ଏହା ସ୍କୁଲ ନା ବିୟର ବାର୍‌ ?

ସମସ୍ୟା ସମ୍ପର୍କରେ ବାରମ୍ବାର ସ୍କୁଲ ପରିଚାଳନା କମିଟି ଶିକ୍ଷା ବିଭାଗ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ସମସ୍ୟା ସମାଧାନ ନିମନ୍ତେ ନେହୁରା ହୋଇଛନ୍ତି। ହେଲେ ହଁ ବୁଝିବା କହିଦେଇ ସମସ୍ତେ ଚୁପ୍।

School

ଲାଲଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Niranjan Mishra
  • Published: Saturday, 28 January 2023
  • , Updated: 28 January 2023, 06:43 PM IST

ସ୍କୁଲ ଚାରିକଡ଼ରେ ପାହାଡ଼ ଭଳି ଗଦା ହୋଇଛି ଦେଶୀ, ବିଦେଶୀ ମଦ ବୋତଲ। ଯାହା ଦେଖିବା ପରେ ସଭିଙ୍କ ଭିତରେ ଗୋଟିଏ ପ୍ରଶ୍ନ ଏହା ସ୍କୁଲ ନା ବିୟର ବାର୍‌? ଅସାମାଜିକମାନେ ଯେତେବେଳେ ଇଚ୍ଛା ସ୍କୁଲ ଭିତରକୁ ପଶି ଆସୁଛନ୍ତି। ମଦ ପିଉଛନ୍ତି ଓ ମଦ ବୋଲତ ବାଡ଼େଇ ଗୁଣ୍ଡ କରି ସ୍କୁଲ ଭିତରେ ଫୋପାଡ଼ୁଛନ୍ତି। ଏହି କାଚ ସ୍କୁଲ ପିଲାଙ୍କ ଗୋଡ଼ରେ ଗଳୁଛି। ସେମାନେ ଆହତ ହେଉଛନ୍ତି। ବଲାଙ୍ଗିର ସହର ୧ ନମ୍ବର ଓ୍ୱାର୍ଡ ଲାଲଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଭଳି ଦୃଶ୍ୟ ଏବେ ଅଭିଭାବକ ମହଲରେ ଉଦ୍‌ବେଗର ବିଷୟ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୧୯୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ଅସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ପାଠପଢ଼ା ଅବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଦୁଃଖ ଦେଉଛି।

ଏଭଳି ଦୃଶ୍ୟ ଏବେ ଅଭିଭାବକ ମହଲରେ ଉଦ୍‌ବେଗର ବିଷୟ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୧୯୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ହେଲେ ଅସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ପାଠପଢ଼ା ଅବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦୁଃଖ ଦେଉଛି।

୮ଟି ଶ୍ରେଣୀର ପାଠପଢ଼ା ନିମନ୍ତେ ଏଠାରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ବିପଦସଙ୍କୁଳ ଅବସ୍ଥାରେ ଥିବା ମାତ୍ର ୪ଟି ଶ୍ରେଣୀ ଗୃହରେ ସମସ୍ତ ବସି ପାଠପଢ଼ୁଛନ୍ତି। ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠପଢ଼ୁଥିବାରୁ ବିଶୃଙ୍ଖଳା ଦେଖା ଦେଉଛି। ତାହା ସାଙ୍ଗକୁ ଏଠାରା ଶିକ୍ଷକଙ୍କ ଅଭାବ ମଧ୍ୟ ରହିଛି। ୮ଟି ଶ୍ରେଣୀ ନିମନ୍ତେ ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୬ ଜଣ ଶିକ୍ଷକ ଅଛନ୍ତି। ଫଳରେ ଅଧିକାଂଶ ସମୟରେ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ସ୍କୁଲ୍‌ରେ ପାନୀୟଜଳ ସୁବିଧା ନ ଥିବାରୁ ପିଲାମାନେ ହଇରାଣ ହେଉଛନ୍ତି। ସେହିପରି ସ୍କୁଲ ଚାରିପାଖେ ପାଚେରୀ ନ ଥିବାରୁ ପାଠପଢ଼ା ବେଳେ ବୁଲା ଗୋରୁ ଓ କୁକୁରମାନେ ପଶି ଆସୁଛନ୍ତି। ଯାହା କୁନିକୁନି ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛି। ଅସାମାଜିକଙ୍କ ଅବାଧ ପ୍ରବେଶ ଓ ଉତ୍ପାତ ସାଙ୍ଗକୁ ବୁଲା ପ୍ରାଣୀଙ୍କ ଉତ୍ପାତ ଛାତ୍ରଛାତ୍ରୀଙ୍କ ମହଲରେ ଭୟର କାରଣ ହୋଇଛି। ସେହିପରି ପିଲାମାନଙ୍କ ଖେଳିବା ନିମନ୍ତେ ଖେଳ ପଡ଼ିଆ ସୁବିଧା ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ଖେଳ ଛୁଟି ସମୟରେ ଖେଳକୁଦ କରିପାରୁନାହାନ୍ତି। ଶ୍ରେଣୀ ଗୃହରେ ଚୁପ୍‌ ବସିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ ଉପାୟ ନାହିଁ।

ସ୍କୁଲର ଛାତ ଫାଟି ମେଲା ହୋଇଯାଇଛି।School

୧୯୭୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଏଭଳି ଦୁରବସ୍ଥା ଏବେ ସବୁରି ମହଲରେ ଉଦ୍‌ବେଗର କାରଣ ହୋଇଛି। ସମସ୍ୟା ସମ୍ପର୍କରେ ବାରମ୍ବାର ସ୍କୁଲ ପରିଚାଳନା କମିଟି ଶିକ୍ଷାର ବିଭାଗ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ସମସ୍ୟା ସମାଧାନ ନିମନ୍ତେ ନେହୁରା ହୋଇଛନ୍ତି। ହେଲେ ହଁ ବୁଝିବା କହିଦେଇ ସମସ୍ତେ ଚୁପ୍ ରହୁଛନ୍ତି। ସେପଟେ କିନ୍ତୁ ଏ ସଂର୍ପକରେ ଜାଣିବା ପରେ ଆଜି ସ୍କୁଲ ପରିଦର୍ଶନ କରିଥିଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ। ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କ ସହିତ ସେ ସମସ୍ତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

ଛାତ୍ରୀ ଜ୍ୟୋତି ପାଣ୍ଡେ କହିଛନ୍ତି, ସ୍କୁଲର ସୁରକ୍ଷା ପାଚେରୀ ନ ଥିବାରୁ ଅସାମାଜିକମାନେ ପଶି ମଦ ପିଉଛନ୍ତି ଓ ମଦ ବୋତଲ ଭାଙ୍ଗି ଚାଲି ଯାଉଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ଗୋଡ଼ରେ କାଚ ପଶୁଛି। ସେମାନେ ଆହତ ହେଉଛନ୍ତି। ସେହିପରି ବୁଲା ଗୋରୁ ଓ କୁକୁରମାନେ ପଶି ଆସୁଥିବାରୁ ପିଲାମାନେ ଆହତ ହେଉଛନ୍ତି। ଖେଳ ପଡ଼ିଆ ନ ଥିବାରୁ ଖେଳକୁଦ କରି ହେଉନି। ସ୍କୁଲର ସୁରକ୍ଷା ପାଚେରୀ କରିବା ସାଙ୍ଗକୁ ଗଛ ଲଗାଇ ଏକ ସୁନ୍ଦର ପରିବେଶ କରାଗଲେ ଏହା ଖୁବ୍ ଭଲ ହୁଅନ୍ତା। ପାନୀୟ ଉପଯୋଗୀ ପାଣିର ସୁବିଧା ନ ଥିବାରୁ ନ ଥିବାରୁ ମଧ୍ୟାହ୍ନ ଭୋଜନ ରାନ୍ଧିବାରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି। ପିଲାମାନେ ଘରୁ ବୋତଲରେ ପାଣି ଆଣି ପିଉଛନ୍ତି।

ସ୍କୁଲ ପରିଚାଳନା କମିଟି ସଭାପତି ମୋହିନୀ ସାହୁ କହିଛନ୍ତି, ଏଠାରେ ପିଇବା ପାଣି ସାଙ୍ଗକୁ ସ୍କୁଲ ପାଚେରୀ ସମସ୍ୟା ରହିଛି। ଅସାମାଜିକଙ୍କ ଉତ୍ପାତ ଯୋଗୁ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ଭଙ୍ଗା ମଦ ବୋତଲ ଛାତ୍ରଛାତ୍ରୀଙ୍କ ଗୋଡ଼ରେ ଗଳୁଛି। ଏ ବାବଦରେ ବହୁଥର ଲିଖିତ ଅଭିଯୋଗ ହୋଇଛି। ହେଲେ ସମସ୍ୟାଗୁଡ଼ିକର ସମାଧାନ କରିବା ନିମନ୍ତେ କେହିବି ଶୁଣୁ ନାହାନ୍ତି।

ପ୍ରଧାନଶିକ୍ଷକ ଗୌରୀଶଂକର ତ୍ରିପାଠୀ କହିଛନ୍ତି, ଗତ ବର୍ଷେରୁ ଅଧିକ ସମୟ ଚାକିରି କରିବା ଭିତରେ ସୁରକ୍ଷା ପାଚେରୀ ନ ଥିବା ଯୋଗୁ ପିଲାମାନଙ୍କ ସୁରକ୍ଷାରେ ଏହା ସବୁଠାରୁ ବେଶୀ ବିପଦ ସୃଷ୍ଟି କରିଥିବା ଅନୁଭବ ହୋଇଛି। ଅସାମାଜିକ ଲୋକମାନେ କେତେବେଳେ ସ୍କୁଲ ପରିସରକୁ ପଶି ଆସୁଛନ୍ତି କେତେବେଳେ ଯାଉଛନ୍ତି, କିଛି ବି ଠିକ୍‌ ଠିକଣା ରହୁନି। ସ୍କୁଲ ଚାଲିଲା ବେଳେ ମଧ୍ୟ ଅସାମାଜିକମାନେ ପଶି ଆସୁଛନ୍ତି। ମଦ୍ୟପମାନେ ସ୍କୁଲ ଭିତରେ ମଦ ପିଇ କାଚ ଭାଙ୍ଗୁ ଥିବାରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିପଦ ସୃଷ୍ଟି ହୋଇଛି। ତେଣୁ ସ୍କୁଲ ପରିସର ପ୍ରତିଦିନ ସଫେଇ କରିବାକୁ ପଡ଼ୁଛି।

ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, ସ୍କୁଲରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି। ଏନେଇ ସେ ସମସ୍ତଙ୍କ ସହ ଅଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବାକୁ ଗୁରୁତ୍ୱ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି, ମାତ୍ର ବଲାଙ୍ଗିର ସହର ଭିତରେ ଥିବା ଏହି ସ୍କୁଲର ଦୁରବସ୍ଥା ଦେଖିଲେ ଯେ କେହି ବି କହିବ କିପରି ହେଉଛି ଶିକ୍ଷା ଭିତ୍ତିଭୂମିର ବିକାଶ ! ତେବେ ଦେଖିବାର କଥା ସରକାରଙ୍କ ଆଖି ଏହି ସ୍କୁଲ ଉପରେ କେବେ ପଡ଼ିବ ଓ ପିଲାମାନଙ୍କୁ ଶିକ୍ଷାର ଅଧିକାର ଠିକ୍‌ ଭାବେ ମିଳିବ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Related story