Advertisment

ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ

ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।

author-image
Debadatta Aryashrestha
Chenab Rail Bridge

Chenab Rail Bridge

ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ। ନଦେଖିଲେ ବିଶ୍ୱାସ ହେବନି, ଦେଖିଲେ ଆଶ୍ଚର୍ଯ୍ୟଚକିତ ରହିଯିବେ। ହିମାଳୟର ଛାତି ଚିରି ନିର୍ମାଣ ହୋଇଛି ବ୍ରିଜ୍। ଯାହା କଶ୍ମୀରକୁ ସାରା ଭାରତ ସହ ଯୋଡ଼ିବ। ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ, ଯେଉଁ ବ୍ରିଜ୍ ଉପରେ ସାରା ବିଶ୍ୱର ନଜର ରହିଛି।

Advertisment

ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଚେନାବ୍ ବ୍ରିଜ। ଯେତିକି ବିଶାଳ, ସେତିକି ଚ୍ୟାଲେଞ୍ଜିଂ। ଏହାକୁ ନିର୍ମାଣ କରିବା କାଠିକର ପାଠ ଥିଲା। ଯାହାକୁ ଶବ୍ଦରେ ବଖାଣି ହେବନି, ଜଣେ ଦେଖିଲେ ହିଁ ଅନୁଭବ କରିପାରିବ ଏହାର ନିର୍ମାଣ ଓ ନିର୍ମାତାଙ୍କ ପରାକ୍ରମ ଓ ପରିଶ୍ରମକୁ। ରିଆସି ଜିଲ୍ଲାର ବକାଲ୍ ଓ କଉରି ମଧ୍ୟରେ ଥିବା ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର। ଏଥିରୁ ୫୩୦ ମିଟର ମାଟି ଉପରେ ଓ ଶେଷ ୭୮୫ ମିଟର ଚେନାବ ନଦୀ ଉପରେ ନିର୍ମାଣ ହୋଇଛି। ୧୨୦ ବର୍ଷ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

ଅତ୍ୟାଧୁନିକ ଜ୍ଞାନକୌଶଳରେ ଷ୍ଟିଲ୍ ଓ କଂକ୍ରିଟରେ ନିର୍ମାଣ ହୋଇଛି ଚେନାବ ବ୍ରିଜ୍। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ। ଭୂକମ୍ପ ଜୋନ୍-୪ରେ ଚେନାବ ବ୍ରିଜ ଅଞ୍ଚଳ ଆସୁଥିବାରୁ ସେଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ସେହିପରି ପ୍ରଳୟଙ୍କରୀ ପବନ ବହିଲେ ବି ବ୍ରିଜର କୌଣସି କ୍ଷତି ହେବ ନାହିଁ। ଏହି ବ୍ରିଜ୍ ନିର୍ମାଣରେ ଲାଗିଛି ୧୮ ବର୍ଷ। ଯେଉଁଥିରେ ଲାଗିଥିଲେ ୩୦୦ ଇଞ୍ଜିନିୟର, ୧୩ଶହରୁ ଅଧିକ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବ୍ରିଜ୍ ନିର୍ମାଣରେ ଓଡ଼ିଆ ଇଞ୍ଜିନିୟରଙ୍କ ବି ଅବଦାନ ରହିଛି। ତେବେ ବ୍ରିଜ୍ ନିର୍ମାଣ ସମୟର ଅନୁଭୂତି ଓଟିଭିରେ ବଖାଣିଥିଲେ ଓଡ଼ିଆ ପ୍ରୋଜେକ୍ଟ ଇନଚାର୍ଜ ରଶ୍ମିରଞ୍ଜନ ମଲ୍ଲିକ।

Advertisment

ଚେନାବ ଯିବା ପୂର୍ବରୁ ବାଟରେ ପଡ଼ିବ ଅଞ୍ଜି ଖଡ୍ ବ୍ରିଜ୍। କେବୁଲରେ ଝୁଲି ରହିଥିବା ଦେଶର ପ୍ରଥମ ରେଲୱେ ବ୍ରିଜ୍। କୋଲକାତା ବିଦ୍ୟାସାଗର ବ୍ରିଜ ଭଳି ଝୁଲନ୍ତା ଅବସ୍ଥାରେ ଅଞ୍ଜି ନଦୀ ଉପରେ ନିର୍ମାଣ ହୋଇଛି। କଟରାରୁ ରିଆସିକୁ ଯୋଡୁଥିବା ଏହି କେବୁଲ ଷ୍ଟେ ବ୍ରିଜ୍ ସମ୍ପୂର୍ଣ୍ଣ ତୟାର। ଆସନ୍ତା ମାସରେ ଏହାର ଟ୍ରାଏଲ୍ ହୋଇପାରେ।

ପ୍ରତିକୂଳ ପରିସ୍ଥିତିରେ ହିମାଳୟ ପାର୍ବତ୍ୟାଞ୍ଚଳର ଦୁର୍ଗମ ଅଞ୍ଚଳରେ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଇଞ୍ଜିନିୟର। ଏହି ବ୍ରିଜର ଲମ୍ବ ୭୨୫ ମିଟର। ଏଥିରୁ ୪୭୩ ମିଟର କେବଳ କେବୁଲରେ ଝୁଲି ରହିଛି। ଅଞ୍ଜି ନଦୀ ଗର୍ଭରୁ ଟାୱାର ଯାଏ ଉଚ୍ଚତା ୩୩୧ ମିଟର। ୯୬ଟି କେବୁଲରେ ଝୁଲି ରହିଛି ଏହି ବ୍ରିଜ୍। ଗୋଟିଏ କେବୁଲରେ ୧୩୦ ଟନ୍ ଲୋଡ୍ ରହିଛି। ଏହା ଭୂକଂପ ନିରୋଧୀ ଓ ଏହି ବ୍ରିଜ୍ ଉପରେ ଶହେ କିଲୋମିଟର ବେଗରେ ଟ୍ରେନ୍ ଦୌଡ଼ିପାରିବ ବୋଲି କହିଛନ୍ତି କୋଙ୍କଣ ରେଲୱେ ଡେପୁଟି ଚିଫ୍ ଇଞ୍ଜିନିୟର ସୁଜୟ କୁମାର। ତେବେ ଚେନାବ ଓ ଅଞ୍ଜି ବ୍ରିଜକୁ ସେନା ଓ ସାଧାରଣ ଯୋଗାଯୋଗ ପାଇଁ ବ୍ୟବହାର କରାଯାଉଛି। IIT, DRDOର ବୈଜ୍ଞାନିକ ଓ ଦେଶ ବିଦେଶର ବଡ଼ ବଡ଼ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଛି ବ୍ରିଜ୍।

Jammu And Kashmir Worlds Tallest Railway Bridge Chenab Bridge