Advertisment

ଜାମୁଦଣ୍ଡାର ପ୍ରଥମ ଦୁଃଖ ଖରସ୍ରୋତା

ବେଳ ଥାଉ ଥାଉ ପ୍ରତିକାର ବ୍ୟବସ୍ଥା କରା ନଗଲେ ଆଗକୁ ଜାମୁଦଣ୍ଡା ଗ୍ରାମବାସୀଙ୍କ ପାଇଁ ବଡ଼ ବିପଦ ଦେଖାଦେଇପାରେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Kharasrota

Kharasrota

କୂଳ ଖାଉଛି ନଦୀ। ଧୀରେ ଧୀରେ କୂଳ ଖାଇ ଖାଇ ଗାଁ ପାଖରେ ପହଞ୍ଚିଲାଣି ନଦୀ। କିଛି ଘର ଭାଙ୍ଗି ସାରିଲାଣି। ଏକାଧିକ ଚାଷ ଜମି ତା’ ଗର୍ଭରେ ଲୀନ ହୋଇସାରିଲେଣି। ତଥାପି ପଡ଼ିନି ସରକାରଙ୍କ ଶୁଭ ଦୃଷ୍ଟି। ସେଥିପାଇଁ ଚିନ୍ତାରେ ଅଛନ୍ତି ଗ୍ରାମବାସୀ। ଏହି ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗାଁରେ।

Advertisment
Kharasrota ଚିନ୍ତା ବଢ଼ାଇଛି ଖରସ୍ରୋତା ନଦୀ

ଏହି ଗାଁ ଦେଇ ପ୍ରବାହିତ ହେଉଛି ଖରସ୍ରୋତା ନଦୀ। ହେଲେ ତାହା ହେଉଛି ଗ୍ରାମବାସୀଙ୍କ ପ୍ରଥମ ଦୁଃଖ। କାରଣ ଖରସ୍ରୋତା ଧୀରେ ଧୀରେ ଗାଁ ଆଡ଼କୁ ମାଡ଼ି ଆସୁଛି। ଗ୍ରାମବାସୀଙ୍କ କହିବା କଥା, ଦୀର୍ଘ ପ୍ରାୟ ୨୦ ବର୍ଷ ହେଲାଣି କୂଳ ଖାଇ ଚାଲିଛି ଖରସ୍ରୋତା। ବର୍ଷକୁ ୧୫ରୁ ୨୦ ଫୁଟ୍ କୂଳ ଖାଉଛି। କୂଳ ଖାଇ ଖାଇ ଏହା ଗାଁ ପାଖରେ ପହଞ୍ଚି ସାରିଲାଣି। ଏହା ମଧ୍ୟରେ ୧୦/୧୨ଟି ଘର ଭାଙ୍ଗି ସାରିଲାଣି। ୫୦ ଏକରରୁ ଅଧିକ ଜମି ତା’ ଗର୍ଭରେ ଲୀନ ହୋଇସାରିଲାଣି। ଏହି ସ୍ଥିତି ବଜାୟ ରହିଲେ ଖରସ୍ରୋତା ଦିନେ ନା ଦିନେ ପୂରା ଜାମୁଦଣ୍ଡା ଗାଁକୁ ଗିଳି ଦେବ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି।

Kharasrota1କୂଳ ଖାଇ ଖାଇ ଗାଁ ପାଖରେ ପହଞ୍ଚିଲାଣି ଖରସ୍ରୋତା।

ଗାଁର ଗଣେଶ୍ୱର ବାରିକ କହିଛନ୍ତି, ନଦୀ ଅତି କମ୍‌ରେ ୩ରୁ ୪ କିଲୋମିଟର କୂଳ ଖାଇ ସାରିଲାଣି। ବିଗତ ଦିନରେ ଯେଉଁ ସରକାର ଥିଲେ, ତାଙ୍କୁ ଆମେ ଅଭିଯୋଗ କରିଥିଲୁ। କିନ୍ତୁ ଏଯାଏଁ ସମସ୍ୟାର ସମାଧାନ ହୋଇପାରୁନି। ଗାଁର ପ୍ରାୟ ୧୦ଟି ପରିବାରର ଘର ନଦୀରେ ଲୀନ ହୋଇସାରିଲାଣି। ଯେଉଁମାନଙ୍କ ପାଖରେ ପଇସା ଅଛି, ସେମାନେ ନୂଆ ଜାଗା କିଣି ଘର କରି ସାରିଲେଣି। ଯେଉଁମାନଙ୍କର ପଇସା ନାହିଁ, ସେମାନେ ଗୋଚର ସରକାରୀ ଜମିରେ ଘର କରି ରହୁଛନ୍ତି। କୂଳରେ ପଥର ପ୍ୟାକିଂ ନିହାତି ଆବଶ୍ୟକ।

Advertisment
Kharasrota 2ଘର ଓ ଚାଷ ଜମି ଗିଳି ସାରିଲାଣି ଖରସ୍ରୋତା।

ସେହିପରି ଗାଁର ସନ୍ତୋଷ ଦାଶ କହିଛନ୍ତି, ଧୀରେ ଧୀରେ କୂଳ ଖାଇ ନଦୀ ଗାଁ ପାଖରେ ପହଞ୍ଚିଲା। କିଛି ଲୋକ ଗାଁ ଛାଡ଼ି ଦେଲାଣି। ଏବେ ଯେଉଁମାନେ ଅଛନ୍ତି, ସେମାନଙ୍କ ଆର୍ଥିକ ପରିସ୍ଥିତି ବହୁତ ଖରାପ। ସରକାର ଯଦି ଏବେ କିଛି ନ ଶୁଣନ୍ତି, ଆମ ପିଲାଛୁଆ ବି ଉଠିଯିବେ। ଆଉ କିଛି ଉପାୟ ନାହିଁ। ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ଜଣାଇ ସାରିଛୁ। ଗତ ସରକାରଙ୍କୁ ଜଣାଇଥିଲୁ, ନୂଆ ସରକାରଙ୍କୁ ବି ଏ ବିଷୟରେ ଜଣାଇଛୁ। ନଦୀ ଯେତେବେଳ ଗାଁଠାରୁ ଗୋଟିଏ କିଲୋମିଟର ଦୂରରେ ଥିଲା, ସେବେଠାରୁ ଆମେ ଲାଗିଛୁ କେମିତି ଏଠାରେ ପଥର ପ୍ୟାକିଂ ହେବ। ସମସ୍ତେ ହଁ ହଁ କରୁଛନ୍ତି, କିନ୍ତୁ ଫଳ ଶୂନ।

ଜାମୁଦଣ୍ଡା ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ଆଳି ଜଳ ସଂପଦ ବିଭାଗର ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯିବାରେ ସେମାନେ କିଛି କହି ନଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଏଷ୍ଟିମେଟ୍ କରିଛନ୍ତି। ଏଷ୍ଟିମେଟ୍ ଓ ଡିଜାଇନ ଅନୁମତି ପାଇବା ପରେ କାମ ଆରମ୍ଭ ହେବ।

Kharasrota2କୂଳରେ ପଥର ପ୍ୟାକିଂ କରିବାକୁ ହେଉଛି ଦାବି।

ଗାଁର ପିତାମ୍ବର ନାୟକ କହିଛନ୍ତି, ପ୍ରତି ବର୍ଷ ନଦୀ ୧୫ରୁ ୨୦ ଫୁଟ୍ ପର୍ଯ୍ୟନ୍ତ କୂଳ ଖାଉଛି ନଦୀ। ୨୦୧୯ରେ କିଛି ପଥର ପକାଇଥିଲେ। ସେସବୁ ଭାସିଗଲାଣି। ୫୦ ଏକ ଜମି ନଦୀରେ ପଳାଇଲାଣି। ଏଭଳି ସ ସ୍ୟାରେ ଆମେ ରହୁଛୁ। ସରକାର ଏହାର ସମାଧାନ ତୁରନ୍ତ କରନ୍ତୁ ବୋଲି ଆମେ ଅନୁରୋଧ କରୁଛୁ।

ବେଳ ଥାଉ ଥାଉ ପ୍ରତିକାର ବ୍ୟବସ୍ଥା କରା ନଗଲେ ଆଗକୁ ଜାମୁଦଣ୍ଡା ଗ୍ରାମବାସୀଙ୍କ ପାଇଁ ବଡ଼ ବିପଦ ଦେଖାଦେଇପାରେ। ଗୋଟିଏ ପରେ ଗୋଟିଏ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯାଇପାରେ। ଏମିତିକି ପୂରା ଗାଁଟି ମଧ୍ୟ ନଦୀ ଗର୍ଭରେ ଲୀନ ହୋଇଯାଇପାରେ।

ରିପୋର୍ଟ- ଆଳିରୁ ବନମାଳୀ ସାହୁ