Advertisment

ଏନଡିଏ ଫଣ୍ଡା, ଇଣ୍ଡିଆ ହୁଣ୍ଡା

ଅପରିପକ୍ୱ ଓ ବିଚାରହୀନ ରାଜନୀତିରେ ଏଭଳି ଘଟେ। କଥା କେଉଁ ମାରଗରେ ଗଲା, ଖଜୁରୀ ଗଛକୁ ଚଡ଼କ ମାରିଲା ତାଳ ଗଛ ପୋଡ଼ିଗଲା ଭଳି ଘଟଣା ପୋଖତ ରାଜନେତାମାନଙ୍କର ଥଳିରେ ଭର୍ତ୍ତି ଥାଏ। ତାହା ଏହିଭଳି ଘଟେ। ସରକାର ଜାଣିଛନ୍ତି ତାଙ୍କ ବିଲ୍‌ ପାଶ୍‌ ହେବ ନାହିଁ। ତଥାପି କେବଳ ବିପକ୍ଷର ପୋଷାକ ଉତାରିବା ପାଇଁ ଏହା ଆଗତ ହେଲା ଓ ଜେପିସିକୁ ଗଲା।

Parliament House

Parliament House

Advertisment

ଦେବେନ୍ଦ୍ର ପୃଷ୍ଟି

ଗତକାଲି ସନ୍ଧ୍ୟାର କଥା। ମୋର କେଇ ଜଣ ବନ୍ଧୁଙ୍କ ସହିତ ଚା’ ପିଉ ପିଉ ମନ୍ତ୍ରୀମାନେ ଜେଲ୍‌ ଗଲେ ପଦ ହରାଇବା ବିଲ୍‌ ସଂପର୍କରେ କଥା ହେଉଥାଉ। ବନ୍ଧୁ କହିଲେ, କଂଗ୍ରେସିଆ ଓ ଇଣ୍ଡିଆ ମେଣ୍ଟ ସତରେ ନୀତିହୀନ। ସେମାନେ ଜାତୀୟ ରାଜନୀତିରୁ ଦୁର୍ନୀତି ଓ ଅପରାଧ ହଟେଇବାକୁ ଚାହାନ୍ତି ନାହିଁ।

Advertisment

ମୁଁ ପଚାରିଲି, କେମିତି?

ସେ ସଙ୍ଗେସଙ୍ଗେ କହିଲେ, ଦେଖୁନ! ମୋଦି ପାର୍ଲାମେଣ୍ଟରେ ଗୋଟେ ଭଲ ବିଲ୍‌ ଆଣିଥିଲା, ତାକୁ କି ଅଶୋଭନୀୟ ଢଙ୍ଗରେ ଚିରିଦେଲେ!

ସେଇଠୁ ମୁଁ କଥାଟା ଟିକେ ଠଉରେଇଲି। ବନ୍ଧୁଙ୍କୁ କହିଲି, ହେଲା ଯେ, ତେବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ କିଏ ଗିରଫ କରିବ ଆମେ ଜାଣିଗଲେଣି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ କିଏ ଗିରଫ କରିବ?

Advertisment

ସେ କହିଲେ, ସିବିଆଇ।

ମୁଁ କହିଲି, ସିବିଆଇ ପରା ତାଙ୍କରି ଅଧୀନରେ କାମ କରେ!

ସେ କହିଲେ, କୋର୍ଟ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଧା ହେବେ।

ମୁଁ ପଚାରିଲି, କୋର୍ଟରେ କିଏ କେସ୍‌ କରିବେ?

ସେ କହିଲେ, ଇଡି-ସିବିଆଇ ପରା ଏତେ କେସ୍‌ କରୁଛନ୍ତି!

ମୁଁ କହିଲି, ଯେଉଁ ସରକାର ସେମାନଙ୍କୁ ପରିଚାଳନା କରେ ସେଇ ସରକାରର ମୁଖିଆଙ୍କ ବିରୋଧରେ ସେମାନେ ଯାଇପାରିବେ! ଏ ଦମ୍‌ ସେମାନଙ୍କର ଅଛି?

ସେ ସେଇଠୁ ଟିକେ ନରମିଲେ, ଆଉ କହିଲେ, ତେବେ ତମେ କ’ଣ ଭାବୁଛ, ବିରୋଧୀ ଯାହା କହୁଛନ୍ତି ସବୁ ଠିକ? କେବଳ ବିପକ୍ଷ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ବାନ୍ଧି ପଦରୁ ହଟେଇବାକୁ ସରକାର ଏମିତି ଏକ ବିଲ୍‌ ଆଣିଛନ୍ତି?

ମୁଁ କହିଲି, ନା। ସରକାରଙ୍କର ଲକ୍ଷ୍ୟ ସେଇଆ ହୋଇପାରେ। କିନ୍ତୁ ଏ ବିଲ୍‌ ଆଗତ କରିବା ପଛରେ ଠିକ ସେଇ ଉଦ୍ଦେଶ୍ୟ ନାହିଁ।

ସେ ଭକୁଆ ଭଳି ଚାହିଁବାରୁ ମୁଁ କହିଲି, ସରକାର ବିରୋଧୀଙ୍କୁ ବାନ୍ଧିବାକୁ ଚାହାନ୍ତି, ଏହା ସତ। ସରକାର ବିରୋଧୀଙ୍କୁ ହଇରାଣ କରିବାକୁ ଚାହାନ୍ତି, ଏହା ମଧ୍ୟ ସତ। ସରକାର ଭାରତକୁ ବିପକ୍ଷମୁକ୍ତ କରିବାକୁ ଚାହାନ୍ତି, ଏହା ମଧ୍ୟ ସତ। ତେବେ, ସେଥିପାଇଁ ଏଭଳି ଏକ ବିଲ୍‌ ଆଣିବା ସହିତ ତାହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାର ପ୍ରସ୍ତାବ ଦେବାରୁ ସରକାରଙ୍କର ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିବା ମନେ ହୁଏ।

ଆମ ସହିତ ଆଉ ଦୁଇ ଜଣ ବି ଯୋଗଦେଲେ।

ଜଣେ ନୂଆ ବନ୍ଧୁ କହିଲେ, ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ କିଏ ପ୍ରସ୍ତାବ ଦେଲେ?

ଆଉ ଜଣେ କହିଲେ, ତୁ ନିଉଜ୍‌ ଦେଖିନୁ କି? ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ବିଲ୍‌ ଆଗତ କଲେ, ସେ ବି ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଲେ। ଏହାର ଅର୍ଥ କ’ଣ?

ମୁଁ କହିଲି, ସରକାର ଏ ବିଲ୍‌ ତୁରନ୍ତ ଗୃହୀତ ହେଉ ବୋଲି ଚାହୁଁ ନଥିବେ, ସେଥିପାଇଁ ସଂସଦୀୟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଥିବେ।

ଆଉ ଜଣେ କହିଲେ, ହଁ ସେଇଆ ହୋଇଥିବ।

ଆମ ଚା’ ପିଆ ସରି ଯାଇଥିଲା।

ଘରକୁ ଫେରି ମୁଁ ଏ ବିଷୟରେ ଅଧିକ ତର୍ଜମା କରିବାକୁ କିଛି ଜାତୀୟ ସ୍ତରର ୱେବସାଇଟ୍‌ ଓ ୟୁଟ୍ୟୁବ ଚାନେଲ୍‌ ବିତର୍କ ଦେଖିଲି। ଯାହା ବୁଝିଲି ତାହା ହେଲା, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ସାଂସଦମାନେ ସରକାରଙ୍କ ଚାଲ୍‌ରେ ଫସି ଯୁଦ୍ଧ ନହରାନ୍ତୁ ପଛେ ଇଜ୍ଜତ ହରେଇଲେ। ବିହାର ସଘନ ଭୋଟର ତାଲିକା ସଂଶୋଧନ ନେଇ ଶାସକ ଏନଡିଏକୁ ଭୋଟ୍‌ଚୋର ବୋଲି ସାବ୍ୟସ୍ତ କରୁଥିବା ବିପକ୍ଷ ଏହି ଗୋଟିଏ ବିଲ୍‌ ଯୋଗୁଁ ଅନୈତିକ ଓ ଅପରାଧୀ ବୋଲି ଏକ ଧାରଣା ହେଲା। ରାଜନୀତିରେ ସାଧାରଣ ଲୋକଙ୍କ ଧାରଣା ଉପରେ ଅନେକ କିଛି ନିର୍ଭର କରେ। ସେମାନେ ଯଦି ପ୍ରଚାର ଓ ବିଜ୍ଞାପନ ସହିତ ବିଭିନ୍ନ ବର୍ଣ୍ଣନା ଦେଖିଶୁଣି ଭଲକୁ ମନ୍ଦ ଓ ମନ୍ଦକୁ ଭଲ ବୋଲି ଧାରଣା କରିବେ ତେବେ ସେହି ଅନୁସାରେ ଭୋଟ୍‌ ହେବ ଓ ପରିଣାମ ମିଳିବ।

ସଂସଦର ମୌସୁମୀ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂସଦରେ ଏହି ବିଲ୍‌ ଆଗତ କଲେ। ତା’ ପୂର୍ବ ସନ୍ଧ୍ୟାରୁ ବିପକ୍ଷ ସାଂସଦମାନେ ଏହି ବିଲ୍‌ ବିରୋଧରେ ଭାଷଣବାଜୀ ଆରମ୍ଭ କରିଦେଇଥିଲେ। ବିଲ୍‌ ଚିରିବେ ଓ ହଲ୍ଲାବୋଲ୍‌ କରିବେ ବୋଲି କେହି କେହି ଘୋଷଣା କରିଥିଲେ। ସେହି ଅନୁସାରେ କାମ ବି କଲେ। ଶାହ ବିଲ୍‌ ଆଗତ କରିବା ମାତ୍ରେ ଇଣ୍ଡି ମେଣ୍ଟର ସଦସ୍ୟମାନେ ଏହା ବିରୋଧରେ ଗର୍ଜିଲେ। କେତେ ଜଣ ବିଲ୍‌ର କପି ଚିରି ଶାହଙ୍କ ଉପରକୁ ଫିଙ୍ଗିଲେ। ଏହି ବିଲ୍‌ ଜରିଆରେ ସରକାର ବିପକ୍ଷ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜେଲ୍‌ ପଠାଇବାକୁ ଚାହୁଁଛନ୍ତି, ସରକାର ଦେଶରେ ପୁଲିସରାଜ୍‌ ଚଳେଇବାର ଚେଷ୍ଟା କରୁଛନ୍ତି, ଏହା ଅସାମ୍ବିଧାନିକ, ଏ ବିଲ୍‌ ଦେଶକୁ ମଧ୍ୟଯୁଗକୁ ଫେରାଇନେବ ଭଳି ବହୁ ଅଭିଯୋଗ ହେଲା। ସେଇ ହଟ୍ଟଗୋଳ ଭିତରେ ଶାହ ବିଲ୍‌କୁ ଅଧିକ ବିଚାର ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇଦେବାକୁ ମଧ୍ୟ ପ୍ରସ୍ତାବ ଦେଲେ। ଅଧ୍ୟକ୍ଷ ତାହା ଗ୍ରହଣ କଲେ। ଏବେ ଲୋକସଭାର ୨୧ ଜଣ ଓ ରାଜ୍ୟସଭାର ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସି ଏହା ତର୍ଜମା କରିବ। ତା’ ପରେ ତା’ର ଭାଗ୍ୟ କ’ଣ ହେବ ଏବେଠାରୁ କହିହେବ ନାହିଁ।

ତେବେ, ଗୋଟିଏ କଥା ନିଶ୍ଚିତ ଯେ ଏହି ସଂସଦରେ ବର୍ତ୍ତମାନର ଗଣିତ ଅପରିବର୍ତ୍ତିତ ରହିଲେ ଏହି ବିଲ୍‌ ଗୃହୀତ ହେବାର ସମ୍ଭାବନା ନାହିଁ। କାରଣ ଏହା ହେଉଛି ଏକ ସମ୍ବିଧାନ ସଂଶୋଧନ ବିଲ୍‌। ସଂସଦୀୟ ଭାଷାରେ ଏହାର ନାମ ହେଉଛି ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌। ଏହି ବିଲ୍‌ରେ ବ୍ୟବସ୍ଥା ଅଛି ଯେ ଭାରତୀୟ ଗଣତନ୍ତ୍ରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଲୋକପ୍ରତିନିଧିମାନେ ସେହିପରି ହେବା ଦରକାର। ସେହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ୫ ବର୍ଷର କାରାଦଣ୍ଡ ଭୋଗିବାର ବ୍ୟବସ୍ଥା ଥିବା ଏକ ଅପରାଧ ଅଭିଯୋଗରେ ଲଗାତାର ୩୦ ଦିନ ଜେଲ୍‌ରେ ରହିଲେ ତାଙ୍କୁ ପଦରୁ ବହିଷ୍କାର କରାଯିବ।

ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ ଏବଂ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ମାମଲାରୁ ଜଣାପଡ଼ିଥିଲା ଯେ ଏଭଳି ଏକ ପରିସ୍ଥିତିରେ ସଂପୃକ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ନେଇ କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ, ତେଣୁ ସରକାର ଏହି ବିଲ୍‌ ଆଗତ କରିଛନ୍ତି। ଆଗକୁ କେନ୍ଦ୍ର ସରକାର ଇଡି, ସିବିଆଇ ଆଦି କେନ୍ଦ୍ରୀୟ ସଂସ୍ଥା ଲଗାଇ ବିପକ୍ଷର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବେ ଓ ଏହି ବିଲ୍‌ ଆଇନରେ ପରିଣତ ହୋଇଥିଲେ ସେମାନଙ୍କର ପଦ ରଦ୍ଦ ହେବ। ଏହା ବିପକ୍ଷକୁ ଦୁର୍ବଳ କରିବାର ଏକ ଚକ୍ରାନ୍ତ ବୋଲି ବିପକ୍ଷ ସଦସ୍ୟମାନେ କହିଲେ। ବିପକ୍ଷ ନେତା ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏଆଇଏମଆଇମ ନେତା ଆସଦୁଦ୍ଦିନ ଓବେସୀ, ତୃଣମୂଳ କଂଗ୍ରେସର ମହୁଆ ମଇତ୍ରଙ୍କ ସେମତ ଶିବ ସେନା (ଉଦ୍ଧବ ଠାକରେ), ଏନସିପି (ଶରଦ ପାବାର) ଆଦି ବହୁ ଦଳର ସଦସ୍ୟ ଏପରି ଅଭିଯୋଗ କରି ବିଲ୍‌ ଚିରି ଫିଙ୍ଗିଲେ।

ସେମାନଙ୍କର ଏଭଳି ଆଚରଣକୁ ଶାସକ ଏନଡିଏ ମେଣ୍ଟର ନେତାମାନେ ନିନ୍ଦା କରିବା ସହିତ ବିପକ୍ଷ ନେତାମାନେ ଜାତୀୟ ରାଜନୀତିରୁ ଦୁର୍ନୀତି ଓ ଅପରାଧ ହଟେଇବାକୁ ଚାହୁଁ ନାହାନ୍ତି ବୋଲି ପାଲଟା ଅଭିଯୋଗ କଲେ। ଏଥିରେ ବିହାର, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଉଦାହରଣ ଦେଇ ରାହୁଳ ଗାନ୍ଧୀ ଯେଉଁ ଭୋଟ୍‌ଚୋରି ଅଭିଯୋଗ ଉଠାଇଥିଲେ ତାହା ଏକରକମ ମାଡ଼ ଖାଇଲା ଅଥବା କଥାଟା ‘ତୁ ତ ମୁତୁରୀ ମୁଁ ତ ମୁତୁରୀ’ ସ୍ତରକୁ ଖସି ଆସିଲା। ସରକାର ଏଇଆ ଚାହୁଁଥିଲେ। ନ୍ୟାରେଟିଭ୍‌ (ବର୍ଣ୍ଣନା) ବଦଳିଗଲା।

ବାସ୍ତବରେ ଦେଖିଲେ ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର ଉଭୟ ଗୃହରେ ପାଶ୍‌ କରିବାକୁ ଶାସକ ଏନଡିଏ ମେଣ୍ଟ ନିକଟରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ। ଏହି ବିଲ୍‌ ଜରିଆରେ ସରକାର ସମ୍ବିଧାନର ୭୫, ୧୬୪ ଓ ୨୩୯କକ ଧାରାରେ ସଂଶୋଧନ ଚାହୁଁଥିଲେ। ସମ୍ବିଧାନର ୭୫ ଧାରା ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ କଥା କହେ। ସମ୍ବିଧାନର ୧୬୪ ଧାରା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ନିଯୁକ୍ତି ଓ କାର୍ଯ୍ୟକାଳ କଥା କହେ। ସମ୍ବିଧାନର ୨୩୯କକ ଧାରା ଦିଲ୍ଲୀ ଶାସନ ସଂପର୍କୀତ କଥା କହେ।

ସମ୍ବିଧାନର ଏହିସବୁ ଧାରାରେ ସଂଶୋଧନ ପାଇଁ ସଂସଦର ଉଭୟ ଗୃହରେ ଦୁଇ ତୃତୀୟାଂଶ ସଦସ୍ୟ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏବେ ସଂସଦର ଗଣିତ ଯାହା ସେଥିରେ ବିଲ୍‌ ଗୃହୀତ ହେବା ଅସମ୍ଭବ। ଏବେ ଲୋକସଭାରେ ୫୪୨ ଜଣ ସଦସ୍ୟ ଅଛନ୍ତି। ଲୋକସଭାରେ ବିଲ୍‌ ପାଶ୍‌ ହେବା ପାଇଁ ଦରକାର ୩୬୧ ଜଣଙ୍କ ସମର୍ଥନ। ଶାସକ ଏନଡିଏ ମେଣ୍ଟ ନିକଟରେ ୨୯୩ ଓ ବିପକ୍ଷ ଇଣ୍ଡି ମେଣ୍ଟ ନିକଟରେ ୨୩୪ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ପକ୍ଷଭୁକ୍ତ ହୋଇନଥିବା ସଦସ୍ୟଙ୍କ ସଂଖ୍ୟା ହେଲା ୧୫। ତେଣୁ ଏଭଳି ସ୍ଥିତିରେ ଲୋକସଭାରେ ବିଲ୍‌ ପାଶ୍‌ ହୋଇପାରିବ ନାହିଁ। ଠିକ ସେହିପରି ରାଜ୍ୟସଭାରେ ଏବେ ୨୩୯ ଜଣ ସଦସ୍ୟ ଅଛନ୍ତି। ଗୃହରେ ଏହି ବିଲ୍‌ ପାଶ୍‌ ହେବାକୁ ୧୬୦ ସଦସ୍ୟଙ୍କ ସମର୍ଥନ ଦରକାର। ଶାସକ ଏନଡିଏ ପାଖରେ ୧୩୨ ସଦସ୍ୟ ଅଛନ୍ତି। ତେଣୁ ଏଠାରେ ମଧ୍ୟ ବିଲ୍‌ ପାଶ୍‌ ହୋଇପାରିବ ନାହିଁ।

ଏହା ସତ୍ତ୍ୱେ ମନେ କରନ୍ତୁ ବିଲ୍‌ ପାଶ୍‌ ହେଲା। ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏହା ପ୍ରତି ଅର୍ଦ୍ଧାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମର୍ଥନ ଆବଶ୍ୟକ। ଏବେ ଯେହେତୁ ଭାରତୀୟ ଜନତା ପାର୍ଟି ଓ ଏହାର ମିତ୍ର ଦଳଗୁଡ଼ିକ ଭାରତର ଅର୍ଦ୍ଧାଧିକ ରାଜ୍ୟରେ କ୍ଷମତାସୀନ ତେଣୁ ଏହି ସମର୍ଥନ ମିଳିଯିବା ସ୍ୱାଭାବିକ। କିନ୍ତୁ, ତା’ ପରେ ମାମଲା କୋର୍ଟକୁ ଯାଇପାରେ। ଯେଉଁ ମେଣ୍ଟ ବିଲ୍‌କୁ ସଂସଦରେ ବିରୋଧ କରୁଛି ସେହି ମେଣ୍ଟ ଏହା ଭାରତର ସଙ୍ଘୀୟ ବ୍ୟବସ୍ଥାର ସମାଧି ଖୋଳିବ ଅଭିଯୋଗ କରି ସୁପ୍ରିମ କୋର୍ଟ ଯାଇପାରେ। ସେଠାରେ ବିଚାର ପ୍ରକ୍ରିୟା ଦୀର୍ଘକାଳ ଚାଲିପାରେ।

ଯଦି, ଏସବୁ ହୁଏ ତେବେ, ଯେତେବେଳେ ଏନେଇ ଚର୍ଚ୍ଚା ହେବ ସେତେବେଳେ ଏଡିଏ ନେତାମାନେ ଇଣ୍ଡି ମେଣ୍ଟର ଉଦ୍ଦେଶ୍ୟ କିପରି ଖରାପ ସେ ବିଷୟରେ ଦାବି କରିବେ। ସେମାନେ ଅପରାଧୀ ଓ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେବା ପାଇଁ ଏହି ବିଲ୍‌କୁ ବିରୋଧ କରୁଛନ୍ତି ବୋଲି ଅଭିଯୋଗ କରିବେ। ଏହା ଫଳରେ ବିପକ୍ଷର ଭାବମୂର୍ତ୍ତିରେ ଆଞ୍ଚ ଆସିବାର ସମ୍ଭାବନା ଅଧିକ। ବିପକ୍ଷ ଯଦି ଏହି ବିଲ୍‌ ନଚିରି, ଏହାକୁ ସାମଗ୍ରିକ ଭାବେ ବିରୋଧ ନକରି, ଏହି ବିଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ହେଲେ କିଏ ତାଙ୍କୁ ଗିରଫ କରିବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ ତର୍କଟା ଭିନ୍ନ ପ୍ରକାର ହୋଇଥାନ୍ତା। ଏ ପ୍ରଶ୍ନ ଅବଶ୍ୟ ଓବେସୀ ଉଠେଇଥିଲେ। ତେବେ, ଏହାକୁ କଂଗ୍ରେସ ଦୋହରାଇଲା ନାହିଁ।

ଅପରିପକ୍ୱ ଓ ବିଚାରହୀନ ରାଜନୀତିରେ ଏଭଳି ଘଟେ। କଥା କେଉଁ ମାରଗରେ ଗଲା, ଖଜୁରୀ ଗଛକୁ ଚଡ଼କ ମାରିଲା ତାଳ ଗଛ ପୋଡ଼ିଗଲା ଭଳି ଘଟଣା ପୋଖତ ରାଜନେତାମାନଙ୍କର ଥଳିରେ ଭର୍ତ୍ତି ଥାଏ। ତାହା ଏହିଭଳି ଘଟେ। ସରକାର ଜାଣିଛନ୍ତି ତାଙ୍କ ବିଲ୍‌ ପାଶ୍‌ ହେବ ନାହିଁ। ତଥାପି କେବଳ ବିପକ୍ଷର ପୋଷାକ ଉତାରିବା ପାଇଁ ଏହା ଆଗତ ହେଲା ଓ ଜେପିସିକୁ ଗଲା। ବିପକ୍ଷ ଏତିକିରୁ ଅନେକ କଥା ଶିଖିବା ଦରକାର।

ଫୋ- ୯୪୩୭୦୩୬୨୭୬

Bjp Congress Rahul Gandhi Amit Shah Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe