା କରିଛି ଅଗ୍ନିପଥ। ପେଭର ରୋଡ୍ ନୁହେଁ ତ ଜଳନ୍ତା ରଡ଼ ନିଆଁ। ଯେଉଁଠି ଗୋଟିଏ ପାଦ ଥାପିଲେ ପ୍ରାଣ ଛାଡ଼ିଗଲା ଭଳି ଲାଗୁଛି। ସେଠି ଖାଲି ପାଦରେ ପାରି ହେବାକୁ ପଡ଼ୁଛି ୩ଶହରୁ ୪ ଶହ ମିଟର ବାଟ। ତେଣୁ କିଏ ଡେଇଁ ଡେଇଁ ଯାଉଛି ତ ଆଉ କିଏ ଏକା ନିଶ୍ୱାସେ ରିତିମତ୍ ଦୌଡ଼ୁଛି। ମୁଣ୍ଡ ଉପରେ ଟାଇଁ ଟାଇଁ ଖରାଠୁ ବଳିଯାଉଛି ତତଲା ରାସ୍ତାର କଷ୍ଟ। ପିଲାଠୁ ବୁଢ଼ା ପୁରୁଷ ମହିଳା। ସମସ୍ତେ ଛଟପଟ ହୋଇ ଦୌଡ଼ୁଛନ୍ତି ଟିକେ ଛାଇ ଜାଗାକୁ। କିଏ ବିକଳରେ ପାଦରେ ପାଣି ଢାଳି ପକାଉଛି ତ ଆଉ କିଏ ରାସ୍ତା ଡିଭାଇଡରରେ ଥିବା ମାଟିରେ ଚାଲି ଚାଲି ଆସୁଛି।

Advertisment

ଏବେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିଥିବା ବେଳେ ଶ୍ରୀମନ୍ଦିରରୁ ବାହାରୁଥିବା ଶ୍ରଦ୍ଧାଳୁ ଉତ୍ତର ଦ୍ୱାର ଦେଇ ଜଳନ୍ତା ପରିକ୍ରମା ମାର୍ଗ ପଟେ ଖାଲି ପାଦରେ ବାହାରିବାକୁ ବାଧ୍ୟ ହେଉଛନ୍ତି। ଅନେକଙ୍କ ପାଦରେ ଫୋଟକା ପଡ଼ିଯାଉଛି। ଅଗ୍ନିଶମ ଗାଡ଼ିରେ ପାଣି ସିଞ୍ଚନ ହେଉଥିଲେ ବି ତାହା ବିଶେଷ ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ ଅନେକ ଦୋକାନ ବଜାର ଓ ମଠଗୁଡ଼ିକ ଥିଲା। ତେଣୁ ଶ୍ରୀମନ୍ଦିରରୁ ବାହାରୁ ବାହାରୁ ସହଜରେ ଛାଇ ପାଇ ପାରୁଥିଲେ ଶ୍ରଦ୍ଧାଳୁ। ହେଲେ ଏବେ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ୁଥିବାରୁ ଏହାକୁ ପ୍ରଶାସନର ଦୂରଦୃଷ୍ଟିର ଅଭାବ ବୋଲି ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ସେ କାଠ ହ୍ୱିଲ ଚେୟାର ହେଉକି ୪ ଜଣ ୬ସ୍ୱେଚ୍ଛାସେବୀ କାନ୍ଧରେ ବୋହିବାକୁ ଥିବା କାଠ ଚେୟାର ସବୁ ବ୍ୟବସ୍ଥା ଫେଲ୍ ମାରିଛି। ଏଭଳି ସ୍ଥିତିରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଗତକାଲି ଛତିଶା ନିଯୋଗ ବୈଠକରେ ମଧ୍ୟ ଦାବି ଉଠିଥିଲା। ଅନ୍ୟପକ୍ଷରେ ଏହିସବୁ ଅସୁବିଧାକୁ ପୁରୀ SP ସ୍ୱୀକାର କରିବା ସହ ଆଗକୁ ବ୍ୟାପକ ବ୍ୟବସ୍ଥା ହେବ ବୋଲି କହିଛନ୍ତି।

Advertisment
Puri Shreemandir Puri