ଶ୍ମଶାନ ନାଁ ଶୁଣିଲେ ଯେଉଁଠି ଛାତିରେ ଛନକା ପଶିଯାଏ, ସେଠି ପୁଣି ଜଣେ ମହିଳା ୧୩ ବର୍ଷ ଧରି ଅହୋରାତ୍ର ଶବଦାହ କରୁଛନ୍ତି। ଦିନ କ’ଣ ରାତି ଯେତେବେଳେ ଯିଏ ଶବ ଧରି ଶ୍ମଶାନ ଆସିଲା, ସତ୍କାର କରୁଛନ୍ତି। ଆଜି ପର୍ଯ୍ୟନ୍ତ ସେ ୧୦ ହଜାରରୁ ଅଧିକ ଶବ ସତ୍କାର କରି ପାଲଟି ଯାଇଛନ୍ତି ଶ୍ମଶାନ ରାଣୀ। ସେ ହେଉଛନ୍ତି ଲକ୍ଷ୍ମୀ ଜେନା। ବାରିପଦାର ବାରୁଣୀ ଘାଟ ଶ୍ମଶାନ ହେଉଛି ତାଙ୍କ ଠିକଣା।
ବାରିପଦା ବାରୁଣୀ ଘାଟ ଶ୍ମଶାନ। ଏଠି ଶବଦାହ କାମ କରୁଥିଲେ ମାନସ ଜେନା। ତାଙ୍କୁ ‘ସେବା ସଂଘ’ କମିଟି ପକ୍ଷରୁ ତାଙ୍କୁ ମାସିକ ୬୦୦୦ ଟଙ୍କାର ପାରିଶ୍ରମିକ ଦିଆଯାଉଥିଲା। ୨୦୧୩ ମସିହାରେ ସେ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ବିବାହ ପରେ ଶ୍ମଶାନ ପଛ ପାର୍ଶ୍ୱରେ ଥିବା ଘରକୁ ବଧୂ ବେଶରେ ଆସିଥିଲେ ଲକ୍ଷ୍ମୀ। ଆଉ ସ୍ୱାମୀଙ୍କ ପାଦରେ ତାଳ ଦେଇ ଚାଲିଥିଲେ। ଶବଦାହରେ କାର୍ଯ୍ୟରେ ସ୍ୱାମୀଙ୍କୁ ସାହାଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ଘର ସଂସାର ସମ୍ଭାଳିବା ସହିତ ଶବଦାହ କାର୍ଯ୍ୟକୁ ନିଜ ହାତକୁ ନେଇଥିଲେ।
ରାତି ହେଉ ବା ଦିନ, ଯେତେବେଳେ ଯିଏ ଶ୍ମଶାନକୁ ଶବ ଧରି ଆସିବ ପ୍ରଥମେ ଗେଟ୍ ଖୋଲିବେ ଲକ୍ଷ୍ମୀ। କାନ୍ଦ ବୋବାଳିରେ ପରିବେଶ ଫାଟିପଡୁଥିବା ବେଳେ ନିଜେ ଜୁଈ ସଜାଡିବାରେ ଲାଗି ପଡ଼ନ୍ତି। କାଠ ରଖିବାଠାରୁ ଆରମ୍ଭ କରି ମୃତଦେହ ଜୁଈରେ ଶୋଇଲା ପର୍ଯ୍ୟନ୍ତ ପ୍ରାୟତଃ ସବୁ କାମ କରିଥାଆନ୍ତି ଲକ୍ଷ୍ମୀ। ରୀତିନୀତି ଅନୁସାରେ ଶବ ସତ୍କର କରିଥାଆନ୍ତି। ଆଉ ମୃତକଙ୍କ ପରିବାରକୁ ଅସ୍ତି ଦାନ ମଧ୍ୟ କରିଥାଆନ୍ତି। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୧୩ ବର୍ଷ ହେଲା ସେ ଏମିତି ଶବଦାହ କରିଆସୁଛନ୍ତି। ହେଲେ କେବେ ହେଲେ କାହାକୁ ମୁହଁ ଖୋଲି ମୂଲ ମାଗି ନାହାନ୍ତି। ମୃତକଙ୍କ ସାଙ୍ଗରେ ଆସିଥିବା ଆତ୍ମୀୟମାନେ ଯାହା ଖୁସିରେ ଦିଅନ୍ତି, ମନା କରନ୍ତିନି। ସାଦରେ ଗ୍ରହଣ କରନ୍ତି।
ଲକ୍ଷ୍ମୀ ଜେନା କହିଛନ୍ତି, ମୁଁ ମୋ’ କାମ କରୁଛି। ଯିଏ ମୋତେ ଭୁଲ ଭାବୁଛି ଭାବୁ। ସେଥିପ୍ରତି ଧ୍ୟାନ ଦେଉନାହିଁ। ଏଠି ରହୁଥିଲେ ବି ଆଜି ପର୍ଯ୍ୟନ୍ତ ଭୁତ ପ୍ରେତ କିଛି ଦେଖିନାହିଁ। ମୋତେ ଭୟ ଲାଗୁନାହିଁ ବୋଲି ଲକ୍ଷ୍ମୀ କହିଛନ୍ତି।
ଶବଦାହ କରୁଛନ୍ତି ଅର୍ଥ ନୁହେଁ ଲକ୍ଷ୍ମୀ ପରିବାର କିଛି ନାହିଁ। ନା ତାହା ସମ୍ପୂର୍ଣ୍ଣ ଭୁଲ୍। ଲକ୍ଷ୍ମୀଙ୍କର ଘର ସଂସାର ଅଛି। ସ୍ୱାମୀ ମାନସଙ୍କ ସହ ୫ ପୁଅ ଓ ଝିଅ ଅଛନ୍ତି। ବାରୁଣୀ ଶ୍ମଶାନ ପାଖରେ ରୁହନ୍ତି, ସେଇଠି ପିଲାଙ୍କ କଥା ବୁଝନ୍ତି। ଶବ ସତ୍କାର ମଧ୍ୟ କରନ୍ତି। ଯେଉଁ କର୍ମମୟ ହାତ, ପିଲାଙ୍କ ମୁହଁରେ ଦାନା ଦିଏ, ସେଇ ହାତ ଶବକୁ ପଞ୍ଚତତ୍ତ୍ୱରେ ବିଲୀନ କରାଏ। ଏପରି ମହିଳାଙ୍କ ଶହେ ସଲାମ୍।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି