କିଏ ବୁଝିବ ପେଟର ଦୁଃଖ? କିଏ ବୁଝିବ ପାଦର ଯନ୍ତ୍ରଣା? ଦୁଃଖ ଓ ଯନ୍ତ୍ରଣାକୁ ଛାତିରେ ଜାବୁଡ଼ି ଧରି ୩୦୦ କିଲୋମିଟ୍ର ଚାଳିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୯ ଦିନ ଧରି ଚାଲିଲେ ଦାମୋଦର ଖିଲ୍। ଭୋକର ବିକଳରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମଜୁରୀ ନମିଳିବାରୁ ପାଦରେ ଚାଲି ଚାଲି କୋରାପୁଟ୍ ଫେରିଲେ ଦାମୋଦର।
ଲମତାପୁଟ ବ୍ଲକ୍ ସଗର ଗାଁର ଦାମୋଦର ଖିଲ। ଗାଁରେ କାମ ଦାମ କିଛି ମିଳିଲା ନାହିଁ। ଘର ଚଳାଇବାରେ ବହୁ ଅସୁବିଧା ହେଉଥିଲା। ତେଣୁ ରୋଜଗାର ପାଇଁ ଜଣେ ଦଲାଲଙ୍କ ସହ ଆନ୍ଧ୍ରପ୍ରଦେଶ ପଳାଇ ଯାଇଥିଲେ। ସେ ଭଦ୍ରାଞ୍ଚଳରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରୀରେ ଶ୍ରମିକ ଭାବେ କାମ କରୁଥିଲେ। ଦୈନିକ ୫୫୦ ଟଙ୍କା ମଜୁରୀ ମିଳିବ ବୋଲି କୁହାଯାଇଥିଲା। ସେଠାରେ ରହି କାମ ମଧ୍ୟ କରୁଥିଲେ। ସାଢ଼େ ୪ ମାସ ଧରି କାମ କରିଥିଲେ ମଧ୍ୟ ଦାମୋଦରଙ୍କୁ ମଜୁରୀ ମିଳିନଥିଲା। ମଜୁରୀ ମାଗିଲେ ଫ୍ୟାକ୍ଟ୍ରୀ ମାଲିକ ଦେଉନଥିଲା। ବରଂ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି।
ମାଲିକ ଟଙ୍କା ଦେଉନଥିବାରୁ ଗାଁକୁ କେମିତି ଫେରିବେ ଦାମୋଦର? ସେଠାରେ ରହି ଖାଇବେ କ’ଣ? ସେହି ଚିନ୍ତା ତାଙ୍କୁ ଘରିଥିଲା। ଶେଷରେ ଘରକୁ ଫେରିବେ ବୋଲି ନିଷ୍ପତ୍ତି ନେଇଥିଲେ। ପାଦରେ ଚାଲିବା ଆରମ୍ଭ କରିଥିଲେ। ପ୍ରାୟ ୩୦୦ କିଲୋମିଟର ଚାଲିଥିଲେ। ପାଖରେ ଚାରଣୀଟିଏ ନଥିବାରୁ ମାଗି ଜାଚି ଖାଉଥିଲେ। ଦିନେ କି ଦୁଇ ଦିନ ନୁହେଁ, ୨୯ ଦିନ ଧରି ଚାଲିଥିଲେ ଦାମୋଦର। ୩୨୬ ନମ୍ୱର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଦେଇ ବୈପାରୀଗୁଡା ଥାନl ଟାଙ୍ଗିଣୀଗୁଡା ରାସ୍ତା ପାର୍ଶ୍ୱ ବିଶ୍ରାମଗାରରେ ଆଶ୍ରୟ ନେଇଥିଲେ। ସେତେବେଳେ ତାଙ୍କ ଅବସ୍ଥା ଦୟନୀୟ ଥିଲା। ଚାଲିବା ଅବସ୍ଥାରେ ସେ ନଥିଲେ। ତେଣୁ ତାଙ୍କୁ ସ୍ଥାନୀୟ କିଛି ଯୁବକ ଉଦ୍ଧାର କରି ବୈପାରୀଗୁଡା ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ।
ପୁଲିସ୍ ତାଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ରିପୋର୍ଟ- ଜୟପୁରରୁ ଟି.ଗୌରୀ ଶଙ୍କର