Advertisment

ଜେଲ୍‌ ଯିବାରେ ପ୍ରଥମ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନୁହନ୍ତି ସୋରେନ; ଜାଣନ୍ତୁ, ପୂରା ତାଲିକା

ନିଜ ଶାସନ କାଳରେ ହେମନ୍ତ ସୋରେନ୍‌ ବନ୍ଧା ହୋଇଥିବା ବେଳେ ଏହା ଝାଡ଼ଖଣ୍ଡ ଇତିହାସ ପାଇଁ ନୂଆ କଥା ନୁହେଁ । ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବନ୍ଧା ହୋଇଥିବା ଝାଡ଼ଖଣ୍ଡର ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୋରେନ ପିତାପୁତ୍ର ଯୋଡ଼ି ବି ଅଛନ୍ତି।

author-image
Niharika Rout
Former CMs of Jharkhand

Former CMs of Jharkhand

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ଗିରଫଦାରୀ ପରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ । ହେମନ୍ତ ସୋରେନ୍‌ ଗତକାଲି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବା ପରେ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ବଛା ଯାଇଛି।

Advertisment

ନିଜ ଶାସନ କାଳରେ ହେମନ୍ତ ସୋରେନ୍‌ ବନ୍ଧା ହୋଇଥିବା ବେଳେ ଏହା ଝାଡ଼ଖଣ୍ଡ ଇତିହାସ ପାଇଁ ନୂଆ କଥା ନୁହେଁ । ୨୦୦୦ ମସିହା ନଭେମ୍ବର ୧୫ରେ ଗଠିତ ହୋଇଥିଲା ଝାଡ଼ଖଣ୍ଡ ରାଜ୍ୟ । ଇତି ମଧ୍ୟରେ ୨୩ ବର୍ଷ ବିତି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗାଦିରେ ୬ ଜଣ ବସି ସାରିଲେଣି। ମାତ୍ର ସେମାନଙ୍କ ମଧ୍ୟରୁ ୩ ଜଣ ନିଜ ଶାସନ କାଳରେ ହିଁ ବନ୍ଧା ହୋଇଛନ୍ତି। ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବନ୍ଧା ହୋଇଥିବା ଝାଡ଼ଖଣ୍ଡର ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୋରେନ ପିତାପୁତ୍ର ଯୋଡ଼ି ବି ଅଛନ୍ତି। ତେବେ ସମସ୍ତେ ଭିନ୍ନ ଭିନ୍ନ ମାମଲାରେ ବନ୍ଧା ହୋଇଛନ୍ତି।

ହେମନ୍ତ ସୋରେନଙ୍କ ପରି ତାଙ୍କ ପିତା ଶିବୁ ସୋରେନ ମଧ୍ୟ ଶାସନ ଗାଦିରେ ଥିବା ବେଳେ ବନ୍ଧା ହୋଇଥିଲେ। ସୋରେନ ପିତାପୁତ୍ରଙ୍କୁ ବାଦ ଦେଲେ ମଧୁ କୋଡ଼ା ବି ସମାନ ଢଙ୍ଗରେ ଗିରଫ ହୋଇ ଜେଲ୍‌ ଯାଇଥିଲେ।

Advertisment

ଶିବୁ ସୋରେନ

ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ୨୦୦୫ ମସିହାରେ ୧୦ ଦିନ ପାଇଁ ଶାସନ ଗାଦି ସମ୍ଭାଳିଥିଲେ। ଏହାପରେ ୨୦୦୮ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓ ୨୦୦୯ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। ଏହି ସମୟ ମଧ୍ୟରେ ନିଜ ବ୍ୟକ୍ତିଗତ ସଚିବଙ୍କୁ ହତ୍ୟା ମାମଲାରେ ଶିବୁ ସୋରେନ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୯୯୪ ମସିହାରେ ଏହି ଅପରାଧ ସଂଘଟିତ ହୋଇଥିବା ବେଳେ ୨୦୦୬ ମସିହାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡାଦେଶ ଶୁଣାଣି କରିଥିଲେ। ମାତ୍ର ଆବଶ୍ୟକ ପ୍ରମାଣ ଅଭାବରୁ ୨୦୦୭ ମସିହାରେ ତାଙ୍କ ଦଣ୍ଡାଦେଶକୁ ଉଠାଇ ଦିଆଯାଇଥିଲା। ୨୦୧୮ ମସିହାରେ ସୁପ୍ରିମକୋର୍ଟ ବି ଏହି ରାୟକୁ କାଏମ ରଖିଥିଲେ।

ଏହାବାଦ ୨୦୦୪ ମସିହାରେ ଜାମତାଡ଼ା ବିଭାଗୀୟ ନ୍ୟାୟିକ ମାଜିଷ୍ଟ୍ରେଟ ଅଦାଲତରେ ଶିବୁ ସୋରେନ୍‌ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏଥିନିମନ୍ତେ ଶିବୁ ସୋରେନଙ୍କୁ ୨୦୦୪ ମସିହା ଜୁଲାଇ ୨୪ ତାରିଖରେ ମନମୋହନ ସରକାରରୁ କେନ୍ଦ୍ର କୋଇଲା ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପ୍ରମାଣ ଅଭାବରୁ ଶିବୁ ସୋରେନ ମୁକ୍ତି ପାଇଥିଲେ।

ମଧୁ କୋଡା

ମଧୁ କୋଡା ୨୦୦୬ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ। ମନି ଲଣ୍ଡରିଂ ମାମଲା ସହ ସେ ପ୍ରାୟ ୪ ହଜାର କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ କୋଡା ୨୦୦୯ ମସିହାରେ ଗିରଫ ହୋଇଥିବା ବେଳେ ୨୦୧୩ ମସିହାରେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ଏହାପରେ ପୁଣି ଥରେ ୨୦୧୭ ମସିହାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୩ ବର୍ଷର ସଶ୍ରମ କାରାଦଣ୍ଡ ଓ ୨୫ ଲକ୍ଷ ଜରିମାନା ଲାଗୁ କରାଯାଇଥିଲା।

ଜାଣନ୍ତୁ, କେଉଁ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି ଜେଲ୍‌

ଝାଡ଼ଖଣ୍ଡ ରାଜ୍ୟ ଗଠନକୁ ଇତି ମଧ୍ୟରେ ୨୪ ବର୍ଷ ହୋଇଥିବା ବେଳେ ଶାସନ ଗାଦିରେ ବସି ସାରିଲେଣି ୬ ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ଓ ରଘୁବର ଦାସ ନିଜ ଶାସନ କାଳରେ ଜେଲ୍‌ ଯାଇ ନ ଥିବା ଜଣାଯାଇଛି। ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ନିଜ ଶାସନ କାଳକୁ ସମ୍ପୂର୍ଣ୍ଣ କରି ପାରି ନ ଥିବା ବେଳେ କେବଳ ରଘୁବର ଦାସ ହିଁ ୫ ବର୍ଷ ଧରି ଶାସନ ଗାଦିରେ ବସିବାକୁ ସକ୍ଷମ ହୋଇଥିଲେ।

Jharkhand Arrest