ଦିନେ ସେ ଲୋକଙ୍କୁ ଗୁହାରୀ ଶୁଣୁଥିଲେ। ଆଉ ସମାଧାନ କରୁଥିଲେ। ଭୋକିଲାର ପେଟ ଚିହ୍ନି ଖାଇବାକୁ ଦେଉଥିଲେ। ହେଲେ ଆଜି ସେ ଅସହାୟ। ନିଜେ ଭୋକର ଜ୍ୱଳାରେ ଜର୍ଜରିତ। ପାଲଟି ଯାଇଛନ୍ତି ଦାଦନ ଶ୍ରମିକ। ପେଟ ଚାଖଣ୍ଡକ ପାଇଁ ତାମିଲନାଡୁରେ ଦାଦାନ ଖଟୁଛନ୍ତି। ଏମିତିକା ଜଣେ ଦାଦନ ଶ୍ରମିକ ହେଉଛନ୍ତି ସମ୍ୱଲପୁର ଜିଲ୍ଲା ଧନକଉଡା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର।
୧୯୯୭ ମସିହାରେ କାନ୍ତି କୁମ୍ଭାରଙ୍କୁ ୧୯ ବର୍ଷ ହୋଇଥିଲା। ସେହି ବର୍ଷ ସେ ପଞ୍ଚାୟତ ନିର୍ବାଚନକୁ ଲମ୍ଫ ମାରିଥିଲେ। ଆଉ କଳାମାଟି ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ନିଦ୍ୱର୍ନ୍ଦ୍ୱରେ ଧନକଉଡା ବ୍ଲକ ଅଧ୍ୟକ୍ଷା ହୋଇପାରିଥିଲେ। ବ୍ଲକ ଅଧ୍ୟକ୍ଷା ହେବା ପରେ ପ୍ରତିଦିନ ଘରେ ଓ ଅଫିସ୍ରେ ଲାଗୁଥିଲା ଲୋକଙ୍କ ଭିଡ଼। ଲୋକମାନେ ନିଜର ସମସ୍ୟା ନେଇ ତାଙ୍କ ପାଖକୁ ଆସୁଥିଲେ। ଲୋକଙ୍କ ଅଳି ଅର୍ଦ୍ଦଳି ବୁଝୁବୁଝୁ ସମୟ ବିତି ଯାଉଥିଲା। ବାପା-ମାଆଙ୍କ ବଡ଼ ଝିଅ ହୋଇଥିବାରୁ ଘରର ସବୁ କଥା ମଧ୍ୟ ବୁଝୁଥିଲେ କୁନ୍ତି।
ରାଜନୀତିରେ ସକ୍ରିୟ ଥିବା ବେଳେ ୨୦୦୦ ମସିହାରେ ହାତକୁ ଦୁଇ ହାତ ହୋଇଥିଲେ କୁନ୍ତି। ବିବାହ କରି ଘର ସଂସାର ଗଢ଼ିଥିଲେ। ରାଜନୀତି ଓ ଘର ସଂସାରକୁ ଚଳାଉ ଥିଲେ। ନିଜ ପରିବାରକୁ ନେଇ ବେଶ୍ ହସ ଖୁସିରେ ରହୁଥିଲେ କୁନ୍ତି। ସ୍ୱାମୀ, ଶାଶୁ ଶ୍ୱଶୁର ଓ ଦୁଇ ପିଲା(ପୁଅ ଓ ଝିଅ)କୁ ସମ୍ଭାଳୁଥିଲେ। ତାହା ଭିତରେ ପୁଣି ରାଜନୀତି। ସବୁ ମେନେଜ କରି ସଂସାର ରଥକୁ ଆଗକୁ ନେଉଥିଲେ। ୨୦୦୨ ମସିହାରେ ବ୍ଲକ ଅଧ୍ୟକ୍ଷା ଭାବେ ତାଙ୍କ ଅବଧି ସରିଥିଲା। ଆଉ ଆଗପରି ରାଜନୀତିରେ ସକ୍ରିୟ ହୋଇପାରିଲେ ନାହିଁ। ସେହି ସମୟରେ ତାଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ଆକାଶ। ସୁନାର ସଂସାରରେ ଲାଗିଗଲା ନିଆଁ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଲା। ପାରିବାରିକ ବିବାଦ ବଢ଼ିବାରୁ ୨୦୦୪ ମସିହାରେ ଦୁଇ ଛୁଆଙ୍କୁ ଧରି ବାପଘରକୁ ପଳାଇ ଆସିଥିଲେ କୁନ୍ତି। ବାପ-ମାଆଙ୍କ ପାଖରେ ରହିବାରେ ଲାଗିଲେ।
ରାଜନେତା ଭାବେ କୁନ୍ତି ଲୋକଙ୍କ ପାଇଁ ନିଃଶ୍ୱାର୍ଥପର ଭାବେ କାମ କରିଥିଲେ। ହେଲେ କୁନ୍ତିଙ୍କ ଏ ଦୁଃଖର ସମୟ ବେଳେ କେହି ତାଙ୍କ ପାଖକୁ ଆସିଲେ ନାହିଁ। ସହାୟତାର ହାତ ବଢ଼ାଇଲେ ନାହିଁ। କଥା ମଧ୍ୟ ହେଲେନାହିଁ। କଥାରେ ‘ବାପଘରେ ଝିଅ ଅଢ଼େଇ ଦିନର କୁଣିଆ’। ତାହା ହେଲେ ପିଲାଙ୍କୁ ଧରି କେଉଁଠି ବାପ ଘରେ ରହିବେ? କେମିତି ପିଲାଙ୍କୁ ମଣିଷ କରିବେ? ସେହି ଚିନ୍ତାରେ ପଡ଼ିଗଲେ କୁନ୍ତି। କିଛି ଉପାୟ ନପାଇ କାମ ରୋଜଗାରରେ ଘରୁ ବାହାରିଲେ। ପୁଅ ଓ ଝିଅଙ୍କୁ ବାପାମାଆଙ୍କ ପାଖରେ ଛାଡ଼ି ଟିଫିନ୍ ଧରି ମୂଲ ଲାଗିଲେ। ହେଲେ ସେଥିରେ ପେଟ ପୂରିଲା ନାହିଁ। ପରେ ସେ ୨ଟି ଘରୋଇ ଶିକ୍ଷାନୁଷ୍ଠାନରେ କାମ କଲେ। ସେଠାରୁ ବହୁ କମ ପାରିଶ୍ରମିକ ପାଉଥିଲେ। ସେଥିରେ ଚଳିବା କଷ୍ଟକର ହେଲା।
ପାଣି ପିଇ ଭୋକ କେତେ ଦିନ ମେଣ୍ଟାଇବେ? ସେଣୁ ରାଜ୍ୟ ବାହାରକୁ ଯିବା ପାଇଁ ନିଷ୍ପତ୍ତି ନେଲେ। ଝିଅକୁ ବାପାମାଆଙ୍କ ପାଖରେ ଛାଡ଼ି ବଡ଼ ପୁଅକୁ ଧରି ତାମିଲନାଡୁ ଗଳାଗଲେ କୁନ୍ତି। ସେଠାରେ ଏକ ସୂତା କାରଖାନାରେ ଶ୍ରମିକ ଭାବେ କାମ କରୁଛନ୍ତି କୁନ୍ତି ଓ ତାଙ୍କ ପୁଅ। ଦୀର୍ଘ ଦିନ ହେଲା ମାଆ ଓ ପୁଅ ଦାଦନ ଖଟୁଛନ୍ତି। ଯାହା ପାରିଶ୍ରମିକ ମିଳୁଛି, ସେଥିରେ ଚଳି ଯାଉଛନ୍ତି।
ଝିଅ ଦାଦନ ଖଟିବାକୁ ଯିବା ନେଇ କୁନ୍ତିଙ୍କ ମାଆ କକୟା କୁମ୍ଭାର କହିଛନ୍ତି, ଝିଅ ଏବେ ଦାଦନ ଖଟିବାକୁ ତାମିଲନାଡୁରେ। ନାତୁଣୀକୁ ମୋ ପାଖରେ ଛଡ଼ି ନାତିକୁ ଧରି ତାମିଲନାଡୁରେ କାମ କରୁଛି। କିନ୍ତୁ ଯେତେବେଳେ ଝିଅ ପଦ ପଦବୀରେ ଥିଲା, ସେତେବେଳେ ତା’ ପାଖକୁ ବହୁତ ଲୋକ ଆସୁଥିଲେ। ନିଜ ନିଜର ସମସ୍ୟା ସମାଧାନ କରିବାକୁ ଅନୁରୋଧ କରୁଥିଲେ। ଅଫିସରମାନେ ମଧ୍ୟ ଆସୁଥିଲେ। କିନ୍ତୁ ପଦବୀ ଗଲା ପରେ ଆଉ କେହି ଆସିଲେନି। ଶେଷରେ ପେଟ ପାଟଣା ପାଇଁ କାମ କରିବାକୁ ଗଲା ବୋଲି କୁନ୍ତିଙ୍କ ମାଆ କହିଛନ୍ତି।
ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା