Advertisment

କେବେ ସରିବ ପାନୀୟ ଜଳ ପ୍ରକଳ୍ପ? ହରଡଘଣାରେ ନେତା ଓ ପ୍ରଶାସକ

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ଲୋକଙ୍କ ମଧ୍ୟରେ ମାରପିଟ୍‌ ହେଉଥିବା ଦେଖିବାକୁ ମିଳୁଛି।

author-image
Manoranjan Sial
Malkangiri

Malkangiri

ଆସିଲାଣି ଗ୍ରୀଷ୍ମ ଋତୁ। ଉତ୍କଟ ହେଉଛି ପାନୀୟ ଜଳ ପ୍ରକଳ୍ପ। ହେଲେ ସରୁନି ପ୍ରକଳ୍ପ କାମ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ନିର୍ବାଚନ ଋତୁ ଆସୁଥିବାରୁ ହରଡଘଣାରେ ପଡ଼ିଛନ୍ତି ନେତା ଓ ପ୍ରଶାସକ! ପ୍ରକଳ୍ପ କାମ ସରିନଥିବାରୁ ମାଲକାନଗିରି ଜିଲ୍ଲାର ଜନତା ଗୋଟି ଗୋଟି କରି ହିସାବ ମାଗିବେ ବୋଲି ଚର୍ଚ୍ଚା ହେଉଛି।

Advertisment

କାଲିମେଳା ବ୍ଲକର ଦୁଇଟି, ମାଲକାନଗିରି ବ୍ଲକର ଗୋଟିଏ ପାନୀୟ ଜଳ ପ୍ରକଳ୍ପ କାମ ୨୦୨୨ ସେପ୍ଟେମ୍ୱର ୯ ତାରିଖରେ ସରିବା କଥା। ଇତି ମଧ୍ୟରେ ଗୋଟିଏ ବର୍ଷରୁ ଅଧିକ ସମୟ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସରି ପାରିଲା ନାହିଁ। ବର୍ତ୍ତମାନ ସୁଦ୍ଧା ମାତ୍ର ୫୯ ପ୍ରତିଶତ କାମ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି କୋରକୋଣ୍ଡା, ପଡିଆ ଓ ଚିତ୍ରକୋଣ୍ଡାର ଦୁଇଟି ଲେଖାଏଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ୱର ୯ ତାରିଖରେ ସରିବା କଥା। ଇତି ମଧ୍ୟରେ ୨୦୨୩ ଯାଇ ୨୦୨୪ ପଶିଲାଣି। ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ କାମ ସରିଲା ନାହିଁ। କେଉଁଠି ପ୍ରକଳ୍ପ କାମ ୧୭ ପ୍ରତିଶତ ସରିଛି ତ ଆଉ କାହାର କାମ ୪୭ ପ୍ରତିଶତ ହୋଇଛି।

Advertisment

ସେପଟେ କାଲିମେଳା ଦୁଇଟି, ମାଥିଲିରେ ଦୁଇଟି, ମାଲକାନଗିରିର ଦୁଇଟି ଓ ଖଇରପୁଟ ବ୍ଲକର ଗୋଟିଏ ଲେଖାଏଁ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୦ ଫେବ୍ରୁଆରୀ ୧୫ ତାରିଖରେ ସରିବା କଥା। ହେଲେ ମାତ୍ର ୧୭ ପ୍ରତିଶତ କାମ ହୋଇଛି। ପାନୀୟ ଜଳ ପ୍ରକଳ୍ପ କାମ କେବେ ସରିବ, ତାହାର ଉତ୍ତର କାହାପାଖରେ ନାହିଁ।

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏପରିକି ପାଣି ପାଇଁ ଲୋକଙ୍କ ମଧ୍ୟରେ ମାରପିଟ୍‌ ହେଉଥିବା ଦେଖିବାକୁ ମିଳୁଛି। ଏମ୍‌-୫୪ ଗାଁରେ ରହିଛି ଗୋଟିଏ ନଳକୂପ। ଅପରାହ୍ନ ୨ଟା ବେଳେ ନଳକୂପ ପାଖରେ ଅସମ୍ଭାଳ ଭିଡ। ପାଣି ନେବା ପାଇଁ ଠେଲାପେଲା ହେଉଛନ୍ତି। ଯଦି ଅପରାହ୍ନ ୨ଟା ବେଳେ ଏଭଳି ଭିଡ, ତାହାହେଲେ ସକାଳର ଚିତ୍ର କେମିତି ଥିବ?

ସବୁଠାରୁ ଦୁଃଖର ବିଷୟ ହେଉଛି, ଯେଉଁ ପାଣି ପାଇଁ ଏତେ ମାରପିଟ୍‌, ସେହି ପାଣି ପିଇବା ଉପଯୋଗୀ ନୁହେଁ। ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି। ମହିଳାମାନେ ସେହି ପାଣିକୁ କପଡାରେ ଛାଣି ପିଇବା ପାଇଁ ନେଉଛନ୍ତି। ବର୍ଷା ଓ ଶୀତ ଋତୁରେ ଯେନତେନ କରି ଲୋକେ ଚଳି ଯାଉଛନ୍ତି। ହେଲେ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଉତ୍କଟ ହେଉଛି। ବାରମ୍ୱାର ଠକାମୀରେ ଶିକାର ହେଉଥିବା ଜନତା ଏଥର ପାନେ ଦେବେ ବୋଲି ଚେତାବନୀ ଦେଲେଣି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନେତାଙ୍କଠାରୁ ପାନୀୟ ଜଳ ପ୍ରକଳ୍ପର ଉତ୍ତର ମାଗିବେ ବୋଲି ଆଲୋଚନା ହେଉଛି।

ସେପଟେ ଜଳ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରିତେଶ ସାହୁ କହିଛନ୍ତି, ୨୦୨୨ରେ ଅବଧି ସରିଯାଇଥିବା ସଂପୃକ୍ତ ଠିକାଦାରଙ୍କୁ ଆମେ ପେନାଲଟି କରିବା ସହ ତୁରନ୍ତ କାମ ସରାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଅନ୍ୟ ପ୍ରକଳ୍ପଗୁଡିକର ଡିଜାଇନ୍‌ ଆସିବା ବିଳମ୍ବ ଯୋଗୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ଯଥାଶୀଘ୍ର କାମ ଶେଷ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri