Advertisment

ମହାପ୍ରଭୁଙ୍କ ପ୍ରିୟ ଶିଆଳି ଲତା; ଏହା ବିନା ହୋଇପାରେନା ରଥ ଟଣା

କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥଯାତ୍ରା ଓ ଚତୁର୍ଦ୍ଧା ବିଗ୍ରହଙ୍କ ଏହି ଅଦ୍‌ଭୂତ ଲୀଳା ବଡ଼ ରୋମାଞ୍ଚକର।

author-image
Niranjan Mishra
ଅଦ୍ୟତନ ହୋଇଛି
Ratha rope

Ratha rope

ଯେଉଁ ଗଛରେ କେହି ବାସ କରି ନ ଥିବେ ତାହାର ଛାଲି ଶ୍ରୀଜଗନ୍ନାଥ ରଥର ହୁଏ ଦଉଡ଼ି। ଏହି ଦଉଡ଼ି ଶ୍ରୀଜଗନ୍ନାଥଙ୍କ ରଥରେ ଲାଗି ଯିବା ପରେ ହୋଇଯାଏ ଦେବତା। ଏହି ଦଉଡ଼ି ବିନା ହୋଇପାରେନା ରଥଯାତ୍ରା କିମ୍ବା ରଥଭିଡ଼ା। କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥ ଯାତ୍ରା ଓ ଚତୁର୍ଦ୍ଧା ବିଗ୍ରହଙ୍କ ଏହି ଅଦ୍‌ଭୂତ ଲୀଳା ବଡ଼ ରୋମାଞ୍ଚକର। କେନ୍ଦୁଝରରେ ପୂଜା ପାଆନ୍ତି ଶ୍ରୀବଳଦେବ ଜୀଉ। ପ୍ରତିବର୍ଷ ଠାକୁରମାନେ ରଥଯାତ୍ରାରେ ବାହାରନ୍ତି। ସେମାନଙ୍କ ରଥରେ ଶିଆଳି ଲତାର ଦଉଡ଼ି ଲାଗିଥାଏ। ଭକ୍ତ ଏହାକୁ ଟାଣି ପରମ ଆନନ୍ଦ ପାଇଥାନ୍ତି।

Advertisment

ଠାକୁରଙ୍କ ସେବାରେ ଆଦିବାସୀ ଭୂୟାଁ ସମ୍ପ୍ରଦାୟ: କେନ୍ଦୁଝରରେ ରଥାଯାତ୍ରା ଆରମ୍ଭ ହେବା ଦିନଠାରୁ ହିଁ ଆଦିବାସୀ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକମାନେ ଏହି ଦଉଡ଼ି ଯୋଗାଇ ଆସୁଥିଲେ। ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକମାନେ ଏହି ଦୌଡ଼ି ଯୋଗାଇ ଆସୁଛନ୍ତି। ଅନେକ କଷ୍ଟ ସହି ସେମାନେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରନ୍ତି। ସେଥିରୁ ବକଳ ବାହାର କରି ଦଉଡ଼ି ପ୍ରସ୍ତୁତ କରି ପ୍ରଭୁଙ୍କ ପାଇଁ ସମର୍ପଣ କରନ୍ତି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ଦଅଁଳା ଗାଁର ଭୂଆଁ ସମ୍ପ୍ରଦାୟର ଲୋକେ ଏହି ଦଉଡ଼ି ପ୍ରସ୍ତୁତ କରନ୍ତି। ଏହି ଗାଁ’ର ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର। ସେମାନେ ରଥଯାତ୍ରା ଆରମ୍ଭ ଦିନ ଠାରୁ ହିଁ ଏହି ଦଉଡ଼ି ଯୋଗାଇ ଆସୁଛନ୍ତି। ଚଳିତ ରଥଯାତ୍ରାକୁ ଖୁବ୍‌ କମ୍ ଦିନ ରହି ଯାଇଥିବାରୁ, ଏହି ସମ୍ପ୍ରଦାୟର ବଡ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ଏହି ଅବସରକୁ ଅହୋଭାଗ୍ୟ ବୋଲି ଭାବି ଲାଗି ପଡ଼ିଛନ୍ତି ଦଉଡ଼ି ତିଆରି କରିବାରେ।

Advertisment
Rath rope makingଶିଆଳି ଲତାରେ ରଥ ଦଉଡ଼ି ପ୍ରସ୍ତୁତ ଚାଲିଛି

ଗନ୍ଧମାର୍ଦନ ପାହାଡ଼ରୁ ସଂଗ୍ରହ ହୁଏ ଶିଆଳି ଲତା: ଦଉଡ଼ି ତିଆରି କରୁଥିବା ବ୍ୟକ୍ତି ଭୀମସେନ ପୁହାଣ, ମାଘୁ ନାଏକ, ଚୈତନ୍ୟ ବେହେରା ଓ ଭୂୟାଁ ସର୍ଦ୍ଧାର କୁଞ୍ଚ ଦେହୁରୀ କୁହନ୍ତି, ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦନ ପାହାଡ଼ରୁ ଶିଆଳି ଲତା ସଂଗ୍ରହ କରି ଏଥିରୁ ଛେଲି ସଂଗ୍ରହ କରିଥାନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞା ମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରନ୍ତି। ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୁଏ ନାହିଁ, ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବେ, ଶିଆଳି ଲତା ଗଛ ଉପରୁ ତଳକୁ ଲମ୍ବି ଥିବ କେବଳ ସେହି ଲତାକୁ କଟାଯାଇ ସେଥିରୁ ବକଳ ବାହାର କରାଯାଏ। ଏହି ବକଳକୁ ମୋଡି ମୋଡି ଦଉଡ଼ି ନିର୍ମାଣ କରାଯାଏ। ଏହି ଦଉଡ଼ିର ଲମ୍ବ ୧୦୮ ହାତ ଥିବା ବେଳେ ମୋଟେଇ ୬ ଇଞ୍ଚ।

Siali Lataଜଙ୍ଗଲରୁ ସଂଗ୍ରହ କରୁଛନ୍ତି ଶିଆଳି ଲତାର ଛାଲି

ଶ୍ରୀକୃଷ୍ଣଙ୍କ ଅଙ୍ଗ ସ୍ପର୍ଶ ପାଇଥିଲା ଶିଆଳି ଲତା: ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁଜିତ ପଟ୍ଟନାୟକ କୁହନ୍ତି, ଏହି ଦଉଡ଼ିର ଅନେକ ବୈଶିଷ୍ଟ ରହିଛି। ଏହି ଦଉଡ଼ି ରଥରେ ଲାଗି ଗଲା ପରେ ଏହା ଦେବତା ପାଲଟି ଯାଏ। ଏହାକୁ ଛୁଇଲେ ଜନ୍ମ ଜନ୍ମାନ୍ତର ପାପ ବିନାସ ହୋଇଥାଏ। ଏହି ରଥ ଦଉଡ଼ିକୁ ନେଇ ଘରେ କିମ୍ବା ପାଖରେ ରଖିଲେ ଲୋକଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଯେଉଁ ସମୟରେ ଏହି ଦଉଡ଼ି ପ୍ରସ୍ତୁତ ହୋଇପାରିନି, ରଥ ଟଣା ମଧ୍ୟ ହୋଇପାରିନି।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଶିଆଳି ଲତାରେ ଦୋଳି ଖେଳୁଥିଲା ବେଳେ ଜରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ କାନ ଭାବି ଶର ବିଦ୍ଧ କରିଥିଲା। ଯାହାପରେ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଅବତାର ଶ୍ରୀକୃଷ୍ଣ। ତାଙ୍କ ଅଙ୍ଗ ସ୍ପର୍ଶ ପାଇ ଶିଆଳି ଲତା ଦେବ ବୃକ୍ଷ ହୋଇଯାଇଛି। ଶିଆଳି ଲତାରେ ଛୁଲୁଥିବା ବେଳେ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିବାରୁ, ଏହି ଗଛର ଛାଲିରେ ରଥ ଦଉଡ଼ି ନିର୍ମିତ ହୋଇଥାଏ। ଏହି ଦଉଡ଼ି ଲଗାଇ ରଥ ଟାଣିଲେ ଭକ୍ତଙ୍କୁ ମୁକ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

Siali Lata Chaliଶିଆଳି ଲତା ଛାଲି

ଆଦିବାସୀମାନଙ୍କୁ ରାଜାଙ୍କ ନିର୍ଦ୍ଦେଶ: ଆଦିବାସୀମାନଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇଁ କେନ୍ଦୁଝର ରାଜା ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ ସେତେବେଳ ସେମାନେ କୃଷ୍ଣଙ୍କ ସ୍ପର୍ଶ ପାଇ ଦେବବୃକ୍ଷରେ ପରିଣତ ହୋଇଥିବା ଶିଆଳି ଲତାକୁ ଦଉଡ଼ି ପ୍ରସ୍ତୁତିରେ ବ୍ୟବହାର କରିଥିଲେ। ସେବେଠାରୁ ଏହି ପରମ୍ପରା ରହି ଆସିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Ratha Yatra Kendujhar